ପିଲାଟିଏ ସମୁଦ୍ରକୂଳରେ ଖେଳୁଥିବାବେଳେ ତା'ର ଚପଲ ଦୁଇଟି ଭାସିଗଲା। ଚପଲକୁ ନପାଇ ସେ ବାଲିରେ ‘ସମୁଦ୍ର ଚୋର' ବୋଲି ଲେଖିଦେଇ ଚାଲିଗଲା । ଜାଲୁଆଟିର ଜାଲରେ ସେଦିନ ଅଧିକ ମାଛ ପଡ଼ିବାରୁ ‘ସମୁଦ୍ର ଅନ୍ନଦାତା' ବୋଲି ଲେଖିଦେଇ ସେ ଚାଲିଗଲା । ପିଲାଟି ମାଆ ସହ ଖେଳୁଥିବାବେଳେ ସମୁଦ୍ରରେ ବୁଡ଼ି ନିଖୋଜ ହୋଇଯିବାରୁ କାନ୍ଦିକାନ୍ଦି ତା'ର ମାଆଟି ‘ସମୁଦ୍ର ହତ୍ୟାକାରୀ' ବୋଲି ଲେଖିଦେଇ ଚାଲିଗଲା । ବୟସ୍କ ଲୋକଟି କୂଳରେ ବୁଲୁବୁଲୁ ମୋତିଟିଏ ପାଇବାରୁ ‘ସମୁଦ୍ର ଦାନୀ' ବୋଲି ଲେଖିଦେଇ ଚାଲିଗଲା । କିଛିକ୍ଷଣ ପରେ ସମୁଦ୍ରର ଏକ ବଡ଼ ଲହଡ଼ି ଆସି ଲେଖାଗୁଡ଼ିକୁ ଧୋଇନେଲା । ଏହାର ତାତ୍ପର୍ଯ୍ୟ ହେଉଛି, ସମୁଦ୍ର ବିଷୟରେ କିଏ ଭଲ କି ମନ୍ଦ ଭାବିଲା ତା'ର ସେଥିରେ କିଛି ଯାଏଆସେ ନାହିଁ । ସେ ତ ସୃଷ୍ଟି ଆରମ୍ଭରୁ ସମଗ୍ର ସଂସାରର ଅମୃତ-ବିଷକୁ ନିର୍ବିକାର ଭାବେ ନିଜ ଗର୍ଭରେ ଧାରଣ କରିଆସିଛି । ତା' ପାଖରେ ସମସ୍ତେ ସମାନ । ତେଣୁ ଜୀବନରେ ଆନନ୍ଦ ପାଇବାକୁ ହେଲେ ଆମକୁ ମଧ୍ୟ ସେହି ସାଗର ଭଳି ନିଜ ହୃଦୟକୁ ଗଭୀର ଓ ବିଶାଳ କରି, ଅନ୍ୟର ନିଷ୍କାମ ସେବା ସହ ସତ୍ମାର୍ଗରେ ଅଗ୍ରସର ହେବାକୁ ପଡ଼ିବ । ତେଣିକି ଆମ ବିଷୟରେ କିଏ କ'ଣ ଭାବିଲେ ବା କହିଲେ, ସେଥିରେ କିଛି ଯାଏଆସେ ନାହିଁ । ଯାହାକୁ ଅତ୍ୟଧିକ ମାନ ବା ପ୍ରଶଂସା ମିଳେ ତା'ର ‘ପୁଣ୍ୟଫଳ' ନାଶ ହୋଇଥାଏ । ଆଉ ଯାହାକୁ ଅପମାନ ମିଳେ ତା'ର ‘ପାପଫଳ' ନାଶ ହୋଇଥାଏ । ଯଦି କେହି କେବେ ଆମର ଅପମାନ ବା ନିନ୍ଦା କରେ, ତେବେ ଆଜି କିଛି ଶୁଭ ହୋଇଛି ବା କିଛି ପାପଫଳ ନାଶ ହୋଇଛି ବୋଲି ଭାବିନେବା ଉଚିତ୍ । ଅପମାନ ହେଲେ କେତେକ ପାପର ପ୍ରାୟଶ୍ଚିତ୍ତ ଆପେଆପେ ହୋଇଯାଏ ବୋଲି ପୁଣ୍ୟକାମୀ ବ୍ୟକ୍ତି ‘ମାନ' ପାଇବା ନିମନ୍ତେ ଆଗ୍ରହ ନରଖି ବରଂ ‘ଅପମାନ'କୁ ହିଁ ଅପେକ୍ଷା ରଖିବା ଶ୍ରେୟସ୍କର ମନେକରନ୍ତି । ଆମେ ସମଗ୍ର ଦୁନିଆକୁ କେବେ ମଧ୍ୟ ଖୁସି ରଖିପାରିବାନାହିଁ । କାରଣ କେହିବି ଆଜିପର୍ଯ୍ୟନ୍ତ ଦୁନିଆକୁ ଖୁସି ରଖିପାରିନାହାନ୍ତି ।
ଏଠାରେ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କୁ ନିନ୍ଦା ଶୁଣିବାକୁ ପଡ଼ିଲା, ମାତା ସୀତାଙ୍କୁ ମଧ୍ୟ ଶୁଣିବାକୁ ପଡ଼ିଲା । ପ୍ରଭୁ ଶ୍ରୀକୃଷ୍ଣ ମଧ୍ୟ ଶିଶୁପାଳର ଶହେ ଗାଳି ଶୁଣିଥିଲେ । ଏମାନଙ୍କୁ ଯଦି ଶୁଣିବାକୁ ପଡ଼ିଲା, ଆମ କଥା ବା ପଚାରେ କିଏ? ଆମେ କେବଳ ନିଜ ସଦ୍ଗୁଣର ବିକାଶ କରିବା ଆବଶ୍ୟକ, କାରଣ ଆମ ଦୁର୍ଗୁଣ ଗାଇବାକୁ ଲୋକ ଅଛନ୍ତି ନା! ଯଦି ପାଦ ପକାଇବାର ଅଛି ତ ଆଗକୁ ପକାଇବା, ପଛକୁ ଟାଣିବାକୁ ଲୋକ ଅଛନ୍ତି ନା! ସ୍ୱପ୍ନ ଦେଖିବାର ଅଛି ତ ଉଚ୍ଚସ୍ୱପ୍ନ ଦେଖିବା, କାରଣ ନୀଚ୍ଚସ୍ୱପ୍ନ ଦେଖାଇବାକୁ ଲୋକ ଅଛନ୍ତି ନା! ପ୍ରେମ କରିବାର ଅଛି ତ ନିଜକୁ ତଥା ଭଗବାନଙ୍କୁ ପ୍ରେମ କରିବା, କାରଣ ଘୃଣା କରିବାକୁ ତ ଲୋକ ଅଛନ୍ତି ନା! ଯଦି ସେହି ଲୋକମାନଙ୍କର କାମ ଆମେ କରିବା, ତେବେ ସେମାନେ କରିବେ କ'ଣ? ସେମାନଙ୍କ ପାଇଁ ବି କିଛି କାମ ଛାଡ଼ିବା ଉଚିତ୍ ନା! ତେଣୁ ଆମେ ସର୍ବଦା ହାତୀ ଭଳି ଚାଲିବା । ଆମ ପଛରେ ଯେତେ କୁକୁର ଭୁକିଲେ ବି କିଛି ଯାଏଆସେ ନାହିଁ । ଏ ସଂସାରଠାରୁ କିଛି ପାଇବାକୁ ଆଶା ରଖିବା ଅନୁଚିତ । ଆମକୁ ଦେବାଭଳି ପଦାର୍ଥ ସଂସାର ପାଖରେ ନାହିଁ । ଏପରିକି ଭଗବାନଙ୍କଠାରୁ ମଧ୍ୟ ଶାନ୍ତି, ମୁକ୍ତି, ସଦ୍ଗତି, ଦର୍ଶନ ଆଦି ଆଶା କରିବା ଅନୁଚିତ । କାରଣ ଏସବୁ ପ୍ରଦାନ କରିବା ତାଙ୍କର କର୍ତ୍ତବ୍ୟ ଓ ଅଧୀନ । ତାଙ୍କୁ ତାଙ୍କ କର୍ତ୍ତବ୍ୟ ସଂପର୍କରେ ସଚେତନ କରାଇବା ଆମର ଧୃଷ୍ଟତା ହେବ ।
ଆମର କର୍ତ୍ତବ୍ୟ ହେଉଛି ତାଙ୍କ ନିକଟରେ ନିଜକୁ ସଂପୂର୍ଣ୍ଣ ସମର୍ପିତ କରିଦେବା । କିନ୍ତୁ ସଂପୂର୍ଣ୍ଣ ସମର୍ପଣର ମାନସିକତା ମାର୍ଗରେ ପ୍ରଥମ ଓ ମୁଖ୍ୟ ପ୍ରତିବନ୍ଧକ ହେଉଛି ‘ଅହଂକାର' । ଏହା ହେଉଛି ସବୁଠାରୁ ବଡ଼ ଜଘନ୍ୟ ପାପ । ଏ ଦେହଟା ହିଁ ମୁଁ ବୋଲି ଯେଉଁ ଭ୍ରାନ୍ତଧାରଣା ସୃଷ୍ଟି ହୋଇଥାଏ ତାହାହିଁ ପ୍ରକୃତରେ ପ୍ରଥମ ପାପ । ଏହି ଗୋଟିଏ ଚିନ୍ତା ‘ମୁଁକାର' ହିଁ ସକଳ ଅମଙ୍ଗଳର କାରକ । ଏହା ସହସ୍ର ଚିନ୍ତାରେ କାୟାବିସ୍ତାର କରି ବହୁଗୁଣିତ ହୋଇଯାଏ ଓ ମନୁଷ୍ୟକୁ ଈଶ୍ୱରଙ୍କଠାରୁ ପୃଥକ୍ କରିଦିଏ । ଏଣୁ ଅହଂକାର ହେଉଛି ମନୁଷ୍ୟ ଜାତିର ପ୍ରକୃତ ବଂଶ ପରମ୍ପରାଗତ ପାପ ଏବଂ ଏହାରି ଉପରେ ଗଢିଉଠିଛି ମନୁଷ୍ୟର ଯାବତୀୟ ଦୁଷ୍ପ୍ରବୃତ୍ତି । ଯେଉଁ ମାଟି ଉପରେ ଆମେ ବିଚରଣ କରୁଛୁ ସେହି ମାଟିରେ ତିଆରି ଏହି ଶରୀର ଦିନେ ଅଗ୍ନିରେ ଭସ୍ମୀଭୂତ ହୋଇ ସେହି ମାଟିରେ ହିଁ ମିଶିଯିବ । ଏହି ଶରୀରଟିକୁ କିଛିକାଳ ବଞ୍ଚାଇ ରଖିବା ପାଇଁ ପ୍ରାଣବାୟୁକୁ ମଧ୍ୟ ଆମେ ବିଶ୍ୱପ୍ରାଣଙ୍କଠାରୁ ଧାର ସୂତ୍ରେ ପାଇଛୁ, ଯାହାକୁ ଯଥାସମୟରେ ତାଙ୍କୁ ଫେରାଇବାକୁ ପଡ଼ିବ । ତେବେ କ'ଣ ପାଇଁ ଆମର ଏତେ ଅହଂକାର? ଆମେ ଯଦି ଅହଂକାରଶୂନ୍ୟ ହୋଇଯିବା ସେହି ଶୂନ୍ୟସ୍ଥାନ ଈଶ୍ୱରୀୟ ଭାବନାରେ ପୂର୍ଣ୍ଣ ହୋଇଯିବ । ଆମର ବ୍ୟକ୍ତିଗତ ଆଗ୍ରହ, କାମନା, ବାସନା ସବୁ ଧୀରେ ଧୀରେ ଦୂରେଇଯିବ । ଆମ ହୃଦୟ ମଧ୍ୟ ସେହି ସାଗର ଭଳି ବିଶାଳ, ଗଭୀର ଓ ଉଦାର ହୋଇଯିବ । ମନରେ ଦିବ୍ୟସେବା ଭାବ ଉଦ୍ରେକ ହେବ ଓ ମନ ପବିତ୍ର ହେବ । କେବଳ ନିଜପାଇଁ ନୁହେଁ, ନିଜ ସହିତ ଅନ୍ୟର ସେବା ନିମନ୍ତେ ଏହି ଶ୍ରେଷ୍ଠ ମନୁଷ୍ୟ ଜନ୍ମଲାଭର ଉଦ୍ଦେଶ୍ୟ । ଅନ୍ୟମାନଙ୍କ ସେବାରେ ଜଣେ ଯେତେ ଶକ୍ତି ବିନିଯୋଗ କରିବେ ତାଙ୍କ ନିକଟକୁ ସେତେ ଅଧିକ ଦିବ୍ୟଶକ୍ତି ପ୍ରବାହିତ ହୋଇ ଆସିବ ।
ତେଣୁ ଆମେ ନିଷ୍କାମ ଓ ଦିବ୍ୟସେବା ଦ୍ୱାରା ବୃକ୍ଷଲତାଠାରୁ ଆରମ୍ଭକରି ପଶୁପକ୍ଷୀ, କୀଟପତଙ୍ଗ, ସରୀସୃପ ଏବଂ ଦରିଦ୍ର, ଦଳିତ, ନିପୀଡ଼ିତ, ନିର୍ଯାତିତଙ୍କଠାରେ ଭଗବାନଙ୍କୁ ଦର୍ଶନ କରିପାରିବା । ନିଷ୍କାମ ସେବା ଓ ବିଶ୍ୱପ୍ରେମ ହେଉଛି ଗଙ୍ଗା-ଯମୁନା ସଦୃଶ । ହୃଦୟରୂପକ କୃଷିକ୍ଷେତ୍ରରେ ଏମାନଙ୍କ ବାରିଧାରା ସେଚିତ ହେଲେ ଶ୍ରୀ, ଶାନ୍ତି, ଆନନ୍ଦ, ଅମରତ୍ୱ ଓ ଆତ୍ମଜ୍ଞାନରୂପକ ଶସ୍ୟସମ୍ଭାର ଉତ୍ପନ୍ନ ହେବ । ଆମେ ରତ୍ନଗର୍ଭା ସାଗର ଭଳି କାହାରିକୁ ପର-ଆପଣା ନଭାବି ସମସ୍ତଙ୍କୁ ନିଜର କରିନେବା । ଆନ୍ତରିକ ଅନୁରାଗରୁ ଆମେ କାହାରିକୁ ବଞ୍ଚିତ କରିବାନାହିଁ । ବିଶୁଦ୍ଧପ୍ରେମ ଓ ସ୍ନେହ ଦ୍ୱାରା ଦୀନତମ, ଦୁର୍ବଳତମକୁ ମଧ୍ୟ ହୃଦୟରେ ସ୍ଥାନ ଦେବା । କ୍ଷୁଦ୍ର ପିପିଲିକା ଠାରୁ ଆରମ୍ଭକରି ବିରାଟକାୟ ହସ୍ତୀ ପର୍ଯ୍ୟନ୍ତ, ରଙ୍କଠାରୁ ଆରମ୍ଭକରି ରାଜାଧିରାଜ ପର୍ଯ୍ୟନ୍ତ, ହୀନ ଅପରାଧୀଠାରୁ ଆରମ୍ଭକରି ମହାନ ସନ୍ଥଙ୍କ ପର୍ଯ୍ୟନ୍ତ ପୃଥିବୀର ସମସ୍ତଙ୍କୁ ଆମର ଅନାବିଳ ସ୍ନେହବଳରେ ବାନ୍ଧିରଖିବା ।