ପ୍ରମୂଖ ଖବର
  • ବ୍ରହ୍ମଗିରିରେ ଭାରସାମ୍ୟ ହରାଇ ଟ୍ରକକୁ ପିଟିଲା କାର, ଚାଳକଙ୍କ ସହ ୪ ଗୁରୁତର
  • ||
  • ମୋହନା ତପ୍ତପାଣି ଘାଟିରେ ବସ୍ ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ଭୂକମ୍ପରେ ଥରିଲା ପାକିସ୍ତାନ, ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୫.୮ ରେକର୍ଡ
  • ||
  • ବିଜାପୁର ପୋଲିସକୁ ବଡ଼ ସଫଳତା, ଏନ୍‌କାଉଣ୍ଟରରେ ଟଳିଲେ ୩ ହାର୍ଡକୋର ମାଓବାଦୀ
  • ||
  • IPL 2025: ରାତିରେ ସନରାଇଜର୍ସ ହାଇଦ୍ରାବାଦକୁ ଭେଟିବ ପଞ୍ଜାବ କିଙ୍ଗ୍‌ସ, ଉପଲରେ ହେବ ରନ ବର୍ଷା
  • ||
  • ଚିତ୍ରକୋଣ୍ଡା : ଭିଜିଲାନ୍ସ ଜାଲରେ ଚିତ୍ରକୋଣ୍ଡା ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ, କାର୍ ଓ ଘରୁ ମିଳିଲା ନଗଦ ୧୮ ଲକ୍ଷ ୫୭ ହଜାର ଟଙ୍କା
  • ||
  • କୋରାପୁଟ : ଚାରା ଗାଡିରୁ ୧୦ କୋଟିର ଗଞ୍ଜେଇ ଜବତ, ଜଣେ ଗିରଫ ଅନ୍ୟ ଜଣେ ଫେରାର
  • ||
  • କେନ୍ଦୁଝର : ପାରିବାରିକ କଳହରୁ ଦାଦାର ଗଣ୍ଡିମୁଣ୍ଡ ଅଲଗା କରିଦେଲା ପୁତୁରା, କଟା ମୁଣ୍ଡ ଧରି ଥାନାରେ ଆତ୍ମସମର୍ପଣ
  • ||
  • ଝାରସୁଗୁଡ଼ାରେ ଏନ୍‌କାଉଣ୍ଟର,ବେଲପାହାଡ- ଝାରସୁଗୁଡ଼ା ରାସ୍ତାରେ ଦୁଇ ଅଭିଯୁକ୍ତଙ୍କୁ ଏନ୍‌କାଉଣ୍ଟର
  • ||
  • ଜମ୍ମୁ-କାଶ୍ମୀର ଏନ୍‌କାଉଣ୍ଟରରେ ୩ ଆତଙ୍କବାଦୀ ନିପାତ, ସର୍ଚ୍ଚ ଅପରେସନ ଜାରି
  • ||
  • ପୁରୀରେ ବିଜେପି କର୍ମଶାଳା ଉଦ୍‌ଘାଟନ୍ କରିବେ ରାଷ୍ଟ୍ରୀୟ ଅଧ୍ୟକ୍ଷ, ସାଂସଦ ଓ ବିଧାୟକମାନଙ୍କୁ ଦେବେ ଗୁରୁମନ୍ତ୍ର
  • ||
  • ରାଜ୍ୟରେ ୧୭ ତାରିଖ ଯାଏ କାଳବୈଶାଖୀ ବର୍ଷା ସମ୍ଭାବନା, ଆଜି ୨୦ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ଆଲର୍ଟ
  • ||

ବେଲୋଚିସ୍ତାନ ବିଦ୍ରୋହ ଅନ୍ତରାଳେ

Published By : Prameya | April 9, 2025 12:58 PM

ପାକିସ୍ତାନ ଗଠନ ସମୟରୁ ହିଁ ବଡ଼ ବଡ଼ ରାଜନେତାଙ୍କ ଖାମଖିଆଲି କାର୍ଯ୍ୟକଳାପର ଶିକାର ହୋଇ ବେଲୋଚିସ୍ତାନ ସମସ୍ୟା ସଂପୂର୍ଣ୍ଣ ଅଣଦେଖା ହୋଇ ରହିଯାଇଛି । ତାହାର ପୃଷ୍ଠଭୂମି ଏହିଭଳି: ୧୯୪୭ ମସିହାରେ ପାକିସ୍ତାନ ଗଠନ ହେବା ମୁହୂର୍ତ୍ତରେ ବେଲୋଚିସ୍ତାନ ଚାରିଟି ଦେଶୀୟ ରାଜ୍ୟରେ ବିଭକ୍ତ ଥିଲା । ଏମାନଙ୍କ ଆଗରେ ତିନିଟି ବିକଳ୍ପ ଥିଲା- ଭାରତ ସହ ମିଶିବେ, ପାକିସ୍ତାନର ଅଂଶ ହେବେ ଅବା ସ୍ୱାଧୀନ ରହିବେ ।

“ଆତଙ୍କବାଦୀ ଆକ୍ରମଣରେ ଆକ୍ରାନ୍ତ ହୋଇଥିବା ରାଷ୍ଟ୍ର ସଂଖ୍ୟା ୫୮ରୁ ୬୬କୁ ବୃଦ୍ଧିପାଇଛି । ...ନିଷିଦ୍ଧ ଘୋଷିତ ହୋଇଥିବା "ତେହରିକ-ଇ-ତାଲିବାନ ପାକିସ୍ତାନ' (ଟିଟିପି)ସଂସ୍ଥା ସବୁଠାରୁ ଦ୍ରୁତଗତିରେ ବୃଦ୍ଧିପାଉଥିବା ଆତଙ୍କବାଦୀ ସଙ୍ଗଠନ ଭାବେ ଉଭା ହୋଇଛି । କ୍ରମାଗତ ଭାବେ ଦ୍ୱିତୀୟ ବର୍ଷ ପାଇଁ ଏହି ସଂସ୍ଥା ପାକିସ୍ତାନର ସବୁଠାରୁ ଘାତକ ଆତଙ୍କବାଦୀ ସଂଗଠନରେ ପରିଗଣିତ ହୋଇଛି । ୨୦୨୪ ମସିହାରେ ପାକିସ୍ତାନରେ ୫୨% ମୃତ୍ୟୁ ପାଇଁ ଏହି ସଂସ୍ଥା ଦାୟୀ ରହିବ । ଗତବର୍ଷ ପାକିସ୍ତାନରେ ଟିଟିପି ଆତଙ୍କବାଦୀ ସଂସ୍ଥାର ୪୮୨ଟି ଆକ୍ରମଣରେ ୫୫୮ ଜଣଙ୍କର ମୃତ୍ୟୁ ଘଟିଥିଲା, ଯାହା ପୂର୍ବବର୍ଷ ୨୯୩ଟି ମୃତ୍ୟୁ ତୁଳନାରେ ୯୧% ଅଧିକ ଥିଲା । ...ବେଲୋଚିସ୍ତାନ ଲିବରେସନ୍‌ ଆର୍ମି (ବିଏଲଏ) ୨୦୨୪ ମସିହାରେ ପାକିସ୍ତାନର ସବୁଠାରୁ ଭୟଙ୍କର ଆତଙ୍କବାଦୀ ଆକ୍ରମଣ ନିମନ୍ତେ ଦାୟୀ ଥିଲା, ଯେଉଁଠି ବେଲୋଚିସ୍ତାନର କ୍ୱେଟା ରେଳ ଷ୍ଟେସନରେ ଏକ ଆତ୍ମଘାତୀ ବୋମା ବିସ୍ଫୋରଣରେ ୨୫ରୁ ଊର୍ଦ୍ଧ୍ୱ ନାଗରିକ ଏବଂ ଯବାନଙ୍କ ମୃତ୍ୟୁ ଘଟିଥିଲା । ବେଲୋଚିସ୍ତାନ ଓ ଖୈବର ପଖତୁନଖି ସବୁଠାରୁ ଅଧିକ ଆତଙ୍କବାଦୀ ପ୍ରଭାବିତ ଅଞ୍ଚଳ ଭାବେ ଅପଖ୍ୟାତି ଅର୍ଜନ କରିଛି ।” 

ଅଷ୍ଟ୍ରେଲିଆର ସିଡନୀ ଠାରେ ଅବସ୍ଥିତ Institute for Economics and Peace ଆନୁକୂଲ୍ୟରେ ଚଳିତ ବର୍ଷ ମାର୍ଚ୍ଚ ୧୩ ତାରିଖରେ ପ୍ରକାଶିତ "ବିଶ୍ୱ ଆତଙ୍କବାଦ ସୂଚକାଙ୍କ' ତାଲିକାରେ ପାକିସ୍ତାନ ସଂପର୍କରେ ଉଲ୍ଲିଖିତ ରିପୋର୍ଟର ଏହା ହେଉଛି କିୟଦଂଶ । ଏହି ତାଲିକାରେ ପାକିସ୍ତାନ ଆତଙ୍କବାଦ ଦ୍ୱାରା ସର୍ବାଧିକ ପ୍ରଭାବିତ ରାଷ୍ଟ୍ରମାନଙ୍କ ମଧ୍ୟରେ ଦ୍ୱିତୀୟ ସ୍ଥାନରେ ରହିଛି । ବିଶ୍ୱରେ ଆତଙ୍କବାଦ ଧାରାର ବ୍ୟାପକ ବିଶ୍ଳେଷଣ ଆଧାରରେ ୧୬୩ ଦେଶକୁ ନେଇ (ବିଶ୍ୱର ମୋଟ୍‌ ଜନସଂଖ୍ୟାର ୯୯.୭%) ଏହି ତାଲିକା ପ୍ରସ୍ତୁତ କରାଯାଇଥାଏ । ଏହି ସୂଚକାଙ୍କରେ ସମସ୍ତ ଦେଶକୁ ଆତଙ୍କବାଦୀ ଘଟଣାରେ ମୃତ୍ୟୁ, ଆହତ, ବନ୍ଧକଙ୍କ ସଂଖ୍ୟା ସହିତ ସାମାଜିକ-ଅର୍ଥନୈତିକ ତଥ୍ୟର ଏକ ମିଶ୍ରିତ ସ୍କୋର ଆଧାରରେ ବିଚାର କରାଯାଇଥାଏ । ଏହି ତାଲିକାରେ ଭାରତ ୧୪ତମ ସ୍ଥାନରେ ରହିଛି । ଅତୀତରେ ଆମେରିକା ତରଫରୁ ପ୍ରକାଶିତ "ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଥିବା ରାଷ୍ଟ୍ର' ତାଲିକାରେ ପାକିସ୍ତାନ ପ୍ରମୁଖ ସ୍ଥାନ ଅଧିକାର କରିଛି । ଏଥିରେ ପାକିସ୍ତାନକୁ ଆତଙ୍କବାଦୀଙ୍କ ନିରାପଦ ଆଶ୍ରୟସ୍ଥଳୀ ଭାବେ ବର୍ଣ୍ଣନା କରାଯାଇଛି, ଯେଉଁଥିରେ ସେମାନେ ସ୍ୱଚ୍ଛନ୍ଦରେ ପାଣ୍ଠି ସଂଗ୍ରହ କରିବା ସହିତ ଆତଙ୍କବାଦୀଙ୍କୁ ନିଯୁକ୍ତି ଓ ତାଲିମ ପ୍ରଦାନ କରିଥାନ୍ତି । ୨୦୧୧ ମସିହାରେ ଆମେରିକା ଏକ ସ୍ୱତନ୍ତ୍ର ଅଭିଯାନ ମାଧ୍ୟମରେ କୁଖ୍ୟାତ ଆତଙ୍କବାଦୀ ଅଲକୈଦା ମୁଖ୍ୟ ଓସମା ବିନ୍‌ ଲାଡେନକୁ ପାକିସ୍ତାନର ଖୈବର ପଖତୁନଖିରେ ଅବସ୍ଥିତ ମିଲିଟାରୀ ଏକାଡେମୀ ନିକଟସ୍ଥ ବାସଭବନରେ ସମସ୍ତଙ୍କ ଅଗୋଚରରେ ହତ୍ୟା କରିଥିଲା । ଅଥଚ ତାହା ପୂର୍ବରୁ ଓସମା ବିନ୍‌ ଲାଡେନ ପାକିସ୍ତାନରେ ନାହିଁ ବୋଲି ସରକାରୀ ସୂତ୍ର ଆଧାରରେ ପାକିସ୍ତାନ ବାରମ୍ବାର ସଫେଇ ଦେଇଆସୁଥିଲା । 

ଚଳିତ ମାର୍ଚ୍ଚ ମାସ ୧୧ ତାରିଖରେ ବେଲୋଚିସ୍ତାନ ଲିବରେସନ୍‌ ଆର୍ମି (ବିଏଲଏ) ଦ୍ୱାରା ଜାଫର ଏକ୍ସପ୍ରେସ ଟ୍ରେନ ଅପହରଣ ଘଟଣା ପାକିସ୍ତାନରେ ଆତଙ୍କବାଦର କଳା କାରନାମା ସଂପର୍କରେ ସ୍ପଷ୍ଟ ରୂପରେଖ ପ୍ରଦାନ କରିଛି । ବେଲୋଚିସ୍ତାନ ରାଜ୍ୟର ରାଜଧାନୀ କ୍ୱେଟାରୁ ସକାଳ ୯ଟାରେ ଖୈବର ପଖତୁନଖିର ରାଜଧାନୀ ପେଶାୱାରକୁ ଯାତ୍ରା କରୁଥିବା ଏହି ଟ୍ରେନରେ ୩୮୦ ଜଣ ଯାତ୍ରୀ ଥିଲେ । ପ୍ରାୟ ମଧ୍ୟାହ୍ନ ୧ଟାରେ ଟ୍ରେନ ଦୁର୍ଗମ ପାହାଡ଼ିଆ ଅଞ୍ଚଳ ଅତିକ୍ରମ କରୁଥିବାବେଳେ ବିଏଲଏର ଶତାଧିକ ସଂଗ୍ରାମୀ ରେଳପଥକୁ ଧ୍ୱଂସ କରି ଟ୍ରେନକୁ ଅପହରଣ କରିନେଇଛନ୍ତି ବୋଲି ଘୋଷଣା କଲେ । ଗଣମାଧ୍ୟମକୁ ପଠାଇଥିବା ଲିଖିତ ଦାବିପତ୍ରରେ ଉଲ୍ଲେଖ ଅଛି- "ଦୀର୍ଘ ସାତ ଦଶନ୍ଧିରୁ ଊଦ୍ଧ୍ୱର୍ କାଳ ଧରି ବେଲୋଚିସ୍ତାନକୁ ଉପନିବେଶ ଭାବେ ଦଖଲ କରି ପାକିସ୍ତାନ ଯେଉଁ ନିର୍ଯାତନା ଓ ଅତ୍ୟାଚାର ଚଳାଇଛି, ଏ ଅପହରଣ ତାହାରି ସିଧାସଳଖ ପ୍ରତିବାଦ । ଆଗାମୀ ୪୮ଘଣ୍ଟା ମଧ୍ୟରେ ଜେଲ୍‌ରେ ଥିବା ସମସ୍ତ ମୁକ୍ତି ସଂଗ୍ରାମୀଙ୍କୁ ଖଲାସ କରିବା ପାଇଁ ଆମେ ଦାବି କରୁଛୁ ।' ଯଦିଓ ଅପହରଣର ୩୦ଘଣ୍ଟା ମଧ୍ୟରେ ୩୫୪ ଯାତ୍ରୀଙ୍କୁ ଖଲାସ କରିବାରେ ପାକିସ୍ତାନ ସେନା ସଫଳତା ପାଇଛି, ବେଲୋଚିସ୍ତାନ ଲିବରେସନ୍‌ ଆର୍ମିର ମୂଳ ପ୍ରଶ୍ନ ଏବେ ମଧ୍ୟ ଅସମାହିତ ରହିଛି । 

ପାକିସ୍ତାନ ଗଠନ ସମୟରୁ ହିଁ ବଡ଼ ବଡ଼ ରାଜନେତାଙ୍କ ଖାମଖିଆଲି କାର୍ଯ୍ୟକଳାପର ଶିକାର ହୋଇ ବେଲୋଚିସ୍ତାନ ସମସ୍ୟା ସଂପୂର୍ଣ୍ଣ ଅଣଦେଖା ହୋଇ ରହିଯାଇଛି । ତାହାର ପୃଷ୍ଠଭୂମି ଏହିଭଳି: ୧୯୪୭ ମସିହାରେ ପାକିସ୍ତାନ ଗଠନ ହେବା ମୁହୂର୍ତ୍ତରେ ବେଲୋଚିସ୍ତାନ ଚାରିଟି ଦେଶୀୟ ରାଜ୍ୟରେ ବିଭକ୍ତ ଥିଲା- କଲାଟ, ଖରାନ, ଲାସବେଲା ଓ ମକରନ । ଏମାନଙ୍କ ଆଗରେ ତିନିଟି ବିକଳ୍ପ ଥିଲାଭାରତ ସହ ମିଶିବେ, ପାକିସ୍ତାନର ଅଂଶ ହେବେ ଅବା ସ୍ୱାଧୀନ ରହିବେ । କିନ୍ତୁ ମହମ୍ମଦ ଅଲ୍ଲୀ ଜିନ୍ନାଙ୍କ ପ୍ରଭାବରେ ଖରାନ, ଲାସବେଲା ଓ ମକରନ ପାକିସ୍ତାନରେ ମିଶିବା ପାଇଁ ରାଜି ହୋଇଗଲେ । କିନ୍ତୁ ୧୮୭୬ ମସିହା ଚୁକ୍ତିନାମା ଆଧାରରେ ବ୍ରିଟିଶ ହସ୍ତକ୍ଷେପରୁ ମୁକ୍ତ ରହି କଲାଟ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଥିଲା । ଫଳରେ ସିକିମ ଏବଂ ଭୁଟାନ ସମତୁଲ ମର୍ଯ୍ୟାଦା ହାସଲ କରିଥିଲା । ଦିଲ୍ଲୀରେ ଅନୁଷ୍ଠିତ ୧୯୪୭ ମସିହା ଅଗଷ୍ଟ ୪ ତାରିଖ ବୈଠକରେ ଲର୍ଡ ମାଉଣ୍ଟବେଟନ, ପଣ୍ଡିତ ନେହରୁ ଓ ମହମ୍ମଦ ଅଲ୍ଲୀ ଜିନ୍ନାଙ୍କ ସହିତ କଲାଟର ସର୍ଦ୍ଦାର ଖାଁ ଯୋଗ ଦେଇଥିଲେ । ଏହି ବୈଠକରେ ମହମ୍ମଦ ଅଲ୍ଲୀ ଜିନ୍ନା କଲାଟ ସର୍ଦ୍ଦାରଙ୍କ ସ୍ୱାଧୀନ ରହିବା ନିଷ୍ପତ୍ତିକୁ ଦୃଢ଼ ସମର୍ଥନ ଜଣାଇବା ସହିତ ବୃହତ ବେଲୋଚିସ୍ତାନ ଗଠନ ନିମନ୍ତେ ଖରାନ, ଲାସବେଲା ଓ ମକରନକୁ କଲାଟ ସହିତ ମିଶିବା ନିମନ୍ତେ ନିର୍ଦ୍ଦେଶନାମା ଜାରି କରିଥିଲେ । ଏହି ମର୍ମରେ ୧୯୪୭ ମସିହା ଅଗଷ୍ଟ ୧୧ ତାରିଖରେ ମୁସଲିମ ଲିଗ୍‌ ଓ କଲାଟ ରାଜ୍ୟ ମଧ୍ୟରେ ଏକ ଚୁକ୍ତିନାମା ସ୍ୱାକ୍ଷରିତ ହେଲା, ଯେଉଁଥିରେ କଲାଟକୁ ଏକ ସ୍ୱାଧୀନ ରାଷ୍ଟ୍ର ଭାବେ ସମ୍ମାନ ଜଣାଇବା ପାଇଁ ମୁସଲିମ ଲିଗ ସମ୍ମତି ପ୍ରକାଶ କରିଥିଲା । 

ଅଗଷ୍ଟ ୧୫ ତାରିଖ ଦିନ ପାରମ୍ପରିକ ପତାକା ଉତ୍ତୋଳନ ମାଧ୍ୟମରେ କଲାଟ ଏକ ସ୍ୱାଧୀନ ରାଷ୍ଟ୍ରର ମାନ୍ୟତା ହାସଲ କଲା । କଲାଟକୁ ଏକ ସ୍ୱାଧୀନ ସାର୍ବଭୌମ୍ୟ ରାଷ୍ଟ୍ରର ମାନ୍ୟତା ପ୍ରଦାନ ସତ୍ତେ୍ୱ ସେପ୍ଟେମ୍ବର ୧୨ ତାରିଖରେ ବ୍ରିଟିଶ ତରଫରୁ ଏକ ସ୍ମାରକପତ୍ର ଜାରି କରାଗଲା, ଯେଉଁଥିରେ ଉଲ୍ଲେଖ ଥିଲା "ସ୍ୱାଧୀନ ରାଷ୍ଟ୍ରର ଅନ୍ତର୍ଜାତୀୟ ଦାୟିତ୍ୱ ତୁଲାଇବା କଲାଟ ପକ୍ଷେ ସମ୍ଭବ ନୁହେଁ ।' ସମ୍ଭବତଃ ମହମ୍ମଦ ଅଲ୍ଲୀ ଜିନ୍ନାଙ୍କ ପ୍ରରୋଚନାରେ ଏହା କରାଯାଇଥିଲା । ୧୯୪୭ ମସିହା ଅକ୍ଟୋବର ମାସରେ କଲାଟ ସର୍ଦ୍ଦାର ଖାଁ ପାକିସ୍ତାନ ଗସ୍ତରେ ଯାଇଥିବାବଳେ, କରାଚିରେ ତାଙ୍କୁ ହଜାର ହଜାର ସଂଖ୍ୟାର ବେଲୋଚି ନାଗରିକ ସ୍ୱାଗତ କରିଥିଲେ । କିନ୍ତୁ କୂଟନୈତିକ ପରମ୍ପରା ଅନୁଯାୟୀ ପାକିସ୍ତାନର ପ୍ରଧାନମନ୍ତ୍ରୀ କିମ୍ବା ଉପରିସ୍ଥ କେହି ପଦାଧିକାରୀ ଉପସ୍ଥିତ ନଥିଲେ । ସେହି ସାକ୍ଷାତ ସମୟରେ ମହମ୍ମଦ ଅଲ୍ଲୀ ଜିନ୍ନା କଲାଟର ସର୍ଦ୍ଦାରଙ୍କୁ ପାକିସ୍ତାନ ସହିତ ମିଶିବା ପାଇଁ ପ୍ରସ୍ତାବ ଦେଇଥିଲେ । ଜିନ୍ନାଙ୍କ ପ୍ରସ୍ତାବକୁ ପ୍ରତ୍ୟାଖାନ କରି ସର୍ଦ୍ଦାର କହିଥିଲେ "ଯେହେତୁ ବେଲୋଚିସ୍ତାନ ହେଉଛି ଜନଜାତିର ଭୂମି ଏବଂ କୌଣସି ନିଷ୍ପତ୍ତି ନେବା ପୂର୍ବରୁ ସମସ୍ତଙ୍କ ପରାମର୍ଶ ନେବା ମୋର କର୍ତ୍ତବ୍ୟ ଅଟେ ।' କଲାଟ ସଂସଦର ଉଭୟ ଗୃହର ସଦସ୍ୟମାନେ ଏ ପ୍ରସ୍ତାବକୁ କେବଳ ବିରୋଧ କରିନଥିଲେ, ପୂର୍ବ ଚୁକ୍ତିନାମାର ପରିପନ୍ଥୀ ବୋଲି ଯୁକ୍ତି ବାଢ଼ିଥିଲେ । ୧୯୪୭ ମସିହା ଡିସେମ୍ବର ମାସରେ କଲାଟର ସାମରିକ ଜେନେରାଲ ପୁରଭାସ, ଅସ୍ତ୍ରଶସ୍ତ୍ର ଯୋଗାଇବା ପାଇଁ ଲଣ୍ଡନର କମନୱେଲ୍‌ଥ ଅଫିସକୁ ଅନୁରୋଧ କରିଥିଲେ । କିନ୍ତୁ ପାକିସ୍ତାନ ସରକାରଙ୍କ ବିନା ଅନୁମତିରେ ତାହା ସମ୍ଭବ ନୁହେଁ ବୋଲି ଉତ୍ତର ଆସିଗଲା । 

କଲାଟ ସର୍ଦ୍ଦାର ଦୀର୍ଘ ମାସ ଧରି ନିରବ ରହିବାରୁ ମହମ୍ମଦ ଅଲ୍ଲୀ ଜିନ୍ନା ଖରାନ, ଲାସବେଲା ଏବଂ ମକରାନ ଅଞ୍ଚଳକୁ କଲାଟରୁ ବିଚ୍ଛିନ୍ନ ହେବା ପାଇଁ ମାର୍ଚ୍ଚ ୧୮ ତାରିଖରେ ନିର୍ଦ୍ଦେଶନାମା ଜାରି କରିଦେଲେ ଏବଂ ମାର୍ଚ୍ଚ ୨୬ ତାରିଖରେ ପାକିସ୍ତାନ ସେନା କଲାଟରେ ପ୍ରବେଶ କରିବା ପରେ ସର୍ଦ୍ଦାର ଖାଁ ବାଧ୍ୟ ହୋଇ ପାକିସ୍ତାନରେ ମିଶିବା ପାଇଁ ସମ୍ମତି ଦେଇଥିଲେ । ସ୍ୱଳ୍ପକାଳର ସ୍ୱାଧୀନତା ପରେ କଲାଟ ପୁନଶ୍ଚ ପାକିସ୍ତାନର ଅଂଶ ପାଲଟିଗଲା । ତାଙ୍କ ସହିତ ଅନ୍ୟାୟ ହୋଇଛି ବୋଲି ସେହି ସମୟରୁ ବେଲୋଚି ଅଧିବାସୀଙ୍କର କ୍ଷୋଭ ରହିଛି ଏବଂ ଦୀର୍ଘ ସାତ ଦଶନ୍ଧିରୁ ଊଦ୍ଧ୍ୱର୍ ହେବ ଜାରି ରହିଥିବା ଏହି ଆନ୍ଦୋଳନ ଓ ବିଦ୍ରୋହ ତାହାରି ପ୍ରତିଫଳନ । ବିଦ୍ରୋହର ଅନ୍ୟ ପ୍ରମୁଖ କାରଣ ହେଉଛିବେଲୋଚିସ୍ତାନରେ ଶିକ୍ଷା, ଭିତ୍ତିଭୂମି ଏବଂ ଅର୍ଥନୈତିକ ଅନଗ୍ରସରତା । ଆୟତନ ଆଧାରରେ ବେଲୋଚିସ୍ତାନ ଦେଶର ସର୍ବବୃହତ ରାଜ୍ୟ, ଦେଶର ମୋଟ୍‌ ଭୂଭାଗର ୪୩% ଏବଂ ଏହା ପ୍ରାକୃତିକ ଖଣିଜ ସମ୍ପଦରେ ପରିପୂର୍ଣ୍ଣ । କୋଇଲା, ତମ୍ବା, ସୁନା, କ୍ରୋମାଇଟ, ଲୁହାପଥର ଆଦି ବିଭିନ୍ନ ଖଣିଜ ପଦାର୍ଥ ଏବଂ ପାକିସ୍ତାନର ଅନ୍ୟତମ ସର୍ବବୃହତ୍‌ ପ୍ରାକୃତିକ ଗ୍ୟାସ ସୁଇ କ୍ଷେତ୍ର ବେଲୋଚିସ୍ତାନରେ ଅବସ୍ଥିତ । 

ଗ୍ୱାଦର ବନ୍ଦର ସମେତ ବେଲୋଚିସ୍ତାନର ସମୁଦ୍ର ଉପକୂଳ, ଆଞ୍ଚଳିକ ଓ ଅନ୍ତର୍ଜାତୀୟ ବାଣିଜ୍ୟ କାରବାର ନିମନ୍ତେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ । ଏଥି ସହିତ ଶହ ଶହ କୋଟି ଡଲାର ବିନିଯୋଗରେ ନିର୍ମିତ ହେଉଥିବା "ଚାଇନା ପାକିସ୍ତାନ ଇକୋନୋମିକ କରିଡର'ର ଏହା ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ । ଏହା ସତ୍ତେ୍ୱ ବେଲୋଚିସ୍ତାନ ହେଉଛି ଦେଶର ସମଗ୍ର ଅର୍ଥନୀତିର ମାତ୍ର ୪% । ରାଜ୍ୟରେ ସାକ୍ଷରତା ହାର ହେଉଛି ଦେଶର ସର୍ବନିମ୍ନ ୫୪.୫% ଏବଂ ମହିଳା ସାକ୍ଷରତା ହାର ୩୨.୮% । ରାଜ୍ୟର ମାତ୍ର ୧୫% ପ୍ରାଥମିକ ବିଦ୍ୟାଳୟରେ ବିଦ୍ୟୁତ ସଂଯୋଗ ଥିବାବେଳେ ୩୩% ବିଦ୍ୟାଳୟରେ ପାଣିର ସୁବିଧା ରହିଛି । ବିଦ୍ୟାଳୟରେ ଝିଅମାନଙ୍କ ଉପସ୍ଥାନ ହାର ଅତି ନଗଣ୍ୟ । ପାକିସ୍ତାନର ସାମଗ୍ରିକ ସାକ୍ଷରତା ହାର ୬୨% । (ଭାରତର ହାର ୮୫%) ସେହି କ୍ରମରେ ଭିତ୍ତିଭୂମି ଏବଂ ମୌଳିକ ସ୍ୱାସ୍ଥ୍ୟସେବାର ଘୋର ଅଭାବ ଯୋଗୁଁ ସମଗ୍ର ରାଜ୍ୟ ଅବହେଳିତ ହୋଇ ରହିଛି । ଏଥିସହିତ ଉତ୍କଟ ବେକାରୀ ରାଜ୍ୟର ସମସ୍ୟାକୁ ବହୁଗୁଣିତ କରିଦେଉଛି । ସେଥିନିମନ୍ତେ ପାକିସ୍ତାନରୁ ଭିନ୍ନ ହୋଇ ସ୍ୱତନ୍ତ୍ର ରାଜ୍ୟ ଗଠନ ନିମନ୍ତେ ବେଲୋଚି ବିଦ୍ରୋହୀମାନେ ଦାବି କରିଆସୁଛନ୍ତି । ଫଳରେ ନିଜ ସମ୍ବଳର ସଦ୍‌ବିନିଯୋଗ ଫଳରେ ରାଜ୍ୟ ବିକାଶ ପଥରେ ଅଗ୍ରସର ହୋଇପାରିବ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.