ରିଆମାଳ,୧୦/୦୨: ଦେବଗଡ଼ ଜିଲ୍ଲା ରିଆମାଳ ଥାନା ଅନ୍ତର୍ଗତ କୁଣଝରଣ ବୁଚାକଟେଇ ନିକଟରେ ରବିବାର ରାତିରେ ଏକ ଟ୍ରକ୍ ଧକ୍କାରେ କତରାପାଲି ଗ୍ରାମର ଜନୈକ ଯୁବକଙ୍କ ମୃତ୍ୟୁ ଘଟିଛି । ମୃତକ କତରାପାଲି ଗ୍ରାମର ସ୍ୱର୍ଗତ ଚିନ୍ତାମଣି ପ୍ରଧାନଙ୍କ ପୁଅ ଆଲୋକ କୁମାର ପ୍ରଧାନ (୩୦) ବୋଲି ଜଣାପଡ଼ିଛି । ଦେବଗଡ଼ ଜିଲ୍ଲାରେ ଏଭଳି ଘଟଣା ଘଟିଥିବାର ଖବର ସାମ୍ନାକୁ ଆସିଛି ।
ସୂଚନା ମୁତାବକ, ରବିବାର ରାତି ୮ଟା ବେଳକୁ ଯୁବକ ଜଣକ କୁଣଝରଣ ବୁଚାକଟେଇକୁ ଯାଇଥିଲେ । ସେ ଘରକୁ ଫେରିବା ସମୟରେ ଏକ ଟ୍ରକ୍ ହଠାତ ତାଙ୍କୁ ବାଇକ ସହିତ ଚାପିଦେଇ ଦ୍ରୁତ ଗତିରେ ଫେରାର ମାରିଥିଲା । ଉକ୍ତ ଗାଡି ଡ୍ରାଇଭର କତରାପାଲି କିସାନ ସାହିର ହୋଇଥିବା ବେଳେ ଆଗରୁ ଆଲୋକଙ୍କ ସହିତ ତାଙ୍କର ଶତ୍ରୁତା ଥିଲା । ଏହି ଦୁର୍ଘଟଣା ଏକ ସୁଚିନ୍ତିତ ହତ୍ୟା ବୋଲି ଅଞ୍ଚଳରେ ଚର୍ଚ୍ଚା ହେଉଛି । ଦୁର୍ଘଟଣା ପରେ ଘଟଣା ସ୍ଥଳରେ ଉପସ୍ଥିତ ଲୋକମାନେ ଆଲୋକକୁ ପ୍ରଥମେ ନିକଟସ୍ଥ ଛତାବର ଡାକ୍ତରଖାନା ଏବଂ ପରେ ଦେବଗଡ଼ ନେଉଥିବା ବେଳେ ବାଟରେ ତାଙ୍କର ମୃତ୍ୟୁ ହୋଇଥିଲା । ପରିବାର ଲୋକେ ରିଆମାଳ ଥାନାରେ ଏତଲା ଦେବାପରେ ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଦେବଗଡ଼ ପଠାଇ ତଦନ୍ତ କରୁଥିବା କହିଛି ।