ମାଲକାନଗିରି/ କାଲିମେଳା : କାଳବୈଶାଖୀର ତାଣ୍ଡବରେ ଟାଗୁରକୋଟା ପଥର ପାହାଡ଼ ଉପରେ ଥିବା ୨୫ଫୁଟ ଉଚ୍ଚର ଶିବମୂର୍ତ୍ତି ଭାଙ୍ଗି ଭୁଶୁଡି ପଡ଼ିଛି। ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ମାନ୍ୟକୋଣ୍ଡା ପଞ୍ଚାୟତର ଟାଗୁରକୋଟା ଗ୍ରାମ ନିକଟସ୍ଥ ପଥର ପାହାଡ଼ ଉପରେ ଏକ ପର୍ଯ୍ୟଟନସ୍ଥଳୀ କରିବା ଉଦ୍ଦେଶ୍ୟରେ , ଗତ ୨୦୨୩ ମସିହାରେ ବ୍ଲକ ପକ୍ଷରୁ ଲକ୍ଷାଧିକ ଟଙ୍କା ବ୍ୟୟରେ ୨୫ ଫୁଟ୍ ଉଚ୍ଚର ଏକ ଶିବ ମୂର୍ତ୍ତି ନିର୍ମାଣ ହୋଇଥିଲା।
ତେବେ କାମ ନିମ୍ନମାନର ଓ ରକ୍ଷଣାବେକ୍ଷଣ ଅଭାବରୁ ସାମାନ୍ୟ କାଳବୈଶାଖୀ ଝଡ଼ ତୋଫାନରେ ଗତ ମଙ୍ଗଳବାର ସନ୍ଧ୍ୟାରେ ମୂର୍ତ୍ତିଟି ଭାଙ୍ଗି ପଡ଼ିଥିଲା। ଏପର୍ଯ୍ୟନ୍ତ କୌଣସି ଅଧିକାରୀ ମୂର୍ତ୍ତି ନିର୍ମାଣ କିମ୍ବା ରକ୍ଷଣାବେକ୍ଷଣ କଥା ବୁଝି ନଥିବା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି।
କାଳବୈଶାଖୀ ପ୍ରଭାବରେ ମୂର୍ତ୍ତିଟି ଭାଙ୍ଗି ଯାଇ ତଳେ ପଡ଼ି ଯାଇଥିଲା। ବ୍ଲକ ପ୍ରଶାସନ ପକ୍ଷରୁ ଲକ୍ଷାଧିକ ଟଙ୍କା ବ୍ୟୟରେ ଏହି ପ୍ରତିମୂର୍ତ୍ତି ନିର୍ମାଣ କାମ ଆରମ୍ଭ କରାଯାଇଥିଲା। କିନ୍ତୁ ପ୍ରଶାସନିକ ଅବହେଳା କାରଣରୁ ବହୁ ଦିନ ହେଲା ଏହି କାମ ବନ୍ଦ ରହିଥିଲା। ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ପାହାଡ଼ ଉପରେ ଏହି ମହାଦେବଙ୍କ ବିରାଟ ମୂର୍ତ୍ତି ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ଦର୍ଶକଙ୍କୁ ଆକୃଷ୍ଟ ପୂର୍ବରୁ ଏହି ଶିବଙ୍କ ମୂର୍ତ୍ତି ଭାଙ୍ଗି ଗଲା।