ଗ୍ରୀଷ୍ମ ପ୍ରବାହ ଓଡ଼ିଶା ଜଳବାୟୁର ଏକ ଅଂଶବିଶେଷ । ପଶ୍ଚିମ ଓଡ଼ିଶାରୁ ଉପକୂଳ ପର୍ଯ୍ୟନ୍ତ ବିଭିନ୍ନ ସମୟରେ ଗ୍ରୀଷ୍ମ ପ୍ରବାହ ହୋଇଥାଏ । ରାଜ୍ୟର ଗ୍ରୀଷ୍ମ ପ୍ରବାହର ମୁଖ୍ୟ କାରଣ ଉତ୍ତର-ପଶ୍ଚିମ ଶୁଷ୍କ ପବନ । ତେବେ ସ୍ଥାନୀୟ କାରଣ ଏହାକୁ ଅଧିକ ତୀବ୍ର କରିଥାଏ । ସେଗୁଡ଼ିକ ହେଲା- ଶିଳ୍ପ ବା କଳକାରଖାନା, ସହରୀକରଣ, ଭୌଗୋଳିକ ଓ ପାଣିପାଗ ଜନିତ । ଝାରସୁଗୁଡ଼ା ଓ ଅନୁଗୁଳ ଉତ୍ତପ୍ତ ହେବାର କାରଣ, ଶିଳ୍ପରୁ ନିର୍ଗତ ଉତ୍ତାପ ଓ ସବୁଜ ଗୃହ କମ୍ ତାପମାତ୍ରାକୁ ବଢ଼ାଇଥାଏ । ବିଭିନ୍ନ ସମୟରେ ଭୁବନେଶ୍ୱର ଦେଶର ଉତ୍ତପ୍ତ ସହର ହୋଇଥାଏ । ଯାନବାହନର ବହୁଳତା ଓ ଶୀତତାପ ନିୟନ୍ତ୍ରିତ ଯନ୍ତ୍ରର ବ୍ୟବହାର ଯୋଗୁଁ ସବୁଜ ଗୃହ ଗ୍ୟାସ୍ର ନିର୍ଗମନ ତଥା କୋଠାବାଡ଼ି ଓ ରାସ୍ତା ଉତ୍ତାପକୁ ଜାବୁଡ଼ି ରଖିବା ସହିତ ଜଙ୍ଗଲ ଓ ଜଳାଶୟର ଅବକ୍ଷୟ ହେଉଛି ଏହାର କାରଣ ।
ଯେତେବେଳେ ଉତ୍ତପ୍ତ ଶୁଷ୍କ ଉତ୍ତର-ପଶ୍ଚିମା ବାୟୁ ବଙ୍ଗୋପସାଗରକୁ ସିଧା ପ୍ରବାହିତ ନହୋଇ ଉପକୂଳରେ ଉତ୍ତରାଭିମୁଖୀ ହୋଇଥାଏ ଚାନ୍ଦବାଲି ଉତ୍ତପ୍ତ ହୋଇଥାଏ । ପଶ୍ଚିମ ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ ମୁଖ୍ୟତଃ ଭୌଗୋଳିକ । ଏହି ସମୟରେ ଚଳିତ ବର୍ଷ ବୌଦ୍ଧ ହଠାତ୍ ଦେଶର ସବୁଠାରୁ ଉତ୍ତପ୍ତ ସହର ହେବା ସ୍ୱାଭାବିକ ନୁହେଁ । ସାଧାରଣ ଭାବେ ଏପ୍ରିଲ ଆରମ୍ଭରୁ ସେଠି ତାପମାତ୍ରା ୪୦ ଡିଗ୍ରୀ ସେଣ୍ଟିଗ୍ରେଡରୁ ଅଧିକ ରହେ । ଗ୍ରୀଷ୍ମ ଋତୁର ପ୍ରାରମ୍ଭରୁ ହିଁ ଏହି ଗ୍ରୀଷ୍ମ ପ୍ରବାହ ମନରେ ଅନେକ ଆଶଙ୍କା ସୃଷ୍ଟି କରୁଛି । ତେବେ ଦେଖିବା ବୌଦ୍ଧରେ ଅହେତୁକ ତାପମାତ୍ରା ବୃଦ୍ଧିର ସମ୍ଭାବ୍ୟ କାରଣ । ବିଜ୍ଞାନସମ୍ମତ ସିଦ୍ଧାନ୍ତ ଓ ପାଣିପାଗ ନିରୀକ୍ଷଣ ଏହି କାରଣଗୁଡ଼ିକର ମୂଳଭୂତ । (୧) ବର୍ତ୍ତମାନ ବୌଦ୍ଧ ସମେତ ପଶ୍ଚିମ ଭାରତକୁ ଉତ୍ତର ପଶ୍ଚିମା ଶୁଷ୍କ ପବନ ବହୁଛି । ନାଗପୁର, ଛତିଶଗଡ଼ ସମେତ କେନ୍ଦ୍ରୀୟ ଭାରତରୁ ଉତ୍ତାପ କ୍ରମଶଃ କେନ୍ଦ୍ରୀଭୂତ ହୋଇ ଓଡ଼ିଶାକୁ ଆସୁଛି । (୨) ପଶ୍ଚିମା ବାୟୁ ଶୁଷ୍କ ଥିବାରୁ ତାପମାତ୍ରା ବଢ଼ୁଛି ।
ଅନ୍ୟପକ୍ଷେ, ବାୟୁର ଆର୍ଦ୍ରତା ଅଧିକ ରହିଲେ, ତାପମାତ୍ରା ଶୀଘ୍ର ବଢ଼ିନଥାଏ । ଗତ ତିନି ଦିନରେ ବୌଦ୍ଧରେ ବାୟୁର ଆର୍ଦ୍ରତା ପ୍ରାୟ ୩୦% ରହିଥିଲା । ଯଦି ଆର୍ଦ୍ରତା ୬୦% ରହିଥାନ୍ତା, ତେବେ ସେଠି ମାର୍ଚ୍ଚ ୧୬ରେ ତାପମାତ୍ରା ପ୍ରାୟ ୭.୫ ଡିଗ୍ରୀ ସେଣ୍ଟିଗ୍ରେଡ କମ୍ ରହିଥାନ୍ତା । ଅଧିକ ଆର୍ଦ୍ରତା ହେତୁ ଉପକୂଳରେ ତାପମାତ୍ରା ବେଶୀ ବଢ଼ିନଥାଏ । (୩) ମାର୍ଚ୍ଚ ୧୪ରୁ ୧୬ ମଧ୍ୟରେ ଆକାଶର ମେଘୁଆ ୦ରୁ ୨ ଓ.କେ.ଟି.ଏ.ରହିଥିଲା । ଅର୍ଥାତ୍ ବାୟୁମଣ୍ଡଳ ନିର୍ମଳ ରହିଥିଲା । ଏଣୁ ସୂର୍ଯ୍ୟଙ୍କ ପ୍ରଚଣ୍ଡ କିରଣ ଭୂପୃଷ୍ଠରେ ସିଧା ପଡ଼ିବାରୁ ଭୂପୃଷ୍ଠ ଖୁବ୍ ଅଧିକ ଉତ୍ତପ୍ତ ହେଲା । (୪) ଗତ କିଛି ମାସ ହେଲା, ସେହି ଅଞ୍ଚଳରେ ବର୍ଷା ନଥିବାରୁ ମାଟି ଶୁଖିଲା ପଡ଼ିଛି । ବତର ହେଲେ, ମାଟିର ଉତ୍ତାପ ଧାରଣ ଶକ୍ତି ଅଧିକ ରହେ ଏବଂ ଗଭୀର ମାଟିରୁ କିଛି ଉତ୍ତାପ ପ୍ରେରିତ ହୋଇଥାଏ । ଏଣୁ ମାଟିର ତାପମାତ୍ରା ବଢ଼ିନଥାଏ । କିନ୍ତୁ ବର୍ତ୍ତମାନ ବୌଦ୍ଧ ଶୁଖିଲା ଯୋଗୁଁ ଉପର ମାଟି ଖୁବ୍ ଉତ୍ତପ୍ତ ହୋଇ ସଂଲଗ୍ନ ବାୟୁମଣ୍ଡଳର ତାପାମାତ୍ରା ବଢ଼ିବାରେ ସହାୟକ ହେଲା । (୫) ମାର୍ଚ୍ଚ ୧୪ ଓ ମାର୍ଚ୍ଚ ୧୬ରେ ସାଟେଲାଇଟ୍ ତଥ୍ୟ କହୁଛି– ବାୟୁର ବେଗ ସ୍ଥିର (ଘଣ୍ଟା ପ୍ରତି ୩.୬ କିଲୋମିଟରରୁ କମ୍) ରହିଥିଲା । ଫଳରେ ଭୂପୃଷ୍ଠ ଓ ନିମ୍ନ ବାୟୁମଣ୍ଡଳର ଉତ୍ତାପ ଅନ୍ୟ ସ୍ଥାନକୁ ଅପସରି ନପାରି କେନ୍ଦ୍ରୀଭୂତ ହେଲା । (୬) ବୌଦ୍ଧରେ ଉପକୂଳ ପରି କୌଣସି ପର୍ବତମାଳା ନାହିଁ । କିନ୍ତୁ ଢାଲୁଆ ଅଞ୍ଚଳ ଯୋଗୁଁ ତଳୁଆ ସ୍ଥାନର ଉତ୍ତାପ ସେଠି ହିଁ କେନ୍ଦ୍ରୀଭୂତ ହେବା ଯୋଗୁଁ ତାପମାତ୍ରା ବଢ଼ି ଯାଇଥାଏ । (୭) ସାଧାରଣ ଭାବେ ପଶ୍ଚିମ ଓଡ଼ିଶାରେ ଜଙ୍ଗଲ କମ୍ । ବରଗଡ଼, ବଲାଙ୍ଗିର, ସୋନପୁରରୁ ବୌଦ୍ଧ ପର୍ଯ୍ୟନ୍ତ ଖୋଲା ଅଞ୍ଚଳ । ଗଛଲତା ବାୟୁମଣ୍ଡଳରେ ଆର୍ଦ୍ରତା ବଢ଼ାଇବା ସହିତ ତାପମାତ୍ରାକୁ କମ୍ ରଖିଥାଏ । ଅବଶ୍ୟ, ବୌଦ୍ଧର ଅନ୍ୟ ତିନି ପାଶ୍ୱର୍ରେ ଜଙ୍ଗଲ ରହିଛି । ଯଦିବା ତଥ୍ୟ କହୁଛି ଜିଲ୍ଲାର ୪୧% ଜଙ୍ଗଲ, କିନ୍ତୁ ଜଙ୍ଗଲର ଘନତା କମିଯାଇଛି । (୮) ଜଳାଶୟ ରହିଥିଲେ ତାପମାତ୍ରା କମ୍ ରହିଥାଏ ।
ଯେପରିକି କଟକର ତାପମାତ୍ରା ପ୍ରାୟ ୨ ଡିଗ୍ରୀ ସେଣ୍ଟିଗ୍ରେଡ କମିଥାଏ । ତେବେ ବୌଦ୍ଧ ମହାନଦୀ କୂଳରେ ରହିଛି ସତ, କିନ୍ତୁ ବର୍ତ୍ତମାନ ସେଠି ମହାନଦୀରେ ପାଣି କମ୍ । ଏହା ସହିତ ସେଠି ଅନ୍ୟ ଜଳାଶୟ ନାହିଁ । ଶିଳ୍ପ, କଳକାରଖାନା ନଥିବା ଛୋଟ ବୌଦ୍ଧ ସହରରେ ଅପ୍ରତ୍ୟାଶିତ ଭାବେ ତାପମାତ୍ରା ବଢ଼ିବା ସାଂଘାତିକ ମନେ ହେଉଛି । ଜଳବାୟୁ ପରିବର୍ତ୍ତନ ହେତୁ ଆଗକୁ ଏହା ଅଧିକ ଭୟଙ୍କର ହୋଇପାରେ । ଏଣୁ ସେଠାକାର ସାଧାରଣ ଲୋକଙ୍କ ଅନୁଭୂତି ଓ ଅଭିଜ୍ଞତାକୁ ଆଧାରରେ ନେଇ ବୈଜ୍ଞାନିକମାନଙ୍କ ପରାମର୍ଶରେ ବୌଦ୍ଧ ସମେତ ପଶ୍ଚିମ ଓଡ଼ିଶାର ଗ୍ରୀଷ୍ମ ପ୍ରବାହକୁ ପ୍ରଶମିତ କରାଯାଇ ପାରିବ । ତେବେ ଏଠି କେତେକ ପରାମର୍ଶ ଦେବାକୁ ମନେ ହେଉଛି ।
(କ) ବରଗଡ଼ ଠାରୁ ସୋନପୁର ଦେଇ ବୌଦ୍ଧ ପର୍ଯ୍ୟନ୍ତ ବର୍ତ୍ତମାନର ଜଙ୍ଗଲହୀନ ଫ୍ରି ଡ୍ରାଏ ୱିଣ୍ଡ କରିଡରକୁ ଘଞ୍ଚ ଜଙ୍ଗଲ ସୃଷ୍ଟି କରି ୱିଣ୍ଡ-ବ୍ରେକ୍ ଗ୍ରୀନ୍ କରିଡର କରାଯାଉ । (ଖ) ପଶ୍ଚିମ ଓଡ଼ିଶାରେ ଜଳସେଚନର ସୁବିଧା କରାଯାଉ । ଯେପରିକି ଖରାଟିଆ ଚାଷ ହୋଇପାରିବ ଏବଂ ଫଳତଃ ଭୂପୃଷ୍ଠ ସଂଲଗ୍ନ ତାପମାତ୍ରା କମିବାରେ ସାହାଯ୍ୟ ହେବ । (ଗ) ଗାଁ, ସହର, ରାସ୍ତା ସବୁଆଡ଼େ ଗଛ ଲଗାଯାଉ । (ଘ) ଧଳା ବର୍ଣ୍ଣର କୁଲ୍ ପେଭମେଣ୍ଟ । (ଙ) ଇ-ଯାନବାହନ ପାଇଁ ଅଧିକ ସହାୟତା । ଜଳବାୟୁ ପରିବର୍ତ୍ତନ ଯୋଗୁଁ ଗ୍ରୀଷ୍ମ ପ୍ରବାହ ଚରମ ହେବାକୁ ଯାଉଛି । ଆକଳନ କହୁଛି, ପଶ୍ଚିମ ଓଡ଼ିଶାରେ ମେ’ ମାସରେ ସର୍ବାଧିକ ତାପମାତ୍ରା ୨୦୨୪ ଅପେକ୍ଷା ଆଉ ୨ ଡିଗ୍ରୀ ସେଣ୍ଟିଗ୍ରେଡ ଅଧିକ ହୋଇପାରେ । ଏଣୁ ବର୍ତ୍ତମାନରୁ ହିଁ ଗ୍ରୀଷ୍ମ ପ୍ରବାହର ବିଭୀଷିକାକୁ କମ୍ କରିବା ପାଇଁ ପଦକ୍ଷେପ ନେବାକୁ ପଡ଼ିବ ।