ବାଲେଶ୍ୱର, ୧୮/୦୬: ଅଶାନ୍ତ ହୋଇଛି ବାଲେଶ୍ୱର ସହର । ସୁନହଟ୍ସ୍ଥିତ ଭୁଜାଖିଆ ପୀରବାବାଙ୍କ ଆସ୍ଥାନ ନିକଟରେ ସୋମବାର ସକାଳେ ହୋଇଥିବା ଗୋଷ୍ଠୀ ସଂଘର୍ଷ ଶାନ୍ତ ପଡ଼ିବା ପରିବର୍ତ୍ତେ ବିଳମ୍ବିତ ରାତିରେ ଅଧିକ ଅଶାନ୍ତ ହୋଇଛି । ପରିସ୍ଥିତି ନିୟନ୍ତ୍ରଣ କରିବା ପାଇଁ ସହରରେ କର୍ଫ୍ୟୁ ଜାରି କରାଯାଇଛି । ବାଲେଶ୍ୱର ସହରକୁ ଯାଇଥିବା ସବୁ ରାସ୍ତାକୁ ସିଲ୍ କରାଯିବା ସହ ମଙ୍ଗଳବାର ଦୋକାନ ବଜାର ବନ୍ଦ ରଖିବାକୁ ପ୍ରଶାସନ ନିର୍ଦ୍ଦେଶ ଦେଇଛି ।
ସୂଚନା ଅନୁଯାୟୀ, ଇଦ୍-ଉଲ-ଜୁହା ଅବସରରେ ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକେ ସୋମବାର ସକାଳେ ଦରଘା ପଡ଼ିଆରେ ନମାଜ ପାଠ କରିଥିଲେ । ଦରଘା ମଇଦାନସ୍ଥିତ କଦମ୍ ରସୁଲ କବର ସ୍ଥାନରେ ପହଞ୍ଚି ଆଶୀର୍ବାଦ ନେଇଥିଲେ । ପରେ ପରସ୍ପରକୁ ଇଦ୍-ଉଲ-ଜୁହା ଶୁଭେଚ୍ଛା ଜଣାଇଥିଲେ । ଏହି ସମୟରେ ସୁନହଟ୍ସ୍ଥିତ ଏକ ଡ୍ରେନ୍ରେ ଲାଲ ରଙ୍ଗର କୌଣସି ଦ୍ରବ୍ୟ ପଡ଼ିଥିବା ଦେଖି ଅନ୍ୟ ଏକ ଗୋଷ୍ଠୀର ଲୋକେ ତାତିଥିଲେ । ସେମାନେ ଏହାକୁ ରକ୍ତ ବୋଲି ଦାବି କରିଥିଲେ । ଏହାକୁ ଗୋଟିଏ ଗୋଷ୍ଠୀ ଗୋ-ରକ୍ତ ଦାବି କରି ଉତ୍କ୍ଷିପ୍ତ ହୋଇପଡ଼ିଥିଲେ ।
ଏହାକୁ ନେଇ ଉତ୍ତେଜନା ଦେଖାଦେଇଥିଲା । ଉଭୟ ଗୋଷ୍ଠୀ ମୁହାଁମୁହିଁ ହେବା ସହ ଢେଲା ପଥର ମାଡ଼ କରିଥିଲେ । ଏହି ଘଟଟଣାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିଲା । ଢେଲା, ପଥର ମାଡ଼ରେ ଏକାଧିକ ଲୋକ ଆହତ ହୋଇଥିଲେ । ୧୦ରୁ ଅଧିକ ଗାଡ଼ି ଭଙ୍ଗାରୁଜା ହୋଇଥିଲା । ପୁଲିସ୍ ପହଞ୍ଚି ଉଭୟ ଗୋଷ୍ଠୀଙ୍କୁ ଘଉଡ଼ାଇବାକୁ ଚେଷ୍ଟା କରିଥିବା ବେଳେ ଉତ୍ତ୍ୟକ୍ତ ଲୋକେ ପୁଲିସ୍ ଉପରକୁ ମଧ୍ୟ ଢେଲା, ପଥର ମାଡ଼ କରିଥିଲେ । କେତେକ ପୁଲିସ୍ ମଧ୍ୟ ଆହତ ହୋଇଥିଲେ । ପରିସ୍ଥିତି ନିୟନ୍ତ୍ରଣକୁ ଆଣିବା ପାଇଁ ପୁଲିସ୍ ଲାଠି ଚାଳନା କରିବା ସହ ଲୁହବୁହା ଗ୍ୟାସ୍ ପ୍ରୟୋଗ କରିଥିଲା । ଘଟଣାସ୍ଥଳରେ ୧୪୪ ଧାରା ଜାରି କରାଯାଇ ବ୍ୟାପକ ଫୋର୍ସ ମୁତୟନ କରାଯାଥିଲା । ଏହା ସତ୍ତେ୍ୱ ବିଳମ୍ବିତ ରାତିରେ ସହରର ବିଭିନ୍ନ ସ୍ଥାନରେ ପୁଣି ଉତ୍ତେଜନା ସହ ପୋଡ଼ାଜଳ ଓ ଭଙ୍ଗାରୁଜା କରାଯାଇଥିଲା । ଅନ୍ୟପଟେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶାନ୍ତି, ସୌହାର୍ଦ୍ଦ୍ୟ ବଜାୟ ରଖିବାକୁ ନିବେଦନ କରିଛନ୍ତି । ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ପାଇଁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ।
ସୋମବାର ସକାଳର ଗଣ୍ଡଗୋଳ ପରେ ଗୋଟିଏ ଗୋଷ୍ଠୀ ପାତ୍ରପଡ଼ା-ଚାନ୍ଦିପୁର ରାସ୍ତା ଅବରୋଧ କରିଥିଲେ । ଏହାକୁ ନେଇ ଉଭୟ ଗୋଷ୍ଠୀ ପୁଣି ଟେକା ପଥର ମାଡ଼ ସାଙ୍ଗକୁ ରାସ୍ତା ପାଶ୍ୱର୍ରେ ଥିବା ଯାନବାହନ ଭଙ୍ଗାରୁଜା କରିଥିଲେ । ବାଲେଶ୍ୱର ଏସ୍ପି ସାଗରିକା ନାଥ ସଦଳବଳ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ଘଉଡ଼ାଇବାକୁ ଚେଷ୍ଟା କରିଥିଲେ । ଉତ୍ତ୍ୟକ୍ତ ଲୋକେ ପୁଲିସ୍ ଉପରକୁ ମଧ୍ୟ ଢେଲା, ପଥର ମାଡ଼ କରିଥିଲେ । ଏଥିରେ ଜଣେ ଅତିରିକ୍ତ ଏସ୍ପି, ୨ ଜଣ ଡିଏସ୍ପି, ୩ ଜଣ କନଷ୍ଟେବଲଙ୍କ ସମେତ ୧୦ରୁ ଅଧିକ ଲୋକ ଆହତ ହୋଇଥିଲେ । ପରେ ପୁଲିସ୍ ଲାଠି ଚାଳନା କରିବା ସହ ଲୁହବୁହା ଗ୍ୟାସ୍ ପ୍ରୟୋଗ କରିଥିଲା । ଘଟଣାସ୍ଥଳରେ ୧୪୪ ଧାରା ଜାରି କରାଯିବା ସହ ବ୍ୟାପକ ପୁଲିସ୍ ଫୋର୍ସ ମୁତୟନ କରାଯାଇଛି । ହେଲେ ବିଳମ୍ବିତ ରାତିରେ ଏତଲା ଦେବାକୁ ଥାନାକୁ ଯାଉଥିବା ଗୋଟିଏ ଗୋଷ୍ଠୀକୁ ଅନ୍ୟ ଗୋଷ୍ଠୀ ପକ୍ଷରୁ ଆକ୍ରମଣ ହୋଇଥିବା ଜଣାପଡ଼ିଛି । ଏଥିସହ ବିଭିନ୍ନ ସ୍ଥାନରେ ଜଳାପୋଡ଼ା, ରିକ୍ସା ଓ ଗାଡ଼ି ଭଙ୍ଗାରୁଜା କରାଯାଇଛି । ଶାନ୍ତି ବଜାୟ ରଖିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବାଲେଶ୍ୱର ଜିଲ୍ଲାପାଳଙ୍କ ସହ ଆଲୋଚନା କରିବା ସହ ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ଦୃଢ଼ ନିର୍ଦ୍ଦେଶ ଦେଇଛନ୍ତି ।
ମୁଖ୍ୟମନ୍ତ୍ରୀ କହିଛନ୍ତି, କୌଣସି ପରିସ୍ଥିତିରେ ଶାନ୍ତି ଶୃଙ୍ଖଳା ବ୍ୟାହତ ହେବାକୁ ଦିଆଯିବ ନାହିଁ । ଓଡ଼ିଶା ଏକ ଶାନ୍ତି ପ୍ରିୟ ରାଜ୍ୟ । ଭାଇଚାରା, ଶାନ୍ତି ଶୃଙ୍ଖଳା ବଜାୟ ରଖିବାକୁ ସେ ସମସ୍ତଙ୍କୁ ନିବେଦନ କରିଛନ୍ତି ।