ଭୁବନେଶ୍ୱର ୨୪/୦୨: କିଡ୍ନୀ ଷ୍ଟୋନ୍ ବା ପଥୁରୀ ରୋଗ ମୂତ୍ରନଳୀକୁ ସଂକ୍ରମିତ କରିଥାଏ । ଠିକ୍ ସମୟରେ ଚିକିତ୍ସା ନହେଲେ ଏହା କିଡ୍ନୀ(ବୃକ୍କ) ପାଇଁ କ୍ଷତିକାରଣ ସାବ୍ୟସ୍ତ ହୋଇଥାଏ । କିଡ୍ନୀ ପଥୁରୀ ରୋଗ ହେଉଛି କିଡ୍ନୀ ଭିତରେ ସୃଷ୍ଟି ହେଉଥିବା ସ୍ପଟିକ ପରି କିଛି ପଦାର୍ଥ । ଏହି ସ୍ପଟିକଗୁଡ଼ିକ ଯେପର୍ଯ୍ୟନ୍ତ କିଡ୍ନୀ ଭିତରେ ଘୂରି ବୁଲିବେ ନାହିଁ କିମ୍ବା ୟୁରେଟର ଭିତରକୁ ଯାଇ ନଥିବେ ତାହେଲେ ଯନ୍ତ୍ରଣା ଜଣାପଡ଼ିବ ନାହିଁ । ୟୁରେଟର ହେଉଛି କିଡ୍ନୀ ଓ ବ୍ଲାଡରକୁ ସଂଯୋଗ କରୁଥିବା ଟ୍ୟୁବ୍ । କିଡ୍ନୀ ପଥର ଯଦି ୟୁରେଟର ଭିତରେ ରହିଯାଏ ଏହା ପରିସ୍ରା ପ୍ରବାହକୁ ଅବରୋଧ କରିଦିଏ । ଏପରିକି କିଡ୍ନୀ ଫୁଲିଯାଏ । ଯାହା ଅତ୍ୟନ୍ତ ଯନ୍ତ୍ରଣାଦାୟକ ହୋଇପାରେ । ସେହି ସମୟରେ, ପଥୁରୀର ଲକ୍ଷଣ ପ୍ରକାଶ ପାଏ ।
ଲକ୍ଷଣ
ପେଟ, ପିଠିରେ ତୀବ୍ର ଯନ୍ତ୍ରଣା ହୋଇ ତଳି ପେଟକୁ ବ୍ୟାପିଥାଏ । ପରିସ୍ରା କରିବା ସମୟରେ ଯନ୍ତ୍ରଣା କିମ୍ବା ଜଳିବା ପରି ଅନୁଭବ ହୁଏ ।ତାଛଡ଼ା ଗୋଲାପୀ, ନାଲି କିମ୍ବା ବାଦାମୀ ପରିସ୍ରା ହୋଇପାରେ । ବାରମ୍ବାର ପରିସ୍ରା ଲାଗେ ଏବଂ ଦୁର୍ଗନ୍ଧ ହୁଏ । ସଂକ୍ରମଣ ହେଲେ ସାଧାରଣଠାରୁ ଅଧିକ ବା ଅଳ୍ପ ଅଳ୍ପ ପରିସ୍ରା ହୁଏ । ବାନ୍ତି ଲାଗେ, ଜ୍ୱର ବି ହୁଏ ।
ସତର୍କତା ଓ ଚିକିତ୍ସା
ପଥୁରୀ ରୋଗ ପାଇଁ ସତର୍କ ରହିବାକୁ ହେଲେ ପ୍ରଚୁର ପାଣି ପିଅନ୍ତୁ । ପ୍ରତିଦିନ ପର୍ଯ୍ୟାପ୍ତ ପରିମାଣର ପାଣି ନ ପିଇବା ଦ୍ୱାରା କିଡ୍ନୀରେ ପଥର ହେବାର ଆଶଙ୍କା ହୋଇପାରେ ।
ଯେଉଁମାନେ ଉଷୁମ, ଶୁଖିଲା ଜଳବାୟୁରେ ବାସ କରନ୍ତି ଅଥବା ଦେହରୁ ଅଧିକ ଝାଳ ବାହାରେ ସେମାନେ ଅନ୍ୟମାନଙ୍କ ତୁଳନାରେ ଅଧିକ ବିପଦଗ୍ରସ୍ତ ହୋଇପାରନ୍ତି ।
କୁକୁଡ଼ା ବା ଖାସି ମାଂସ କମ୍ ଖାଆନ୍ତୁ । ଅଧିକ ଲୁଣ ଓ ଚିନିଯୁକ୍ତ ଖାଦ୍ୟ ଖାଇବେ ନାହିଁ ।
ଓଜନ ଅଧିକ ନ ବଢ଼ିବା ପାଇଁ ଚେଷ୍ଟା କରିବେ । ଅଧିକ କ୍ୟାଲସିୟମ ଉତ୍ସ ଥିବା ଖାଦ୍ୟ କିଡ୍ନୀ ଷ୍ଟୋନକୁ ରୋକିବାରେ ସାହାଯ୍ୟ କରିଥାଏ।
କ୍ୟାଲସିୟମ ସପ୍ଲିମେଣ୍ଟ ସହିତ ଆଣ୍ଟାସିଡ ଖାଇବା ଠିକ୍ ନୁହେଁ । ତେବେ ସବୁ ସମୟରେ ଡାକ୍ତରଙ୍କ ପରାମର୍ଶ ନେଇ ଔଷଧ ଖାଇବା ଦରକାର ।
ବେଳେ ବେଳେ କିଡ୍ନୀରେ ଛୋଟ ପଥର ଥିଲେ । ଆପେ ପରିସ୍ରାରେ ବାହାରି ଯାଇପାରେ । ବଡ଼ ପଥରଗୁଡିକ କ୍ଷେତ୍ରରେ ଚିକିତ୍ସା ଆବଶ୍ୟକ ହୁଏ ।
କିଡ୍ନୀ ଷ୍ଟୋନକୁ ମେଡିସିନ୍ ଦ୍ୱାରା ଚିକିତ୍ସା କରାଯାଇପାରିବ । କିନ୍ତୁ ୟୁରୋଲୋଜିଷ୍ଟଙ୍କ ପରାମର୍ଶ ନେଇ ଔଷଧ ବା ଅସ୍ତ୍ରୋପଚାର ଯାହା ଦରକାର କରିପାରିବେ ।
ଡାକ୍ତର ଆଦିତ୍ୟ ପ୍ରସାଦ ପାଢ଼ୀ
ୟୁରୋଆଣ୍ଡ୍ରୋଲୋଜିଷ୍ଟ୍, ସହକାରୀ ପ୍ରଫେସର,
ସମ୍ ହସ୍ପିଟାଲ୍, ଫୁଲନଖରା