ଭୁବନେଶ୍ୱର,୧୪/୦୨: କୋଇଲା ବୋଝେଇ ଟ୍ରେନ୍ରୁ ପାଲ ଚୋରି କରିବା ବେଳେ ଅଘଟଣ । ଟ୍ରେନ୍ ଉପରେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜିଅନ୍ତା ଜଳିଗଲେ ଯୁବକ । ଯୁବକଙ୍କ ପରିଚୟ ମିଳି ନଥିବା ବେଳେ ସେ ଛ ଗାଁର ବାସିନ୍ଦା ବୋଲି ସନ୍ଦେହ କରାଯାଉଛି । କଟକ ଜିଲ୍ଲା ଗୁରୁଡ଼ିଝାଟିଆ ରେଳ ଷ୍ଟେସନ୍ ନିକଟ ପାର୍କିଂରେ ଏଭଳି ଘଟଣା ଘଟିଥିବାର ଖବର ସାମ୍ନାକୁ ଆସିଛି ।
ସୂଚନା ମୁତାବକ, ଶୁକ୍ରବାର ସକାଳ ସମୟରେ ଜଣେ ଯୁବକ କୋଇଲା ବୋଝେଇ ଟ୍ରେନ୍ରୁ ପାଲକୁ ଚୋରି କରିବା ସମୟରେ ବିଦ୍ୟୁତ ସଂସ୍ପର୍ଶରେ ଆସିଥିଲେ । ଫଳରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଘଟଣା ସ୍ଥଳରେ ଜୀବନ୍ତ ଦଗ୍ଧ ହୋଇ ଯାଇଥିଲେ । ଏହା ଦେଖି ସ୍ଥାନୀୟଲୋକେ ତୁରନ୍ତ ଦୌଡ଼ି ଆସିଥିଲେ । ଲୋକେ ଆସି ପହଞ୍ଚିଲା ବେଳକୁ ଯୁବକଙ୍କ ଅର୍ଦ୍ଧ ଦଗ୍ଧ ଶରୀର ହୁତୁହୁତୁ ହୋଇ ଜଳୁଛି । ଏହା ଦେଖି ତୁରନ୍ତ ରେଲୱେ ପୋଲିସ ଏବଂ ରେଲ ବିଭାଗର ଅଧିକାରୀଙ୍କୁ ଖବର ଦେଇଥିଲେ । ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ରେଲୱେ ପୋଲିସ ଏବଂ ରେଳ ବିଭାଗର ଅଧିକାରୀ ତଦନ୍ତ ଆରମ୍ଭ କରିଛି ।