ପ୍ରମୂଖ ଖବର
  • ଚୌଦ୍ବାର ନିର୍ଗୁଣ୍ଡିରେ ନିକଟରେ ସରିଲା ରେଲୱେ ଟ୍ରକ୍‌ ମରାମତି, ଖୁବ୍‌ଶୀଘ୍ର ଚାଳଚଳ କରିବ ଟ୍ରେନ୍
  • ||
  • ଆନନ୍ଦପୁର : ଟ୍ରଲର୍-ହାଇୱା ମୁହାଁମୁହିଁ ଧକ୍କା: ଡ୍ରାଇଭର୍ ମୃତ, ହେଲପର୍ ଗୁରୁତର
  • ||
  • କଟକ : ଇଦ୍ ଉଲ୍ ଫିତର ଓ ରାମ ନବମୀ ଉତ୍ସବ ପାଇଁ ତିଗିରିଆ ପୋଲିସ୍ ପକ୍ଷରୁ ଫ୍ଲାଗମାର୍ଚ୍ଚ
  • ||
  • ଭୁବନେଶ୍ୱର : ଜମି ବାଡ଼ି ବିବାଦକୁ ନେଇ ବନଦୂର୍ଗା ବସ୍ତି ପାଲଟିଲା ରଣକ୍ଷେତ୍ର, ସାନ ଭାଇକୁ ଗୁଣ୍ଡା ଲଗାଇ ହାଣିଲା ବଡ ଭାଇ
  • ||
  • ଶ୍ରୀବିଗ୍ରହଙ୍କ ଖସାପଡ଼ା ନୀତ, ଅପରାହ୍ନ ୫ ଟାରୁ ରାତି ୧୦ଟା ସର୍ବସାଧାରଣ ଦର୍ଶନ ମନା
  • ||
  • ସୋମବାରଠୁ ରାଜ୍ୟରେ କମିବ ତାତିର ପ୍ରକୋପ, ଏପ୍ରିଲ ୨ରୁ ୫ ଯାଏ ଓଡ଼ିଶାରେ ବର୍ଷା ସମ୍ଭାବନା
  • ||

ନାରୀଶକ୍ତି : ଅସ୍ମିତା ଓ ଅସ୍ତିତ୍ଵ

Published By : Prameya | March 26, 2025 10:32 AM

ନାରୀ କିଏ ଓ ସମାଜ ପ୍ରତି ତା’ର ଅବଦାନ କ’ଣ, ବୋଧହୁଏ ଆମେ ଆଜିଯାଏଁ ଠିକ୍‌ରେ ବୁଝିପାରିନାହୁଁ କି ଆଗାମୀ ପିଢ଼ିକୁ ମଧ୍ୟ ତାହା ଠିକ୍‌ରେ ବୁଝାଇପାରୁ ନାହୁଁ। ନାରୀର ଅସ୍ମିତା ଓ ଅସ୍ତିତ୍ୱକୁ ନିଜର ଅଜ୍ଞାନ, ଅବହେଳା, ଅଣଦେଖା, ଅତ୍ୟାଚାର ଓ ଅସହିଷ୍ଣୁତାର ଚାଦର ତଳେ ଢାଙ୍କି ଦେଉଛେ। କିନ୍ତୁ ନାରୀଶକ୍ତିକୁ ପରିଚୟ ଦେବା ଓ ଶ୍ରେୟ ଦେବା ହେଲା ବର୍ତ୍ତମାନ ସମୟର ଆହ୍ୱାନ।   

  ଅନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ, ସମାଜ ପ୍ରତି ମହିଳାଙ୍କ ଭୂମିକା ଏବଂ ନାରୀଶକ୍ତି ବିଷୟରେ ପିଲାମାନଙ୍କୁ ସମ୍ବେଦନଶୀଳ କରିବା ପାଇଁ, ଦୁର୍ଗମ ଆଦିବାସୀ ଗ୍ରାମରେ ଅବସ୍ଥିତ ଏକ ସ୍ଥାନୀୟ ବିଦ୍ୟାଳୟରେ କାହାଣୀ ଲେଖନୀ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ଉଚ୍ଚ ମାଧ୍ୟମିକ ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କର ସୃଜନଶୀଳତା ପ୍ରଦର୍ଶନ କରିବାକୁ ସୁଯୋଗ ଦିଆଯାଇଥିଲା। ମାତ୍ର ୮ଜଣ ଅଂଶଗ୍ରହଣକାରୀଙ୍କ ସାମାନ୍ୟ ଉପସ୍ଥିତି ସତ୍ତ୍ଵେ ପ୍ରତିଯୋଗିତାର ଉଦ୍ଦେଶ୍ୟ ସ୍ପଷ୍ଟ ଥିଲା। ପ୍ରତିଯୋଗିତାର ବିଷୟବସ୍ତୁ ଥିଲା "ନାରୀଶକ୍ତି’। ଯେତେବେଳେ କାହାଣୀଗୁଡ଼ିକୁ ପୁରସ୍କାର ବଣ୍ଟନ ପାଇଁ ସମୀକ୍ଷା କରାଯାଇଥିଲା, ସେତେବେଳେ ଏକ ଆଶ୍ଚର୍ଯ୍ୟଜନକ କଥା ସାମ୍ନାକୁ ଆସିଥିଲା। ଚାରିଜଣ ଛାତ୍ରଛାତ୍ରୀ ଅପ୍ରତ୍ୟାଶିତ ଭାବରେ ମହିଳାଙ୍କ ଶକ୍ତିକୁ ଚିତ୍ରଣ କରିଥିଲେ, ଯେଉଁଠି ସେମାନେ ନାରୀର ଶକ୍ତିକୁ ଏକ ଡାଆଣୀ ସାଙ୍ଗରେ ତୁଳନା କରିଥିଲେ। 

ଏହି ଚିତ୍ରଣ ସେମାନଙ୍କର ଦୃଷ୍ଟିକୋଣର ଏକ ଅପ୍ରିୟ ସତ୍ୟ କଥା କହୁଥିଲା, ଯାହା ସିଧାସଳଖ ଇଙ୍ଗିତ କରୁଥିଲା ସେମାନେ ବଢୁଥିବା ପରିବେଶ ଆଡ଼କୁ, ବୟସ୍କ ବା ଗୁରୁଜନମାନଙ୍କର କାର୍ଯ୍ୟକଳାପ ଓ କଥାବାର୍ତ୍ତା, ଦୈନନ୍ଦିନ ଜୀବନରେ ଦେଖୁଥିବା ବା ଘଟୁଥିବା ଘଟଣା ଆଡ଼କୁ । ପୁରସ୍କାର ବଣ୍ଟନ ପୂର୍ବରୁ ଛାତ୍ରଛାତ୍ରୀମାନଙ୍କୁ ଏକ ପ୍ରଶ୍ନ ପଚରା ଯାଇଥିଲା ଯେ "ତୁମେମାନେ କେବେ ସୁଧା ମୂର୍ତ୍ତି, ଶକୁନ୍ତଳା ଦେବୀ, କଳ୍ପନା ଚାୱଲାଙ୍କ ଭଳି ମହିଳାଙ୍କ ବିଷୟରେ ଶୁଣିଛ ?’ ପ୍ରଶ୍ନରେ କୋଠରିଟି ନିରବ ହୋଇଗଲା। ଲାଗିଲା ଯେମିତି ସେଇସବୁ ନାଁ ପିଲାଙ୍କୁ ଅତି ଅଚିହ୍ନା ଅଚିହ୍ନା। ଏଥିସହିତ ଦ୍ୱିତୀୟ ପ୍ରଶ୍ନଟି ପଚରାଯାଇଥିଲା ଯେ "ତୁମେ କେବେ କୌଣସି ଡାଆଣୀ ବା ଚିରିଗୁଣୀ ଦେଖିଛ ?’ ଏହି ପ୍ରଶ୍ନରେ ଗୋଟିଏ ଛାତ୍ରୀ ଉତ୍ତର ଦେଲା "ହଁ ! ଆମ ଗାଁରେ ଗୋଟେ ଡାଆଣୀ ଅଛି। ସମସ୍ତେ ତାକୁ ଭୟ କରନ୍ତି ଓ ତା' ପାଖ ପଶନ୍ତି ନାହିଁ’। ଉତ୍ତରଟି ଗଭୀର ଭାବରେ ନିହିତ ବ୍ୟାପକ ଅନ୍ଧବିଶ୍ୱାସକୁ ଦର୍ଶାଉଥିଲା। 

ଯଦିଓ ସେଇ ଅନ୍ଧବିଶ୍ୱାସ ଓ ମିଥ୍ୟାକୁ ଦୂର କରିବା ପାଇଁ ତତ୍‌କ୍ଷଣାତ୍‌ ପ୍ରୟାସ କରାଯାଇଥିଲା ଏବଂ ସ୍ପଷ୍ଟ କରାଯାଇଥିଲା ଯେ, କୌଣସି ମହିଳା ଡାଆଣୀ ହୋଇପାରିବେ ନାହିଁ, କିନ୍ତୁ ଜଳଜଳ ଦିଶୁଥିଲା ଯେ ସେଇ ଅନ୍ଧବିଶ୍ୱାସ କଅଁଳ ପିଲାମାନଙ୍କର ଚିନ୍ତାଧାରା ଉପରେ ଏକ ଦୀର୍ଘ କାୟା ମେଲାଇ ସାରିଛି, ଯାହାଦ୍ୱାରା ମହିଳାଙ୍କର ଶକ୍ତିକୁ ଅଲୌକିକ କିମ୍ବା ଭୟଙ୍କର ବ୍ୟତୀତ ଅନ୍ୟ କିଛି ଭାବରେ ଦେଖାଯାଇପାରିବ ନାହିଁ । ସେଇ ପିଲାମାନଙ୍କର ବୌଦ୍ଧିକ, ସାମାଜିକ ଏବଂ ସୃଜନୀଶକ୍ତି, ଅନ୍ଧବିଶ୍ୱାସ ଏବଂ କୁପରମ୍ପରା ଶିକୁଳିରେ ବନ୍ଧା। ଏଥିରେ ଭୁଲ୍‌ କାହାର? ପିଲା ଯାହା ଦେଖିବେ, ଯାହା ଶୁଣିବେ, ତାହା ଶିଖିବେ। ମହିଳାମାନଙ୍କର ସଫଳତା, ଅବଦାନ, ବଳିଦାନ, ଉଦ୍ଭାବନ, ଆବିଷ୍କାର ବା ସାମଗ୍ରିକ ବିକାଶ ଦିଗରେ ମହିଳାମାନଙ୍କର ଭୂମିକାକୁ ବହୁତ କମ୍‌ ବର୍ଣ୍ଣନା ଓ ଆଲୋଚନା କରାଯାଏ। ସେଥିଲାଗି ବୋଧେ ଭାରତକୁ ଇଂରେଜମାନଙ୍କ ଶାସନରୁ ମୁକ୍ତ କରାଇବାରେ ପ୍ରମୁଖ ରାଣୀ ଭେଲୁ ନାଚିୟାର, ରାଣୀ ଲକ୍ଷ୍ମୀବାଈ, ଏନି ବେଶାନ୍ତ, ସରୋଜିନୀ ନାଇଡୁ, କୁନ୍ତଳା କୁମାରୀ ସାବତ, ସତ୍ୟବତୀ ଦେବୀ, ରମାଦେବୀ ଚୌଧୁରୀଙ୍କ ଭଳି ଅନେକ ମହିଳାଙ୍କ ଅବଦାନ ଓ ବଳିଦାନ ଅତୁଳନୀୟ ଥିଲେ ମଧ୍ୟ, ମହିଳାମାନଙ୍କର ଶିକ୍ଷା ଓ ସଶକ୍ତିକରଣ ଦିଗରେ ସାବିତ୍ରୀବାଈ ଫୁଲେଙ୍କ ଭଳି ନାରୀଙ୍କ କୀର୍ତ୍ତି ଅବର୍ଣ୍ଣନୀୟ ଓ ଚିରସ୍ମରଣୀୟ ଥିଲେ ମଧ୍ୟ, ସାମାଜିକ କାର୍ଯ୍ୟରେ ମଦର ଟେରେସାଙ୍କ ଭଳି ସମର୍ପିତ ମହିଳାଙ୍କ ଭୂମିକା ଅନନ୍ୟ ଥିଲେ ମଧ୍ୟ କେହି ନାରୀ କିନ୍ତୁ "ରାଷ୍ଟ୍ରର ଜନନୀ’ ବା "ମଦର୍‌ ଅଫ ଦି ନେସନ୍‌’ ହୋଇପାରିଲେ ନାହିଁ। 

ସେହିପରି ଅର୍ଥଶାସ୍ତ୍ରର ପିତା- ଆଡାମ ସ୍ମିଥ, ବିଜ୍ଞାନର ପିତାଗାଲିଲିଓ, ଗଣିତର ପିତା- ଆର୍କମିଡିସ, କମ୍ପ୍ୟୁଟରର ପିତା- ଚାର୍ଲସ ବ୍ୟାବେଜ୍‌ ଥିଲାବେଳେ, ମ୍ୟାଡାମ୍‌ ମେରୀକ୍ୟୁରି ପ୍ରଥମ ମହିଳା ଭାବେ ଦୁଇ ଦୁଇଟି ବିଷୟରେ ନୋବେଲ ପୁରସ୍କାର ପାଇଥିଲେ ମଧ୍ୟ କୌଣସି ବିଷୟର ‘ଜନନୀ' ହୋଇପାରିଲେ ନାହିଁ । ଗାଲିଲିଓ (ଟେଲିସ୍କାପ), କାର୍ଲବେଞ୍ଜ (ଅଟୋମାବାଇଲ), ଆଲେକଜାଣ୍ଡାର ଗ୍ରାହାମ୍‌ ବେଲ୍‌ଙ୍କ (ଟେଲିଫାନ୍‌) ପରି ପ୍ରସିଦ୍ଧ ଉଦ୍ଭାବକଙ୍କ ବିଷୟରେ ହୁଏତ ପିଲା ସ୍କୁଲରେ ପଢୁଥିବେ, କିନ୍ତୁ ଗ୍ରେସ୍‌ ହପର୍‌ ଏବଂ ଷ୍ଟେଫନି କ୍ୟୋଲେକ୍‌ଙ୍କ ବିଷୟରେ କେତେ ଜାଣୁଛନ୍ତି? ଏହି ଦୁଇ ମହିଳାଙ୍କ ମଧ୍ୟରୁ ଜଣେ କମ୍ପ୍ୟୁଟର ପ୍ରୋଗ୍ରାମିଙ୍ଗ ପାଇଁ ପ୍ରଥମ କମ୍ପାଇଲର ଉଦ୍ଭାବନ କରି ସବୁଦିନ ଲାଗି ଟେକ୍‌ନୋଲୋଜିକୁ ବଦଳାଇଦେଲେ ଓ ଅନ୍ୟଜଣଙ୍କ ଇସ୍ପାତ ଠାରୁ ପାଞ୍ଚ ଗୁଣ ଅଧିକ ଶକ୍ତିଶାଳୀ କେଭଲାର ଉଦ୍ଭାବନ କରି ଶିଳ୍ପାୟନ ଓ ଆଧୁନିକୀକରଣର ରୂପ ବଦଳାଇ ଦେଲେ। କିନ୍ତୁ ଅବସୋସର କଥା ଯେ, ଏଇ ଯୁଗାନ୍ତକାରୀ ଉଦ୍ଭାବନର ଉଦ୍ଭାବକମାନେ ସତେଯେମିତି ଅଜଣା। 

ଉଦ୍‌ବେଗର ବିଷୟ ଯେ, ଗୁଣି-ଗାରେଡି ଓ ଅନ୍ଧବିଶ୍ୱାସର ସାମ୍ରାଜ୍ୟରେ ମହିଳାମାନେ କିନ୍ତୁ ଖୁବ୍‌ ଚର୍ଚ୍ଚାରେ । ଜଣେ ମହିଳା ଭଲ କାମ କଲେ ତାକୁ ପରିଚୟ ମିଳୁନାହିଁ, ଅଥଚ ଡାଆଣୀ, ପିଶାଚୁଣୀ, ଚିରିଗୁଣୀ, ପ୍ରେତାତ୍ମା, କାଳିସୀର ଆଖ୍ୟା ଦେଇ ନାରୀର ଏକ କଳୁଷିତ ଛବି ତିଆରି କରିବାରେ କିଛି ଲୋକ ପୂରା ଆଗୁଆ । ଆଜି ମଧ୍ୟ ଅନେକ ଗାଁଗହଳି ଆଭ୍ୟନ୍ତରୀଣ ବା ଆଦିବାସୀ ଅଞ୍ଚଳରେ ପିଲାଙ୍କୁ ଝାଡ଼ାବାନ୍ତି ହେଉଛି, ତେବେ ବୋଧହୁଏ ପିଶାଚୁଣୀର ନଜର ଲାଗିଯାଇଛି, ଯଦି ଲଗାତାର କମ୍ପଜ୍ୱର ହେଉଛି ଓ ଜ୍ୱର ଛାଡୁନାହିଁ ତେବେ ସେ ବ୍ୟକ୍ତିକୁ ଡାଆଣୀ ଲାଗିଛି । ଭଲ ଫସଲ ହେଉନାହିଁ, ସ୍ୱାମୀ-ସ୍ତ୍ରୀ ଭିତରେ ଭଲ ପଡୁନାହିଁ, ଜମିଜମା ବିବାଦ ମେଣ୍ଟୁନାହିଁ ଇତ୍ୟାଦି ଇତ୍ୟାଦି ପଛରେ ଡାଆଣୀ, ପିଶାଚୁଣୀ, ଚିରିଗୁଣୀମାନଙ୍କ ହାତ । ମହିଳାମାନଙ୍କୁ ଡାଆଣୀ ବା ପିଶାଚୁଣୀର ଆଖ୍ୟା ଦିଆଯାଇ ସେମାନଙ୍କ ନଖ ବାହାର କରିଦିଆଯାଏ, ମଳ ଖାଇବାକୁ ବାଧ୍ୟ କରାଯାଏ, ଉଲଗ୍ନ ହୋଇ ପରିକ୍ରମା କରିବାକୁ କୁହାଯାଏ, ନହେଲେ ମାରି ମାରି କୁଆଛୁଆ ଉଡ଼େଇ ଦିଆଯାଏ । ବେଳେବେଳେ ସେମାନଙ୍କୁ ଜାଳି ଦିଆଯାଏ, ନହେଲେ ପ୍ରାଣରୁ ମାରି ଦିଆଯାଏ । ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ ଅନୁଯାୟୀ, ବର୍ଷ ୨୦୧୦ରୁ ୨୦୨୧ ଭିତରେ ଭାରତରେ ୧୫୦୦ରୁ ଅଧିକ ଲୋକଙ୍କୁ କଳା ଯାଦୁବିଦ୍ୟା ଅଭିଯୋଗରେ ହତ୍ୟା କରାଯାଇଛି, ଯେଉଁଥିରେ ମହିଳାଙ୍କ ସଂଖ୍ୟା ସର୍ବାଧିକ । ଏହି ପାଶବିକ ଅଭ୍ୟାସ ଧୀରେ ଧୀରେ ହିଂସାତ୍ମକ ଭାବରେ ମହିଳାମାନଙ୍କୁ ଅତ୍ୟାଚାର କରିବା ପାଇଁ ଏକ ଉପକରଣରେ ପରିଣତ ହୋଇଚାଲିଛି। ଏହା ନାରୀଶକ୍ତିର ଅସ୍ମିତା ଓ ଅସ୍ତିତ୍ୱ ଉପରେ କୁଠାରାଘାତ ନୁହେଁ କି? ନାରୀ କିଏ ଓ ସମାଜ ପ୍ରତି ତା'ର ଅବଦାନ କ'ଣ, ବୋଧହୁଏ ଆମେ ଆଜିଯାଏଁ ଠିକ୍‌ରେ ବୁଝିପାରିନାହୁଁ କି ଆଗାମୀ ପିଢ଼ିକୁ ମଧ୍ୟ ତାହା ଠିକ୍‌ରେ ବୁଝାଇପାରୁ ନାହୁଁ । ନାରୀର ଅସ୍ମିତା ଓ ଅସ୍ତିତ୍ୱକୁ ନିଜର ଅଜ୍ଞାନ, ଅବହେଳା, ଅଣଦେଖା, ଅତ୍ୟାଚାର ଓ ଅସହିଷ୍ଣୁତାର ଚାଦର ତଳେ ଢାଙ୍କି ଦେଉଛେ । କିନ୍ତୁ ନାରୀଶକ୍ତିକୁ ପରିଚୟ ଦେବା ଓ ଶ୍ରେୟ ଦେବା ହେଲା ବର୍ତ୍ତମାନ ସମୟର ଆହ୍ୱାନ। ନାରୀଶକ୍ତିର ଚର୍ଚ୍ଚା କରିବା ଓ ସ୍ଥାୟୀ ବିକାଶ ଲକ୍ଷ୍ୟ ହାସଲ କରିବା ଦିଗରେ ନାରୀଙ୍କର ଉଦ୍ୟମ ଓ ସହଭାଗିତାକୁ ମୂଲ୍ୟ ଦେବା ହେଲା ପ୍ରାଥମିକତା । 

ସାରା ବିଶ୍ୱ ଯେତେବେଳେ ଜଳବାୟୁ ପରିବର୍ତ୍ତନର ବିଭୀଷିକାରେ ଭୟଭୀତ, ସେତେବେଳେ ‘ମାଣ୍ଡିଆ ରାଣୀ' ରାଇମତୀ ଘିଉରିଆଙ୍କ ଭଳି ମହିଳା ଜଳବାୟୁ ପରିବର୍ତ୍ତନର ମୁକାବିଲା, କ୍ଷୁଧା ସମସ୍ୟା, ଖାଦ୍ୟ ସୁରକ୍ଷା, ଉନ୍ନତ ପୁଷ୍ଟିସାଧନ ଦିଗରେ ମରୁଡ଼ି-ପ୍ରତିରୋଧକ ମଞ୍ଜିର ବ୍ୟବହାର ଓ ସଂରକ୍ଷଣ କରି, ସ୍ୱଳ୍ପ ପ୍ରଭାବ କିମ୍ବା ଜୈବିକ ମୃତ୍ତିକା ପରିଚାଳନା କୌଶଳ ଦ୍ୱାରା ସମସ୍ତଙ୍କ ପାଇଁ ଏକ ନ୍ୟାୟସଂଗତ ଏବଂ ସ୍ଥାୟୀ ଭବିଷ୍ୟତ ଗଢ଼ିତୋଳିବା ଦିଗରେ କାର୍ଯ୍ୟ କରି ନାରୀର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ଦର୍ଶାଉଛନ୍ତି । ନିଜର ସ୍ୱାର୍ଥ ସାଧନ ନିମନ୍ତେ ଆଜି ଯେପରି ଆମେ ପ୍ରାକୃତିକ ସମ୍ବଳର ଦାୟିତ୍ୱହୀନ ବ୍ୟବହାର କରି ପରିସଂସ୍ଥା, ଉଦ୍ଭିଦ ଏବଂ ଜୀବଜନ୍ତୁ, ଜଙ୍ଗଲ, ଚାଷଜମିର ବିନାଶ ଓ ଅବକ୍ଷୟ ଘଟାଉଛନ୍ତି, ସେଇଠି ସ୍ଥାୟୀ ଉପଭୋଗ ଏବଂ ଉତ୍ପାଦନ ଢାଞ୍ଚା ସୁନିଶ୍ଚିତ କରି, ବର୍ତ୍ତମାନର ଏବଂ ଭବିଷ୍ୟତ ପିଢ଼ିର ଜୀବିକା ନିର୍ବାହ ପାଇଁ ଜଙ୍ଗଲକୁ ସ୍ଥାୟୀଭାବରେ ପରିଚାଳନା କରି, ମରୁଭୂମିକରଣର ସଫଳତାର ସହ ମୁକାବିଲା କରିବା ସାଙ୍ଗକୁ ଜୈବ ବିବିଧତାର କ୍ଷତିକୁ ରୋକିବା ଦିଗରେ ମହିଳାମାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ବଖାଣୁଛନ୍ତି ଭାରତର "ବୃକ୍ଷ ମହିଳା’ ପଦ୍ମଶ୍ରୀ ସାଲୁମାରଦା ଥିମ୍ମାକା । "ଜଙ୍ଗଲର ଏନସାଇକ୍ଲୋପିଡିଆ’ ଭାବରେ ଜଣାଶୁଣା ପଦ୍ମଶ୍ରୀ ତୁଳସୀ ଗୌଡ଼ ନିଜେ ପ୍ରାୟ ୧୦୦,୦୦୦ ଗଛ ଲଗାଇ ତାହାର ଯତ୍ନ ନେଇ ଗୋଟିଏ ଗୋଷ୍ଠୀ ଅଭୟାରଣ୍ୟ, ପାଞ୍ଚଟି ବ୍ୟାଘ୍ର ଅଭୟାରଣ୍ୟ, ପନ୍ଦରଟି ସଂରକ୍ଷିତ ଅଭୟାରଣ୍ୟ ଏବଂ ତିରିଶଟି ବନ୍ୟଜନ୍ତୁ ଅଭୟାରଣ୍ୟକୁ ମଜବୁତ କରିବା ଓ ପାରମ୍ପରିକ ଜ୍ଞାନକୁ ସ୍ଥାୟୀ ଭାବରେ ବ୍ୟବହାର କରି, ବନ୍ୟଜନ୍ତୁଙ୍କୁ ଶିକାରୀ ଓ ଜଙ୍ଗଲ ନିଆଁରୁ ବଞ୍ଚାଇବାରେ ତଥା ସ୍ଥାନୀୟ ସମ୍ପ୍ରଦାୟକୁ ସ୍ଥାୟୀ ଜୀବିକା ପ୍ରଦାନ କରିବାରେ ସାହାଯ୍ୟ କରି ନାରୀଶକ୍ତିର ଏକ ଜ୍ୱଳନ୍ତ ପ୍ରମାଣ ପାଲଟିଛନ୍ତି। 

ମିଳିତ ଜାତିସଂଘର ତଥ୍ୟ ଅନୁଯାୟୀ, କୃଷିକ୍ଷେତ୍ରରେ ‘ନାରୀକରଣ' ଦ୍ୱାରା କୃଷି ଉତ୍ପାଦନ ୨୦ରୁ ୩୦% ବୃଦ୍ଧି କରାଯାଇପାରିବ, ଯାହା ବିଶ୍ୱବ୍ୟାପୀ ଅତିରିକ୍ତ ୧୦୦ରୁ ୧୫୦ ନିୟୁତ ଲୋକଙ୍କୁ ଖାଦ୍ୟ ଯୋଗାଇବା ସହିତ ଆୟରେ ଅସମାନତା ହ୍ରାସ କରିପାରିବ, ଯାହାର ଉଜ୍ୱଳ ଉଦାହରଣ ସାଜି ପଦ୍ମଶ୍ରୀ ସ୍ୱର୍ଗତ କମଳା ପୂଜାରୀ ଜୈବିକ କୃଷିକ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇଛନ୍ତି । ପଦ୍ମଶ୍ରୀ ସ୍ୱର୍ଗତ ବିରୁବାଲା ରାଭା ଆସାମରେ ୱିଚ୍‌ ହଣ୍ଟିଙ୍ଗ ବିରୋଧରେ ଲଢ଼ିବା ଏବଂ ସଚେତନତା ସୃଷ୍ଟି କରିବା ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଦେଇଛନ୍ତି, ଯାହାଦ୍ୱାରା ବର୍ଷ ୨୦୧୧ରୁ ୨୦୧୯ ମଧ୍ୟରେ ୧୦୭ ଜଣଙ୍କ ଜୀବନ ରକ୍ଷା କରାଯାଇ ପାରିଥିଲା । ଭାରତରେ ୮୦% ଜୀବନ୍ତ ଅଙ୍ଗ ପ୍ରାପ୍ତକର୍ତ୍ତା ପୁରୁଷ ହୋଇଥିବାବେଳେ ପାଞ୍ଚଜଣ ଜୀବନ୍ତ ଅଙ୍ଗଦାତାଙ୍କ ମଧ୍ୟରୁ ଚାରିଜଣ ମହିଳା। ଅଙ୍ଗଦାନ ଭଳି ମହାପୁଣ୍ୟ କାର୍ଯ୍ୟରେ ମଧ୍ୟ ମହିଳାଙ୍କ ଯୋଗଦାନ ଅନନ୍ୟ। 

କେତେକ ଅଧ୍ୟୟନ ଅନୁଯାୟୀ, ମହିଳାମାନେ ପୁରୁଷଙ୍କ ତୁଳନାରେ ତିନିଗୁଣ ଅଧିକ ସମୟ ଅବୈତନିକ କାର୍ଯ୍ୟରେ ଅତିବାହିତ କରନ୍ତି । ଯଦି ଆମେ ସେଇ ଅବୈତନିକ କାର୍ଯ୍ୟର ସଠିକ ମୂଲ୍ୟାଙ୍କନ କରି ବୈତନିକ କାମର ଦରମା ସହିତ ସମାନ ଭାବରେ କ୍ଷତିପୂରଣ ଦେବା, ତେବେ ତାହା ଭାରତର ଆର୍ଥିକ ଉତ୍ପାଦନରେ ବର୍ଷକୁ ୩୦୦ ବିଲିୟନ ୟୁ.ଏସ. ଡଲାର ସମାନ ହେବ । କିନ୍ତୁ ଆମେ ହାଉସ୍‌ୱାଇଫ୍‌ ବା ଗୃହିଣୀ, କିଛି କାମ କରନ୍ତି ନାହିଁ ବୋଲି ଭାବି ଏହି ଆର୍ଥିକ ଯୋଗଦାନକୁ ଗଣନାକୁ ନେଇନଥାଉ । ଏଭଳି ଶହ ଶହ କାହାଣୀ ରହିଛି, ଯେଉଁଥିରେ ମହିଳାମାନେ କେବଳ ନିଜ ପରିବାରର ସୁରକ୍ଷା ଏବଂ କଲ୍ୟାଣର ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରନ୍ତି ନାହିଁ, ବରଂ ଏକ ରାଷ୍ଟ୍ରର ସ୍ଥାୟୀ ଅଭିବୃଦ୍ଧି ଏବଂ ବିକାଶରେ ମଧ୍ୟ ଅଗ୍ରଣୀ ଭୂମିକା ଗ୍ରହଣ କରନ୍ତି। ପିଲାଙ୍କୁ ମଣିଷ କରିବା ଠାରୁ ସମାଜ ଗଠନ ପର୍ଯ୍ୟନ୍ତ, ପରିବାରର ଆର୍ଥିକ ସୁଦୃଢ଼ତାରୁ ଦେଶର ଅର୍ଥବ୍ୟବସ୍ଥାରେ ଯୋଗଦାନ ପର୍ଯ୍ୟନ୍ତ, ଜଳବାୟୁ ପରିବର୍ତ୍ତନ ବିରୁଦ୍ଧରେ ଲଢେଇ କରିବା ଠାରୁ ପ୍ରକୃତିର ସଂରକ୍ଷଣ ପର୍ଯ୍ୟନ୍ତ, ଖାଦ୍ୟ ସମସ୍ୟାକୁ ସାମ୍ନା କରିବା ଠାରୁ ସ୍ଥାୟୀ ଅଭିବୃଦ୍ଧି ପର୍ଯ୍ୟନ୍ତ ମହିଳାଙ୍କ ଅବଦାନ ବିଦ୍ୟମାନ, ହେଲେ ସମାଜ ଦ୍ୱାରା ନଗଣ୍ୟ । ସ୍ଥାୟୀ ବିକାଶ ଲକ୍ଷ୍ୟ ସିଦ୍ଧିରେ ସାରା ବିଶ୍ୱ ଯେତେବେଳେ ଅଗ୍ରସର, ମହିଳାମାନଙ୍କ ପ୍ରମୁଖ ଭୂମିକାକୁ ସ୍ୱୀକୃତି ଏବଂ ସମର୍ଥନ ଦିଆଯିବା ଜରୁରି, ସିଏ ଘରେ ରହି ଘରକାମ କରୁଥିବା ଅପାଠୁଆ ମହିଳା ହୁଅନ୍ତୁ ବା ରୋଜଗାରକ୍ଷମ ପାଠୁଆ ମହିଳା ହୁଅନ୍ତୁ ନା କାହିଁକି । ସଶକ୍ତ ନାରୀ ହିଁ ନାରୀ ସଶକ୍ତିକରଣର ଅସ୍ମିତା ଓ ଅସ୍ତିତ୍ୱ ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.