ମୁମ୍ବାଇ ୩୧/୦୩: ରିଲିଜ୍ ହୋଇଛି ଭାଇଜାନ୍ଙ୍କ ବହୁ-ପ୍ରତୀକ୍ଷିତ ଆକ୍ସନ୍-ପ୍ୟାକ୍ଡ ଫିଲ୍ମ ‘ସିକନ୍ଦର୍’ । ଫିଲ୍ମକୁ ନେଇ ସଲ୍ଲୁଙ୍କ ଫ୍ୟାନ୍ଙ୍କ ମଧ୍ୟରେ ପାଗଳାମି ଦେଖିବାକୁ ମିଳୁଛି । ଏହି କ୍ରମରେ ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ସଲ୍ଲୁଙ୍କର ଜଣେ ଜବରା ଫ୍ୟାନ୍ ୧.୭୨ ଲକ୍ଷ ଟଙ୍କା ଦେଇ ‘ସିକନ୍ଦର୍’ ଟିକଟ୍ କିଣୁଥିବା ନଜର ଆସିଛନ୍ତି । ଟିକଟ୍ କିଣିବା ପାଇଁ ସଲ୍ଲୁ ତାଙ୍କୁ ଟଙ୍କା ଦେଇଛନ୍ତି କି ବୋଲି ପଚାରିବାରୁ ଫ୍ୟାନ୍ ଜଣକ ସିଧା ସିଧା ମନା କରିଛନ୍ତି । ଏଥିସହିତ ସ୍ପଷ୍ଟ ଭାବେ କହିଛନ୍ତି ଯେ ଏହା ପୂର୍ବରୁ ଅନେକ ଥର ସେ ଏପରି କରିଛନ୍ତି । ସୁପର୍ଷ୍ଟାର୍ଙ୍କ ଫିଲ୍ମଗୁଡ଼ିକର ମଜା ନେବାକୁ ସେ ପୂର୍ବରୁ ଅନେକ ସହରରେ ମୋଟା ଅଙ୍କ ଦେଇ ଟିକଟ୍ କିଣିଛନ୍ତି ।
ତେବେ ଉଭୟ ଇଦ୍ ଓ ଗୁଡ଼ି ପଡ୍ୱା ଅବସରରେ ‘ସିକନ୍ଦର୍’ ରିଲିଜ୍ କରିଛି । ଏଆର୍-ମୁରୁଗଡସଙ୍କ ନିର୍ଦ୍ଦେଶିତ ଏହି ଆକ୍ସନ୍-ପ୍ୟାକ୍ଡ ଫିଲ୍ମରେ ସଲ୍ଲୁଙ୍କ ଦମ୍ଦାର ଆକ୍ସନ୍ ଅବତାର ଦେଖିବାକୁ ତାଙ୍କ ଫ୍ୟାନ୍ ଚାତକ ପରି ଅପେକ୍ଷା କରିଥିଲେ । ଫିଲ୍ମରେ ସଲ୍ଲୁଙ୍କ ସହ ମୁଖ୍ୟ ନାୟିକା ଭୂମିକାରେ ଅଛନ୍ତି ରଶ୍ମିକା ମନ୍ଦନା, କାଜଲ ଅଗରୱାଲ ଓ ସତ୍ୟରାଜ । ୨୦୧୪ ମସିହାର ବ୍ଲକ୍ବଷ୍ଟର ଫିଲ୍ମ ‘କିକ୍’ ପରେ ଏହି ଫିଲ୍ମ ଜରିଆରେ ପ୍ରଯୋଜକ ସାଜିଦ ନାଦିଆଦୱାଲାଙ୍କ ସହ ଯୋଡ଼ି ହୋଇଛନ୍ତି ସଲ୍ଲୁ । ରିଲିଜ୍ ପୂର୍ବରୁ ‘ସିକନ୍ଦର୍’ ଦେଖି ସଲ୍ଲୁଙ୍କ ବାପା ପ୍ରଖ୍ୟାତ ପଟ୍ଟକଥା ଲେଖକ ସଲିମ ଖାନ୍ କହିଛନ୍ତି, ପ୍ରତ୍ୟେକ ସିନ୍ ପରେ ଆଗକୁ କ’ଣ ହେବ ବୋଲି ଦର୍ଶକ ଭାବିବେ ।