ବିଭିନ୍ନ ପିଢ଼ି ମଧ୍ୟରେ ମତପାର୍ଥକ୍ୟକୁ ତର୍ଜମା କଲେ ଅନେକ କାରଣ ଜଣାଯାଏ । ସର୍ବପ୍ରଥମେ ସାଂସ୍କୃତିକ ପରିବର୍ତ୍ତନ ଏକ ମୁଖ୍ୟ ବିଷୟ ଅଟେ । ସାମାଜିକ ପରିବର୍ତ୍ତନ ଦ୍ରୁତଗତିରେ ଆଗଉଅଛି । ତେଣୁ ପ୍ରଚଳିତ ପ୍ରଥା, ନୂତନ ଭାବେ ଜ୍ଞାନକୌଶଳକୁ ଗ୍ରହଣ କରିବା, ସଙ୍ଗୀତ ଓ ସାମାଜିକ ଚଳଣି ଇତ୍ୟାଦି ଏହାକୁ ଉଜ୍ଜୀବିତ ରଖିଥାଏ । ଆଧୁନିକ ଜ୍ଞାନକୌଶଳକୁ ଯୁବ ସମାଜ ସହଜରେ ଗ୍ରହଣ କରୁଥିବାବେଳେ ପୁରୁଣା ପିଢ଼ିଙ୍କୁ କଷ୍ଟ ହୋଇଥାଏ । ଜୀବନ ବଞ୍ଚିବାର ଆଶା ଏହାର ଅନ୍ୟ ଏକ କାରଣ ଅଟେ ।
ପାରିବାରିକ ଇତିହାସରେ ଗୋଟିଏ ପିଢ଼ି ଅନ୍ୟ ପିଢ଼ିର ବ୍ୟକ୍ତିମାନଙ୍କ ମନୋଭାବର ପାର୍ଥକ୍ୟ ବା ସେମାନଙ୍କ ମଧ୍ୟରେ ପରସ୍ପର ବୁଝାମଣାର ଅଭାବ ସାଧାରଣତଃ ପରିଲକ୍ଷିତ ହୋଇଥାଏ । ଯୁଗ- ଯୁଗ ଧରି ମାନବ ସମାଜ ବଞ୍ଚି ରହିଛି ଏବଂ ଏହାର କୋଳରେ ସମସ୍ତ ମାନବ ଯଥା- ଶିଶୁ, ଯୁବକ ଓ ବୟସ୍କ ନିଜର ଲୀଳା-ଖେଳା କରି ବିଦାୟ ନେଇଥାନ୍ତି । ସମୟର ପରିବର୍ତ୍ତନ ସହିତ ପିଢ଼ି ପରେ ପିଢ଼ି ଏକତ୍ର ବସବାସ କରିଥାନ୍ତି । ସେମାନଙ୍କ ମଧ୍ୟରେ ବିଚାରଧାରା, ସାଂସ୍କୃତିକ ଚେତନା ଓ ଆଧୁନିକ ଜ୍ଞାନ କୌଶଳର ଗ୍ରହଣୀୟତାକୁ ନେଇ ମତପାର୍ଥକ୍ୟ ଥିଲେ ମଧ୍ୟ ଏକ ସୁସ୍ଥ ସମାଜ ପାଇଁ ସମସ୍ତଙ୍କର କର୍ତ୍ତବ୍ୟ ଓ ଦାୟିତ୍ୱ ରହିଥାଏ । ବିଶେଷ ଭାବରେ ଯୁବ ଏବଂ ବୟସ୍କ ପିଢ଼ିଙ୍କ କ୍ଷେତ୍ରରେ ମତପର୍ଥକ୍ୟର ପରିସୀମା ବୃଦ୍ଧି ହେଉଥିବାର ଲକ୍ଷ୍ୟ କରାଯାଉଅଛି ।
କିଛିଦିନ ପୂର୍ବରୁ ବେଙ୍ଗାଲୁରୁରେ ଏକ ପ୍ରତିଷ୍ଠିତ ଆଇ. ଟି. କମ୍ପାନୀରେ କାର୍ଯ୍ୟରତ ଜଣେ କର୍ମଚାରୀ ଭୁବନେଶ୍ୱର ବଦଳି ହୋଇ ଉକ୍ତ କମ୍ପାନୀରେ ଯୋଗ ଦେଇଥିଲେ । ତାଙ୍କ ସହିତ ଆଲୋଚନା ବେଳେ ବେଙ୍ଗାଲୁରୁ ଓ ଭୁବନେଶ୍ୱର କମ୍ପାନୀ ମଧ୍ୟରେ କେଉଁଠି ଭଲ ଲାଗୁଛି ପଚାରିବାରୁ ବେଙ୍ଗାଲୁରୁ ବୋଲି ଉତ୍ତର ଦେଲେ ଏବଂ କାରଣ କହିଲେ ଯେ, ଏଠାରେ ବୟସ୍କଙ୍କୁ ଭାଇନା ଡାକୁଛନ୍ତି, ମାତ୍ର ସେଇଠି ନାମ ଧରି ଡାକନ୍ତି । ଏଥିରେ ଅନୁମାନ କରାଯାଇପାରେ ଯେ ଏହା ପରିବେଶ, ଆଧୁନିକତା ଓ ବିଚାରଧାରା ଜନିତ ପାର୍ଥକ୍ୟ ଅଟେ । ବିଭିନ୍ନ ପିଢ଼ି ମଧ୍ୟରେ ଚିନ୍ତାଧାରା, ତତ୍ତ୍ୱ ଓ ବ୍ୟବହାରକୁ ନେଇ ମତପାର୍ଥକ୍ୟ ଯୋଗୁଁ ଭୁଲ୍ ବୁଝାମଣା ସହିତ ସମ୍ପର୍କରେ ଫାଟ ଦେଖାଯାଏ । ଏଥିରେ ମତାମତ, ରାଜନୀତି, ଭାଷା, କର୍ମ ଓ ଭୌଗୋଳିକ ସ୍ଥିତି ଇତ୍ୟାଦି ଅ୍ତର୍ଭୁକ୍ତ ହୋଇଥାଏ । ସେମାନଙ୍କ ମଧ୍ୟରେ ଅଭିଜ୍ଞତା, ଅଭ୍ୟାସ ଓ ବ୍ୟବହାରରେ ମତଭେଦ ହୋଇପାରେ । ଏଥିଯୋଗୁଁ କାମ କରିବାରେ, ବନ୍ଧୁତାରେ, ଅଭିଭାବକତ୍ୱରେ ଓ ସ୍ନେହ ସମ୍ପର୍କରେ ପିଢ଼ି ମଧ୍ୟରେ ବିଭିନ୍ନତା ଦେଖାଯାଇଥାଏ ।
ମୋଟାମୋଟି କହିବାକୁ ଗଲେ ପ୍ରତ୍ୟେକ ପିଢ଼ି ଭିନ୍ନ ସମୟରେ ଜନ୍ମ ହୋଇ ବଢ଼ିଥାନ୍ତି । ସମୟର ପରିବର୍ତ୍ତନରେ ଏହା ପ୍ରଭାବିତ ହୋଇଥାଏ । ସମାଜ ବଦଳିବା ସଙ୍ଗେ ମୂଲ୍ୟବୋଧ, ବିଶ୍ୱାସ ଓ ଆଗ୍ରହ ମଧ୍ୟ ବଦଳି ଯାଉଛି । ଯୁବ ଏବଂ ବୟସ୍କଙ୍କ ମଧ୍ୟରେ ମତପ୍ରକାଶ, ମନୋଭାବ ଓ ବିଶ୍ୱାସକୁ ନେଇ ମତପାର୍ଥକ୍ୟ ଦେଖାଯାଏ । ଯୁବପିଢ଼ି ନୂତନ ଭାବନା ଓ ମୂଲ୍ୟକୁ ଗ୍ରହଣ କରୁଥିବାବେଳେ, ପୁରୁଣା ଲୋକ ପାରମ୍ପରିକ ପଦ୍ଧତିକୁ ଗ୍ରହଣ କରିଥାନ୍ତି । ଏଥିପାଇଁ ପରିବାର ସଦସ୍ୟ, ସହଯୋଗୀ ଓ ସମାଜରେ ବିଭିନ୍ନ ବର୍ଗଙ୍କ ସହିତ ମତାନ୍ତର ଓ କଳହ ଲାଗିରହେ । ଦୁଇ ଭିନ୍ନ ପିଢ଼ି ମଧ୍ୟରେ ଆଚରଣ, ଅଭିଜ୍ଞତା, ବିଚାରଭାବ ଓ ଅଭ୍ୟାସରେ ଭିନ୍ନତା ପ୍ରକାଶ ପାଇଥାଏ ଏବଂ ବେଳେବେଳେ ସମସ୍ୟା ସୃଷ୍ଟି କରେ । କୌଣସି ବ୍ୟବସାୟ ସଂସ୍ଥା କିମ୍ବା ଶିଳ୍ପରେ ବିଭିନ୍ନ ବର୍ଗ ବା ବୟସର ଶ୍ରମିକ ନିଯୁକ୍ତି ପାଇଥାନ୍ତି ।
କୌଣସି ସମସ୍ୟାର ସମାଧାନ ବେଳେ ମତପାର୍ଥକ୍ୟ ଯୋଗୁଁ ପରସ୍ପର ଉପରେ ଦୋଷାରୋପ କରିଥାନ୍ତି ଏବଂ ସମାଧାନର ପନ୍ଥା ମଧ୍ୟ ଭିନ୍ନ ହୋଇଥାଏ । ଏଥିଯୋଗୁଁ ନକାରାତ୍ମକ ପ୍ରଭାବ ଶ୍ରମଶକ୍ତି ଉପରେ ପଡ଼ିଥାଏ ଏବଂ କୌଣସି ଦେଶର ଅର୍ଥନୀତିର ପ୍ରଗତିରେ ବାଧା ପହଞ୍ଚାଇଥାଏ । ବେଳେବେଳେ ପାରିବାରିକ ଜୀବନରେ ପତି-ପତ୍ନୀଙ୍କ ମଧ୍ୟରେ ବୟସର ତାରତମ୍ୟ ଅଧିକ ହେଲେ, ଯଥା- ୧୦ ବା ୨୦ବର୍ଷ, ସମ୍ପର୍କରେ ଫାଟ ସୃଷ୍ଟି ହୋଇଥାଏ । ମାତ୍ର ପରିବାରର ସ୍ୱାର୍ଥ, ସୁଖ, ଶାନ୍ତି ଓ ପ୍ରଗତି ପାଇଁ ଉଭୟଙ୍କ ମଧ୍ୟରେ ଉତ୍ତମ ବୁଝାମଣା ରହିବା ଉଚିତ୍ ଏବଂ ବୟସ ତାରତମ୍ୟକୁ ଗୌଣ ମନେକରି ସମ୍ପର୍କ ଯୋଡ଼ିବା ସମୀଚୀନ ଅଟେ । ବିଭିନ୍ନ ପିଢ଼ି ମଧ୍ୟରେ ମତପାର୍ଥକ୍ୟକୁ ତର୍ଜମା କଲେ ଅନେକ କାରଣ ଜଣାଯାଏ । ସର୍ବପ୍ରଥମେ ସାଂସ୍କୃତିକ ପରିବର୍ତ୍ତନ ଏକ ମୁଖ୍ୟ ବିଷୟ ଅଟେ ।
ସାମାଜିକ ପରିବର୍ତ୍ତନ ଦ୍ରୁତଗତିରେ ଆଗଉଅଛି । ତେଣୁ ପ୍ରଚଳିତ ପ୍ରଥା, ନୂତନ ଭାବେ ଜ୍ଞାନକୌଶଳକୁ ଗ୍ରହଣ କରିବା, ସଙ୍ଗୀତ ଓ ସାମାଜିକ ଚଳଣି ଇତ୍ୟାଦି ଏହାକୁ ଉଜ୍ଜୀବିତ ରଖିଥାଏ । ଆଧୁନିକ ଜ୍ଞାନକୌଶଳକୁ ଯୁବ ସମାଜ ସହଜରେ ଗ୍ରହଣ କରୁଥିବାବେଳେ ପୁରୁଣା ପିଢ଼ିଙ୍କୁ କଷ୍ଟ ହୋଇଥାଏ । ଜୀବନ ବଞ୍ଚିବାର ଆଶା ଏହାର ଅନ୍ୟ ଏକ କାରଣ ଅଟେ । ଜଣେ ବ୍ୟକ୍ତି ଯେତେ ଅଧିକ ବୟସ୍କ ହେବେ, ଉକ୍ତ ଭାବନା ଅଧିକ ହେବ, ଯାହା ଜୀବନ ଧାରଣର ମାନ ଏବଂ ବଞ୍ଚିବାର ମାଧ୍ୟମରେ ପରିବର୍ତ୍ତନ ଆଣିଦିଏ । ଆଧୁନିକ ପୃଥିବୀ ସମସ୍ତଙ୍କୁ ଆକୃଷ୍ଟ କରିଥାଏ । ଲୋକମାନେ କର୍ମନିଯୁକ୍ତି, ଶିକ୍ଷା ଓ ନିଜସ୍ୱ କାରଣ ପାଇଁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ବାରମ୍ବାର ଯାଇଥାନ୍ତି, ଯାହା ଦୃଷ୍ଟିକୋଣରେ ପରିବର୍ତ୍ତନ ଆଣିଥାଏ । କର୍ମସଂସ୍ଥାନର ମୂଲ୍ୟବୋଧକୁ ବିଚାର କଲେ ଅନେକ ଗୋଟିଏ ସଂସ୍ଥା ପ୍ରତି ବିଶ୍ୱସ୍ତ ହେଉଥିବାବେଳେ, ଅନ୍ୟମାନେ ନିଜର ଉତ୍ତମ ଭବିଷ୍ୟତ ପାଇଁ ବଦଳାଇବା ପସନ୍ଦ କରିଥାନ୍ତି ।
ରାଜନୈତିକ ମତଭେଦ ପିଢ଼ିମାନଙ୍କ ମଧ୍ୟରେ ଏକ ପ୍ରମୁଖ କାରଣ ଅଟେ । ଯୁବପିଢ଼ି ପ୍ରଗତିଶୀଳ ବିଷୟକୁ ସମର୍ଥନ କଲାବେଳେ ବୟସ୍କମାନେ ରକ୍ଷଣଶୀଳତାକୁ ପସନ୍ଦ କରନ୍ତି । ଆଧୁନିକ ଜ୍ଞାନକୌଶଳ ଯଥାଇଣ୍ଟରନେଟ୍, ଏ.ଆଇ. ଓ ସାମାଜିକ ଗଣମାଧ୍ୟମ ଦ୍ୱାରା ଯୁବଗୋଷ୍ଠୀ ଅନୁପ୍ରାଣିତ ହୋଇ ଆଗକୁ ବଢ଼ିଲାବେଳେ, ବୟସ୍କ ପିଢ଼ି ଟିଭି, ରେଡିଓ ଓ ମୁହାଁମୁହିଁ ଆଲୋଚନାକୁ ପସନ୍ଦ କରିଥାନ୍ତି । ସାମାଜିକ ଜୀବନଚର୍ଯ୍ୟାରେ ବିଭିନ୍ନ ପିଢ଼ି ମଧ୍ୟରେ ମତପାର୍ଥକ୍ୟ ଅବଶ୍ୟମ୍ଭାବୀ ହେଲେ ମଧ୍ୟ ଏହାର ବ୍ୟବଧାନକୁ କିପରି କମ୍ କରିହେବ ସେଥିପ୍ରତି ସମସ୍ତେ ଯତ୍ନବାନ ହେବା ଆବଶ୍ୟକ । ପ୍ରଥମେ ବୟସ୍କ ପିଢ଼ି ଯଥା- ପିତାମାତା ଓ ଅଭିଭାବକମାନଙ୍କ ମଧ୍ୟରେ ଯୋଗାଯୋଗ ସମ୍ପର୍କ ବୃଦ୍ଧି କରି ସବୁଦିନ ସେମାନଙ୍କ ସହ କଥା ହେବା, ନିଜର ଅନୁଭୂତିକୁ ପ୍ରକାଶ କରିବା ଓ ସ୍ନେହଶ୍ରଦ୍ଧା କଲେ, ଉତ୍ତମ ବୁଝାମଣା ସୃଷ୍ଟି କରାଯାଇପାରିବ । ସେମାନଙ୍କ ସହିତ ଏକାଠି ମିଶି ଖେଳିବା, ଖେଳ ଦେଖିବା, ସକାଳେ ବା ସନ୍ଧ୍ୟାରେ ଚାଲିବା ଦ୍ୱାରା ଉତ୍ତମ ସମ୍ପର୍କ ବଜାୟ ରହେ । ନିଜର ସମସ୍ୟାକୁ ସେମାନଙ୍କ ସହିତ ଆଲୋଚନା କଲେ, ନିଶ୍ଚୟ ସମାଧାନର ବାଟ ମିଳିପାରିବ ।
ଶିକ୍ଷା ଓ ପ୍ରଶିକ୍ଷଣ ଏକ ଉତ୍ତମ ମାଧ୍ୟମ ପିଢ଼ି ମଧ୍ୟରେ ସମ୍ପର୍କ ସ୍ଥାପନ କରିବା । ବିଭିନ୍ନ ସମୟରେ କର୍ମଶାଳା ଓ ଅନ୍ୟାନ୍ୟ ଉତ୍ସବର ଆୟୋଜନ କରି ସେମାନଙ୍କୁ ଜଡ଼ିତ କରିବା ସହ ଉପଦେଷ୍ଟା ଭାବରେ ଦାୟିତ୍ୱ ଦେଲେ ମତପାର୍ଥକ୍ୟର ପରିସୀମାକୁ ସଂକୁଚିତ କରିହେବ । ପୁରୁଣା ପିଢ଼ିଙ୍କ ସହିତ ଉତ୍ତମ ବ୍ୟବହାର, ଜନ୍ମ ବା ବିବାହ ବାର୍ଷିକୀରେ ଉପହାର ପ୍ରଦାନ କରିବା ଓ ପିତୃ-ମାତୃ ଦିବସ ପାଳନ କରିବା ଦ୍ୱାରା ସେମାନେ ଖୁସି ହୋଇଥାନ୍ତି ଏବଂ ସହଯୋଗର ହାତ ବଢ଼ା ଇଦେଇଥାନ୍ତି । ଯୁବପିଢ଼ି ଆଧୁନିକତାର ବଶବର୍ତ୍ତୀ ହୋଇ ଯେତେ ତତ୍ପର ହୁଅନ୍ତୁ ନା କାହିଁକି, ବୟସ ବୃଦ୍ଧି ହେବା ସହିତ ମନ ଓ ହୃଦୟକୁ ମଧ୍ୟ ପ୍ରସାରିତ କରିବା ଆବଶ୍ୟକ । ଭଲ-ମନ୍ଦ ସମସ୍ତ ପରିସ୍ଥିତିକୁ ସାମ୍ନା କରିବାର ମାନସିକତା ଉତ୍ପନ୍ନ ହେବା ଉଚିତ୍ । ସର୍ବଦା ମୁକ୍ତ ଆଲୋଚନାକୁ ପ୍ରଶ୍ରୟ ଦେବା, ଆବଶ୍ୟକ ଉତ୍ସାହ ପ୍ରଦାନ କରିବା, ଅପ୍ରୀତିକର ଅବସ୍ଥାକୁ ଏଡ଼ାଇ ଯିବା, ସମାନତା ଉପରେ ଦୃଷ୍ଟି ଦେବା ଓ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ନେଇ ଆଗେଇବା ଦ୍ୱାରା ମତପାର୍ଥକ୍ୟକୁ ବହୁମାତ୍ରାରେ କମାଇ ହେବ । କାର୍ଯ୍ୟକ୍ଷେତ୍ରରେ ସବୁବର୍ଗଙ୍କୁ ସୁହାଇଲା ଭଳି କାର୍ଯ୍ୟପଦ୍ଧତିକୁ ଗ୍ରହଣ କରି କାର୍ଯ୍ୟରେ ଲଗାଇଲେ ସମସ୍ତେ ଉପକୃତ ହୋଇପାରିବେ । ପୃଥିବୀ ଆଗକୁ ବଢ଼ିବା ସହିତ ମାନବ ସମାଜ ମଧ୍ୟ ଆଗେଇ ଚାଲିଛି । ପ୍ରତ୍ୟେକ ପିଢ଼ି ନୂତନ ପରିବର୍ତ୍ତନକୁ ସାମନା କରୁଅଛି, ଯାହାକୁ ପୂର୍ବ ପିଢ଼ି ଜାଣିନଥାନ୍ତି । ନୂତନ ଚିନ୍ତାଧାରା ଓ ସମସ୍ୟା ସମାଧାନ ସର୍ବଦା ସ୍ୱାଗତଯୋଗ୍ୟ ଅଟେ ।
ପରିବାର ମଧ୍ୟରେ ସନ୍ତାନ ଓ ପିତାମାତାଙ୍କ ମଧ୍ୟରେ ବିଭିନ୍ନ କାରଣରୁ ମତପାର୍ଥକ୍ୟ ଦେଖାଯାଇଥାଏ । ସେମାନେ ପୁରୁଣା ପଦ୍ଧତି ଓ ପ୍ରଥାକୁ ପସନ୍ଦ କରୁଥିବାବେଳେ ପିଲାମାନେ ଆଧୁନିକତାକୁ ପସନ୍ଦ କରିଥାନ୍ତି ଏବଂ ପୁରୁଣାକୁ ଗ୍ରହଣ କରନ୍ତି ନାହିଁ । ଏହା ଉଭୟଙ୍କୁ ଦୂରେଇ ଦିଏ ଏବଂ ଭୁଲ୍ ବୁଝାମଣା ସୃଷ୍ଟି କରେ । ତେଣୁ ପିତାମାତା ଓ ଅଭିଭାବକ ଅନ୍ୟକୁ ପ୍ରବର୍ତ୍ତାଇବା ଏବଂ ଆଶା ରଖିବାରୁ ନିବୃତ୍ତ ରହିବା ସଙ୍ଗେ ଯୁବବର୍ଗର ପିଲାମାନେ ବୟସ୍କଙ୍କୁ ପ୍ରତ୍ୟକ୍ଷ ଭାବରେ ବାରଣ ନକରି, ସେମାନଙ୍କର ମନୋଭାବକୁ ଅନୁଶୀଳନ କରିବା ଉଚିତ୍ ଅଟେ । ମୋଟ୍ ଉପରେ କହିଲେ ନିରନ୍ତର ବିଶ୍ୱରେ ପରିବର୍ତ୍ତନ ଯୋଗୁଁ ପିଢ଼ି ଜନିତ ପାର୍ଥକ୍ୟ ଦେଖାଦିଏ ଏବଂ ବିବର୍ଜନକୁ ଅଟକାଇ ମଧ୍ୟ ହେବନାହିଁ । ଆମ ମଧ୍ୟରେ ସଂହତି, ବୁଝାମଣା ଓ ପରସ୍ପରକୁ ଧ୍ୟାନଦେବା ବୃଦ୍ଧି ପାଇବା ଆବଶ୍ୟକ । ପ୍ରତ୍ୟେକ ପିଢ଼ିର ବ୍ୟକ୍ତି ଅନ୍ୟକୁ ବୁଝି ଭିନ୍ନ ମତକୁ ସଂକୁଚିତ କରିବା ବାଞ୍ଛନୀୟ ।