ଆମେ ଯେକୌଣସି କାର୍ଯ୍ୟର, ଘଟଣାର କିମ୍ବା ଅନୁସନ୍ଧାନର ଯେତେବେଳେ ସପକ୍ଷ ବା ବିପକ୍ଷରେ ଆଲୋଚନା ବା ବିତର୍କ କରିଥାଉ ସେତେବେଳେ ନିଜର ଜୀବନ କାଳକୁ ହିଁ ଉଦାହରଣ ଭାବେ ଗ୍ରହଣ କରିଥାଉ । ଠିକ୍ ସେଇଭଳି ଆତ୍ମା ସଂପର୍କରେ ଯେତେବେଳେ ବିତର୍କରେ ଭାଗ ନେଉ, କେତେକେ, ଯେଉଁମାନେ ଆତ୍ମା ସଂପର୍କରେ କୌଣସି ଆଲୋଚନାକୁ ଧାର୍ମିକ ରୂପ ଦେଇଥାନ୍ତି, ସେମାନେ ସେତେବେଳେ ଆଧ୍ୟାତ୍ମିକ ରୂପରେ ଚର୍ଚ୍ଚା କରିଥାନ୍ତି । କିନ୍ତୁ ଆଉ କେତେକେ ଆତ୍ମାର ସ୍ୱରୂପକୁ ମଧ୍ୟ ଅସ୍ୱୀକାର କରିଥାନ୍ତି । ଉପନିଷଦରେ ଯେଉଁ ମହାପୁରୁଷମାନେ ଦାର୍ଶନିକ ତତ୍ତ୍ୱ ସବୁ ସଂକଳିତ କରି ଯାଇଛନ୍ତି, ତାହା ସାଂପ୍ରତିକ କାଳର ଚିନ୍ତାନାୟକମାନଙ୍କ ଠାରୁ ଅନେକ ସମୟରେ ଭିନ୍ନ ପ୍ରତିପାଦିତ ହେଉଛି । ପରମ୍ପରାର ବନ୍ଧନ ଯେପରି ଆଜିର ବୁଦ୍ଧିଜୀବୀମାନଙ୍କୁ, ସେମାନଙ୍କର ଚିନ୍ତା ଓ ଚେତନାକୁ ଘେରି ରହିଛି, ସେପରି ଅବସ୍ଥା ପ୍ରାକ୍ କାଳରେ ନଥିଲା । ସେମାନେ ଯଥେଷ୍ଟ ମୁକ୍ତ ଥିଲେ । ତେବେ ଉପନିଷଦର ବାଣୀ ସାଂପ୍ରତିକ କାଳର ଦ୍ୱିଧା ଜଡ଼ିତ ଭାବନା ଭଳି ଦ୍ୱନ୍ଦ୍ୱଯୁକ୍ତ ନଥିଲା । ତାହା ଚାରି ଭାଗରେ ବିଭକ୍ତ ଥିଲା ।
ପ୍ରଥମ ଦୁଇ ଅଧ୍ୟାୟରେ ଋଷି ଅର୍ଥାତ୍ ଦାର୍ଶନିକ, କବି, ଆତ୍ମା, ବ୍ରହ୍ମ ଓ ଜଗତ୍ ସମ୍ବନ୍ଧରେ ଚର୍ଚ୍ଚା ରହିଛି । ପ୍ରାୟ ମଧ୍ୟଭାଗରେ ଏକ କାହାଣୀର ବର୍ଣ୍ଣନା ଉଲ୍ଲେଖ ଅଛି । ଯାହାକି ଆଜିକାର ତତ୍ତ୍ୱବିତ୍ମାନଙ୍କୁ ବିଚିତ୍ରବୋଧ ହୋଇଥାଏ । କାହାଣୀଟି ଏହିପରି । ଥରେ ଯୁଦ୍ଧରେ ଦେବତାମାନେ ବିଜୟ ଲାଭ କଲେ । ଅବଶ୍ୟ କାହାକୁ ପରାଜିତ କରି ଏ ବିଜୟ ଲାଭ କଲେ ତାହାର କୌଣସି ଚିତ୍ର ବା ବର୍ଣ୍ଣନା ସେଥିରେ ନାହିଁ । ବୋଧହୁଏ ତା'ର ଆବଶ୍ୟକତା ଉପଲବ୍ଧି କରାଯାଇନାହିଁ । ସେହି ବିଜୟ ଲାଭ ପରେ ଦେବତାମାନେ ଭାବିଲେ ତାଙ୍କର ଜୟ ସେମାନଙ୍କର ସ୍ୱକୀୟ ଗୁଣ ଯୋଗୁଁ ସମ୍ଭବପର ହୋଇପାରିଲା । ଇନ୍ଦ୍ର, ଅଗ୍ନି, ବାୟୁ ପ୍ରତ୍ୟେକେ ଭାବିନେଲେ, ସେ ନଥିଲେ ଯୁଦ୍ଧ ଜୟ କରିବା ଅସମ୍ଭବ ହୋଇ ପଡ଼ିଥାନ୍ତା । କିନ୍ତୁ ଯିଏ ବାସ୍ତବରେ ଯୁଦ୍ଧରେ ଜିତାଇଲା ସିଏ ତ ବ୍ରହ୍ମ । ସିଏ ଭାବିଲା ମୁଁ ଏମାନଙ୍କୁ ଯୁଦ୍ଧରେ ବିଜେତା କରାଇଲି ଅଥଚ ଏମାନଙ୍କର ଅହଙ୍କାରର ସୀମା ରହୁନାହିଁ । କାରଣ ହେଲି ମୁଁ । କିନ୍ତୁ ଏମାନେ ସଭିଏଁ ନିଜକୁ ନାୟକ ମନେ କରୁଛନ୍ତି । ତେଣୁ ସେ ଦେବତାଙ୍କର ଅଂହ ଭାବ ଭାଙ୍ଗିବା ସକାଶେ ଯକ୍ଷ ରୂପ ଧାରଣ କଲା ଏବଂ ଅଗ୍ନିଙ୍କ ସମ୍ମୁଖକୁ ଆସି କହିଲା- ଯଦି ଯୁଦ୍ଧର ବିଜୟଶ୍ରୀ ତୁମ ଯୋଗୁଁ ସମ୍ଭବ ତେବେ ସାମାନ୍ୟ ଘାସ କୁଟା ଖଣ୍ଡିକ ଜଳାଇ ଭସ୍ମ କରିଦେଇ ପାରିବେ କି?
ଅଗ୍ନି ଏକଥା ଶୁଣି ଖୁବ୍ ଲାଲ ହୋଇ ଘାସ କୁଟା ଖଣ୍ଡିକୁ ଜଳାଇ ଭସ୍ମ କରିବାକୁ ଉଦ୍ୟମ କରି ମଧ୍ୟ ନପାରି ମନ ଦୁଃଖରେ ଫେରିଗଲେ । ତା'ପରେ ଯକ୍ଷ ବାୟୁଙ୍କୁ ଯାଇ ପଚାରିଲା- ଯଦି ଆପଣଙ୍କର ଶକ୍ତି ଥାଏ, ଘାସ କୁଟା ଖଣ୍ଡକୁ ଉଡ଼ାଇ ଦେଇପାରିବେ କି? ତା'ପରେ ବାୟୁ ପ୍ରବଳ ବେଗରେ ଝଡ଼ ସୃଷ୍ଟି କରି ମଧ୍ୟ ଘାସ କୁଟା ଖଣ୍ଡକୁ ଉଡ଼ାଇ ପାରିଲେ ନାହିଁ । ଲଜ୍ଜା ପାଇ ବାୟୁ ଫେରିଯିବା ପରେ ଯକ୍ଷ ଯାଇ ଇନ୍ଦ୍ରଙ୍କୁ ସେହିପରି ପରୀକ୍ଷା କରିବାକୁ ଚାହିଁଲା । କିନ୍ତୁ ଇନ୍ଦ୍ର ସହସ୍ର ନୟନ ଧାରଣ କରିଥିବା ହେତୁ ସେ ଜାଣିନେଲେ ଯେ ଯକ୍ଷ ସାଧାରଣ ଶକ୍ତି ନୁହେଁ । ତା’ପରେ ଯକ୍ଷ କିଏ ତାହା ଜାଣିବାକୁ ଇନ୍ଦ୍ର ଚେଷ୍ଟା କରିବାରୁ ତାଙ୍କ ସମ୍ମୁଖରେ ଏକ ଶକ୍ତି ଦଣ୍ଡାୟମାନ ହୋଇ କହିଲା- ଦେବତାଙ୍କର ଅସଲ ବିଜୟର କାରଣ ହେଉଛି ମୁଁ । କିନ୍ତୁ ବିଜୟ ପରେ ପ୍ରତ୍ୟେକେ ଭାବିନେଲେ ସେମାନେ ହେଉଛନ୍ତି କାରଣ । ତେଣୁ ମୁଁ ଏପରି ପରୀକ୍ଷା କରିବାକୁ ବାଧ୍ୟ ହେଲି । ସୁଧୀବୃନ୍ଦ! ଏଠାରେ ପ୍ରଶ୍ନ ହେଉଛି- ପ୍ରକୃତ ପକ୍ଷେ ଏହି ଶକ୍ତି କିଏ? ବ୍ରହ୍ମ ପୁଣି କ'ଣ? ଯକ୍ଷ ଯଦି ପରୀକ୍ଷା କରୁଥିଲେ, ତେବେ ଯକ୍ଷ ରୂପ ଧାରଣ କରିଥିବା ବ୍ରହ୍ମଟି ପୁଣି କିଏ? ପ୍ରତ୍ୟେକ ବିଜୟରେ ମଣିଷ ଭାବେ ଏହା ତା'ରି ଯୋଗୁଁ ସମ୍ଭବ ହେଲା । ତା'ର ନିଜର ଉଦ୍ୟମ, କୌଶଳ, ବୁଦ୍ଧି ପ୍ରୟୋଗ ଯୋଗୁଁ କାର୍ଯ୍ୟ ସଫଳ ହେଲା ବୋଲି ଆତ୍ମ ସନ୍ତୋଷ ମନରେ ଜାଗ୍ରତ ହୁଏ ଏବଂ ତା' ସହିତ ସୃଷ୍ଟି ହୋଇଥାଏ ଅହଂଭାବ । ଏହି ଅହଂଭାବ ପ୍ରକୃତ ପକ୍ଷରେ ସକଳ ବିନାଶର କାରଣ ହୋଇଥିବାରୁ ତାହାକୁ ସଚେତନ, ଅବଚେତନ ସ୍ତରରେ ମଧ୍ୟ ନିପାତ କରିବା ପାଇଁ ଉପନିଷଦ ଜରିଆରେ ଅଗ୍ନି, ବାୟୁଙ୍କ ଉପଲ୍ବଧିର ଯେଉଁ ଉଦାହରଣ ବର୍ଣ୍ଣିତ ଅଛି ତାହା ଆମେ ପ୍ରତ୍ୟେକେ ନିଜ ମଧ୍ୟରେ ଅନୁଭବ କରିବା ଆବଶ୍ୟକ ।