ସୌରଜଗତର ଦ୍ୱିତୀୟ ବୃହତ୍ତମ ଗ୍ରହ ଶନି ସାଢ଼େ ଅଣତିରିଶ ବର୍ଷରେ ଥରେ ସୂର୍ଯ୍ୟଙ୍କୁ ପରିକ୍ରମଣ କରିଥାଏ ତଥା ରାଶିଚକ୍ରର ବାରଟି ରାଶି ଚାରଣ କରିଥାଏ । ପ୍ରତି ଅଢ଼େଇ ବର୍ଷ ଅନ୍ତରରେ ଗୋଟିଏ ରାଶିରୁ ପର ରାଶିକୁ ଚାରଣ କରିଥାଏ । ୨୯.୩.୨୦୨୫ରେ ମୀନ ରାଶିକୁ ଚାରଣ କରି ୩.୬.୨୦୨୭ ଯାଏଁ ମୀନ ରାଶିରେ ରହିବେ । ଧୀରେ ଧୀରେ ଗତି ବା ଚାରଣ କରୁଥିବାରୁ ତାଙ୍କର ନାମ ଶନି ଅଟେ । ଏଥିପାଇଁ ଶନି ଧୀର ପରିବର୍ତ୍ତନ, ସଂକୋଚନ, ଧୈର୍ଯ୍ୟ, ଅଧ୍ୟବସାୟ, ହାତେ ମାପି ଚାଖଣ୍ଡେ ଚାଲିବା, ସମୟାନୁବର୍ତ୍ତିତା, ଦାୟିତ୍ୱନିଷ୍ଠ, ଶୃଙ୍ଖଳିତ ଜୀବନର କାରକ ଅଟେ । ଧୀର ଗତିସଂପନ୍ନ ବୃହତ୍ତମ ଗ୍ରହ ହେତୁ ଶନି କଠିନ ପରିଶ୍ରମ, ପରିପକ୍ୱ ବିଚାରଧାରା, ସତ୍ୟନିଷ୍ଠତା, ଲକ୍ଷ୍ୟ ହାସଲରେ ଅଟଳ ରହିବା, ସାମାଜିକ ନ୍ୟାୟ ପାଇଁ ଅବିରତ ଉଦ୍ୟମ, ଗଣତନ୍ତ୍ରର ବିକାଶ, ଦୋଷୀକୁ ଦଣ୍ଡ ଏବଂ ସାଧୁକୁ ନ୍ୟାୟ ବିଚାର, ସଂସ୍କାର, ସଂସ୍କୃତିର ପରିବର୍ତ୍ତନ ଓ ବିବର୍ତ୍ତନର ପ୍ରତୀକ ଅଟନ୍ତି । ବିଜ୍ଞାନର ପ୍ରତ୍ୟେକ କ୍ରିୟାର ସମାନ ଓ ବିପରୀତ ପ୍ରତିକ୍ରିୟା ସଦୃଶ ସନାତନୀ ହିନ୍ଦୁ ସଂସ୍କୃତିରେ ପ୍ରତ୍ୟେକ କର୍ମର ଫଳ କର୍ମବିପାକ ନାମରେ ଭୋଗହୁଏ । ଅବଶ୍ୟମପି ଭୋକ୍ତବ୍ୟମ କୃତକର୍ମ ଶୁଭାଶୁଭମ୍ ।
ସୌରଜଗତର ବିଚାରକ ଗ୍ରହ ହିସାବରେ ଶନି କର୍ମବିପାକର ପାଳକ ଓ ବିଚାରକ । ନିରପେକ୍ଷ କର୍ମଫଳ ବିଚାର ଓ ଯଥୋଚିତ ଦଣ୍ଡବିଧାନ ଦ୍ୱାରା ଶନି ପ୍ରତ୍ୟେକ ମନୁଷ୍ୟକୁ ନିଜର କୃତକର୍ମ ଫଳ ଭୋଗ କରିବାକୁ ନିଶ୍ଚିତ କରନ୍ତି ଏବଂ ଭବିଷ୍ୟତ ସୁକର୍ମ ପାଇଁ ଶିକ୍ଷା ଓ ସଂସ୍କାର ଦେଇଥାନ୍ତି । ଶନି ଗ୍ରହର ଚଳନ, ଦଶାଭୁକ୍ତି ଇତ୍ୟାଦି ଆସିଲେ ବିରାଡ଼ିବୈଷ୍ଣବ ରୂପଧାରୀଙ୍କର ଅସଲ ରୂପ ପଦାରେ ପଡ଼ିଯାଏ ଏବଂ ପୂର୍ବକୃତ କର୍ମପାଇଁ ଦଣ୍ଡ, ଅସମ୍ମାନ ପାଇଥାନ୍ତି । ଏଥିପାଇଁ ଶନିର ନାମ ଶୁଣିଲେ କଳିଯୁଗର ସାଧୁମୁଖା ଲୋକେ ଭୟଭୀତ ହୋଇଯାନ୍ତି । ଅନ୍ୟପକ୍ଷରେ ଶନିର ଚଳନ, ଦଶାଭୁକ୍ତି ଆସିଲେ ଅନ୍ୟାୟ-ଅତ୍ୟାଚାରରେ କବଳିତ, ଶୋଷିତ, ଲୁଣ୍ଠିତ ଓ ବଞ୍ଚିତ ଲୋକେ ନ୍ୟାୟ ତଥା ସୁଖ ସମୃଦ୍ଧି ପାଇଥାନ୍ତି । ଶନିର ମନ୍ଥର ଚାରଣ ହେତୁ ତ୍ୱରିତ ଓ ସଦ୍ୟ ଫଳପ୍ରାପ୍ତି ପାଇଁ କରାଯାଉଥିବା ବିବାହ, ବ୍ରତ, ଗୃହାରମ୍ଭ ଆଦି ମାଙ୍ଗଳିକ କର୍ମରେ ଶନିବାର ତଥା ଶନିଯୁକ୍ତ ସମୟକୁ ତ୍ୟାଗ କରାଯାଇଥାଏ । ଦୀର୍ଘସ୍ଥାୟୀ ଏବଂ ଦୀର୍ଘମିଆଦୀ ଫଳ କାମନାରେ ଗୃହପ୍ରବେଶ, ଗୃହରେ ପ୍ରଥମେ ନବବଧୂ ପ୍ରବେଶ, ଦୀକ୍ଷାଗ୍ରହଣ ଆଦି କର୍ମ ଶନିଙ୍କ ବାର, ତିଥି ଆଦିରେ ଶୁଭ ଓ ଫଳପ୍ରଦ ଅଟେ । ୨୭୪ ଉପଗ୍ରହ ଘୂର୍ଣ୍ଣନ କରୁଥିବା ଓ ବୃହତ୍ତମ ଶନି ଗ୍ରହ ଅତି ହାଲୁକା ଓ ଜଳରେ ଭାସମାନ । ଏହି ବାୟବୀୟ ଗ୍ରହ ଶନି ମାନବ ଶରୀରର ପଞ୍ଚଭୂତ ମଧ୍ୟରେ ବାୟୁ ତତ୍ତ୍ୱର କାରକ । ପଞ୍ଚ ପ୍ରାଣବାୟୁର କାରକ । ଯୋଗାଚାର୍ଯ୍ୟ ପତଞ୍ଜଳିଙ୍କ ମତରେ, ଚିତ୍ତବୃତ୍ତିର ନିରୋଧ (ଶନି) ହେଉଛି ଯୋଗ । ଚିତ୍ତବୃତ୍ତି ନିରୋଧ, ମନ ଶମନ ଓ ଇନ୍ଦ୍ରିୟ ଦମନର ସାମର୍ଥ୍ୟ ହେତୁ ଶନିଙ୍କୁ ଯୋଗୀବୈରାଗୀ କୁହାଯାଏ । ଶନି ବାୟୁବାହିତ ରୋଗ, ବାତଦୋଷ, ସ୍ନାୟୁ, ଗଣ୍ଠି, ପାଦ, ଫୁସଫୁସ୍ , ନଖ, ଦନ୍ତ ଆଦିର କାରକ, ଯାହା ବାୟୁର ବିଶୃଙ୍ଖଳିତ ପ୍ରବାହରେ ଘଟିଥାଏ । ପ୍ରାଣବାୟୁର ପ୍ରବାହକୁ ଧୀର(ଶନି) ଏବଂ ଶୃଙ୍ଖଳିତ(ଶନି) କରିପାରିଲେ ଲୋକ ରୋଗମୁକ୍ତ ଓ ଦୀର୍ଘାୟୁ ହୁଏ । ଏହା ହିଁ ଯୋଗବିଦ୍ୟା । ଜନ୍ମରାଶି ଠାରୁ ଶନି ସ୍ଥିତ ମୀନ ରାଶି ଯାଏଁ ଗଣିଲେ ଯଦି ଦ୍ୱାଦଶ, ପ୍ରଥମ ଏବଂ ଦ୍ୱିତୀୟ ହୁଏ ଏହାକୁ ଶନିର ସାଢ଼େମାତି ଓ ବିଶେଷକରି ଆଦ୍ୟ, ମଧ୍ୟ ଏବଂ ଅନ୍ତ ସାଢ଼େଶାତି କୁହାଯାଏ ।
ସେହିପରି ଚତୁର୍ଥ କିମ୍ବା ଅଷ୍ଟମ ହେଲେ ଏହା ଢାୟା କୁହାଯାଏ । ସାଢ଼େଶାତି ଏବଂ ଢାୟା ବିଶେଷ ଭାବରେ ଅଶୁଭ ଫଳ ଦେଇଥାଏ । ଶନି ଯେଉଁ ରାଶିରେ ରହିବ ସେଠାରୁ ତୃତୀୟ ଓ ଦଶମ ରାଶିକୁ ସ୍ୱତନ୍ତ୍ର ଦୃଷ୍ଟି ଏବଂ ସପ୍ତମ ରାଶିକୁ ବିଶେଷ ଦୃଷ୍ଟି ଦେଇଥାଏ । ଶନିର ରାଶି ସ୍ଥିତିଠାରୁ ଦୃଷ୍ଟିଫଳ ଅଧିକ ଅଶୁଭ ଫଳଦାୟକ । ମୀନ ରାଶି ସ୍ଥିତ ଶନି ବୃଷକୁ (ତୃତୀୟ), ଧନୁ ରାଶିକୁ (ଦଶମ) ଏବଂ କନ୍ୟା ରାଶିକୁ (ସପ୍ତମ) ଦୃଷ୍ଟିରେ ପ୍ରଭାବିତ କରିବ । ଏଥିରୁ ସ୍ପଷ୍ଟ ହୋଇଥାଏ ଯେ, ଶନିଙ୍କର ମୀନ ରାଶି ଚଳନ ଦ୍ୱାରା ମେଷ, ବୃଷ, ସିଂହ, କନ୍ୟା, ଧନୁ, ମୀନ ରାଶି ବିଶେଷ ଭାବେ ପ୍ରଭାବିତ ହେବେ । ଅନ୍ୟପକ୍ଷରେ ମିଥୁନ, କର୍କଟ ଏବଂ ବିଛା ରାଶି ଶନି, ବୃହସ୍ପତି ଏବଂ ରାହୁଙ୍କ ଅଶୁଭ ସ୍ଥିତି ପାଇଁ ଗୁରୁତର ଭାବେ ଅଶୁଭ ଫଳ ପାଇବେ । ୩ୟ, ୬ଷ୍ଠ ଓ ୧୧ଶ ଶନି ଶୁଭ । କେବଳ ତୁଳା ରାଶି (ଶନିଙ୍କର ଉଚ୍ଚ ରାଶି), ମକର (ସ୍ୱରାଶି), କୁମ୍ଭ (ଶନିଙ୍କର ମୂଳ ତ୍ରିକୋଣ ରାଶି) ପାଇଁ ଶନିଙ୍କର ଚଳ ଶୁଭ ଫଳଦାୟକ । ଅନ୍ୟସବୁ ରାଶି ଊଣାଧିକେ ଶନିଙ୍କର ପରୀକ୍ଷା ନିରୀକ୍ଷାର ସମ୍ମୁଖୀନ ହେବେ ।
ଜାତକ ପାଇଁ ଶନି ଶୁଭ ହୋଇ ଦୁର୍ବଳ ଥିଲେ- ନୀଳ ପୁଷ୍ପରାଗ ରତ୍ନ, ଘୋଡ଼ାନାଲର ଲୁହାମୁଦି । ଡଙ୍ଗାଲୁହାର ମୁଦି, କଳାଟିପା ଓ କଳାଦ୍ରବ୍ୟ ଓ ବସ୍ତ୍ରଧାରଣ ଶୁଭ ଅଟେ । ଜାତକ ପାଇଁ ଶନି ଅଶୁଭ ହୋଇଥିଲେ ପ୍ରତ୍ୟହ ଅଶ୍ୱତ୍ଥ ବୃକ୍ଷରେ ଜଳଦାନ, ଶନିବାର ଅଶ୍ୱତ୍ଥ ବୃକ୍ଷମୂଳେ ବା ଶନି ମନ୍ଦିରରେ ବା ହନୁମାନ ମନ୍ଦିରରେ ବା ଶିବ ମନ୍ଦିରରେ ଶନିଙ୍କ ପାଇଁ ସୋରିଷ ତେଲ ଦୀପ ଆଳତି ଶୁଭ ଓ ଫଳପ୍ରଦ ଅଟେ । ଶନିଙ୍କ ଗାୟତ୍ରୀ ଜପ- ଓଁ ଶନିଶ୍ଚରାୟ ବିଦ୍ମହେ ସୂର୍ଯ୍ୟପୁତ୍ରାୟ ଧୀମହି ତନ୍ନୋ ଶନି ପ୍ରଚୋଦୟାତ୍ । ବୃଦ୍ଧବୃଦ୍ଧା ଅକର୍ମଣ୍ୟଙ୍କୁ କଳାଦ୍ରବ୍ୟ, ବସ୍ତ୍ର, ଛତା, ଜୋତା, ଲୌହଦ୍ରବ୍ୟ, ଖସା, ବିରି ଦାନ, ପିତୃପୁରୁଷଙ୍କୁ ଶ୍ରାଦ୍ଧ ଶୁଭପ୍ରଦ ଅଟେ ।
ରାଶିଫଳ
ମେଷ: ଶନି ସାଢ଼େଶାତିର ଆରମ୍ଭ ହେତୁ କର୍ମକ୍ଷେତ୍ରରେ ବିରୋଧ,ଫଳପ୍ରାପ୍ତିରେ ବିଳମ୍ବ, ସ୍ଥାନାନ୍ତର, ପାରିବାରିକ ଅଶାନ୍ତି, ଅର୍ଥାଭାବ ଓ ଦେହକଷ୍ଟ ଆସିପାରେ । ଜନକଲ୍ୟାଣ ଓ ସାଙ୍ଗଠନିକ କର୍ମରେ ସଂପୃକ୍ତି, ଯୋଗ ଓ ପ୍ରାଣାୟାମରେ ରୁଚି ରହିପାରେ।
ବୃଷ: ଦୂର ବିଦେଶ ସଂପର୍କରେ ଲାଭ । କର୍ମ ସାଫଲ୍ୟ, ଗୃହରେ ଶୁଭକର୍ମ, ଅର୍ଥ, ଭୂମି, ଯାନ, ଦ୍ରବ୍ୟ, ଅଜଣା ସୂତ୍ରରୁ ଲାଭ, ସ୍ୱାସ୍ଥ୍ୟରେ ଉନ୍ନତିର ସୂଚନା ।
ମିଥୁନ: ଆନୁଷ୍ଠାନିକ ଓ ସାଙ୍ଗଠନିକ କର୍ମରେ ସାଫଲ୍ୟ, କର୍ମକ୍ଷେତ୍ରରେ ପରିବର୍ତ୍ତନ, ଦାୟିତ୍ୱ ବୃଦ୍ଧି, ଗୃହ ଓ ସଂପତ୍ତି ନେଇ ବିବାଦ, ପାରିବାରିକ ଅଶାନ୍ତି, ଆଧି-ବ୍ୟାଧି ଓ ଅର୍ଥକଷ୍ଟର ସୂଚନା ।
କର୍କଟ: ପ୍ରତିକୂଳ ପରିବେଶରେ ଯୋଗ ପ୍ରାଣାୟାମ କରି ଶାନ୍ତ ରୁହନ୍ତୁ ଓ ଧୈର୍ଯ୍ୟ ଦରନ୍ତୁ । ଏ ସମୟ ରହିବ ନାହିଁ । ବିଳମ୍ବିତ ସାଫଲ୍ୟ । ବିବାଦରେ ଜୟ, ଉଦ୍ୟମରେ ସିଦ୍ଧି, ଅର୍ଥ ଓ ଦ୍ରବ୍ୟ ଲାଭର ସୂଚନା ।
ସିଂହ: ଅଷ୍ଟମ-ଢାୟା ଶନି ପ୍ରଭାବରେ ସମୟ ସ୍ରୋତର ପ୍ରତିକୂଳତା ହେତୁ କର୍ମକ୍ଷେତ୍ରରେ ପରିବର୍ତ୍ତନ, ଦାୟିତ୍ୱ ବୃଦ୍ଧି, ଭୁଲ୍ ବୁଝାମଣା ହେତୁ ପାରିବାରିକ ଅଶାନ୍ତି, ବିଳମ୍ବିତ ସାଫଲ୍ୟ, ରାଜକୃପା ଓ ଦୈବକୃପା ଲାଭ ସୂଚନା ।
କନ୍ୟା: ଜୀବନ ସଂଗ୍ରାମର ପ୍ରତ୍ୟେକ କ୍ଷେତ୍ରରେ ଅଗ୍ନିପରୀକ୍ଷା ଦେବାକୁ ପଡ଼ିପାରେ । ସହଯୋଗୀ ସ୍ତ୍ରୀ ସହ ମତାନ୍ତର, ଗୃହ ଓ ସଂପତ୍ତି ନେଇ ବିବାଦ, କର୍ମଚାପ, ଶରୀର ଅସୁଖ, ଯାନବାହାନ ହେତୁ ପୀଡ଼ା, ବିଳମ୍ବିତ ସାଫଲ୍ୟ ଓ ଅର୍ଥଲାଭ ସୂଚନା ।
ତୁଳା: କର୍ମସିଦ୍ଧି, ପଦୋନ୍ନତି, ଆନୁଷ୍ଠାନିକ, ସାଙ୍ଗଠନିକ ଏବଂ ମାଙ୍ଗଳିକ କର୍ମରେ ସାଫଲ୍ୟ, ଗୃହ, ଭୂମି, ଯାନବାହାନ, ଅର୍ଥ, ଦ୍ରବ୍ୟ, ଗୁପ୍ତଧନ ଓ ଜ୍ଞାନ, ପରଧନ ଲାଭ, ଭୋଗବିଳାସ କ୍ରୀଡ଼ାରେ ବାଧା ଓ ଭ୍ରାତୃପୀଡ଼ା ସୂଚନା ।
ବିଛା: ନିଜର ଜିଦ୍ ଓ ଭାବପ୍ରବଣତାକୁ ସଂଯମିତ କରି ଧୈର୍ଯ୍ୟ ଧରନ୍ତୁ ଓ କର୍ମ କରିଚାଲନ୍ତୁ । ବିଳମ୍ବିତ ସଫଳତା ଓ ଅର୍ଥ ସଂପତ୍ତି ଅବଶ୍ୟ ମିଳିବ । ପ୍ରେମ, ବିବାହ ଓ ସହଯୋଗୀ ଚୟନରେ ସାବଧାନ ହେବା ଉଚିତ ।
ଧନୁ: କର୍ମୋନ୍ନତି, ପ୍ରତିଦ୍ୱନ୍ଦ୍ୱିତାରେ ବିଜୟ, ସ୍ଥାନାନ୍ତର, ଗୃହରେ ପରିବର୍ତ୍ତନ, ଶୁଭକର୍ମ, ପାର୍ଥିବ ସମୃଦ୍ଧି ଓ ଲାଭ ସତ୍ତେ୍ୱ ଅସୁଖୀ ରହିବା, ପିତାମାତା ସଂପତ୍ତି ନେଇ ଚିନ୍ତା ଓ ଦେହକଷ୍ଟ ସୂଚନା ।
ମକର: ବେଗ ହିଁ ଉନ୍ନତିର ଲକ୍ଷଣ । ନିଜ ଉପରେ ଆତ୍ମବିଶ୍ୱାସ ରଖି ମାଡ଼ି ଚାଲନ୍ତୁ ଅବଶ୍ୟ ସଫଳ ସମ୍ମାନିତ, ଲାଭବାନ ହେବେ । ବହୁ ଆଡମ୍ବର ମଧ୍ୟରେ ପାରିବାରିକ ଅଶାନ୍ତି, ଜ୍ଞାତିକଷ୍ଟ ଓ ବ୍ୟୟ ବୃଦ୍ଧିର ସୂଚନା ମିଳେ ।
କୁମ୍ଭ: ଶନି-ରାହୁଙ୍କ ପ୍ରଭାବରେ ପାରିବାରିକ ସୁଖ ଶାନ୍ତି ସ୍ୱାସ୍ଥ୍ୟ ବିପନ୍ନ ହୋଇପାରେ । ଦେହକଷ୍ଟ, ସ୍ଥାନାନ୍ତର, ଗୃହରେ ଶୁଭ ମାଙ୍ଗଳିକ କର୍ମ, ଗୃହ ନବୀକରଣ, ଦୈବ ସହାୟ, ଅର୍ଥ, ଦ୍ରବ୍ୟ ଓ ସମ୍ମାନ ଲାଭର ସୂଚନା ।
ମୀନ: ନିଜର ସୁଖ ଓ ସ୍ୱାସ୍ଥ୍ୟକୁ ଅଣଦେଖା କରି ବହୁ ପ୍ରକାର କର୍ମ ଓ କର୍ମଚାପରେ ସଂପୃକ୍ତ ହୋଇପାରନ୍ତି । ଫଳପ୍ରାପ୍ତିରେ ବହୁ ଆଡମ୍ବରରେ ଲଘୁକ୍ରିୟା ହେଇପାରେ । ଭୁଲ୍ ବୁଝାମଣା ଆସିପାରେ ।