ଭଲ କାମ କରିଥିଲେ ଲୋକମତ ତାଙ୍କ ସପକ୍ଷରେ ରହେ । ତେଣୁ ଏଭଳି ଜନମତ ସର୍ଭେ ହେଲେ ମୋଟାମୋଟି ଭାବେ ଜଣାପଡ଼ନ୍ତା କୋଉ ବିଭାଗ, କୋଉ ପ୍ରତିନିଧି, କୋଉ ଅଧିକାରୀ କେତେ ଲୋକପ୍ରିୟ, କେତେ ନିଷ୍ଠାପର! ଧୁଆମୂଳା ଅଧୁଆମୂଳା ସବୁ ବାରି ହେଇପଡ଼ନ୍ତେ । ବଳଦର ମାଲିକ ଅନ୍ତତଃ ଜାଣନ୍ତା ପଘାଟା ତା’ ହାତରେ ଅଛି । ଯୁଆଳି ପାଞ୍ଚଣ ସବୁ ତା’ ହାତରେ ଅଛି! ଯେତେବେଳେ ସେ ଚାହିଁବ ପାହାରେ ଦେଇପାରିବ । ସେ ପାହାର ଭୟରେ ବଳଦ ଆଉ ଓଲିଆ ହୁଅନ୍ତା ନାହିଁ କି ଠାପୁଆ ହୁଅନ୍ତା ନାହିଁ ।
ସରକାରୀ କଳକୁ ନେଇ ଜନସାଧାରଣଙ୍କ ମନରେ ସବୁବେଳେ ସନ୍ଦେହ ଥାଏ । ଲୋକେ ଭାବନ୍ତି ସରକାରୀ ଅଧିକାରୀମାନେ ଲୋକଙ୍କ କଷ୍ଟାର୍ଜିତ ଟିକସଦତ୍ତ ଅର୍ଥକୁ ବେଳେବେଳେ ଲୁଟ୍ପାଟ କରି ଆତ୍ମସାତ କରିନିଅନ୍ତି । କେବେକେବେ ତାର ଅସଦୁପଯୋଗ କରନ୍ତି । କେବେ ବା ତାର ଉପଯୋଗ ଆଦୌ କରନ୍ତି ନାହିଁ । ଯଦିବା କରନ୍ତି ଏଭଳି ଅବହେଳା ଓ ଦାୟିତ୍ୱହୀନତାର ସହ କରନ୍ତି ଯେ ତାହା ଲୋକଙ୍କ କାମରେ ଲାଗେନି । ତେଣୁ ଜନସାଧାରଣଙ୍କ ଅର୍ଥ ଠିକ୍ଭାବରେ ଠିକ୍ ସମୟରେ ଠିକ୍ କାମରେ ଲାଗୁଚି କି ନାହିଁ ତାର ତଦାରଖ କରିବା ପାଇଁ ଅନେକ ପ୍ରକାରର ସମୀକ୍ଷା ହେଇଥାଏ । ବିଭାଗୀୟ ମନ୍ତ୍ରୀ ଓ ବରିଷ୍ଠ ଅଧିକାରୀମାନେ ନିୟମିତ ଓ ଚିରାଚରିତ ଭାବେ ସମୀକ୍ଷା କରନ୍ତି। ଲୋକପ୍ରତିନିଧିମାନେ ତାଙ୍କ ସ୍ତରରେ ସମୀକ୍ଷା କରନ୍ତି । ମାତ୍ର ଲୋକଙ୍କ ଦୃଷ୍ଟିରେ ଏମାନେ ସବୁ ଜଡ଼ାତେଲ ଓ ମେଣ୍ଢାବାଳ । ତେଣୁ ଏ ସମୀକ୍ଷା ସବୁ ବି ଏତେ ଫଳପ୍ରଦ ବୋଲି ଲୋକେ ବିଚାର କରିନଥାନ୍ତି । ତେଣୁ ଆନୁଷ୍ଠାନିକ ଭାବେ ଲୋକଲ ଫଣ୍ଡ ଓ ଏଜି ଅଡିଟ୍ ବ୍ୟବସ୍ଥା ମଧ୍ୟ କରାଗଲା । ତଥାପି ଏ ଅଡିଟ୍ ସବୁ ହେଲାବେଳେ ଅନେକତ୍ର ସୀମିତ ସମୟ ମଧ୍ୟରେ ସେମାନେ ସବୁ କାଗଜପତ୍ର ତଦାରଖ କରିପାରନ୍ତି ନାହିଁ । ଅନେକତ୍ର ଅସାଧୁ ଅଧିକାରୀମାନେ ଅଡିଟ୍ ପାର୍ଟି ସାମନାରେ ଜାଣିଶୁଣି ଆବଶ୍ୟକୀୟ କାଗଜପତ୍ର ମଧ୍ୟ ଉପସ୍ଥାପନ କରନ୍ତି ନାହିଁ । ତେଣୁ ଅନେକ ଜିନିଷ ଜନନେତ୍ର ଆଢୁଆଳରେ ରହିଯାଏ ।
ଏସବୁକୁ ଆଖିଆଗରେ ରଖି ସାମାଜିକ ସମୀକ୍ଷା ବ୍ୟବସ୍ଥା ଆସିଲା । ଏହି ବ୍ୟବସ୍ଥାରେ ଜନସାଧାରଣ ଯେଉଁମାନେ କି ସବୁ ସରକାରୀ ବ୍ୟବସ୍ଥାର ଉପଭୋକ୍ତା ସେମାନଙ୍କ ପାଖରେ ପ୍ରଚଳିତ ବ୍ୟବସ୍ଥା ସବୁର ସମୀକ୍ଷା ଓ ମୂଲ୍ୟାୟନ ପାଇଁ କାଗଜାତ ଉପସ୍ଥାପନ କରାଯାଏ । ସେମାନେ ଯୋଜନାଗୁଡ଼ିକ କେତେ ଜନସ୍ୱାର୍ଥ ସମ୍ବଳିତ ଓ ସେଥିରେ ଜନତାଙ୍କ ସ୍ୱାର୍ଥ କେତେ ସୁରକ୍ଷିତ ତାର ଗୁଣାତ୍ମକ ତର୍ଜମା କରନ୍ତି । ଏହାଦ୍ୱାରା ସରକାରୀ କାର୍ଯ୍ୟାନ୍ୱୟନରେ ସ୍ୱଚ୍ଛତା ଓ ପାରଦର୍ଶିତା ଆସିବା ସହ ଜନସାଧାରଣଙ୍କ ଅଂଶଗ୍ରହଣ ସ୍ଥିରୀକୃତ ହୋଇଥାଏ । ସରକାର ମଧ୍ୟ ଜନସାଧାରଣଙ୍କ ପାଖରେ ଉତ୍ତରଦାୟୀ ହୋଇଥାଏ । ଏଥିରେ ଉଭୟ ପ୍ରଶାସନ, ଜନତା ଓ ଅନ୍ୟାନ୍ୟ ପ୍ରଭାବିତ ବ୍ୟର୍ଥମାନେ ଏକତ୍ର ବସି ମିଳିତ ଭାବେ ଆଲୋଚନା ଓ ପର୍ଯ୍ୟାଲୋଚନା କରିଥାନ୍ତି । ସରକାରୀ ଅଡିଟ୍ କେବଳ ଅଫିସ୍ର ଚାରି କାନ୍ଥ ଭିତରେ ସୀମିତ ରହୁଥିଲାବେଳେ ସାମାଜିକ ସମୀକ୍ଷାରେ ଜନତାଙ୍କର ଅଂଶଗ୍ରହଣ ଏହାକୁ ନିଶ୍ଚିତ ଭାବେ ଅଧିକ ଫଳପ୍ରଦ କରିଥାଏ । ସରକାରୀ ସମୀକ୍ଷା କେବଳ ବ୍ୟୟର ବୈଧତା ପରଖୁଥିଲା ବେଳେ ସାମାଜିକ ସମୀକ୍ଷାରେ ତାହା ତୃଣମୂଳ ସ୍ତରରେ କେତେ ଫଳପ୍ରସୂ ହୋଇଛି ଓ ଜନତାଙ୍କ ସ୍ଥିତିରେ କି ପରିବର୍ତ୍ତନ ଆଣିପାରିଛି ତାର ପର୍ଯ୍ୟାଲୋଚନା କରେ । ଜନତା ତାଙ୍କର ପ୍ରାପ୍ୟ ତାଙ୍କର ଅଧିକାର ଓ ଦାୟିତ୍ୱ ସଂକ୍ରାନ୍ତରେ ସଚେତନ ହୋଇଥାନ୍ତି, ସରକାରୀ କଳର ଗହୀର କଥା ସବୁ ତାଙ୍କର ବୋଧଗମ୍ୟ ହୋଇଥାଏ ଓ ସେମାନେ ତାଙ୍କର ମତର ପରିପ୍ରକାଶ ପାଇଁ ଏକ ମଞ୍ଚ ପାଇଥାନ୍ତି । ତେଣୁ ଶାସନ ବ୍ୟବସ୍ଥାରେ ଜନଭାଗିଦାରୀ ସୁରକ୍ଷିତ ହୋଇଥାଏ । ସାଧାରଣତଃ ତୃଣମୂଳ ସ୍ତରରେ ଏସବୁ ଅଧିକ ପ୍ରଭାବୀ ହୋଇଥାଏ ।
ମାତ୍ର ଅନେକ ସମୟରେ ଲୋକେ ଭାବିଥାନ୍ତି ଯେ ଦୁର୍ନୀତି କେବଳ ତଳସ୍ତରରେ ହେଇନଥାଏ । ବରଂ ତାହା ଉପର ସ୍ତରରେ ହେଇ ତା’ପରେ ଧୀରେ ଧୀରେ ତଳସ୍ତରକୁ ଝରିଝରି ଯାଇଥାଏ । ତଳସ୍ତରରେ ଥିବା ଅଧିକାରୀମାନେ ସିନା ସରକାରୀ ସମୀକ୍ଷା ବା ସାମାଜିକ ସମୀକ୍ଷା ବ୍ୟବସ୍ଥାର ସମ୍ମୁଖୀନ ହୋଇଥାନ୍ତି, ବଡ଼ବଡ଼ିଆମାନେ ଏସବୁରୁ ବର୍ତ୍ତିଯାଆନ୍ତି । ଏଇ ବଡ଼ମାଛମାନେ ଛୋଟ ଜାଲକୁ ଛିଣ୍ଡେଇ ପଳେଇ ଯିବାର କ୍ଷମତା ରଖିଥାନ୍ତି । ଅତି ବଡ଼ ଜାଲରେ ମଧ୍ୟ ସେମାନେ ପଡ଼ନ୍ତି ନାହିଁ । ଯଦିଓ ଲୋକେ ଜାଣୁଥାନ୍ତି ଯେ ମନ୍ତ୍ରୀ ବିଧାୟକମାନେ ମଧ୍ୟ ଦୁର୍ନୀତି କରନ୍ତି ତାଙ୍କୁ ଧରିବାର ଜାଲ କାହା ପାଖେ ନଥାଏ । ବଡ଼ ବଡ଼ ଅଫିସରମାନେ କୋଉଠି ଦୁର୍ନୀତି କରନ୍ତି ତାର ଟେର୍ ପାଇନଥାନ୍ତି, ଏପରିକି ତାଙ୍କ ତଳେ କାମ କରୁଥିବା ଲୋକ ଓ ବାହାର ଜନତା କୋଉଠୁ ଜାଣିବେ କୋଉଠି କ’ଣ ହଉଚି । ସେମାନେ କେବଳ ଜଳକା ହେଇ ଦେଖୁଥାନ୍ତି ମହାପାତ୍ରେ ସବୁକିଛି ମାରିନେବାର ଦୃଶ୍ୟ । ସେମାନେ ଦେଖନ୍ତି ଚାକିରି ସବୁ ବିକ୍ରି ହେଇଯାଉଛି ଅଥଚ ତାଙ୍କ ପିଲା ଚାକିରି ଖଣ୍ଡେ ନପାଇ ଦାଦନ ଖଟିବାକୁ ଯାଉଛି । ସେମାନେ ଦେଖନ୍ତି ବଡ଼ ଚାକିରି କରିଥିବା ବାବୁଟି ପ୍ଲଟ ପରେ ପ୍ଲଟ କିଣୁଛି, ଅଥଚ ଗାଁରେ ଥିବା ଲୋକଟି ପ୍ଲଟ ପରେ ପ୍ଲଟ ବିକୁଛି ପରିବାର ଚଳେଇବାକୁ, ଝିଅ ବାହାଘର କରିବାକୁ, ରୋଗ ବଇରାଗରେ ପୀଡ଼ିତ ସ୍ୱାସ୍ଥ୍ୟ ସମସ୍ୟାର ସମାଧାନ ପାଇଁ । ତା’ ମନରେ ବି ପ୍ରତିକ୍ରିୟା ହୁଏ । ମାତ୍ର ସେ କିଛି କରିପାରେନା । କେବଳ ଛଟପଟ ହୁଏ ।
ଏବେ ଦିନେ ଜଣେ ବୟସ୍କ ବ୍ୟକ୍ତି ମୋର ଗୋଟିଏ ପ୍ରକାଶିତ ନିବନ୍ଧ ପଢ଼ି ଫୋନ କରିଥିଲେ । ସେ କହିଲେ ଯେ, ଅଫିସରମାନେ କେବଳ ନେତା ମନ୍ତ୍ରୀଙ୍କ ଚାଟୁକାରିତା କରୁଛନ୍ତି । ନିଜ କାମ କିଛି କରୁନାହାନ୍ତି କି ଲୋକଙ୍କ କଥା ମଧ୍ୟ ବୁଝୁନାହାନ୍ତି । ମୁଁ ତାଙ୍କୁ କହିଲି, ଯଦି ଏମିତି କୋଉଠି ହଉଚି ଉପରିସ୍ଥ ଅଧିକାରୀଙ୍କୁ ଜଣଉନାହାନ୍ତି! ସେ କହିଲେ, ଅଭିଯୋଗ କଲେ କ’ଣ ହବ । ମୁଁ ଗୁହାରୀ କରିବି ଯାହାକୁ, ସେ ତ ଘଇତା କରିଛି ତାହାକୁ । ଯାହା ଅଭିଯୋଗ ଯିବ ସେଥିରେ, ସେ ଉପର ଅଧିକାରୀ ଆଉ କିଛି ମାଲ ପକେଇ ଆହୁରି ମାଲାମାଲ ହେଇଯିବ। ମାଲ ପାଇଲା ପରେ ଉପରିସ୍ଥ ଅଧିକାରୀ ତଳ ଅଧିକାରୀକୁ ଭଲ ସିସିଆର ଦବ, କ୍ଲିନଚିଟ୍ ଦବ । ଆମେ ଖାଲି ପଦାରେ ପଡ଼ିବୁ । ଢୋଲ ଖାଇବ ମାଡ଼, ହେଲେ ଢୋଲିଆ ଖାଇବ ପଇସା । ବରଂ ଏ ସମୀକ୍ଷା ଆଉ ସିସିଆର ବ୍ୟବସ୍ଥା ଯଦି ଜନତାଙ୍କ ହାତକୁ ଆସନ୍ତା ଆମେ ତାଙ୍କ ସିସିଆର’ରେ ଠିକ୍ ଠିକ୍ ସବୁ ଲେଖନ୍ତୁ ! ମୁଁ ଚିନ୍ତା କଲି, ମଉସା ଠିକ୍ କଥା କହୁଛନ୍ତି । ବର୍ଷ ଶେଷରେ ସରକାରୀ ୱେବସାଇଟ୍ରେ ସବୁ ବିଭାଗର ମନ୍ତ୍ରୀ, ବିଧାୟକ, ସାଂସଦ ସଚିବ, ଜିଲ୍ଲାପାଳ ଏସ୍ପିମାନଙ୍କ କାର୍ଯ୍ୟକାରିତା ଉପରେ ଯଦି ଜନମତ ନିଆଯାଆନ୍ତା ତେବେ ବାଧହୁଏ ସେମାନେ ଆହୁରି ଉତ୍ତରଦାୟୀ ହୁଅନ୍ତେ, ଦାୟିତ୍ୱବାନ ହୁଅନ୍ତେ! ସେମାନଙ୍କର ଭୁଲ୍ କାମ କରିବାକୁ ଭୟ ରୁହନ୍ତା । ଅବଶ୍ୟ ବହୁ ନ୍ୟସ୍ତସ୍ୱାର୍ଥ ବ୍ୟକ୍ତି ଏହାର ସୁଯୋଗ ନେଇ ସେମାନଙ୍କୁ ବଦନାମ କରିବାର ପ୍ରୟାସ କରନ୍ତେ । ମାତ୍ର ଯଦି ଜଣେ ଅଧିକାରୀ ବା ଜନପ୍ରତିନିଧି ବାସ୍ତବରେ ଭଲ କାମ କରିଥିବେ ତାହାର ପ୍ରତିଫଳନ ମଧ୍ୟ ଦେଖାଯାଆନ୍ତା ।
ଏପରି ନୁହେଁ ଯେ, ଲୋକେ ସବୁବେଳେ ସରକାରୀ କର୍ମଚାରୀମାନଙ୍କ ବିଷୟରେ ଖରାପ ଧାରଣା ରଖନ୍ତି । ବେଳେବେଳେ ଦେଖାଯାଉଚି ଯେ ଭଲ କାମ କରୁଥିବା ଅଧିକାରୀମାନେ ଲୋକଙ୍କଠାରୁ ଅହେତୁକ ଭାବେ ଅତ୍ୟଧିକ ଭଲପାଇବା, ଶ୍ରଦ୍ଧା ଓ ସମ୍ମାନ ପାଇଥାନ୍ତି । ସେମାନଙ୍କର ଅନ୍ୟାୟ ଭାବେ ବଦଳି ହେଲେ ଲୋକେ ପ୍ରତିବାଦ କରିବାକୁ ବାହାରି ପଡ଼ନ୍ତି । ଭଲ କାମ କରିଥିଲେ ଲୋକମତ ତାଙ୍କ ସପକ୍ଷରେ ରହେ । ତେଣୁ ଏଭଳି ଜନମତ ସର୍ଭେ ହେଲେ ମୋଟାମୋଟି ଭାବେ ଜଣାପଡ଼ନ୍ତା କୋଉ ବିଭାଗ, କୋଉ ପ୍ରତିନିଧି, କୋଉ ଅଧିକାରୀ କେତେ ଲୋକପ୍ରିୟ, କେତେ ନିଷ୍ଠାପର! ଧୁଆମୂଳା ଅଧୁଆମୂଳା ସବୁ ବାରି ହେଇପଡ଼ନ୍ତେ । ବଳଦର ମାଲିକ ଅନ୍ତତଃ ଜାଣନ୍ତା ପଘାଟା ତା’ ହାତରେ ଅଛି । ଯୁଆଳି ପାଞ୍ଚଣ ସବୁ ତା’ ହାତରେ ଅଛି! ଯେତେବେଳେ ସେ ଚାହିଁବ ପାହାରେ ଦେଇପାରିବ । ସେ ପାହାର ଭୟରେ ବଳଦ ଆଉ ଓଲିଆ ହୁଅନ୍ତା ନାହିଁ କି ଠାପୁଆ ହୁଅନ୍ତା ନାହିଁ।