ବସୁଧୈବ କୁଟୁମ୍ବକମ୍ ଏକ ଆଦର୍ଶ ବାକ୍ୟ ଖଣ୍ଡ । ଏହା ମାନବ ଅସ୍ମିତାର ଚରମ ସତ୍ୟ, କିନ୍ତୁ ଗ୍ରହଣୀୟ ନୁହେଁ । ୟୁକ୍ରେନ ବିଖଣ୍ଡିତ, ରକ୍ତରଂଜିତ ହେଲା ପରେ ମଧ୍ୟ ନେତା ଜେଲେନସ୍କି ଶାନ୍ତି ଚାହାନ୍ତି ନାହିଁ । ଶାନ୍ତି ଓ ସହଯୋଗ ବିନା କୁଟୁମ୍ବ ଅସମ୍ଭବ । ଏ ବିଶ୍ୱରେ ସତ୍ୟ, ଧର୍ମ, ନ୍ୟାୟ ଯେହେତୁ ଅଲଗା ଅଲଗା ବ୍ୟାଖ୍ୟାୟିତ ହୁଏ, ଏସବୁ ଗୁଣ ଶିକ୍ଷଣୀୟ, କିନ୍ତୁ ଗ୍ରହଣୀୟ ନୁହେଁ ।
ମଣିଷ ଅନ୍ୟ ମଣିଷ ସହିତ ସଂପର୍କିତ ହେବାଲାଗି ବାଧ୍ୟ, କାରଣ ଦୁଇ ବ୍ୟକ୍ତି (ପୁରୁଷ ଓ ନାରୀ) ସଂପର୍କରୁ ହିଁ ମଣିଷର ସୃଷ୍ଟି । କିନ୍ତୁ ରକ୍ତମଖା ଅସହାୟ ଅବସ୍ଥାରୁ ପିତାମାତାଙ୍କ ଶ୍ରଦ୍ଧା, ସେବା ଓ ଯତ୍ନ ଦ୍ୱାରା ବର୍ଦ୍ଧିତ ସନ୍ତାନ ଏକ ସ୍ୱାଭିମାନୀ ସ୍ୱତନ୍ତ୍ରତା ଦାବି କରେ । ଅବଶ୍ୟ ଏ ଦାବି ପ୍ରକାଶ୍ୟ ନହୋଇପାରେ । ତଥାପି ଚାଣକ୍ୟ କହିଲା ପରି- ପୁଅକୁ ବାପା ମାଆ ବନ୍ଧୁ ଭାବେ ଗ୍ରହଣ କରିବାକୁ ହେବ । ଅର୍ଥାତ୍ ୧୬ବର୍ଷ ପରେ ବ୍ୟକ୍ତିତ୍ୱର ଜାଗରଣକୁ ସ୍ୱୀକାର କରିବାକୁ ହେବ । ଭାରତୀୟ ଗଣତନ୍ତ୍ର ୧୮ବର୍ଷକୁ ସ୍ୱତନ୍ତ୍ର ବ୍ୟକ୍ତିସତ୍ତାର ପରିଚୟ ଦେଇ ଭୋଟ ଅଧିକାର ଦେଇଛି । ସେହିପରି ୧୪-୧୭ ବର୍ଷରେ ହତ୍ୟା କିମ୍ବା ଧର୍ଷଣ କରିଥିବା ପିଲାକୁ ବାଳଅପରାଧୀ ଭାବେ ଗ୍ରହଣ କରାଯାଇ ତାର ଦଣ୍ଡ କୋହଳ କରାଯାଉଛି । ଆମର ଆଲୋଚ୍ୟ ବିଷୟ ଏହି ପ୍ରାପ୍ତବୟସ୍କ ଯୁବକ-ଯୁବତୀର ବିଶ୍ୱଦୃଷ୍ଟି ଅନୁସନ୍ଧାନ କରିବା । ତେଣୁ ପ୍ରଥମେ କେତୋଟି ପ୍ରଶ୍ନ ନିଜକୁ ପଚାରିବା ଆବଶ୍ୟକ ।
୧) କେବଳ ମଣିଷକୁ ବିଶ୍ୱ ଏକ ପରିବାର ବୋଲି ସ୍ୱୀକାର କରିବା ଲାଗି ବୈଦିକ ସଭ୍ୟତାରେ କୁହାଯାଇଛି । କିନ୍ତୁ ପିତା ଓ ମାତା ସନ୍ତାନକୁ କେବଳ ନିଜର ପରିବାରଭୁକ୍ତ ଭାବେ କାହିଁକି ଦାବି କରନ୍ତି? ଅବଶ୍ୟ ଏହି ଦାବି ଅଯୌକ୍ତିକ ନୁହେଁ, କାରଣ ସନ୍ତାନ ପିତାର ନାମ, ସଂଜ୍ଞା, ଧର୍ମବିଶ୍ୱାସ ଏବଂ ସଂପତ୍ତି ଗ୍ରହଣ କରେ ଉତ୍ତରାଧିକାର ସୂତ୍ରରେ । ଏହି ପରିବାର ବଂଶକୁ ନେଇ ଗର୍ବଗୌରବ ପାଏ: ଏହା ସମସ୍ତେ ଜାଣନ୍ତି । ତେବେ ସମଗ୍ର ବିଶ୍ୱ କିପରି ମଣିଷ ଜାତିର ପରିବାର, କୁଟୁମ୍ବ ହେବ? ଏହି ପ୍ରଶ୍ନ ହିଁ ସଂପର୍କ, ପ୍ରେମ ସୃଷ୍ଟି କରେ ମଣିଷ ଜାତିକୁ ଗୋଟିଏ ଅପରା, ଆଧ୍ୟାତ୍ମିକ ବନ୍ଧନରେ ବାନ୍ଧିରଖିବା ପାଇଁ ।
୨) ଦ୍ୱିତୀୟ ପ୍ରଶ୍ନ ହେଲା ବ୍ୟକ୍ତି ସ୍ୱାଧୀନତା । ବ୍ୟକ୍ତି ନାୟକତ୍ୱ ପ୍ରତିଷ୍ଠା ଲାଗି ମଣିଷ ଏହି ବସୁଧାକୁ ଏକ ମଞ୍ଚ ଭାବେ ଗ୍ରହଣ କରେ । ମଣିଷ ଅଳ୍ପଦିନ ପାଇଁ ଧରାପୃଷ୍ଠରେ ଜନ୍ମନିଏ । ତାକୁ ଯେହେତୁ ବୁଦ୍ଧି, ଜ୍ଞାନ, ଯୁକ୍ତି ଦିଆଯାଇଛି । ତାର ବିନିଯୋଗ କରି ବ୍ୟକ୍ତି ସମଗ୍ର ବିଶ୍ୱରେ ଅପ୍ରତିଦ୍ୱନ୍ଦ୍ୱୀ (ଈଶ୍ୱର) ହେବାଲାଗି ଚେଷ୍ଟାକରେ । ଆଲେକଜାଣ୍ଡାର, ନେପୋଲିଅନ, ହିଟଲର ଅସ୍ତ୍ରବିଦ୍ୟା ଓ ଶକ୍ତିସାମର୍ଥ୍ୟ ବଳରେ ବିଶ୍ୱର ପ୍ରଭୁତ୍ୱ ପାଇବାଲାଗି ଚେଷ୍ଟା କରି ବିଫଳ ହୋଇଥିଲେ: ତଥାପି ଆମେ ସେମାନଙ୍କୁ ନାୟକ, ମହାନାୟକ କହୁ । ଅନ୍ୟ ଯେଉଁମାନେ ନୈତିକତା, ସତ୍ୟ ଅହିଂସା, ପ୍ରେମ ଇତ୍ୟାଦି ମାଧ୍ୟମରେ ବିଶ୍ୱକୁ ଏକାଠି କରି ମଣିଷର ପରିବାର ଗଢ଼ିବା ଲାଗି ଚେଷ୍ଟା କରିଥିଲେ ସେମାନେ ମଧ୍ୟ ନାୟକ, ମହାନାୟକର ପରିଚୟ ପାଇଛନ୍ତି, ଯଦିଓ ସେମାନେ ମଧ୍ୟ ବିଫଳ । କାରଣ ସେମାନଙ୍କୁ ମୂର୍ତ୍ତି କରି ପୂଜା କରିବା ଛଡ଼ା ସେମାନଙ୍କ ଜୀବନ୍ତ ସତ୍ୟାନୁସରଣ ପ୍ରାୟ ହୁଏନାହିଁ । ଯିଶୁ ବିଶ୍ୱକୁ ଏକାଠି କରିପାରିଲେ ନାହିଁ । ବୁଦ୍ଧ, ମହାବୀର, ଗାନ୍ଧିଜୀ ମଧ୍ୟ ବିଶ୍ୱକୁ କୁଟୁମ୍ବ କରିପାରିଲେ ନାହିଁ ଯଦିଓ ଅନେକାଂଶରେ ଆଦର୍ଶ ନାୟକ ହୋଇ ରହିଗଲେ । କିନ୍ତୁ ଦୁଃଖର କଥା ଯେ, ବୁଦ୍ଧ, ମହାବୀର, ଗାନ୍ଧିଜୀ ମଧ୍ୟ ଅନ୍ୟ ଅନେକଙ୍କ ଦ୍ୱାରା ଅସ୍ୱୀକୃତ ହେଲେ । ଆଜିର ବିଶ୍ୱରେ ଏମାନଙ୍କୁ ନେଇ ବିଶ୍ୱ ବିଭାଜିତ । ସନାତନୀ, ଇହୁଦୀ, ମୁସଲମାନ, ବୌଦ୍ଧ ସମସ୍ତେ ଅଲଗା ଅଲଗା କୁଟୁମ୍ବ ବିଶ୍ୱର ବାର୍ତ୍ତା ପ୍ରଚାର କରନ୍ତି ଏବଂ ପରସ୍ପରକୁ ଧ୍ୱଂସ କରିବାକୁ ମଧ୍ୟ ଚାହାନ୍ତି ।
ଉପରୋକ୍ତ ଦୁଇ ଆତ୍ମବିଶ୍ଳେଷଣକାରୀ ପ୍ରଶ୍ନ ପରସ୍ପର ବିରୋଧୀ ପରି ଲାଗନ୍ତି । କାରଣ ଏକପକ୍ଷରେ ମଣିଷ ଏକ ସଂପର୍କର ପରିବାର ଭାବେ ବିଶ୍ୱମଣ୍ଡନ କରିବା ସ୍ୱାଭାବିକ ଜଣାଗଲେ ମଧ୍ୟ ମଣିଷ ଯେହେତୁ ଏକ ସ୍ୱତନ୍ତ୍ର ଅନନ୍ୟ ଏକକ ବ୍ୟକ୍ତି, ସେ ତାର ସ୍ୱତନ୍ତ୍ର ବିଶ୍ୱ ଗଢ଼ିବାକୁ ଚାହେଁ କିମ୍ବା ବିଶ୍ୱକୁ ଅଧିକାର କରିବାକୁ ଚାହେଁ । ପ୍ରଥମତଃ ସେ ଅନ୍ୟ ଗର୍ଭସଂଭୂତ ତେଣୁ ରକ୍ତ ସଂପର୍କିତ । କିନ୍ତୁ ଯେତେବେଳେ ଶିଶୁ ପୂର୍ଣ୍ଣ ଯୌବନ ପାଏ ଓ ସ୍ୱତନ୍ତ୍ର ବ୍ୟକ୍ତିର ପରିଚୟ ପାଏ ସେ ନିଜର ସଂପର୍କ ଖୋଜେ ଓ ଅନନ୍ୟ ଭାବେ ନିଜକୁ ପ୍ରତିଷ୍ଠା କରିବାକୁ ଚାହେଁ । ମୁଁ-ସେ, ମୁଁତୁମେ, ମୁଁ-ସେମାନେ ଭାବନା ବ୍ୟକ୍ତିଚେତନାରେ ଜାଗ୍ରତ ହୁଏ । ଏହି ମୁଁ ଏକ ଅସଂପର୍କିତ ପ୍ରାୟ ସ୍ୱୟଂସମ୍ପୂର୍ଣ୍ଣ ବ୍ୟକ୍ତି ହୋଇଯାଏ ଏବଂ ବିଶ୍ୱ ସହିତ ଏକକ ସଂପର୍କ ପ୍ରତିଷ୍ଠା କରିବା ଲାଗି ଚିନ୍ତାଚେତନାରେ ସଂଗ୍ରାମ କରେ । ମାର୍ଟିନ ବ୍ୟୁବର ଊନବିଂଶ ଶତକ ଶେଷଭାଗରେ ଗୋଟିଏ ବହି ଲେଖିଥିଲେ- ଆଇ ଦାଓ (ମୁଁ-ତୁମେ), ଯାହା ମୌଳିକ ଭାବେ ସ୍ଥିତିବାଦୀ ଦର୍ଶନର ଅଭିବ୍ୟକ୍ତି ଥିଲା । ମାର୍ଟିନ ହିଡେଗର ତାଙ୍କ ପୂର୍ବରୁ ଏହି ମର୍ମରେ ମୁଁ-ସେ କଥା କହିଥିଲେ । ସ୍ଥିତିବାଦୀ ଦର୍ଶନର ମୂଳ କଥା ହେଲା ମଣିଷ ନିଜର ମଣିଷତ୍ୱ ବା ଗୁଣ ବାଛେ । ସେ କୌଣସି ଗୁଣ ନେଇ ଜନ୍ମ ହୁଏନାହିଁ । ମଣିଷ ଯେଉଁ ବିଶ୍ୱରେ ଜନ୍ମନିଏ ତାର କର୍ତ୍ତାଧର୍ତ୍ତା କେହି ନାହିଁ । କୌଣସି ଈଶ୍ୱର ଭଗବାନ ଏହି ବିଶ୍ୱ ବା ମଣିଷକୁ ପରିଚାଳନା କରନ୍ତି ନାହିଁ । ମଣିଷ ନିଜେ ତାର ଜୀବନର ମୂଲ୍ୟବୋଧ ବାଛେ ।
ଏହି ତତ୍ତ୍ୱ ଗ୍ରହଣ କଲେ ବସୁଧା କେବଳ ଏକ ଜଡ଼ପିଣ୍ଡ । ପୃଥିବୀ-ପ୍ରକୃତି କୌଣସି ନୈତିକତା, ଆଧ୍ୟାତ୍ମିକତା କିମ୍ବା ଐଶୀଶକ୍ତି ଧାରଣ କରେନାହିଁ । ବ୍ୟକ୍ତି ନିଜେ କ’ଣ ହେବ ନିଜେ ନିର୍ଣ୍ଣୟ କରେ । ସେ ବସୁଧା-ବସୁମାତାକୁ ଆପଣାର କରି ମାନବ ଜାତିକୁ ନିଜର ପରିବାର କରିବ କି ନିଜର ଅଲଗା ଛୋଟିଆ ବିଶ୍ୱ ଗଢ଼ିବ ସେ ନିଜେ ଠିକ୍ କରିବ । ପ୍ରେମ-ଘୃଣା, ଯୁଦ୍ଧ-ଶାନ୍ତି, ଆଦର-ହତାଦର, ଯତ୍ନ-ଅଯତ୍ନ ପ୍ରଭୃତି ବୈଶାଦୃଶ୍ୟ ମଧ୍ୟରେ ବ୍ୟକ୍ତି କ’ଣ ଗ୍ରହଣ କରିବ ତାହା ନିଜେ ବାଛିବ । ଆଧୁନିକ ସଭ୍ୟତା, ଆଧୁନିକ ଶିକ୍ଷା ପ୍ରାୟ ଏହି ଧାରଣା ଉପରେ ଗଢ଼ିଉଠିଛି । ବିଶ୍ୱର ସବୁ ଦାର୍ଶନିକ, ସାହିତ୍ୟିକ, ରାଜନୀତିକ ବ୍ୟକ୍ତି ଏହି ବିଶ୍ୱ ପରିବାର ଗଠନ ଲାଗି ଚେଷ୍ଟିତ । କିନ୍ତୁ ବାସ୍ତବ ବିଶ୍ୱ ସଂପୂର୍ଣ୍ଣ ଅଲଗା । କଳା-ଗୋରା, ପୁରୁଷ-ସ୍ତ୍ରୀ ମଧ୍ୟରେ ଏପର୍ଯ୍ୟନ୍ତ ସଂପର୍କର ମଧୁରତା ସୃଷ୍ଟି ହୋଇନାହିଁ । ଯେହେତୁ ପ୍ରତ୍ୟେକ ଧର୍ମପ୍ରଚାରକ ନିଜ ଧର୍ମକୁ ଶ୍ରେଷ୍ଠ କହି ପ୍ରଚାର କରେ ଧର୍ମ-ଧର୍ମ ମଧ୍ୟରେ ଏକ ପ୍ରତିସ୍ପର୍ଦ୍ଧା ସ୍ୱାଭାବିକ ଭାବେ ଆସିଯାଏ । ଆଜିର ବିଶ୍ୱରେ ଧର୍ମ ମୋ ମତରେ, ଏକ ଅନାବଶ୍ୟକ ଆବେଗ ସଂହିତା । କାରଣ ଈଶ୍ୱର-ପ୍ରକୃତି, ବିଶ୍ୱ-ମଣିଷ ମଧ୍ୟରେ ସଂପର୍କ ନାହିଁ କହିଲେ ଅତ୍ୟୁକ୍ତି ହେବନାହିଁ ।
ପ୍ରତ୍ୟେକ ଧର୍ମ ଏକ ଗୋଷ୍ଠୀଚେତନା ସୃଷ୍ଟି କରୁଛି ଏବଂ ଅନ୍ୟ ଧର୍ମଗୋଷ୍ଠୀକୁ ଘୃଣା ବା ଅନାଦର କରୁଛି । ମୋକ୍ଷ, ମୁକ୍ତିଚେତନା କେବଳ ଧର୍ମ ପରିଚାଳକ ଓ ଧର୍ମଗୁରୁମାନଙ୍କୁ ଛାଡ଼ିଦେଲେ ଅନ୍ୟମାନଙ୍କ ପାଖରେ ନାହିଁ । ନିତି ମନ୍ଦିର ଯିବା ମଣିଷ ମଧ୍ୟ ବଞ୍ଚିବା ଲାଗି ବିଭିନ୍ନ ପନ୍ଥା ଅନୁସରଣ କରେ, କେବଳ ପରମ୍ପରା ପାଳନ କରେ ମନ୍ଦିର ଯାଇ । କିନ୍ତୁ ଯେଉଁମାନେ ବିଫଳ, ରୋଗୀ କିମ୍ବା ଦରିଦ୍ର ସେଇମାନେ ବେଶୀ ଧର୍ମବିଶ୍ୱାସୀ । ଖୁସୱନ୍ତ ସିଂହ ଦିନେ ମତେ ଏହି କଥା କହିଥିଲେ ଏବଂ ତାହା ସତ୍ୟ ମଧ୍ୟ । ତେଣୁ ଧର୍ମ ମଣିଷର ପୃଥିବୀକୁ ଏକ ପରିବାର କରିପାରୁନାହିଁ । ସାହିତ୍ୟରେ ପ୍ରାୟ ପ୍ରତ୍ୟେକ ବଡ଼ ସାହିତ୍ୟିକ ବିଶ୍ୱପ୍ରକୃତିକୁ ମଣିଷର ଆପଣାର ଘର କରିବା ଲାଗି ସୂଚନା ଦିଅନ୍ତି । ଡସ୍ତୋଭସ୍କି ତାଙ୍କ ଉପନ୍ୟାସ ମାଧ୍ୟମରେ ଏହି ‘ବିଶ୍ୱମାଟି ମୋର ଘର’ ସମ୍ମାନ ଦେବାଲାଗି ବିଫଳ ହୋଇଥିଲେ । ଗୋପୀନାଥ ମହାନ୍ତିଙ୍କ ମାଟିମଟାଳରେ ନାୟକ ରବି ଗୋଟିଏ ଅଞ୍ଚଳର ଲୋକଙ୍କୁ ଏକ ପରିବାର କରିପାରିନାହିଁ । ରାଜନେତାମାନେ- ଚର୍ଚ୍ଚିଲ, ଲିଙ୍କନ, ବିକ୍ରମାଦିତ୍ୟ କିମ୍ବା ସାଂପ୍ରତିକ ବିଶ୍ୱରେ ମୋଦି କିମ୍ବା ଡୋନାଲଡ ଟ୍ରମ୍ପ କେହି ବିଶ୍ୱକୁ ପରିବାର ଭାବେ ଗ୍ରହଣ କରନ୍ତି ନାହିଁ । ନରେନ୍ଦ୍ର ମୋଦିଙ୍କ ପାଇଁ ବସୁଧୈବ କୁଟୁମ୍ବକମ୍ ଏକ ଆଦର୍ଶ ହେଲେ ମଧ୍ୟ ସେ ‘ଭାରତ ପ୍ରଥମ’ କହିବାକୁ ବାଧ୍ୟ ହୁଅନ୍ତି, କାରଣ ସେ ଜାଣନ୍ତି ଯେ ଆତ୍ମଶକ୍ତି ବଳରେ ଆତ୍ମନିର୍ଭର ହେବାକୁ ପଡ଼ିବ । ଟ୍ରମ୍ପ ଦ୍ୱିତୀୟ ଥର ଆମେରିକାର ରାଷ୍ଟ୍ରପତି ଭାବେ ଶପଥ ନେଲାପରେ ଯେଉଁ ଭାଷଣ ଦେଲେ ତାହା ଈଶ୍ୱରଙ୍କ ବାଣୀ ପରି ମନେହେଲା, କାରଣ ଟ୍ରମ୍ପ ସାରା ବିଶ୍ୱକୁ ଏକ ଧମକ ଦେବାପରି ସ୍ୱରରେ କହିଲେ । କିନ୍ତୁ ଟ୍ରମ୍ପଙ୍କ କଥା ମାନିବା ଲାଗି ବିଶ୍ୱ ରାଜି ନୁହେଁ ଏବଂ ଏହା ସ୍ୱାଭାବିକ । କାରଣ ପ୍ରତ୍ୟେକ ବ୍ୟକ୍ତିର ସ୍ୱତନ୍ତ୍ର ବିଶ୍ୱ ଅଛି । ବିଶ୍ୱଧାରଣା ମଧ୍ୟ ସ୍ୱତନ୍ତ୍ର । ଶିକ୍ଷା, ବିଶ୍ୱାସ, ଅନୁଭୂତି ପ୍ରତ୍ୟେକ ବ୍ୟକ୍ତିର ଅଲଗା ।
ଭାରତରେ ଏବେ ମଧ୍ୟ କେତେକ ସ୍ୱାର୍ଥପ୍ରଣୋଦିତ ଗୋଷ୍ଠୀ ଔରଙ୍ଗଜେବଙ୍କୁ ଏକ ସୁଶାସକ କହନ୍ତି, ଯାହା ରାଜନୀତିକ ନୈତିକତା ଦୃଷ୍ଟିରୁ ଏବଂ ସବୁ ଦୃଷ୍ଟିରୁ ମିଥ୍ୟା । କିନ୍ତୁ ମଣିଷ ଏହା କରେ, ଯେହେତୁ ତାର ସ୍ୱାର୍ଥ ଅଲଗା । ବିବାଦ ସୃଷ୍ଟି ମଧ୍ୟ ଆଜିକାଲି ଏକ ରାଜନୀତିକ କର୍ତ୍ତବ୍ୟ । ଏଣୁ ସମଗ୍ର ବିଶ୍ୱକୁ ଏକାଠି କରିବା ଏକ ଆଦର୍ଶ ହୋଇପାରେ । ଭାରତର ଦାର୍ଶନିକ, ପଣ୍ଡିତମାନେ ବସୁଧା ମଣିଷ-କୁଟୁମ୍ବ ଧାରଣ କରେ ବୋଲି ସିଦ୍ଧାନ୍ତ କରିଥିଲେ । କିନ୍ତୁ ମହାଭାରତ ଓ ରାମାୟଣରେ ଏହା ଅସମ୍ଭବ ପ୍ରମାଣିତ ହୋଇଥିଲା । ଗତ ମାସରେ ପ୍ରୟାଗରାଜ ମହାକୁମ୍ଭ ୧୪୪ବର୍ଷ ପରେ ଆସିଥିଲା ଏବଂ ପ୍ରାୟ ୬୭କୋଟି ମଣିଷ, ଉଭୟ ଭାରତୀୟ ଓ ପୃଥିବୀର ଅନ୍ୟ ଦେଶବାସୀ ତ୍ରିବେଶୀ ସଙ୍ଗମରେ ଅମୃତସ୍ନାନ କରିଥିଲେ ଏକ ମହାବିଶ୍ୱାସରେ । ସେହି ୪୫ଦିନ ମନେ ହୋଇଥିଲା ସାରା ବିଶ୍ୱ ଆଜି ଗୋଟିଏ ମଣିଷ ପରିବାର । କିନ୍ତୁ ତାହା କେବଳ ବିଶ୍ୱାସର ପରିଭାଷା । ବାସ୍ତବରେ କିଏ କହିଲା ମୃତ୍ୟୁକୁମ୍ଭ ତ କିଏ ଫାଲ୍ତୁ କୁମ୍ଭ । ଆଉ କିଏ କହିଲା ସବୁ ବ୍ୟବସ୍ଥା ଭୁଲ୍ । ପାଣି ମଇଳା, ସବୁ ଖରାପ ଇତ୍ୟାଦି । ଅର୍ଥାତ୍ ଏକ ପବିତ୍ର ଅନୁଷ୍ଠାନକୁ ସ୍ୱୀକୃତି ଦେଇ ଆସ୍ଥା ବିଶ୍ୱାସର ମଣିଷ କୁଟୁମ୍ବକୁ ଅନ୍ୟ ମଣିଷ ଗ୍ରହଣ କରେନାହିଁ କେବଳ ନିଜ ନିଜ ବିଶ୍ୱ ବିଭିନ୍ନତା ଯୋଗୁଁ ।
କୋଭିଡ ମହାମାରୀ ବେଳେ ପୃଥିବୀ ଆତଙ୍କିତ ହୋଇ ମଧ୍ୟ ଏକାଠି ହୋଇପାରିଲା ନାହିଁ ରୋଗ ବିରୋଧରେ ଯୁଦ୍ଧ ପାଇଁ । ସମସ୍ତେ ଅଲଗା ଅଲଗା ଉପାୟ ବାଛିଲେ । କିଏ କହିଲା କୋଭାକ୍ସିନ ଖରାପ (ମୋଦି ଇଜେଞ୍ଜକ୍ସନ) ଅନ୍ୟ ଭାରତୀୟ ଓ ବିଦେଶୀ ଭାରତୀୟ ଭାକସିନକୁ ଖରାପ କହିଲେ ଆର୍ଥିକ, ରାଜନୀତିକ ସ୍ୱାର୍ଥ ଲାଗି । ଏହା ହିଁ ବୋଧେ ମଣିଷର ସ୍ଥିତିସତ୍ୟ । ବସୁଧୈବ କୁଟୁମ୍ବକମ୍ ଏକ ଆଦର୍ଶ ବାକ୍ୟ ଖଣ୍ଡ । ଏହା ମାନବ ଅସ୍ମିତାର ଚରମ ସତ୍ୟ, କିନ୍ତୁ ଗ୍ରହଣୀୟ ନୁହେଁ । ୟୁକ୍ରେନ ବିଖଣ୍ଡିତ, ରକ୍ତରଂଜିତ ହେଲା ପରେ ମଧ୍ୟ ନେତା ଜେଲେନସ୍କି ଶାନ୍ତି ଚାହାନ୍ତି ନାହିଁ । ଶାନ୍ତି ଓ ସହଯୋଗ ବିନା କୁଟୁମ୍ବ ଅସମ୍ଭବ । ଏ ବିଶ୍ୱରେ ସତ୍ୟ, ଧର୍ମ, ନ୍ୟାୟ ଯେହେତୁ ଅଲଗା ଅଲଗା ବ୍ୟାଖ୍ୟାୟିତ ହୁଏ, ଏସବୁ ଗୁଣ ଶିକ୍ଷଣୀୟ, କିନ୍ତୁ ଗ୍ରହଣୀୟ ନୁହେଁ । ଆମେ ଯିଶୁ, ଗାନ୍ଧୀ, ବୁଦ୍ଧଙ୍କୁ ପୂଜା କରୁ କିନ୍ତୁ ନିଜ ଜୀବନରେ ଅଲଗା ସତ୍ୟ ଧର୍ମ ନ୍ୟାୟ ପାଳନ କରୁ । ତେଣୁ ବ୍ୟକ୍ତି ହିଁ ସ୍ୱୟଂସମ୍ପୂର୍ଣ୍ଣ । କୁଟୁମ୍ବରେ ରହିଲେ ମଧ୍ୟ ସେ ସ୍ୱତନ୍ତ୍ର । ଏହି ଦୃଷ୍ଟିରୁ ବସୁଧା ମାନବ କୁଟୁମ୍ବ ଧାରଣ କରେ । ପ୍ରତ୍ୟେକ ବ୍ୟକ୍ତିର ସ୍ୱତନ୍ତ୍ର ବସୁଧା ଓ ତାର କୁଟୁମ୍ବ ସ୍ୱତନ୍ତ୍ର । ଏହା ହିଁ ସତ୍ୟ ।