ସାଧାରଣତଃ ଅନେକ ଲୋକ ଚା’ ପିଇବାକୁ ପସନ୍ଦ କରନ୍ତି । ସେମାନଙ୍କ ଦିନ ଏକ କପ୍ ଚା' ସହ ଆରମ୍ଭ ହୋଇଥାଏ । ଅନେକ ଲୋକ ଅଦାରେ ପ୍ରସ୍ତୁତ ହୋଇଥିବା ଚା' ପିଇବାକୁ ପସନ୍ଦ କରିଥାନ୍ତି । କାରଣ ଅଦାରେ ପ୍ରସ୍ତୁତ ଚା’ରେ ଏମିତି କିଛି ଔଷଧୀୟ ଗୁଣ ରହିଛି, ଯାହା ସ୍ୱାଦକୁ ଦ୍ୱିଗୁଣିତ କରିବା ସହ ସ୍ଵାସ୍ଥ୍ୟ ପାଇଁ ମଧ୍ୟ ବେଶ୍ ଉପକାରୀ ହୋଇଥାଏ । ତେଣୁ ଲୋକେ ସକାଳେ ଅଦାରେ ପ୍ରସ୍ତୁତ ଚା’ ପିଇବାକୁ ପସନ୍ଦ କରନ୍ତି । ସକାଳୁ ସକାଳୁ ଅଦାରେ ପ୍ରସ୍ତୁତ ଚା’ ପିଇବା ସ୍ଵାସ୍ଥ୍ୟ ପାଇଁ କେତେ ଉପକାରୀ, ଆସନ୍ତୁ ସେ ବିଷୟରେ ଜାଣିବା ।
ଅଦାରେ ପ୍ରସ୍ତୁତ ଚା’ ପିଇ ଦିନ ଆରମ୍ଭ କରିବା ଦ୍ଵାରା ଆପଣଙ୍କର ହଜମ ପ୍ରକ୍ରିୟା ଉନ୍ନତ ହୋଇଥାଏ । ସେହିପରି ଥଣ୍ଡା, କାଶ ସମୟରେ ଅଦାରେ ପ୍ରସ୍ତୁତ ଚା’ ପିଇବାର ଲାଭ ବିଷୟରେ ତ ସମସ୍ତେ ଜାଣିଛନ୍ତି । ଥଣ୍ଡା ହୋଇଥିବା ସମୟରେ କିମ୍ୱା ଶରୀର ଅସୁସ୍ଥ ଥିବା ବେଳେ ଯଦି ଆପଣ ଅଦାରେ ପ୍ରସ୍ତୁତ ଚା’ ପିଉଛନ୍ତି, ତେବେ ଏହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ବହୁ ମାତ୍ରାରେ ଲାଭଦାୟକ ହୋଇଥାଏ । ଏହା ଶରୀରରେ ଥଣ୍ଡା କମାଇବା ସହ ଶାରିରୀକ ଯନ୍ତ୍ରଣାରୁ ମଧ୍ୟ ମୁକ୍ତି ଦେଇଥାଏ । ଥଣ୍ଡା ହୋଇଥିବା ବେଳେ ଅନେକ ସମୟରେ ମୁଣ୍ଡ ମଧ୍ୟ ବିନ୍ଧା ହୋଇଥାଏ । ଏହି ଚା’ ମୁଣ୍ଡ ବିନ୍ଧାରୁ ମଧ୍ୟ ମୁକ୍ତି ଦେଇଥାଏ । କେବଳ ସେତିକି ନୁହେଁ, ଏହି ଚା’ର ଆହୁରି ଅନେକ ଉପକାରିତା ରହିଛି ।
ଗଳା ସଂକ୍ରମଣ କମ୍ କରିବାରେ ସାହାଯ୍ୟ କରେ-
ଅଦାରେ ପ୍ରସ୍ତୁତ ଚା’ ପିଇବା ଦ୍ଵାରା ଗଳା ସଂକ୍ରମଣ କମିବାରେ ସହାୟକ ହୋଇଥାଏ । ଏହା ସହ କଫ ବାହାର କରିବାରେ ମଧ୍ୟ ସାହାଯ୍ୟ କରିଥାଏ । ଅତ୍ୟଧିକ ଥଣ୍ଡା ଯୋଗୁଁ ହେଉଥିବା ଗଳା ଯନ୍ତ୍ରଣା ମଧ୍ୟ ଦୂର କରିଥାଏ।
ଓଜନ କମାଇଥାଏ-
ଓଜନ କମାଇବା ପାଇଁ ମଧ୍ୟ ଅଦା ଚା’ ସହାୟକ ହୋଇଥାଏ। ଏହି ଚା' ପିଇବା ଦ୍ଵାରା କ୍ୟାଲୋରୀ ଖୁବ୍ ଶୀଘ୍ର ନଷ୍ଟ ହୋଇଥାଏ । ଏହି ଚା’ ଚିନ୍ତା ଓ ଚାପ ଇତ୍ୟାଦି ମଧ୍ୟ ଦୂର କରିଥାଏ । କେବଳ ସେତିକି ନୁହେଁ, ଶରୀରର ଥକ୍କାପଣ ମଧ୍ୟ ଦୂର କରିଥାଏ ଅଦା ଚା’।
ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ-
ଅଦା ଆପଣଙ୍କ ରୋଗ ପ୍ରତିରୋଧକ କ୍ଷମତାକୁ ମଧ୍ୟ ମଜବୁତ କରିଥାଏ । ଏଥିରେ ଆଣ୍ଟି ଇନ୍ଫ୍ଲାମେଟୋରୀ ଏବଂ ଆଣ୍ଟି-ବ୍ୟାକ୍ଟେରିଆଲ ଗୁଣ ରହିଛି । ଯାହା ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ସାହାଯ୍ୟ କରିଥାଏ। ତେଣୁ ଆଦାରେ ପ୍ରସ୍ତୁତ ଚା' ସ୍ୱାସ୍ଥ୍ୟ ପାଇଁ ହିତକର ।
ଏହି ଚା’କୁ ଦିନସାରା ଦୁଇରୁ ତିନି କପ୍ ଆକାରରେ ଗ୍ରହଣ କରାଯାଇପାରେ । କିନ୍ତୁ ଯଦି ଆପଣ ଗ୍ୟାସ୍ କିମ୍ୱା ପେଟ ସମ୍ବନ୍ଧୀୟ ଅନ୍ୟ କୌଣସି ସମସ୍ୟା ଦେଇ ଗତି କରୁଥାନ୍ତି, ତେବେ ସେଭଳି ସ୍ଥିତିରେ ଏହାକୁ ସୀମିତ ପରିମାଣରେ ପିଅନ୍ତୁ। ଅଥବା ଡାକ୍ତରଙ୍କ ପରାମର୍ଶ ନେଇ ଏହାକୁ ଗ୍ରହଣ କରନ୍ତୁ ।