ପ୍ରମୂଖ ଖବର
  • କଟକ : ନିଆଁ ଲାଗି ଜଳିଗଲା ୩ ବଖରା ଘର, କାରଣ ଅସ୍ପଷ୍ଟ
  • ||
  • କାଠଯୋଡି ନଦୀରେ ଗାଧୋଇବା ବେଳେ ଅଘଟଣ, ପାଣିରେ ବୁଡ଼ି ନାବାଳକ ମୃତ
  • ||
  • ଭଞ୍ଜନଗର : ବ୍ରାହ୍ମଣପଦର ଗ୍ରାମରେ ହତ୍ୟାକାଣ୍ଡ, ସଂଘବଦ୍ଧ ଆକ୍ରମଣରେ ଯୁବକଙ୍କ ମୃତ୍ୟୁ
  • ||
  • ବେଗୁନିଆପଡ଼ା : ପୂର୍ବ ଶତ୍ରୁତାରୁ ୨ ଭାଇଙ୍କୁ ହତ୍ୟା, ପୋଲିସର ତଦନ୍ତ ଆରମ୍ଭ
  • ||
  • ଭାରସାମ୍ୟ ହରାଇ ଦଳବୋଝେଇ ଖାଲକୁ ଖସିଲା ଟ୍ୟାଙ୍କର୍‌, ଡ୍ରାଇଭର ମୃତ
  • ||
  • ତଣ୍ଡିକେରା ଛକରୁ ଦୁଇ ସନ୍ଦିଗ୍ଧଙ୍କୁ ଉଠାଇନେଲା ଚନ୍ଦନପୁର ପୁଲିସ, ଚାଲିଛି ପରିଚୟ ଖୋଜା
  • ||
  • IPL 2025: ଆଜି ସୁପରଜାଏଣ୍ଟ୍‌ସ- ଇଣ୍ଡିଆନ୍ ମଧ୍ୟ ହେବ କଡ଼ା ଟକ୍କର, ନଜରରେ ପନ୍ତ, ରୋହିତଙ୍କ ବ୍ୟାଟିଂ
  • ||
  • ବଦଳିବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଠିକଣା, ୟୁନିଟ୍‌-୨ କ୍ୟାପିଟାଲ ନର୍ସରୀ ପାଖକୁ ଉଠିଯିବ
  • ||
  • ଯାଜପୁରରେ ଚାଞ୍ଚଲ୍ୟ, କର୍ମଜୀବୀ ମହିଳାଙ୍କୁ ହାତ ମୁହଁ ବାନ୍ଧି ଗଣଦୁଷ୍କର୍ମ ଅଭିଯୋଗ
  • ||
  • ଦିନିକିଆ ଗଞ୍ଜାମ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ବ୍ରହ୍ମପୁର ମା’ ବୁଢ଼ୀ ଠାକୁରାଣୀଙ୍କୁ ଅସ୍ଥାୟୀ ମଣ୍ଡପରେ ଦର୍ଶନ କରିବେ
  • ||
  • ମୟୂରଭଞ୍ଜ : ଦୋକାନୀଙ୍କୁ ଠେଙ୍ଗାରେ ପିଟି ସୁନା ବ୍ୟାଗ୍‌ ଲୁଟ୍‌, ଲକ୍ଷାଧିକ ଟଙ୍କାର ଅଳଙ୍କାର ଲୁଟିନେଲେ ୪ ଦୁର୍ବୃତ୍ତ
  • ||
  • ଭଦ୍ରକ : ଗୋରୁ ବୋଝେଇ ପିକଅପ୍‌ ଗାଡ଼ି ଦୁର୍ଘଟଣା ଗ୍ରସ୍ତ: ୩ ଗୋରୁ ମୃତ, ଡ୍ରାଇଭର ଗୁରୁତର
  • ||
  • ରବିବାରଠୁ ତାତିରେ ବିରତି: ୨ ତାରିଖ ଯାଏ ବର୍ଷା ସହ ଘଡ଼ଘଡ଼ି ସମ୍ଭାବନା, ୫ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
  • ||

ଧର୍ମଦଣ୍ଡ

Published By : Prameya | March 26, 2025 10:43 AM

   ମନୁସ୍ମୃତିରେ ମହାରାଜା ମନୁ ଧର୍ମକୁ ଦଣ୍ଡ କିମ୍ବା ଦଣ୍ଡକୁ ଧର୍ମ ବୋଲି କହି ଧର୍ମ ଏବଂ ଦଣ୍ଡର ଗୁରୁତ୍ୱକୁ ଏମିତି ପ୍ରକାଶ କରିଛନ୍ତି । ଦଣ୍ଡ: ଶାସ୍ତି ପ୍ରଜା: ସର୍ବାଃ ଦଣ୍ଡ ଏବାଭିରକ୍ଷତି, ଦଣ୍ଡ: ସୁପ୍ତେଷୁଜଗର୍ତି ଦଣ୍ଡ ଧର୍ମମ୍‌ ବିଦୁର୍ବୁଧାଃ ଅର୍ଥାତ୍‌, ଦଣ୍ଡ କିମ୍ବା ଧର୍ମ ରାଜା ସମେତ ପ୍ରଜାମାନଙ୍କ ଉପରେ ଶାସନ କରେ, ଦଣ୍ଡ/ଧର୍ମ ସମସ୍ତଙ୍କୁ ସୁରକ୍ଷା ଦିଏ ଓ ସମସ୍ତଙ୍କ ପାଇଁ ଉଦ୍ଦିଷ୍ଟ । ଧର୍ମଦଣ୍ଡ ଅର୍ଥକୌଣସି ଧର୍ମ କିମ୍ବା ଧାର୍ମିକ ବିଶ୍ୱାସକୁ ଅପମାନ କରିବା ପାଇଁ ଦଣ୍ଡ । ଭାରତୀୟ ଦଣ୍ଡ ସଂହିତାର ଧାରା-୨୯୫ଏ ଏବଂ ୨୯୬ ଧର୍ମ ସହିତ ଜଡ଼ିତ ଅପରାଧ ପାଇଁ ଦଣ୍ଡ ପ୍ରଦାନ କରେ । ମନୁସ୍ମୃତିର ସପ୍ତମ ଅଧ୍ୟାୟରେ ଏବଂ ମହାଭାରତର ଶାନ୍ତି ପର୍ବରେ କୁହାଯାଇଛି ଯେ, ମାନବ ଜାତିର ପ୍ରାରମ୍ଭିକ ଅବସ୍ଥା ଅତ୍ୟନ୍ତ ପବିତ୍ର ପ୍ରକୃତିର । ଦୋଷହୀନ କର୍ମ, ସତ୍ତ୍ୱ ପ୍ରକୃତି ଏବଂ ଋତୁ ଆଧାରିତ ଥିଲା । ସେତେବେଳେ କୌଣସି ରାଜା ନଥିଲେ । କୌଣସି ରାଜ୍ୟ ନଥିଲା । କୌଣସି ଦଣ୍ଡ ମଧ୍ୟ ନଥିଲା । କୌଣସି ଦଣ୍ଡଦାତା ନଥିଲେ ଏବଂ ସମସ୍ତ ଲୋକ କେବଳ ଧର୍ମ ମାଧ୍ୟମରେ ପରସ୍ପରକୁ ସୁରକ୍ଷା ଦେଉଥିଲେ । କିନ୍ତୁ ସମୟ ବିତିବା ସହିତ ତାମସ ଗୁଣଗୁଡ଼ିକ ଜାଗରିତ ହେଲା । ମାନବ ସମାଜ ଆଦିମ ସତ୍ତ୍ୱ ପ୍ରକୃତିରୁ ବିଚ୍ୟୁତ ହେଲା । ଶକ୍ତିଶାଳୀମାନେ ଦୁର୍ବଳମାନଙ୍କୁ ଶୋଷଣ କରିବାକୁ ଲାଗିଲେ । 

ଏହିକ୍ରମରେ ରାଜ୍ୟ ଏବଂ ରାଜାଙ୍କ ଅସ୍ତିତ୍ୱ ରକ୍ଷା ଓ ସମସ୍ତଙ୍କୁ ସଠିକ୍‌ ପଥରେ ରଖିବା ପାଇଁ ଦଣ୍ଡବିଧାନ କରାଗଲା । ଦଣ୍ଡ ରାଷ୍ଟ୍ରଶକ୍ତିର ପ୍ରତୀକ ହୋଇଗଲା । ତେଣୁ ଦଣ୍ଡକୁ ଧର୍ମଭାବରେ ଗ୍ରହଣ କରାଯାଇଥିଲା । ସମଗ୍ର ଜଗତର ଦଣ୍ଡର ଭୟ ଯୋଗୁଁ ହିଁ ଜଗତର ଉପଭୋଗ ସମ୍ଭବ ହେଉଛି । ଜଣେ ବ୍ୟକ୍ତି ଭୟର କଳ୍ପନା କରିବା ସମୟରେ ନିଜ ଧର୍ମକୁ ଅନୁସରଣ କରେ । ଦଣ୍ଡ ହେଉଛି ସେହି ନିୟମ, ଯାହାର ଭୟ ଯୋଗୁଁ ସମସ୍ତ ଜୀବ ନିଜ ନିଜ ଜିନିଷ ଉପଭୋଗ କରିପାରନ୍ତି । ଦଣ୍ଡ ହେଉଛି ସେହି ଆଇନ ଯାହା ସାମାଜିକ ସମ୍ପର୍କ, ସଂପତ୍ତି ଅଧିକାର ଏବଂ ପରମ୍ପରାକୁ ସଠିକ୍‌ ଭାବରେ ପାଳନ କରିବା ସୁନିଶ୍ଚିତ କରେ । ରାଜନୀତିର ଚାରୋଟି ମାପ ସାମ, ଦାମ, ଦଣ୍ଡ ଏବଂ ଭେଦ ମଧ୍ୟରୁ ଦଣ୍ଡ ଅନ୍ୟତମ । ସେପରି ହିନ୍ଦୁ ଧର୍ମ ଅନୁସାରେ ବ୍ରାହ୍ମଣ, କ୍ଷତ୍ରିୟ ଏବଂ ବୈଶ୍ୟ ପୁଅମାନଙ୍କୁ ଯଜ୍ଞବିଧି ଅନୁସାରେ ବିଭିନ୍ନ ପର୍ଯ୍ୟାୟରେ ଆଚାର୍ଯ୍ୟଙ୍କ ଦ୍ୱାରା ଉପନୟନ ସମାରୋହରେ ଦଣ୍ଡ ଧାରଣ କରିବାକୁ ପଡ଼ିଥାଏ । ଶାସ୍ତ୍ର ନିୟମ ଏବଂ ପାରମ୍ପରିକ ବିଶ୍ୱାସ ହେଉଛି ଯେ ଜଣେ ବ୍ରାହ୍ମଣ ପୁଅ ତାଙ୍କ ମୁଣ୍ଡ ପର୍ଯ୍ୟନ୍ତ ବିଲ୍‌ଭଦଣ୍ଡ ଧରିବା ଉଚିତ, ଜଣେ କ୍ଷତ୍ରିୟ ପୁଅ ତାଙ୍କ କପାଳ ପର୍ଯ୍ୟନ୍ତ ପଳାଶଦଣ୍ଡ ଧରିବା ଉଚିତ ଏବଂ ଜଣେ ବୈଶ୍ୟ ପୁଅ ତାଙ୍କ ନାକ ପର୍ଯ୍ୟନ୍ତ ଉଦୁମ୍ବର (ଚିତ୍ର) କାଠି ଧରିବା ଉଚିତ । ଚୋଳ ବଂଶର ରାଜତ୍ୱ କାଳରେ ଜଣେ ରାଜା ତାର ଉତ୍ତରାଧିକାରୀଙ୍କୁ ଧର୍ମଦଣ୍ଡ ପ୍ରଦାନପୂର୍ବକ କ୍ଷମତା ହସ୍ତାନ୍ତର କରୁଥିଲେ ବୋଲି ଜଣାଯାଏ । 

ଇଂରେଜମାନେ ମଧ୍ୟ ଭାରତ ଛାଡ଼ିବା ପୂର୍ବରୁ ଶାସନ ହସ୍ତାନ୍ତର କ୍ରମରେ ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହରୁଙ୍କୁ ଧର୍ମଦଣ୍ଡ ପ୍ରଦାନ କରିଥିଲେ । ନୂଆ ସଂସଦ ଭବନର ଉଦ୍‌ଘାଟନ ବେଳେ ସଂସଦ ଭବନରେ ପାରମ୍ପରିକ ପୂଜା ଉପଚାର ଜରିଆରେ ଧର୍ମଦଣ୍ଡକୁ ସ୍ଥାପନ କରାଯାଇଥିଲା । ସାମଗ୍ରିକ ଭାବେ ଦେଖିବାକୁ ଗଲେ, ଆମ ଜନଜୀବନରେ ଧର୍ମଦଣ୍ଡର ଗୁରୁତ୍ୱ ଅଧିକ । ଧର୍ମଦଣ୍ଡ କଥା ଆମ ମନକୁ ଆସିନଥାନ୍ତା, ଯଦି ଆମ ଗାଁର ଧନୀ ଶ୍ରେଣୀରେ ଗଣା ଗୋଟିଏ ପରିବାରର ସବୁ ଭାଇ ମିଶି ଗାଁଦାଣ୍ଡରେ ମଝିଆ ଭାଇକୁ ନିର୍ଧୁମ ଛେଚିଲେ ଏବଂ ଟାଇଁଟାଇଁ ଖରାରେ ଦାଣ୍ଡରେ ଛାଡ଼ି ଘରର କବାଟ ଦେଇଦେଲେ । ଅନ୍ୟାୟରେ ପୈତୃକ ସଂପତ୍ତିକୁ ହଡ଼ପ କରିବାକୁ ଚେଷ୍ଟା କରୁଥିବା ବାକି ଭାଇମାନଙ୍କୁ ଅସହାୟ ମଝିଆ ଭାଇ ମଦ ପିଇ ଗାଳି ଦେବା ତାର ଭୁଲ୍‌ ଥିଲା । ଗାଳିରେ ସପ୍ତପୁରୁଷ ଉଦ୍ଧାର କରି ଗାଁଟା ସାରା କହି ବୁଲୁଥିବା ଭାଇ ସହ ବାକି ଭାଇଙ୍କ ଭିତରେ କଦର୍ଯ୍ୟ ଭାଷାରେ ଗାଳିଗୁଲଜ ଶୁଣିବାକୁ ଲୋକଙ୍କ ଧୈର୍ଯ୍ୟ ଯଦିଓ ନଥିଲା, କିନ୍ତୁ ଏଭଳି ମହାଭାରତକୁ ବେଶ ଉପଭୋଗ କରୁଥିଲେ ଗାଁ ଲୋକ । ତାର ପ୍ରମୁଖ କାରଣ ହେଲା ବିଗତ ଦିନରେ ଚଞ୍ଚକତା, ଅନ୍ୟାୟ, ଅନୀତିରେ ପରର ସଂପତ୍ତିକୁ ହରିଲୁଟ କରିଥିବା ତାଙ୍କ ବାପାର କୁକର୍ମରେ ଅତିଷ୍ଠ ଗରିବ ଲୋକଙ୍କୁ ଏହା ଯେମିତି ଚରମ ଆନନ୍ଦ ଦେଉଥିଲା । 

ସେତେବେଳେ ମୋ ମାଆ କହିଲା ଏସବୁ ଧର୍ମଦଣ୍ଡର ପରାଭୋଗ । ଅବୁଝା ହୋଇ ପଚାରିବାରୁ କହିଲା, ମଣିଷ ଧର୍ମଦଣ୍ଡରେ ଘାଣ୍ଟିହେବା ଥୟରେ ବାବୁ! କେହି ଧର୍ମଦଣ୍ଡ ଠାରୁ ବଡ଼ ନୁହନ୍ତି । ଯେମିତି କର୍ମ କରିବ ସେମିତି ଫଳ ମିଳିବ । ମାଆ ମରିବାର ଅନେକ ବର୍ଷ ବିତିଯାଇଥିଲେ ବି ତାର କଥା ସାମାଜିକ ଚିତ୍ରପଟ୍ଟରୁ ନିତି ଦେଖିବାକୁ ମିଳୁଛି । କିନ୍ତୁ ବର୍ତ୍ତମାନ ସମାଜରେ ଯେଭଳି ଭାବେ ଅନ୍ୟାୟ ଓ ଭ୍ରଷ୍ଟାଚାର ଚାଲିଛି ସେଗୁଡିକୁ ଦେଖିଲେ ଆଖି ଟେରା ହୋଇଯାଉଛି । କାହାରିକୁ କିଛି କହିବା ଏ ସମୟର ବଡ଼ ଭୁଲ୍‌ ବୋଲି ଧରିବାକୁ ହେବ । ଲୁଟିଖିଆ ଓ ଖଟିଖିଆ ଭିତରେ ବଡ଼ ପ୍ରଭେଦ ସୃଷ୍ଟି ହେଉଛି । କରି କରାଉଥିବା ଲୋକଟି ନିଜକୁ ସର୍ବେସର୍ବା ମଣୁଛି । ଧରାକୁ ସରା ମଣୁନି । ଅସମ୍ଭବ ଗର୍ବକୁ ଧରି ରଖିବାର ଜୋରଦାର ପ୍ରଚେଷ୍ଟାରେ ରହୁଛନ୍ତି । କିନ୍ତୁ ଥରେ ସମୟ କଡ଼ ଲେଉଟାଇଲେ ମଣିଷ ସବୁ ଥାଇ ବି ବଡ଼ ନିଃସ୍ୱ ପାଲଟିଯାଏ । କୃତକର୍ମର ହିସାବ ସମୟ କଡାଗଣ୍ଡା ସହ ନିଏ । ତେଣିକି ପଶ୍ଚାତାପର ଗ୍ଳାନି ଭିତରେ ମନ୍ଥି ହୋଇଯାଏ । 

ଜୀବନତମାମ ଛାଇଭଳି ଆଉ ପିଛା ଛାଡ଼େନି । ବଞ୍ଚିବାକୁ ବି ଦିଏନି । ଅନେକ ଏଇ ଦୁର୍ଦ୍ଦିନକୁ ସହିପାରନ୍ତିନି ନିଜେ ତରିଯିବାକୁ ଇଚ୍ଛା କରନ୍ତି । କେହି କେହି ଜୀବଦଶା ଭିତରେ ଏହି ସମୟ ପହଞ୍ଚିବା ଆଗରୁ ଚାଲିଯାଆନ୍ତି ସତ । ଅଥଚ ପାପର ଫଳକୁ ସମଗ୍ର ପରିବାର ଚକ୍ରବୃଦ୍ଧି ସହ ଭୋଗିବାକୁ ଛାଡ଼ି ଯାଆନ୍ତି । ରୋଗ ଶୋକ ଓ ସନ୍ତାପ ଭିତରେ ସମଗ୍ର ପରିବାର ଘାଣ୍ଟି ହେଉଥାନ୍ତି । ନ୍ୟାୟ, ସେବା, ପରୋପକାର ସହ ମାନବୀୟ ଧର୍ମ ପାଳନ କରିବା ଜଣେ ମଣିଷ ପାଇଁ ଜରୁରି । ଏଥିରୁ ବିଚ୍ୟୁତି ହେଲେ ସବୁବେଳେ ପ୍ରମାଦ । ସାଧାରଣ ଲୋକ ମଗଜରେ ଭରିଦେବା ଉଚିତ ଯେ ଯୁଗେ ଯୁଗେ ଧର୍ମଦଣ୍ଡ ରହିଛି । ଧର୍ମଦଣ୍ଡର ଫଳ ଭୋଗିବା ଅବଶ୍ୟମ୍ଭାବୀ ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.