ଆମେ ଓଡ଼ିଆ, ଆମ ମାଟି ଓଡ଼ିଶା । ଓଡ଼ିଆ ପରମ୍ପରା ଅନୁସାରେ, ପବିତ୍ର ପଣା ସଂକ୍ରାନ୍ତିରୁ ଆରମ୍ଭ ହୁଏ ନୂଆ ବର୍ଷ । ଓଡ଼ିଆ ନବବର୍ଷ ହେଉ ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ଓ ଅସ୍ମିତାର ନୂଆ ସଂକଳ୍ପ ଦିବସ । ଗତକାଲିର ସ୍ୱପ୍ନ ପାଲଟୁ ଆସନ୍ତାକାଲିର ସମ୍ଭାବନା ।
ବସନ୍ତ ଶେଷ । ବୈଶାଖ ଆରମ୍ଭ । ନୂଆ ସକାଳ, ନୂଆ ସମ୍ଭାବନା । ଢେର ପ୍ରତିଶ୍ରୁତି ନେଇ ଆସୁଛି ଓଡ଼ିଆ ନୂଆବର୍ଷ । ସାରା ରାଜ୍ୟ ଏବେ ଉତ୍ସବମୁଖର । ଓଡ଼ିଆ ପକ୍ଷ ପାଳନ ଆମ ସଂସ୍କୃତି, ପରମ୍ପରା ଓ ଅସ୍ମିତାକୁ ନୂଆ ସୋପାନକୁ ନେଇଛି । ଉତ୍କଳ ଦିବସରୁ ସବୁଠି ଓଡ଼ିଆ ବାସ୍ନା, ଭାବ ଓ ମାଟିର ମହକ । କେଡ଼େ ସଅଳ ସରିଗଲା ବର୍ଷଟିଏ । ବିତିଗଲା ବାରମାସ । ପୁଣି ଆରମ୍ଭ ପ୍ରଥମରୁ । ପଛକୁ ଫେରି ଚାହିଁଲା ବେଳକୁ ଆଖି ଆଗରେ କିଛି ହସ ଆଉ କିଛି ଲୁହ । ହାରିଲି କେତେ, ଜିତିଲି କେତେ ତା’ର ହିସାବ ନିକାସ ବି ଲୋଡ଼ା ନାହିଁ । ଦୁଃଖ ଓ ଶୋକକୁ ପଛକୁ ଠେଲି ଆଗକୁ ଚାଲିବା ହିଁ ଜୀବନ ।
ଓଡ଼ିଶାର ଆବେଗ ହିଁ ତା’ର ଅସ୍ମିତା । ଆମ ଗୌରବଶାଳୀ ଅତୀତ ଆମର ପରିଚୟ । ଆମେ ସେଇ ବୀର ଜାତି, ଯାହାର ପୂର୍ବ ପୁରୁଷ ଗଙ୍ଗାରୁ ଗୋଦାବରୀ ଯାଏ ସାମ୍ରାଜ୍ୟ ବିସ୍ତାର କରିଥିଲେ । ବିଶାଳ କଳିଙ୍ଗ ସାମ୍ରାଜ୍ୟର ସଫଳତାର କାହାଣୀ ଇତିହାସ ପୃଷ୍ଠାରେ ଆଜି ବି ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ । ଆମ ଅସ୍ମିତା ବା ଆତ୍ମଗୌରବ କୁଆଡ଼େ ହଜିଗଲା? ନୂଆବର୍ଷ କାଳେ ନୂଆ କିଛି କରିବାକୁ ସଂକଳ୍ପ ନେବାର ସମୟ । ମୁଁ ଅମୁକ କରିବି, ସମୁକ କରିବି । ବଦ୍ଗୁଣ ପରିତ୍ୟାଗ କରିବି । ନୂଆ କିଛି ଆପଣାଇବି । ଏମିତି କାହିଁ କେତେ ଭାବନା । ହେଲେ ଏସବୁ ଭାବନା କେତେ ବା ସଂକଳ୍ପର ରୂପ ନିଏ? କେତେ ପ୍ରତିବଦ୍ଧତାର ସହ କାର୍ଯ୍ୟକାରୀ ବି ହୁଏ ଯେ? କିନ୍ତୁ ସମୟର କାଳଖଣ୍ଡରେ ଏମିତି ସଂକଳ୍ପ ନେବା ହିଁ ପରିବର୍ତ୍ତନ । ସୁସ୍ଥ, ଶାନ୍ତ ମନ ପାଇଁ ସକାରାତ୍ମକ ସଂକଳ୍ପବଦ୍ଧତା ତ ଜରୁରି । ଏହା ଜୀବନକୁ ଆକାଂକ୍ଷିତ ଓ ମହତ୍ତର କରାଏ । ଆସନ୍ତୁ... ଆମେ ବି ସଂକଳ୍ପ ନେବା । ନିଜ ପାଇଁ, ସମାଜ ପାଇଁ ଏବଂ ମା’ ମାଟି ଓଡ଼ିଶା ପାଇଁ ।
ଓଡ଼ିଆ ନବବର୍ଷ- ଆମ ପର୍ବ
ଆମେ ଓଡ଼ିଆ, ଆମ ମାଟି ଓଡ଼ିଶା । ଓଡ଼ିଆ ପରମ୍ପରା ଅନୁସାରେ, ପବିତ୍ର ପଣା ସଂକ୍ରାନ୍ତିରୁ ଆରମ୍ଭ ହୁଏ ନୂଆ ବର୍ଷ । ଓଡ଼ିଆ ସଂସ୍କୃତି ଓ କାଳ ଗଣନାରେ ବୈଶାଖରୁ ବର୍ଷ ଆରମ୍ଭ ହୋଇ ଚୈତ୍ରରେ ସମାପ୍ତ ହୁଏ । ସେହିଭଳି ଜ୍ୟୋତିଷ ଗଣନା ଅନୁଯାୟୀ ଏହି ଦିନକୁ ମେଷ ସଂକ୍ରାନ୍ତି ତଥା ମହାବିଷୁବ ସଂକ୍ରାନ୍ତି ମଧ୍ୟ କୁହାଯାଏ । ଏହି ଦିନଠାରୁ ମାସେ ଯାଏଁ ସୂର୍ଯ୍ୟଦେବ ମେଷ ରାଶିରେ ଅବସ୍ଥାନ କରନ୍ତି । ଓଡ଼ିଆ ପଞ୍ଜିକାର ଗଣନା ଅନୁସାରେ ମହାବିଷୁବ ସଂକ୍ରାନ୍ତି ହିଁ ବର୍ଷର ପ୍ରଥମ ସଂକ୍ରାନ୍ତି ଭାବରେ ଗ୍ରହଣ କରାଯାଇଛି । ବର୍ଷ ଆରମ୍ଭ ହେଉଥିବାରୁ ଓଡ଼ିଆ ପରିବାରରେ ଦେବଦେବୀଙ୍କୁ ସ୍ୱତନ୍ତ୍ର ପୂଜା, ଭୋଗ, ହୋମ ଆଦି କରାଯାଏ । ଦୋଳପୂର୍ଣ୍ଣିମାରେ ଦୋଳଗୋବିନ୍ଦଙ୍କ ନିକଟରେ ସମର୍ପଣ ହୋଇଥିବା ପାଞ୍ଜି ପଣା ସଂକ୍ରାନ୍ତିରୁ ପ୍ରଚଳନ ହୁଏ । ପାଞ୍ଜି ହେଉଛି ପ୍ରତିଟି ଓଡ଼ିଆଙ୍କ ପାଇଁ ବିଶ୍ୱାସର ଜ୍ୟୋତିସ୍ତମ୍ଭ । ତେଣୁ ଓଡ଼ିଆ ନୂଆବର୍ଷ ଆମ ପାଇଁ ବେଶ୍ ମହତ୍ତ୍ୱ ରଖେ । ମହାବିଷୁବ ସଂକ୍ରାନ୍ତିରେ ଦେବଦେବୀଙ୍କ ମନ୍ଦିରରେ ପଣା ଭୋଗର ବିଧି ରହିଛି । ପୁରାଣ ଶାସ୍ତ୍ର ଅନୁଯାୟୀ, ମହାବିଷୁବ ସଂକ୍ରାନ୍ତି ଆମ ଜନଜୀବନ ପାଇଁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ । ଏହିଦିନ ସୂର୍ଯ୍ୟ ବିଷୁବ ରେଖାରେ ଅବସ୍ଥାନ କରିଥାନ୍ତି । ସୂର୍ଯ୍ୟ ଦେବତାଙ୍କ ପ୍ରବଳ ତାପମାତ୍ରାରୁ ସୁରକ୍ଷା ଦେବାକୁ ପ୍ରଭୁ ବିଷ୍ଣୁଙ୍କ ପ୍ରିୟ ତୁଳସୀ ମୂଳରେ ପଣା ଅର୍ପଣ କରାଯାଏ । ଏହି ଦିନ ଓଡ଼ିଶାରେ ହନୁମାନ ଜୟନ୍ତୀ ପାଳନ କରାଯାଏ । ପରମ୍ପରା, ସଂସ୍କୃତି ଓ ଧର୍ମୀୟ ବିଶ୍ୱାସ ଆଧାରରେ ଆମେ ଓଡ଼ିଆ ନବବର୍ଷକୁ ସ୍ୱାଗତ କରୁ । ସ୍ୱାଗତ ଉତ୍ସବରେ ପଣାର ସବୁଠି ଆଦର । ଆସନ୍ତୁ ଆମେ ଏଥର ମଧ୍ୟ ବେଶ୍ ହସରେ ଖୁସିରେ, ନୂଆ ଉତ୍ସାହରେ ପାଳିବା ନୂଆ ବର୍ଷ । ନିଜ ଗାଁ ହେଉ ଅବା ସହର, ସମାଜ ଓ ରାଜ୍ୟର ବିକାଶ ପାଇଁ ନୂଆ କିଛି କରିବା ।
ଛୋଟ ଉଦ୍ୟମ, ବଡ଼ ପରିବର୍ତ୍ତନ
ନୂଆବର୍ଷରେ କିଏ ଭଲ ଓ ନୂଆ କାମ କରିବାକୁ ସଂକଳ୍ପ ନିଅନ୍ତି । ଆଉ କିଏ ସେ ସଂକଳ୍ପ ଉପରେ କାର୍ଯ୍ୟର ‘ଶ୍ରୀଗଣେଶ’ କରନ୍ତି । ଶୁଭ ସଂକଳ୍ପର ସେହି କ୍ଷଣ ଆପଣଙ୍କ ସମ୍ମୁଖରେ । ତେଣୁ ନିଶ୍ଚିତ ଭାବେ କିଛି ସଂକଳ୍ପ ନିଅନ୍ତୁ । ସେ ସଂକଳ୍ପ ନିଜ ପାଇଁ ହୋଇପାରେ ଅବା ସମାଜ ପାଇଁ । ଜୀବନର ଅନ୍ୟ ନାଁ ହେଉଛି ଆଶା । ସମ୍ଭାବନାକୁ ନେଇ ମଣିଷ ମାଡ଼ିଚାଲେ ଆଗକୁ, ଆହୁରି ଆଗକୁ । ଦିନ, ସପ୍ତାହ, ମାସ ଓ ବର୍ଷ ବଦଳିଯାଏ । କିନ୍ତୁ ଆମ ଭିତରର ଉତ୍ସାହକୁ ଊଣା କରିବାନି । ମରିବାକୁ ଦେବାନି । ଅଫୁରନ୍ତ ଉତ୍ସାହ ହିଁ ଜୀବନରେ ଭରିଦିଏ ମହୁର ମିଠାପଣ । ମୁଁ ବି କିଛି କମ୍ ନୁହଁ । ବିଧାତା ମୋତେ ଦୁନିଆକୁ ଆଣିଛି । ଅତଏବ ମୁଁ କିଛି କରିକି ନିଶ୍ଚୟ ଦେଖାଇବି । ମୁଁ ପାରିବି, ନିଶ୍ଚୟ ପାରିବି । ନୂଆବର୍ଷରେ ଏ ଭାବନା ସଂକଳ୍ପର ରୂପ ନେଉ । ନିଜ ପାଇଁ, ଗାଁ ପାଇଁ, ଦେଶ ଏବଂ ସମାଜ ପାଇଁ କିଛି କରିବାର ଭାବନା ବଳୁଆ ହେଉ ।
ଆପଣ ଓ ମୋ ଭଳି ମଣିଷଙ୍କ ବ୍ୟକ୍ତିଗତ ଲଢ଼େଇ ସାମୂହିକ ରୂପ ନେଲେ ଆଣିବ ନବ ଉତ୍ସାହ । ସମାଜରେ ଆସିବ ନବ ଉନ୍ମାଦନା । କିଏ ଜାଣେ ଆପଣଙ୍କର ଛୋଟ ପ୍ରୟାସ ହିଁ ଆଉ କାହା ପାଇଁ ପାଲଟିଯିବ ପ୍ରେରଣାର ବତୀଘର । ସାଧାରଣ ସଂକଳ୍ପଟିଏ ଅସାଧାରଣ ଉଦାହରଣ ତିଆରି କରିବ । ଆପଣ ପାଲଟିଯିବେ ପରିବର୍ତ୍ତନର ସୂତ୍ରଧର ।
ମଣିଷ ମନରେ କିଛି ଆହ୍ୱାନ, କିଛି କରି ଦେଖାଇବାର ଛଟପଟପଣ ହିଁ ବଡ଼ ପରିବର୍ତ୍ତନ ଆଣେ । ଛୋଟିଆ ସଂକଳ୍ପ ହିଁ ସାମାଜିକ ପରିବର୍ତ୍ତନର ଚାରାଟିଏ ରୋପଣ କରେ । ପରିବର୍ତ୍ତନରେ ଭରେ ନୂଆ ଉଡ଼ାଣ । ଆସନ୍ତୁ... ଓଡ଼ିଆ ନୂଆବର୍ଷର ଏ ସନ୍ଧିକ୍ଷଣରେ ନୂଆ କିଛି କରିବାକୁ ସଂକଳ୍ପ ନେବା । ନିଜ ଆତ୍ମବିଶ୍ୱାସକୁ ବଳୁଆ କରିବା । ନିଜ ଭିତରେ ଥିବା ନିଜକୁ ଚିହ୍ନିବା । ଦକ୍ଷତାର ପୂର୍ଣ୍ଣ ବିନିଯୋଗ ପାଇଁ ନିଷ୍ଠାବାନ ହେବା । ସମୟାନୁବର୍ତ୍ତୀ ହେବା । ଜୀବନକୁ କରିବା ଶୃଙ୍ଖଳିତ । ଆମ ଜନ୍ମମାଟି ଓଡ଼ିଶାର ଅସ୍ମିତା ଓ ସ୍ୱାଭିମାନର ଟେକ ରଖିବାକୁ ପଣ କରିବା । ଖୁସି ସାଉଁଟିବା । ଆତ୍ମସନ୍ତୋଷରେ ଜୀବନ ରାସ୍ତାରେ ବାଟ ଚାଲିବା ।
ନୂଆବର୍ଷ, ନୂଆ ସଂକଳ୍ପ ସ୍ୱପ୍ନ
ପୂରଣ କରିବାକୁ ହେଲେ ସ୍ୱପ୍ନ ଦେଖିବାକୁ ହେବ । ଆମ ରାଜ୍ୟକୁ ୮୮ ପୂରି ୮୯ ଚାଲିଲାଣି । ଆଉ ଗୋଟିଏ ଦଶନ୍ଧି ପରେ ରାଜ୍ୟ ୧୦୦ ବର୍ଷ ପୂର୍ତ୍ତି ପାଳନ କରିବ । ଏକ ସଶକ୍ତ ଓ ସୁନାର ଓଡ଼ିଶା ଗଠନ ପାଇଁ ସରକାର ରୋଡମ୍ୟାପ୍ ତ ପ୍ରସ୍ତୁତ କରିଛନ୍ତି । ପ୍ରତିଟି ଓଡ଼ିଆଙ୍କୁ କିନ୍ତୁ ଏ ଅଭିଯାନରେ ଭାଗିଦାରୀ ହେବାକୁ ପଡ଼ିବ । ରାଜ୍ୟର ବିକାଶ ପାଇଁ ସହଯୋଗର ହାତ ବଢ଼ାଇବାକୁ ହେବ । ବାଇମୁଣ୍ଡି, ଧର୍ମପଦ, ଗୋପବନ୍ଧୁ, ମଧୁବାବୁଙ୍କ ଭଳି ମହାପୁରୁଷ ପରିବାରକୁ ପର କରି ଓଡ଼ିଆ ଜାତି କଥା ଭାବିଥିଲେ । ଆମେ ଏତେ ତ୍ୟାଗ କରିପାରିବାନି । କିନ୍ତୁ ସମାଜ ପାଇଁ କିଛି ଭାବିବାକୁ ହେବ, କରିବାକୁ ହେବ । ନିଷ୍କ୍ରିୟତା, ଶିଥିଳତା, ଅଳସୁଆପଣକୁ ଧରି ଜାତିଟିଏ କେମିତି ବା ସଫଳତାର ଶୀର୍ଷକୁ ଛୁଇଁବ? ଓଡ଼ିଆ ନୂଆବର୍ଷର ଶୁଭ ଲଗ୍ନରେ ଆମ ମାଟି ମାଆ ଓ ଜାତି ପାଇଁ ଆମକୁ ସଂକଳ୍ପ ନେବାକୁ ହେବ ।
ଅତୀତର ଗୌରବଠାରୁ ସମକାଳୀନ ପ୍ରତିଷ୍ଠା ଅଧିକ ଗୁରୁତ୍ୱପୂର୍ଣ୍ଣ । ଜାତୀୟ ସ୍ତରରେ ଆମ ପ୍ରତିଷ୍ଠା ବଢ଼ାଇବାକୁ ହେବ । ଯୁଗପୁରୁଷମାନେ ସବୁବେଳେ ଏ ଜାତିକୁ ପ୍ରେରଣା ଦେଇଛନ୍ତି । ବାଟ ଦେଖାଇଛନ୍ତି । ନବଜାଗରଣ ଆଣିଛନ୍ତି । ଆମେ ବାଟବଣା ନହୋଇ ତାଙ୍କ ପ୍ରଦର୍ଶିତ ରାସ୍ତାରେ ବାଟ ଚାଲିବା । ଆଗାମୀ ଦଶନ୍ଧି ଓଡ଼ିଶାର³ ଓଡ଼ିଆଙ୍କର ହେଉ । ଆଉ ଦଶନ୍ଧିଟିଏ ପରେ ଓଡ଼ିଶାକୁ ଶହେ ବର୍ଷ ପୂରିବ । ଓଡ଼ିଆ ନବବର୍ଷ ହେଉ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ନୂଆ ସଂକଳ୍ପ ଦିବସ । ଆମେ କାନ୍ଧରେ କାନ୍ଧ ମିଳାଇବା । ବିକଶିତ ଓଡ଼ିଶା ଗଠନ ପାଇଁ ଗୁଣ୍ଡୁଚି ମୂଷା ସାଜିବା । ନୂଆବର୍ଷରୁ ପଡ଼ୁ ସମୃଦ୍ଧ ଓଡ଼ିଶାର ନିଅଁ । ଆସନ୍ତୁ ଆମେ ମନ ପ୍ରାଣ, ହୃଦୟରେ ଓଡ଼ିଆ ହେବା । ଆମ ଓଡ଼ିଆ ଭାଷା, ଆମ ସାହିତ୍ୟ, ସୁଆଦିଆ ଖାଦ୍ୟ ଓ ପୋଷାକ ହେଉ ଆମ ଜୀବନର ଅଂଶ । ଆମ ସାଧବ ପୁଅମାନେ ସଡ଼କପଥ ବଦଳରେ ବେପାର ପାଇଁ ଜଳପଥକୁ ବାଛିଥିଲେ । ଦୁଃସାହସ, କଠିନ ପରିଶ୍ରମ ବଳରେ ସେମାନେ ଲକ୍ଷ୍ୟସ୍ଥଳରେ ପହଞ୍ଚିଥିଲେ । ଗତକାଲିର ସ୍ୱପ୍ନ ପାଲଟୁ ଆସନ୍ତାକାଲିର ସମ୍ଭାବନା । ଫର ଫର ଉଡ଼ୁ ଓଡ଼ିଆ ଅସ୍ମିତା ଓ ସ୍ୱାଭିମାନର ବାନା । ମାଡ଼ି ଚାଲୁ ବିକାଶର ସ୍ପର୍ଦ୍ଧିତ ଜୟଯାତ୍ରା ।