ପାରାଦୀପ, ୦୪/୧୨: ପାରାଦୀପ ବନ୍ଦରର ପିଆଇସିଟି ବର୍ଥରେ ଲାଗିଥିବା ଜାହାଜ ଏମ୍ଭି ଦେବୀରୁ ଜବତ ହୋଇଥିବା ୨୨୦ କୋଟି ମୂଲ୍ୟର କୋକେନ୍କୁ କଡ଼ା ସୁରକ୍ଷା ବଳୟ ମଧ୍ୟରେ ଶନିବାର ବିଳମ୍ବିତ ରାତିରେ ଜାହାଜରୁ ଅଣାଯାଇ ପାରାଦୀପର କଷ୍ଟମ୍ସ୍ କାର୍ଯ୍ୟାଳୟରେ ରଖାଯାଇଛି । ସୋମବାର ମାଜିଷ୍ଟ୍ରେଟ୍ଙ୍କ ଉପସ୍ଥିତିରେ ଯାଞ୍ଚ୍ କରାଯିବା ପରେ କୋର୍ଟକୁ ଜବତ କୋକେନ୍ ହସ୍ତାନ୍ତର କରାଯିବ ବୋଲି ଜଣାପଡ଼ିଛି । ତେବେ ତିନି ଦିନ ଧରି ଲଗାତାର ଏହି ଘଟଣା ଉପରେ କଷ୍ଟମ୍ସ୍ ବିଭାଗ ପକ୍ଷରୁ ଖୋଳତାଡ଼ ଚାଲିଥିବା ବେଳେ ବିଭାଗ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ଗଣମାଧ୍ୟମକୁ ପ୍ରଦାନ କରାଯାଉ ନଥିବାରୁ ଦ୍ୱନ୍ଦ୍ୱ ପ୍ରକାଶ ପାଇଛି ।
ଏହି ଘଟଣା ଉପରେ ନଜର ରଖୁଥିବା ବିଭିନ୍ନ ଗଣମାଧ୍ୟମ, ସ୍ଥାନୀୟ ପୁଲିସ, ଇଣ୍ଟେଲିଜେନ୍ସ ବିଭାଗ, ଇମିଗ୍ରେସନ୍ ଭଳି ବିଭାଗ ଗୁଡ଼ିକ ମଧ୍ୟ ଅନ୍ଧାରରେ ରହୁଥିବା ଚର୍ଚ୍ଚାକୁ ଆସିଛି । ଏ ବିଷୟରେ କୌଣସି ବିଭାଗ ତଥ୍ୟ ଦେବାକୁ କୁନ୍ଥକୁନ୍ଥ ହେଉଥିବା ବେଳେ ତଦନ୍ତ ଦାୟିତ୍ୱରେ ଥିବା କଷ୍ଟମ୍ସ୍ ବିଭାଗ ଗଣମାଧ୍ୟମଠୁ ଯଥେଷ୍ଟ ଦୂରତା ବଜାୟ ରଖୁଥିବା ଦେଖିବାକୁ ମିଳୁଛି । ତେବେ ଏହି ଘଟଣାକୁ ନେଇ କିଛି ସେକେଣ୍ଡର ଏକ ଭିଡିଓ ଗତକାଲି ଭାଇରାଲ୍ ହେବା ପରେ ଏଥିରେ ଜଣେ ସ୍ଥାନୀୟ ଯୁବକଙ୍କ ସଂପୃକ୍ତିକୁ ନେଇ ଚର୍ଚ୍ଚା ହେଉଥିଲା । ଏପରିକି ଉକ୍ତ ଯୁବକ ଜାହାଜକୁ ମାଛ ଯୋଗାଇବାକୁ ଯାଇଥିବା କଥା କୁହାଯାଉଥିବା ବେଳେ ତାଙ୍କୁ କୁଆଡ଼େ ପୁଲିସ ଡାକି ପଚରାଉଚରା କରି ଛାଡ଼ି ଦେଇଥିବା ଚର୍ଚ୍ଚା ହେଉଛି । ପାରାଦୀପ ଆଦର୍ଶ ଥାନା ପକ୍ଷରୁ ଯଦିଓ ଏ ଘଟଣାକୁ ଖଣ୍ଡନ କରାଯାଇଛି କିନ୍ତୁ ଯୁବକ ଜଣକ ନୂଆବଜାର ଅଞ୍ଚଳର ବୋଲି ଜଣାପଡ଼ିଛି ।
ଏପରିକି ଗତ ଶୁକ୍ରବାର ଦିନ ଗୋଟିଏ ସିଫ୍ଟ ଅର୍ଥାତ୍ ପାଖାପାଖି ୮ ଘଣ୍ଟା ଧରି ଜାହାଜରେ ଯିବାକୁ ଥିବା ଷ୍ଟିଲ୍ ବୋଝେଇ କରାଯାଇଥିଲା । ହେଲେ ଯେତେବେଳେ କୋକେନ୍ ବିଷୟରେ ଜଣାପଡ଼ିଥିଲା ସେତେବେଳେ ଏହି ବୋଝେଇ କାମକୁ ବନ୍ଦ କରି ଦିଆଯାଇଥିଲା । ଜାହାଜରେ ପ୍ରାୟ ୩୨ ହଜାର ମେଟ୍ରିକ୍ ଟନ୍ ଷ୍ଟିଲ୍ ବୋଝେଇ ହୋଇଥିବା ଜଣାପଡ଼ିଛି । ଏବେ ଜାହାଜଟି ବର୍ଥରେ ଅଟକ ରହିଥିବା ବେଳେ ଜାହାଜକୁ ଏହା ପରେ କ’ଣ କରାଯିବ ବା କ’ଣ ପଦକ୍ଷେପ ନିଆଯିବ ତାହା ସ୍ପଷ୍ଟ ହୋଇନାହିଁ । ଜାହାଜରୁ ମାଲ୍ ଖଲାସ କରାଯିବାର ସମ୍ଭାବନା ମଧ୍ୟ ରହିଛି । କଷ୍ଟମ୍ସ୍ ବିଭାଗ ପକ୍ଷରୁ ଯାଞ୍ଚ୍ ପ୍ରକ୍ରିୟା ଏବେ ବି ଚାଲିଥିବା ବେଳେ ଖୁବ୍ ଶୀଘ୍ର ବିଭାଗ ଗିରଫଦାରୀ ବାବଦରେ ଘୋଷଣା କରିବ ବୋଲି ଜଣାପଡ଼ିଛି । ତଦନ୍ତ ଦାୟିତ୍ୱରେ ଥିବା ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କୁ ଏନେଇ ‘ପ୍ରମେୟ’ ତରଫରୁ ପଚରାଯିବାରେ ନୋ’ କମେଣ୍ଟ କହି ସେ ଫୋନ୍ କାଟି ଦେଇଥିଲେ । ପୂରା ଘଟଣାକ୍ରମ ବିଷୟରେ ବିଭାଗର ସାନରୁ ବଡ଼ ଅଧିକାରୀ କେହି ହେଲେ ମୁହଁ ଖୋଲିବାକୁ ଚାହୁଁନଥିବା ଜଣାପଡ଼ିଛି।