ଭୁବନେଶ୍ୱର,୨୩/୦୨: ବଡ଼ମ୍ବା ପୋଲିସକୁ ମିଳିଲା ସଫଳତା । ବଡ଼ ଧରଣର ଚୋରି ରାକେଟ୍ ଠାବ କଲା ପୋଲିସ । ବିଭିନ୍ନ ସ୍ଥାନରୁ ଚୋରି ଘଟଣାରେ ସଂପୃକ୍ତ ଥିବା ୫ ଜଣଙ୍କୁ ଗିରଫ କରିଛି ବଡ଼ମ୍ବା ପୋଲିସ । ଗିରଫ ଅଭିଯୁକ୍ତମାନେ ପ୍ରକାଶ ନାଏକ, ଚନ୍ଦ୍ରମଣି ବେହେରା, ନେତ୍ରାନନ୍ଦ ନାଏକ, ଦିଲ୍ଲୀପ କୁମାର ସାହୁ, ବନମାଳୀ ରାଉତ ବୋଲି ଜଣାପଡିଛି । କଟକ ଜିଲ୍ଲା ବଡ଼ମ୍ୱା ଥାନା ଅନ୍ତର୍ଗତ ଅଞ୍ଚଳରେ ଏଭଳି ଘଟଣା ଘଟିଥିବାର ଖବର ସାମ୍ନାକୁ ଆସିଛି ।
ସୂଚନା ମୁତାବକ, କଟକ ବଡମ୍ବା ବ୍ଲକ ଇଚ୍ଛାପୁର ପଞ୍ଚାୟତ ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟାଳୟ ପରିସରରୁ ଯନ୍ତ୍ରାଂଶ ଓ ବିଭିନ୍ନ ସମୟରେ ଲୋକଙ୍କୁ ଘରୁ ପାଣି ପମ୍ପ ଚୋରି ହୋଇଥିଲା । ଏନେଇ ବାରମ୍ୱାର ଅଭିଯୋଗ ହେବା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ଶେଷରେ ପୋଲିସ ଏହି ଚୋରି ଘଟଣାରେ ୫ଜଣଙ୍କୁ ଗିରଫ କରିଛି । ଗିରଫ ବ୍ୟକ୍ତିଙ୍କ ମଧ୍ୟରେ ତିନି ଜଣ ଡକାୟତିରେ ସାମିଲ ଥିବା ବେଳେ ବାକି ୨ ଜଣ ଚୋରି ସାମଗ୍ରୀକୁ କିଣୁଥିବାର ଅଭିଯୋଗ ରହିଛି । ତେବେ ଗିରଫ ଅଭିଯୁକ୍ତଙ୍କ ନିକଟରୁ କିଛି ସାମଗ୍ରୀ ଜବତ ହୋଇଛି । ଯାହାର ଆନୁମାନିକ ମୂଲ୍ୟ ୫୦ ହଜାରରୁ ଅଧିକ ହେବ । ଏହାବ୍ୟତୀତ ଏକ ଅଟୋ, ଛୁରୀ, ଭୂଜାଲି, କଟର ମଧ୍ୟ ଜବତ ହୋଇଛି ।