ପ୍ରମୂଖ ଖବର
  • ନାଗପୁର-ମୁମ୍ବାଇ ଏକ୍ସପ୍ରେସୱେରେ ଭୟଙ୍କର ସଡ଼କ ଦୁର୍ଘଟଣା, ୭ ମୃତ, ୩ ଗୁରୁତର...
  • ||
  • ପୁଣି ବଢିଲା କେଜ୍ରିଓ୍ବାଲଙ୍କ ଅଡୁଆ, ୧୪ ଦିନ ପାଇଁ ନ୍ୟାୟିକ ହେପାଜତକୁ ପଠାଇଲେ ସିବିଆଇ ସ୍ବତନ୍ତ୍ର କୋର୍ଟ...
  • ||
  • ନିଅଣ୍ଟିଆ ସ୍ଥିତିରେ ହୀରାକୁଦ ଜଳସ୍ତର, ଗତବର୍ଷଠାରୁ ୭ ଫୁଟ୍‌ ପାଣି କମ୍‌
  • ||
  • ୟୁଜିସି ନେଟ୍‌ ତାରିଖ ଘୋଷଣା କଲା ଏନ୍‌ଟିଏ, ଅଗଷ୍ଟ ୨୧ରୁ ସେପ୍ଟେମ୍ବର ୪ ମଧ୍ୟରେ ପରୀକ୍ଷା
  • ||
  • ଅମରନାଥ ଯାତ୍ରା ଆରମ୍ଭ, ଅଗଷ୍ଟ ୧୯ ଯାଏ ଚାଲିବ, ପ୍ରଥମେ ଗଲେ ୪ ହଜାରରୁ ଅଧିକ ଯାତ୍ରୀ
  • ||
  • ବାରବାଡୋସ୍‌ରେ ଭାରତ-ଦକ୍ଷିଣ ଆଫ୍ରିକା ଫାଇନାଲ୍‌ ଫାଇଟ୍,ସଫଳ ହେବ ୧୭ ବର୍ଷର ଅପେକ୍ଷା
  • ||
  • ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ: ଆଜି ପ୍ରବଳରୁ ଅତିପ୍ରବଳ ବର୍ଷା ଆଶଙ୍କା, ବିଭିନ୍ନ ଜିଲ୍ଲାକୁ ଆଲର୍ଟ ଜାରି
  • ||

ଟି-୨୦ ବିଶ୍ୱକପ୍ ସେମି ଟକ୍କର: ଇଂଲଣ୍ଡ- ଭାରତ ମହାମୁକାବିଲା, ବର୍ଷା ସାଜିପାରେ ଖଳନାୟକ

ଗାଏନା,୨୭/୦୬: କେବଳ ୧୯  ମାସର ବ୍ୟବଧାନ । ଏଥର ମଇଦାନ ଭିନ୍ନ । ମାତ୍ର ସାମ୍ନା ସାମ୍ନି ହେବେ ପୁରୁଣା ପ୍ରତିଦ୍ୱନ୍ଦ୍ୱୀ । ପ୍ରୋଭିଡେନ୍ସ ଷ୍ଟାଡ଼ିୟମ୍‌ରେ ଗୁରୁବାର ଭାରତ ଓ ଇଂଲଣ୍ଡ ଖେଳିବେ ସେମି ଫାଇନାଲ ମୁକାବିଲା । ଇଂଲଣ୍ଡ ଡିଫେଣ୍ଡିଂ ଚାମ୍ପିଅନ୍‌ ଭାବେ ଗ୍ରାଉଣ୍ଡକୁ ଓହ୍ଲାଇବ। ଭାରତର  ଲକ୍ଷ୍ୟ ରହିବ ପୂର୍ବ ପରାଜୟର ପ୍ରତିଶୋଧ ।  ୨୦,୦୦୦ ଦର୍ଶକ ଧାରଣ କ୍ଷମତା ରଖିଥିବା ଷ୍ଟାଡ଼ିୟମ୍‌ ଗୁରୁବାର ହାଉସ୍‌ ଫୁଲ୍‌ ହେବ ।  

୨୦୨୨ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ  ଉଭୟ ଦଳ ସେମି ଫାଇନାଲ୍‌ରେ  ପରସ୍ପରକୁ ଭେଟିଥିଲେ। ଆଡିଲେଡ୍‌ରେ  ଖେଳାଯାଇଥିଲା ଏହି ମ୍ୟାଚ୍‌। ଭାରତ  ଶୋଚନୀୟ ପରାଜୟ ବରଣ କରିଥିଲା । ନିର୍ଦ୍ଧାରିତ ୨୦ ଓଭରରେ ଭାରତ ୬/୧୬୮  ରନ୍‌ ସଂଗ୍ରହ କରିଥିଲା । ଜବାବରେ ଇଂଲଣ୍ଡ  ୧୦ଟି ଯାକ ୱିକେଟ୍‌ ବାକି ଥାଇ ମାତ୍ର ୧୬  ଓଭର ମଧ୍ୟରେ ବିଜୟ ହାସଲ କରିଥିଲା ।  

ଏଥର ସମୟ ବଦଳିଛି । ପୂର୍ବ ସଂସ୍କରଣ  ଅପେକ୍ଷା ଏଥର ଭାରତ ଅଧିକ ସନ୍ତୁଳିତ । ମଧ୍ୟ କ୍ରମରେ ବିଧ୍ୱଂସୀ ବ୍ୟାଟରଙ୍କ ସଂଖ୍ୟା  ବଢିଛି । ରିଷଭ ପନ୍ତ ୩ନଂ ସ୍ଥାନରେ ବ୍ୟାଟିଂ  କରୁଥିବାରୁ ନିମ୍ନ ମଧ୍ୟ କ୍ରମରେ ଉଭୟ  ହାର୍ଦ୍ଦିକ ପାଣ୍ଡ୍ୟା ଓ ଶିବମ ଦୁବେଙ୍କୁ ଖେଳିବାକୁ  ସୁଯୋଗ ମିଳୁଛି। ଭାରତ ଏକସଙ୍ଗେ ୪ଜଣ  ଅଲ୍‌ରାଉଣ୍ଡରଙ୍କୁ ନେଇ ଖେଳିପାରୁଛି । ପୂର୍ବ ତୁଳନାରେ ଏଥର ବୋଲିଂ ବିଭାଗରେ  ମଧ୍ୟ ବିଭିନ୍ନତା ରହିଛି । ଭାରତ ୩ଜଣ  ସ୍ପିନର ଓ ୩ଜଣ ପେସ୍‌ ବୋଲରଙ୍କୁ ନେଇ  ଖେଳୁଥିବାରୁ ଯଥେଷ୍ଟ ବିକଳ୍ପ ରହିଛି ।  ସବୁଠୁ ବଡ଼ କଥା ହେଲା ଏଥର ଯଶପ୍ରୀତ ବୁମରା ପେସ୍‌ ବୋଲିଂ ବିଭାଗ ସମ୍ଭାଳୁଛନ୍ତି ।  

ଇଂଲଣ୍ଡ ପୂର୍ବ ଭଳି ଶକ୍ତିଶାଳୀ । ଜୋଫ୍ରା  ଆର୍ଚର ଓ ମାର୍କ ଉଡ୍‌ଙ୍କୁ ଛାଡ଼ିଦେଲେ ବାକି ସବୁ ଖେଳାଳି ପୂର୍ବ ସଂସ୍କରଣ ଖେଳିଥିଲେ ।  ଗତ ଥର ଜୋସ ବଟଲରଙ୍କ ସାଥୀ ଓପନର ଥିଲେ ଆଲେକ୍ସ ହେଲ୍ସ । ଏଥର ଫିଲ ସଲ୍ଟ  ଓପନ କରୁଛନ୍ତି ଓ ଚମତ୍କାର  ଫର୍ମରେ ରହିଛନ୍ତି । ଲିଗ୍‌ ଓ ସୁପର-୮ରେ ବହୁ ପରୀକ୍ଷା  ନିରୀକ୍ଷା ପରେ ଇଂଲଣ୍ଡ ବ୍ୟାଟିଂ ବିଭାଗକୁ ଲମ୍ବା ନକରି ଏକ  ଶୃଙ୍ଖଳିତ ବୋଲିଂ ବିଭାଗ ଉପରେ  ଗୁରୁତ୍ୱ ଦେଇଛି । ବୋଲିଂ ବିଭାଗରେ ୪ଜଣ  ପେସ୍‌ ବୋଲର ଓ ଜଣେ ମୁଖ୍ୟ ସ୍ପିନର  ରହିଛନ୍ତି । ଏମାନଙ୍କ ବ୍ୟତୀତ ଅଲ୍‌ରାଉଣ୍ଡ ଭାବେ ମୋଇନ ଅଲି  ଓ ଲାଏମ  ଲିଭିଙ୍ଗଷ୍ଟୋନ  ଦାୟିତ୍ୱ ବହନ  କରୁଛନ୍ତି । 

 ଉଭୟ ଦଳ ଏକାଦଶ  ଅପରିବର୍ତ୍ତିତ  ରଖିବା ଏକ ପ୍ରକାର ନିଶ୍ଚିତ । ବିରାଟ କୋହଲିଙ୍କ  ଉପରେ ଦର୍ଶକଙ୍କ ନଜର  ରହିବ । ଓପନର ଭାବେ ଖେଳିବା  ଦିନଠୁ ସେ ଏପର୍ଯ୍ୟନ୍ତ ସଫଳ  ହୋଇନାହାନ୍ତି । ତଥାପି ଦଳ ତାଙ୍କ ଉପରେ  ଯଥେଷ୍ଟ ଭରସା ରଖିଛି । ବଡ଼ ମ୍ୟାଚ୍‌ରେ  କୋହଲି ସର୍ବଦା ଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି । ପ୍ରୋଭିଡେନ୍ସ ଷ୍ଟାଡ଼ିୟମ୍‌ର ପିଚ୍‌  ସ୍ପିନରଙ୍କୁ ସହାୟତା କରିବ । ମାତ୍ର ଗୁରୁବାର ବର୍ଷା ହେବାର ଯଥେଷ୍ଟ  ସମ୍ଭାବନା ରହିଛି । ଷ୍ଟାଡ଼ିୟମ୍‌ର  ଗୋଟିଏ ପାଶ୍ୱର୍ରେ ଡେମେରାରା  ନଦୀ ଓ ଅନ୍ୟ ଏକ ପାଶ୍ୱର୍ରେ ସମୁଦ୍ର ରହିଥିବାରୁ ପବନର ବେଗ ଅପେକ୍ଷାକୃତ  ଅଧିକ ରହିବ । ସ୍ପିନରମାନେ ପିଚ୍‌ରୁ  ଭରପୁର ଫାଇଦା ଉଠାଇ ପାରିବେ ।

ସମ୍ଭାବ୍ୟ ଦଳ

ଭାରତ: ରୋହିତ ଶର୍ମା(ଅଧିନାୟକ),  ବିରାଟ କୋହଲି, ରିଷଭ ପନ୍ତ, ସୂର୍ଯ୍ୟକୁମାର  ଯାଦବ, ଶିବମ ଦୁବେ, ହାର୍ଦ୍ଦିକ ପାଣ୍ଡ୍ୟା,  ରବିନ୍ଦ୍ର ଜାଡେଜା, ଅକ୍ଷର ପଟେଲ, କୁଲଦୀପ  ଯାଦବ, ଅର୍ଶଦୀପ ସିଂହ, ଯଶପ୍ରୀତ ବୁମରା । 

 ଇଂଲଣ୍ଡ: ଫିଲ ସଲ୍ଟ, ଜୋସ ବଟଲର  (ଅଧିନାୟକ), ଜନି ବେୟାରଷ୍ଟୋ, ହ୍ୟାରୀ  ବ୍ରୁକ୍‌, ମୋଇନ ଅଲି, ଲାଏମ ଲିଭିଙ୍ଗଷ୍ଟୋନ,  ସାମ କୁରାନ, କ୍ରିସ ଜୋର୍ଡାନ, ଜୋଫ୍ରା  ଆର୍ଚର, ଆଦିଲ ରସିଦ, ରିସ ଟପଲି ।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.