ନୂଆଦିଲ୍ଲୀ – ଗରମରେ ସିଝୁ ଥିବା ଦିଲ୍ଲୀ-ଏନସିଆରରେ ବୁଧବାର ବର୍ଷା ଆଶ୍ୱସ୍ତି ଠାରୁ ଅଧିକ ସମସ୍ୟା ଆଣି ଦେଇଛି। ଏହି ସିଜନରେ ଏଠାରେ ବର୍ତ୍ତମାନ ସୁଦ୍ଧା ସବୁଠୁ ଭୟଙ୍କର ବର୍ଷାର ରେକର୍ଡ କରାଯାଇଛି। କମ୍ ସମୟର ବର୍ଷା ସଡ଼କ ସବୁକୁ ସମୁଦ୍ରରେ ପରିଣତ କରି ଦେଇଛି। ଗାଜିପୁରରେ ଜଣେ ମହିଳା ଓ ତାଙ୍କର ୩ବର୍ଷିୟ ପିଲାର ମୃତ୍ୟୁ ହୋଇ ଯାଇଛି।
ପାଣିପାଗ ବିଭାଗ ମୁତାବିକ, ଦିଲ୍ଲୀ –ଏନସିଆରର ଅନେକ ଅଞ୍ଚଳ ଏମିତି ଥିଲା, ଯେଉଁଠି ସାରା ଦେଶରେ ୧୦୦ ମିମିରୁ ଅଧିକ ବର୍ଷା ରେକର୍ଡ କରାଯାଇଛି। ଯେତେବେଳେ ଘଣ୍ଟାଏ ଭିତରେ ୧୦୦ ମିମିରୁ ଅଧିକ ବର୍ଷା ହୁଏ, ଏହାକୁ ବାଦଲ ଫଟା ଭଳି ବର୍ଷା ଭାବେ ମନେକରାଯିବ।
ଏତେ ଅଧିକ ବର୍ଷ ହେବାରେ ଦିଲ୍ଲୀରେ ଅଧିକାଂଶ ଅଞ୍ଚଳରେ ଜଳମଗ୍ନ ହୋଇ ଯାଇଛି। ଦିଲ୍ଲୀ –ଏନସିଆରରେ ସଡ଼କ ଗୁଡ଼ିକରେ ଜାମ୍ ସ୍ଥିତି ଉପୁଜୁଛି। ଏହାପରେ ପାଣିପାଗ ବିଭାଗ ରେଡ୍ ଆଲର୍ଟ ମଧ୍ୟ ଜାରି କରିଛି। ଏହାକୁ ଦେଖି ଗୁରୁବାର ଦିଲ୍ଲୀରେ ସ୍କୁଲ-କଲେଜ୍ ଗୁଡ଼ିକୁ ଛୁଟି ଘୋଷଣା କରି ଦିଆ ଯାଇଛି।
ପାଣିପାଗ ବିଭାଗ ମୁତାବିକ , ବୁଧବାର ପୂର୍ବ ଦିଲ୍ଲୀରେ ୧୪୭.୫ ମିମି ଓ ଦକ୍ଷିଣ-ପଶ୍ଚିମ ଦିଲ୍ଲୀରେ ୧୧୩ ମିମି ବର୍ଷା ରେକର୍ଡ କରାଯାଇଛି। ଏତେ ଅଧିକ ବର୍ଷା କାରଣରୁ ଦିଲ୍ଲୀ ଏୟାରପୋର୍ଟରେ ଅବତରଣ କରିବାକୁ ଥିବା ଅତି କମ୍ରେ ୧୦ଟି ଫ୍ଲାଇଟକୁ ଡାଇଭର୍ଟ କରାଯାଇଛି। ୮ଟି ଜୟପୁରରେ ଓ ୨ଟି ଲକ୍ଷ୍ନୌ ଏୟାରପୋର୍ଟରେ ଅବତରଣ କରିଛି।
ଓଲ୍ଡ ରାଜେନ୍ଦ୍ର ନଗରରେ ଆଣ୍ଠୁଏ ପାଣି ଭରି ଯାଇଛି। ଏଠାର ଏକ କୋଚିଂ ସେଣ୍ଟରରେ କିଛି ଦିନ ପୂର୍ବେ ବେସ୍ମେଣ୍ଟରେ ପାଣି ଭରି ଯିବାରୁ ୩ଜଣ ଷ୍ଟୁଡେଣ୍ଟଙ୍କ ମୃତ୍ୟୁ ହୋଇ ଯାଇଥିଲା। କନାଟ ପ୍ଲେସ୍ରେ ମଧ୍ୟ ଶୋରୁମ୍ ଓ ରେଷ୍ଟୁରାଣ୍ଟରେ ପାଣି ପଶି ଯାଇଛି। ଦିଲ୍ଲୀ ନଗର ନିଗମ (ଏମସିଡି ) କହିଛି କି ପ୍ରବଳ ବର୍ଷା ଯୋଗୁଁ ପାଣି ଭରି ଯିବା ଯୋଗୁଁ , ଆଉ ୪ଟି ଗଛ ଖସି ପଡ଼ିବାର ୩ଟି କଲ୍ ମିଳିଥିଲା। ଏହାସହ ପୂରା ଦିଲ୍ଲୀର ଅନେକ ଅଞ୍ଚଳରେ ବିଜୁଳି କାଟ୍ ବି ହୋଇଛି।
ପୁରୁଣା ଦିଲ୍ଲୀର ଦରିଆଗଞ୍ଜରେ ଏକ ସ୍କୁଲ୍ର ବାଉଣ୍ଡ୍ରିୱାଲ ବାହାରେ ଠିଆ ହୋଇଥିବା ଗାଡ଼ି ଗୁଡ଼ିକ ଉପରେ ଖସି ପଡ଼ିଛି। ଏଠାରେ ସଡ଼କ ଧସିବାର ଘଟଣା ମଧ୍ୟ ସାମନାକୁ ଆସିଛି। ଦକ୍ଷିଣ ଦିଲ୍ଲୀର ଛତରପୁରରେ ସଡକ ଗୁଡ଼ିକ ଉପରେ ଗାଡ଼ି ସବୁ ଭାସିବାର ନଜର ଆସିଛି। ପ୍ରଗତି ମୈଦାନ ଟନେଲ୍ରେ ମଧ୍ୟ ପାଣି ଭରି ଯିବାରୁ ଆତଙ୍କ ସ୍ଥିତି ସୃଷ୍ଟି ହୋଇଛି। ଗୁରୁବାର ପାଣିପାଗ ବିଭାଗ ରେଡ୍ ଆଲର୍ଟ ଜାରି କରି କହିଛି , ୫ ଅଗଷ୍ଟ ଯାଏ ଦିଲ୍ଲୀରେ ବର୍ଷା ସମ୍ଭାନା ରହିଛି।
ପ୍ରତିବର୍ଷ କାହିଁକି ବୁଡୁଛି ଦିଲ୍ଲୀ ?
ଦିଲ୍ଲୀ –ଏନସିଆରରେ ବୁଧବାର ଯେଉଁ ପ୍ରକାରର ବର୍ଷା ହୋଇଛି ଏବଂ ଏହାପରେ ଯେମିତି ସ୍ଥିତି ଉପୁଜିଛି , ତାହା ଏଠାରେ ରହୁଥିବା ଲୋକଙ୍କ ପାଇଁ ନୂଆ କଥା ନୁହେଁ । ଦିଲ୍ଲୀ ଏନସିଆରରେ ପ୍ରତି ବର୍ଷା ଏହି ପ୍ରକାରର ସ୍ଥିତି ଉପୁଜିଛି।
ଏହାର ଏକ ବଡ଼ କାରଣ ଏହା କି ଦିଲ୍ଲୀ ଖୁବ୍ ଜୋରରେ ସହରୀକରଣ ଆଡ଼କୁ ଗତି କରୁଛି। ଦିଲ୍ଲୀ ସରକାରର ଆର୍ଥିକ ସର୍ଭେ ମୁତାବିକ , ୧୯୯୧ ରୁ ୨୦୧୧ ମଧ୍ୟରେ ୨୦ ବର୍ଷରେ ରାଜଧାନୀରେ ସହରୀକରଣର ପରିସର ଦୁଇଗୁଣା ହୋଇ ଯାଇଛି। ୧୯୯୧ରେ ଦିଲ୍ଲୀରେ ସହରୀ ଅଞ୍ଚଳ ୬୮୫ ବର୍ଗ କିଲୋମିଟର ଥିଲା , ଯାହା ୨୦୧୧ ରେ ବୃଦ୍ଧି ପାଇଁ ୧,୧୧୩ ବର୍ଗ କିଲୋମିଟରରୁ ଅଧିକ ହୋଇ ଯାଇଛି।
ପ୍ଲାନିଂରେ ହୋଇଛି କି ଗଡ଼ବଡ଼ –
୧୯୧୨ରେ ଇଂରେଜମାନେ ଦିଲ୍ଲୀକୁ ନିଜର ରାଜଧାନୀ କରିବାର ନିଷ୍ପତ୍ତି ନେଇ ଥିଲେ। ଦିଲ୍ଲୀକୁ ରାଜଧାନୀ ଭାବେ ପ୍ରସ୍ତୁତ କରିବାର ଦାୟିତ୍ୱ ବ୍ରିଟିଶ ଆର୍କିଟେକ୍ଟ ଏଡଭର୍ଡ ଲୁଟିୟନ୍ସଙ୍କୁ ଦିଆଯାଇ ଥିଲା। କୁହାଯାଏ କି, ଲୁଟୟନ୍ସଙ୍କୁ ଜଣାଥିଲା କି ଯମୁନା ନଦୀ ପ୍ରତିବର୍ଷ ଦିଲ୍ଲୀରେ ବନ୍ୟା କାରଣ ସାଜିବ, କିନ୍ତୁ ତାଙ୍କର ଏହି ଚିନ୍ତାକୁ ନଜର ଅନ୍ଦାଜ କରିଦିଆ ଯାଇଛି , କାରଣ କିଙ୍ଗ୍ ଜର୍ଜ ଭି ଏହାର ଭିତ୍ତି ପ୍ରସ୍ଥର ସ୍ଥାପନ କରିଥିଲେ।
ଦିଲ୍ଲୀ ଡେଭଲପମେଣ୍ଟ ଅଥୋରିଟି (ଡିଡିଏ)ର ପୂର୍ବତନ କମିଶନର ଏକେ ଜୈନ ଏନଡିଟିଭିକୁ କହିଥିଲେ କି ସ୍ୱାଧିନତା ପରେ ଦିଲ୍ଲୀର ପ୍ରଥମ ମାଷ୍ଟର ପ୍ଲାନ୍ ୧୯୬୨ ରେ ପ୍ରସ୍ତୁତ କରାଯାଇ ଥିଲା। ଏହି ପ୍ଲାନ୍ରେ ଯମୁନା ନଦୀକୁ ଖାଲି ସ୍ଥାନ ଭାବେ ଦର୍ଶା ଯାଇଥିଲା। ସେ କହିଥିଲେ କି ଦିଲ୍ଲୀକୁ ନିଜର ବିକାଶରେ ଭୌଗୋଳିକ ଚ୍ୟାଲେଞ୍ଜର ସାମନା କରିବାକୁ ପଡ଼ିବ, କାରଣ ଏହାର ଏକପଟେ ନଦୀ ଓ ଅନ୍ୟ ପଟେ ପାହାଡ଼ ଅଛି।
ଦିଲ୍ଲୀ ଆଜି ବି ଅନେକ ଦଶକ ପୁରୁଣା ଡ୍ରେନେଜ୍ ସିଷ୍ଟମରେ ରହିଛି । ଶେଷ ଥର ୧୯୭୬ରେ ଦିଲ୍ଲୀର ଡ୍ରେନେଜ୍ ସିଷ୍ଟମ ପ୍ଲାନ୍ ପ୍ରସ୍ତୁତ ହୋଇ ଥିଲା। ସେତେବେଳେ ଦିଲ୍ଲୀର ଜନସଂଖ୍ୟା ୪୦ ଲକ୍ଷର ପାଖାପାଖି ଥିଲା, କିନ୍ତୁ ଏବେ ୩ କୋଟିରୁ ଅଧିକ ଲୋକ ରାଜଧାନୀରେ ରହୁଛନ୍ତି।
୧୯୭୬ରେ ଯେଉଁ ଡ୍ରେନେଜ୍ ସିଷ୍ଟମ ପ୍ରସ୍ତୁତ କରାଯାଇ ଥିଲା, ତାହା ୨୪ ଘଣ୍ଟାରେ ୫୦ ମିମିର ବର୍ଷାକୁ ଆୟତ୍ତ କରିପାରେ, କିନ୍ତୁ ଆଜିକା ସମୟରେ ୧୦୦ ମିମିରୁ ଅଧିକ ବର୍ଷା ତ ସାରା ଦେଶରେ ହେଉଛି। ପୁରୁଣା ଡ୍ରେନେଜ୍ ସିଷ୍ଟମର ସାହାଯ୍ୟ ପାଇଁ ସ୍ୱରେଜ୍ ଓ ଡ୍ରେନେଜ୍ ନେଟୱର୍କ ପ୍ରସ୍ତୁତ କରାଯାଇଛି। କିନ୍ତୁ ଏଥିରେ ବ୍ୟାକଫ୍ଲୋ ହେବାର ସମସ୍ୟା ମଧ୍ୟ ସୃଷ୍ଟି ହୁଏ ।
ସୂଚନାକାରୀଙ୍କ ଅନୁସାରେ , ଯେବେ ଡ୍ରେନେଜ୍ ମାଷ୍ଟର ପ୍ଲାନ୍ ପ୍ରସ୍ତୁତ କରାଯାଇ ଥିଲା ,ସେତେବେଳେ ଦିଲ୍ଲୀର ସେତେବେଳର ଜନସଂଖାକୁ ଧ୍ୟାନରେ ରଖି ତିଆରି କରାଯାଇ ଥିଲା। କିନ୍ତୁ ଏବେ ବହୁତ କିଛି ବଦଳି ଯାଇଛି। ସେବେଠାରୁ ଏପର୍ଯ୍ୟନ୍ତ ଜନସଂଖ୍ୟା ଅନେକ ବଢି ଯାଇଛି।
ବର୍ତ୍ତମାନ ଦିଲ୍ଲୀର ଡ୍ରେନେଜ୍ ସିଷ୍ଟମ ଆକାର ବୃଦ୍ଧି କରାଇବାର ଆବଶ୍ୟକ ରହିଛି। ଏହାସହ ଏମିତି ବ୍ୟବସ୍ଥା କରିବାକୁ ମଧ୍ୟ ଆବଶ୍ୟକ ଯାହାକି ବର୍ଷା ପାଣି ମାଟିକୁ ଯାଇପାରେ।