ଆମେରିକାର ପ୍ରତିଟି ରାଜ୍ୟ ତା’ର ନିଜସ୍ୱ ଭୋଟଗ୍ରହଣ ପଦ୍ଧତି ଅନୁସରଣ କରିଥାଏ । ଏକ ଅନୁ୍ୟାନରୁ ଜଣାଯାଏ ଯେ, ଏହି ଦେଶରେ ୭୦ଭାଗ ଭୋଟଦାତା ସେମାନଙ୍କର ମତଦାନ ହାତରେ ଚିହ୍ନିତ ଭୋଟକାଗଜରେ କରୁଥିବାବେଳେ ୨୩% ସେମାନଙ୍କର ପସନ୍ଦ କିଏ ଚିହ୍ନଟ କରିବା ଲାଗି ମେସିନ୍ ବ୍ୟବହାର କରିଥାନ୍ତି ।
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବାରମ୍ବାର କହିଆସିଛନ୍ତି, ସେ ଆମେରିକାକୁ ପୁଣି ଥରେ ମହାନ୍ ଭାବେ ଗଢ଼ିବେ । ତାଙ୍କର ଏହି ଆହ୍ୱାନ ‘ମେକ୍ ଆମେରିକା ଗ୍ରେଟ୍ ଏଗେନ୍’ (ମାଗା) ଭାବେ ସୁପ୍ରସିଦ୍ଧ ହୋଇପାରିଛି । ଏହି ମହାନ୍ ସ୍ଳୋଗାନ ‘ମାଗା’ ହିଁ ଭୋଟଦାତାଙ୍କ ଉପରେ ପ୍ରଭୁତ୍ୱ ବିସ୍ତାର କରିଥିଲା ଏବଂ ରାଷ୍ଟ୍ରପତି ନିର୍ବାଚନରେ ଟ୍ରମ୍ପ ତାହାହିଁ ହାସଲ କଲେ । ଟ୍ରମ୍ପ ମଧ୍ୟ ତାଙ୍କ ଦେଶର ନିର୍ବାଚନୀ ବ୍ୟବସ୍ଥାକୁ ନେଇ ସର୍ବଦା ଅସନ୍ତୋଷ ବ୍ୟକ୍ତ କରିଆସିଛନ୍ତି । ମାତ୍ର ବ୍ୟବସ୍ଥାରେ ସଂସ୍କାର ଆଣିବା ପାଇଁ ଏପର୍ଯ୍ୟନ୍ତ ପ୍ରଥମ ପାହୁଲ ବି ଆଗକୁ ବଢ଼ାଇ ନାହାନ୍ତି । ପ୍ରକୃତପକ୍ଷେ, ଆମେରିକା ପୃଥିବୀର ସର୍ବପୁରାତନ ଗଣତନ୍ତ୍ର ବୋଲି ନିଜକୁ ଦାବି କରୁଛି, ଅଥଚ ଆଜିଯାଏଁ ନିର୍ବାଚନ ବ୍ୟବସ୍ଥାକୁ ସଜାଡ଼ି ଧାଡ଼ିରେ ପକାଇବା କାମ କରିପାରିନାହିଁ ।
ଆମେରିକା ନିର୍ବାଚନ ବ୍ୟବସ୍ଥାର ସବୁଠୁ ବଡ଼ ଦୁର୍ବଳତା ହେଉଛି ସମସ୍ତଙ୍କ ପାଇଁ ସମାନ ଭାବେ ପ୍ରୟୋଗ କରିବା ଭଳି ମାନକ ନିର୍ଦ୍ଧାରଣ ହୋଇପାରିନାହିଁ । ସେମାନେ ଗୋଟିଏ ସଂଘୀୟ ନିର୍ବାଚନ କର୍ତ୍ତୃପକ୍ଷଙ୍କୁ ବସାଇ ପାରିନାହାନ୍ତି³ ଯିଏ ସାରାଦେଶରେ ଗୋଟିଏ ପ୍ରକାର ନିର୍ବାଚନୀ ନିୟମକାନୁନ ଲାଗୁ କରିପାରନ୍ତେ । କିନ୍ତୁ ଆମ ଭାରତରେ ଜାତୀୟ ନିର୍ବାଚନ ଆଇନ ରହିଛି, କେନ୍ଦ୍ରୀୟ କର୍ତ୍ତୃପକ୍ଷ ଅଛନ୍ତି³ ଯାହାଙ୍କୁ ଭାରତୀୟ ନିର୍ବାଚନ କମିଶନ (ଇଲେକସନ୍ କମିଶନ ଅଫ୍ ଇଣ୍ଡିଆ) ଭାବେ ଆମେ ଜାଣୁ । ନିର୍ବାଚନ କମିଶନ ସାମ୍ବିଧାନିକ ଭାବେ କ୍ଷମତାପ୍ରାପ୍ତ । ଏହି କ୍ଷମତା ବଳରେ କମିଶନ ଦେଶର ସମଗ୍ର ନିର୍ବାଚନ ପ୍ରକ୍ରିୟାର ‘ନିରୀକ୍ଷଣ, ଦିଗ୍ଦର୍ଶନ ତଥା ନିୟନ୍ତ୍ରଣ’ କରିଆସୁଛନ୍ତି । ଏହା ସହିତ ଆମ ସହିତ ରହିଛି ମାନକଯୁକ୍ତ ତଥା ବିକାଶଶୀଳ ଭୋଟ୍ ଗ୍ରହଣକାରୀ ଯନ୍ତ୍ର, ଏହା ଇଲେକ୍ଟ୍ରୋନିକ ଭୋଟିଂ ମେସିନ (ଇଭିଏମ) ନାମରେ ଜଣାଶୁଣା ।
ଦେଶବ୍ୟାପୀ ନିର୍ବାଚନମଣ୍ଡଳୀଗୁଡ଼ିକରେ ଭୋଟଗ୍ରହଣ ଲାଗି ଇଭିଏମ୍ ବ୍ୟବହାର ହୋଇଥାଏ । ଇଭିଏମ୍ ଆମ ଭାରତୀୟ ଇଞ୍ଜିନିୟରମାନଙ୍କ ଦ୍ୱାରା ପ୍ରସ୍ତୁତ ହୋଇଛି । ପୁନଶ୍ଚ ଭୋଟଗ୍ରହଣ ଲାଗି ଇଭିଏମ୍ର ବ୍ୟବହାର ପ୍ରଣାଳୀ ଅତି ସରଳ । ଉଚ୍ଚଶିକ୍ଷିତ ହୁଅନ୍ତୁ ଅବା ନିରକ୍ଷର, ସମସ୍ତ ଭୋଟର ଏହାକୁ ଆରାମରେ ବ୍ୟବହାର କରିପାରୁଛନ୍ତି । କେବଳ ଏତିକି ନୁହେଁ, ଭାରତୀୟ ନିର୍ବାଚନରେ ଭୋଟଗ୍ରହଣ ପରେ ସମାନ ଦିନ ସମାନ ସମୟରେ ଦେଶତମାମ ଭୋଟ ଗଣତି ଆରମ୍ଭ ହୋଇଯାଏ । ମାତ୍ର ୧୦/୧୨ଘଣ୍ଟା ମଧ୍ୟରେ ଦେଶର ଅଧିକାଂଶ ନିର୍ବାଚନମଣ୍ଡଳୀର ନିର୍ବାଚନ ଫଳାଫଳ ସାମନାକୁ ଆସିଯାଏ ।
ପରନ୍ତୁ ଆମେରିକାରେ ସମୂର୍ଣ୍ଣ ନିର୍ବାଚନ ପ୍ରକ୍ରିୟା ହିଁ ଗୋଳମାଳିଆ । ନିର୍ବାଚନ ଆଇନ ଗୋଟିଏ ରାଜ୍ୟଠାରୁ ଅନ୍ୟ ରାଜ୍ୟର ଭିନ୍ନ । ସେହିପରି ଭୋଟ ଦେବା ଏବଂ ଭୋଟ୍ ଗଣନା ପ୍ରକ୍ରିୟା ବି ବିଭିନ୍ନ ପ୍ରକାର । ଯେପରି କେତେକ ରାଜ୍ୟରେ ବାଲାଟ୍ କାଗଜ ବ୍ୟବହାର ହୁଏ ଏବଂ ଭୋଟରମାନେ ସେମାନଙ୍କର ପସନ୍ଦ ଚିହ୍ନ ମାରି ଦର୍ଶାଇଥାନ୍ତି । ଆମେରିକା ନିର୍ବାଚନରେ ଦଳ ବା ପ୍ରାର୍ଥୀଙ୍କ ଲାଗି କୌଣସି ନିର୍ବାଚନୀ ସଙ୍କେତ ବ୍ୟବହାର ହୋଇନଥାଏ । କିନ୍ତୁ ଅନ୍ୟ କେତେକ କାଉଣ୍ଟିରେ ବାଲାଟ୍ କାଗଜ ବ୍ୟବହାର ହୁଏ ଏବଂ ଭୋଟଦାତାଙ୍କୁ ସେମାନଙ୍କର ପସନ୍ଦଯୋଗ୍ୟ ପ୍ରାର୍ଥୀ କିଏ ଜଣାଇବା ଲାଗି ଭୋଟ୍ ମେସିନ ବ୍ୟବହାର କରିବାକୁ ଦିଆଯାଏ । ଉଲ୍ଲେଖନୀୟ କି, ୨୦୦୦ ମସିହା ପର୍ଯ୍ୟନ୍ତ ଭୋଟଦାତାଙ୍କୁ କୁହାଯାଉଥିଲା ସେ କେଉଁ ପ୍ରାର୍ଥୀଙ୍କୁ ବାଛିବାକୁ ଚାହାନ୍ତି ତାଙ୍କ ନାମ ଉପରେ ଏକ କଣା କରନ୍ତୁ । ଆହୁରି ଆଶ୍ଚର୍ଯ୍ୟଜନକ ହେଲା, ଗୋଟିଏ କାଉଣ୍ଟିରେ ତ ସେମାନଙ୍କ ପସନ୍ଦ ଜଣାଇବା ଲାଗି ଭୋଟରଙ୍କୁ ଦୁଇଫୁଟ୍ ଦୀର୍ଘ ଲିଭର ବ୍ୟବହାର କରିବାକୁ କୁହାଯାଉଥିଲା । ଏହା ଯେତିକି କୌତୁହଳପ୍ରଦ ସେତିକି ଜଟିଳ ମଧ୍ୟ! କିଛିଦିନ ତଳ ଯାଏ, କଣା କରିବା ମେସିନକୁ ନେଇ ମଧ୍ୟ ଭିନ୍ନ ଭିନ୍ନ ଷ୍ଟେଟ୍ ବା ରାଜ୍ୟ ସ୍ୱୀୟ ନିୟମ ଆପଣାଉଥିଲେ । ଟେକ୍ସାସ୍ରେ ନିୟମ ମୁତାବକ ବାଲାଟ୍ କାଗଜରେ ସମ୍ପୂର୍ଣ୍ଣ କଣାଟିଏ ହେଲେ ହିଁ ଏହାକୁ ଗଣନାଯୋଗ୍ୟ କରାଯିବ ।
ଅନ୍ୟ ଭାବରେ କହିଲେ, ଯଦି ଜଣେ ଭୋଟଦାତା ଅଧାକଣାଟିଏ କରି ଛାଡ଼ିଦେବ ଅବା କେବଳ ଏକ ଦାଗ ରଖିଦେଇଗଲା, ତେବେ ସେହି ଭୋଟ୍ଟି ରଦ୍ଦିକାଗଜ ଝୁଡିକୁ ହିଁ ଯିବ । ତେବେ, ଫ୍ଲୋରିଡ଼ାରେ ଏହି ନିୟମ ଟିକିଏ କୋହଳ ଥିଲା । ଯଦି ଭୋଟଦାତା କାଗଜରେ ଅର୍ଦ୍ଧଚନ୍ଦ୍ରଟିଏ କଲା ଅବା ସାମାନ୍ୟ ଚାପର ଚିହ୍ନ ଛାଡ଼ିପାରିଲା ତେବେ ଏହା ଏକ ଗଣନାଯୋଗ୍ୟ ଭୋଟ୍ ଭାବେ ହିସାବକୁ ନିଆଯିବ । ଏଠିକାର ନିୟମ କହୁଥିଲା, ଯଦି କାଗଜରେ ରହିଥିବା ସାମାନ୍ୟ ଆଞ୍ଚୁଡ଼ା ଦାଗ ଦେଇ ଆଲୋକ ପ୍ରବେଶ କରିପାରିଲା ତେବେ ତାହା ବୈଧ ବିବେଚିତ ହେବ । ଏହି କାରଣକୁ ନେଇ ୨୦୦୦ ନଭେମ୍ବର ନିର୍ବାଚନ ବେଳେ ଫ୍ଲୋରିଡ଼ାରେ ଜର୍ଜ ଡବ୍ଲ୍ୟୁ ବୁଶ୍ ଏବଂ ଆଲ୍ ଗୋରଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଉପୁଜିଥିଲା । ପରିଶେଷରେ ସୁପ୍ରିମକୋର୍ଟ ନିର୍ବାଚନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଲେ ଯେ, ପ୍ରତିଟି ଭୋଟକାଗଜକୁ ଲାଇଟ୍ରେ ଦେଖାଇବାକୁ ପଡ଼ିବ । ସେହି ଅନୁଯାୟୀ ପ୍ରତିଟି ଭୋଟ୍ କାଗଜକୁ ଲାଇଟ୍ ସାମନାରେ ଦେଖାଗଲା ଏବଂ ଯେଉଁ କାଗଜ ଦେଇ ଆଲୁଅ ପ୍ରବେଶ କଲା ତାହା ବୈଧ ଭୋଟ୍ ବୋଲି ଧରିନିଆଗଲା । ଏପରି ପ୍ରକ୍ରିୟା ଅନେକ ଦିନ ଧରି ଚାଲିଥିଲା!
ଫ୍ଲୋରିଡ଼ାରେ ଏପରି ହାସ୍ୟାସ୍ପଦ ପରିସ୍ଥିତି ସୃଷ୍ଟି ଯୋଗୁଁ ପରବର୍ତ୍ତୀ କାଳରେ ଆମେରିକା କଂଗ୍ରେସ ଏକ ଆଇନ ଗୃହୀତ କଲା । ଏହା ‘ହେଲ୍ପ ଆମେରିକା ଭୋଟ୍ ଆକ୍ଟ’ (ହାଭା) ନାମରେ ପରିଚିତ । ହାଭା ଅନୁଯାୟୀ ଏକ କାର୍ଯ୍ୟକ୍ରମ ଗ୍ରହଣ କରାଗଲା, ଯାହା ଜରିଆରେ ପ୍ରତ୍ୟେକ ରାଜ୍ୟକୁ ସେମାନଙ୍କର ଭୋଟ୍ଗ୍ରହଣ ବ୍ୟବସ୍ଥାରେ ଉନ୍ନତି ଆଣିବା ପାଇଁ ଆବଶ୍ୟକ ପାଣ୍ଠି ଯୋଗାଇ ଦିଆଯାଇଥିଲା । ଏଥିରେ ପଞ୍ଚ୍ କାର୍ଡ, ଲିଭର ଭୋଟିଂ ବ୍ୟବସ୍ଥା ଉଠାଇ ଦିଆଯିବା ସହିତ ଏକ ଇଲେକସନ୍ ଆସିଷ୍ଟାନସ୍ କମିଶନ (ଇଏସି) ଗଠନର ବାଟ ଫିଟିଲା । ଇଏସି ସଂଘୀୟ ନିର୍ବାଚନ ପ୍ରକ୍ରିୟାକୁ ସହାୟତା କରିବାକୁ ଉଦ୍ଦିଷ୍ଟ । ତେବେ, ହାଭା ଏହି ସଂଘୀୟ ସଂସ୍ଥାକୁ କ୍ଷମତା ପ୍ରଦାନ କଲାନାହିଁ ତା’ର ନିଷ୍ପତ୍ତିକୁ ଲାଗୁ କରିବା ପାଇଁ । ଏହା କେବଳ ଏକ ପରାମର୍ଶଦାତାର କାମ କରିଆସୁଛି ।
ଏଣୁ ଆଜି ବି ଆମେରିକାର ପ୍ରତିଟି ରାଜ୍ୟ ତା’ର ନିଜସ୍ୱ ଭୋଟଗ୍ରହଣ ପଦ୍ଧତି ଅନୁସରଣ କରିଥାଏ । ଏକ ଅନୁ୍ୟାନରୁ ଜଣାଯାଏ ଯେ, ଏହି ଦେଶରେ ୭୦ଭାଗ ଭୋଟଦାତା ସେମାନଙ୍କର ମତଦାନ ହାତରେ ଚିହ୍ନିତ ଭୋଟକାଗଜରେ କରୁଥିବାବେଳେ ୨୩ପ୍ରତିଶତ ସେମାନଙ୍କର ପସନ୍ଦ କିଏ ଚିହ୍ନଟ କରିବା ଲାଗି ମେସିନ୍ ବ୍ୟବହାର କରିଥାନ୍ତି । ବଳକା ୭ପ୍ରତିଶତ ଭୋଟଦାତା ଇଭିଏମ ବ୍ୟବହାର କରନ୍ତି । ପୁନଶ୍ଚ ଡାକଯୋଗେ ମତଦାନ ନେଇ ନିୟମ ବିଭିନ୍ନ ରାଜ୍ୟରେ ଭିନ୍ନ ଭିନ୍ନ । ଏହି ଭୋଟଗୁଡ଼ିକୁ ଗଣତିକେନ୍ଦ୍ରରେ କେବେ ପହଞ୍ଚିବା ଜରୁରି ସେହି ନିୟମରେ ମଧ୍ୟ ଭିନ୍ନତା ରହିଛି ।
ଉଦାହରଣ ସ୍ୱରୂପ, ଜଣେ ମତଦାତା ଯଦି ଉପଯୁକ୍ତ କାରଣ ଦର୍ଶାଇ ମେଲ୍ ଯୋଗେ ଆଗୁଆ ଭୋଟ୍ ଦେବାକୁ ଚାହିଁଲା ତେବେ ତାକୁ କୁହାଯିବ ‘ଆବସେଣ୍ଟି ଭୋଟିଂ ଉଇଥ୍ ଏକ୍ସକ୍ୟୁଜ୍’ । ପୁଣି ‘ଆବସେଣ୍ଟି ଭୋଟିଂ ଉଇଦାଉଟ୍ ଏକ୍ସକ୍ୟୁଜ୍’ - ଜଣେ ଭୋଟର କାରଣ ନଦର୍ଶାଇ ମେଲ୍ ଯୋଗେ ଆଗୁଆ ଭୋଟ୍ ଦେଇପାରିବେ³ ଅଲ୍ ମେଲ୍ ଭୋଟିଂ - ଏଥିରେ ସମସ୍ତ ପ୍ରକାର ପ୍ରକ୍ରିୟା ମେଲ୍ ଯୋଗେ ହୋଇଥାଏ । ଭୋଟ୍ଗ୍ରହଣ ଦିନର ବହୁତ ଦିନ ପୂର୍ବରୁ ଜଣେ ଭୋଟଦାତା ନିର୍ବାଚନ କାର୍ଯ୍ୟାଳୟରେ ପହଞ୍ଚି ଭୋଟ ଦେବାକୁ ଇଚ୍ଛା ପ୍ରକାଶ କରିବେ, ତେବେ ତାହା ହେବ ଇନ୍-ପର୍ସନ ଆବସେଣ୍ଟି ଭୋଟିଂ । ଏହାବ୍ୟତୀତ ଆମେରିକାରେ ରହିଛି ମିଲିଟାରୀ ଭୋଟିଂ, ଓଭରସିଜ୍ ଭୋଟିଂ ଏବଂ ପ୍ରୋଭିଜନାଲ୍ ଭୋଟିଂ (ଯେଉଁ ଭୋଟର୍ଙ୍କର ଭୋଟଦାନ ଅଧିକାର ଉପରେ ପ୍ରଶ୍ନଚିହ୍ନ ଲାଗିଛି) । ପରିଶେଷରେ ନିର୍ବାଚନ ଦିନ ଭୋଟଗ୍ରହଣ କେନ୍ଦ୍ରରେ ପହଞ୍ଚି ଆମେରିକୀୟ ନାଗରିକ ଭାବେ ମତଦାନ ଦେଇ ଅଧିକାର ସାବ୍ୟସ୍ତ କରିବା ବ୍ୟବସ୍ଥା ବି ପ୍ରଚଳିତ ରହିଛି ।
ଆମେରିକାରେ ନିର୍ବାଚନ ଗ୍ରହଣର କିଛି ସପ୍ତାହ ପୂର୍ବରୁ ଭୋଟଗ୍ରହଣ କେନ୍ଦ୍ର ସ୍ଥାପିତ ହୋଇଯାଇଥାଏ । ଏଣୁ ଭୋଟଦାତା ଧାର୍ଯ୍ୟ ଭୋଟଗ୍ରହଣ ତାରିଖ ପୂର୍ବରୁ ନିଜ ସୁବିଧାରେ ମତଦାନ କରିପାରନ୍ତି । ଏକ ଉଦାହରଣ ନିଆଯାଉ । ୨୦୨୪ ନଭେମ୍ବର ୪ ତାରିଖ ଥିଲା ଆମେରିକା ରାଷ୍ଟ୍ରପତି ନିର୍ବାଚନର ଭୋଟଗ୍ରହଣ ଦିନ । ମାତ୍ର ଏହାର ବହୁଦିନ ପୂର୍ବରୁ ଟେକ୍ସାସରେ ଅକ୍ଟୋବର ୨୧ ତାରିଖରୁ ଭୋଟ୍ଦାନ ପ୍ରକ୍ରିୟା ଆରମ୍ଭ ହୋଇଯାଇଥିଲା । ଅର୍ଥାତ୍ ଭୋଟଦାତା ସେହି ଦିନଠାରୁ ଭୋଟ ଗ୍ରହଣ କେନ୍ଦ୍ରକୁ ଯାଇ ଭୋଟ୍ ଦେଇପାରୁଥିଲେ। ଗୋଟିଏ ରାଜ୍ୟ ମଧ୍ୟରେ ବି ଭୋଟଦାନର ପଦ୍ଧତି ମଧ୍ୟରେ ଫରକ ରହିଛି । ଧରନ୍ତୁ ଟେକ୍ଟସାସ୍ ବାସିନ୍ଦା³ ଟେକ୍ସାସର କିଏ କେଉଁ ଅଞ୍ଚଳରେ ରହୁଛି ସେହି ଅଞ୍ଚଳର ନିୟମ ଅନୁଯାୟୀ ଜଣେ ଇଭିଏମ ଯୋଗେ ମତ ସାବ୍ୟସ୍ତ କରିବେ ଅଥବା ବାଲାଟ୍ କାଗଜରେ ମତଦାନ କରିବେ ତାହା ନିର୍ଭର କରିଥାଏ । ଏହିପରି ଆମେରିକାର ୫୦ଟି ଷ୍ଟେଟ୍ ବା ରାଜ୍ୟରେ ଏକାଧିକ ବ୍ୟତିକ୍ରମ ରହିଛି ଭୋଟଗ୍ରହଣର ମାଧ୍ୟମ ନେଇ ।
ଆଉ ଏକ ଅସୁବିଧା ହେଲା ସମୟ । ଆମେରିକାର ପୂର୍ବ ଉପକୂଳ ଏବଂ ପଶ୍ଚିମ ଉପକୂଳ ଅଞ୍ଚଳରେ ଭୋଟଦାନର ସମୟରେ ବଡ଼ ପାର୍ଥକ୍ୟ ଦେଖାଯାଏ । ଯେପରି ନ୍ୟୁୟର୍କ କିମ୍ବା ନ୍ୟୁଜର୍ସିରେ ସନ୍ଧ୍ୟା ୬ଟାରେ ଭୋଟଗ୍ରହଣ ସରିବା ସହିତ ଟିଭି ଚାନେଲ୍ମାନେ ଏକ୍ଜିଟ ପୋଲ୍ର ଫଳାଫଳ ପ୍ରକାଶ କରୁଥିଲାବେଳେ, କାଲିଫର୍ଣ୍ଣିଆର ଭୋଟଦାତାଙ୍କୁ ଆହୁରି ୫ଘଣ୍ଟା ଅପେକ୍ଷା କରିବାକୁ ହୁଏ । ଏପରି ଅସାମଞ୍ଜସ୍ୟତା ଫଳରେ ଭୋଟଦାତାଙ୍କ ମତ ପ୍ରଭାବିତ ହୁଏନାହିଁ କି!
ମାତ୍ର ଭାରତ କଥା ଦେଖନ୍ତୁ! ଲୋକସଭା ନିର୍ବାଚନର ଭୋଟଗଣନା ଦିନ ସନ୍ଧ୍ୟା ହେବାବେଳକୁ ଭୋଟଦାତାଙ୍କ ମତ କୁଆଡ଼େ ଯାଇଛି ତାହା ସ୍ପଷ୍ଟ ହୋଇଯାଇଥାଏ । ଅଥଚ ଆମେରିକା ରାଷ୍ଟ୍ରପତି ନିର୍ବାଚନର ଫଳାଫଳ ଭୋଟ ଗଣନା ଆରମ୍ଭର ଦୀର୍ଘଦିନ ପରେ ବି ସ୍ପଷ୍ଟ ହୋଇପାରିନଥାଏ । ଏହାର କାରଣ, ଭୋଟଗଣନା ଏଣେ ଚାଲିଥିବ, ଲଗାତାର କିଛି ଦିନ ଧରି ଛେକ ଛେକ ଭୋଟକାଗଜ ଆସି ଗଣନା କେନ୍ଦ୍ରରେ ପହଞ୍ଚୁଥିବ ।
ଏହିପରି ନିରସ ନିରର୍ଥକ ପ୍ରକ୍ରିୟାର ପରିଣାମ ବିଫଳତା ଆଣିବା ସ୍ୱାଭାବିକ । ଗତ ରାଷ୍ଟ୍ରପତି ନିର୍ବାଚନ ବେଳେ ଭୋଟଗ୍ରହଣ ହେବାର ମାସକ ପରେ ଅର୍ଥାତ୍ ଡିସେମ୍ବରରେ ୱିଜକନସିନ୍ ରାଜ୍ୟ ନିର୍ବାଚନ ଅଧିକାରୀମାନେ ଜାଣିବାକୁ ପାଇଥିଲେ ଯେ ୧୯୩ଟି ଭୋଟ୍ ଆଦୌ ଗଣତି ହୋଇପାରିନାହିଁ । ଅବଶ୍ୟ ଏପରି ବିଷମ ତ୍ରୁଟି ନିର୍ବାଚନ ଫଳାଫଳକୁ ପ୍ରଭାବିତ କରିପାରିନଥିଲା । ଏଥିରୁ କିନ୍ତୁ ସୁସ୍ପଷ୍ଟ ଯେ, ଏବେବି ଆମେରିକା ନିର୍ବାଚନ ପ୍ରକ୍ରିୟା କଞ୍ଚା ଅବସ୍ଥାରେ ଅଛି ।
କହିବା ବାହୁଲ୍ୟ, ଗଣତାନ୍ତ୍ରିକ ପ୍ରକ୍ରିୟା ତଥା ନିର୍ବାଚନ କ୍ଷେତ୍ରରେ ବିଶ୍ୱର ସର୍ବବୃହତ ଗଣତାନ୍ତ୍ରିକ ରାଷ୍ଟ୍ର ଭାରତ ‘ଫାଷ୍ଟ ୱାର୍ଲଡ୍’ (ସର୍ବୋଚ୍ଚ ସ୍ତର) ଅଟେ । ଆମେରିକା ତଥାପି ବାଟରେ ଅଛି, ଭାରତଠାରୁ ବହୁ ପଛରେ ପଡ଼ିଛି । ଭାରତର ସମାସ୍କନ୍ଧ ହେବାକୁ ହେଲେ ଆମେରିକାକୁ ଏ ଦିଗରେ ବ୍ୟାପକ ପ୍ରୟାସ କରିବାକୁ ପଡ଼ିବ ।