ଆଜିର ଏହି ବ୍ୟସ୍ତବହୁଳ ଜୀବନରେ ଅନେକ ରୋଗର ଶିକାର ହେଉଛନ୍ତି ଲୋକେ । ସେଥିରୁ ମୁକ୍ତି ପାଇବା ପାଇଁ ଅନେକ ଓୌଷଧ ମଧ୍ୟ ଖାଉଛନ୍ତି । ସ୍ୱାସ୍ଥ୍ୟ ପ୍ରତି ସମସ୍ତେ ସତର୍କ ହୋଇ ଦୈନନ୍ଦିନ ଜୀବନରେ ବଢୁଥିବା ରୋଗକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରୁଛନ୍ତି । ଆଜି ରକ୍ତଚାପ, ମଧୁମେହ ଏବଂ ଚର୍ମ ରୋଗ ଅତ୍ୟନ୍ତ ସାଧାରଣ ହୋଇଗଲାଣି । ଏସବୁକୁ ନିୟନ୍ତ୍ରଣ କରିବା ପାଇଁ ମଖାନା ଅତି ଲାଭଦାୟକ । ଏହାକୁ ନିଜ ଡାଏଟ୍ରେ ସାମିଲ କରିବା ଦ୍ୱାରା ସ୍ୱାସ୍ଥ୍ୟ ସମ୍ୱନ୍ଧୀୟ ଅନେକ ରୋଗରୁ ମୁକ୍ତି ମିଳିଥାଏ । ଏହାକୁ ସ୍ନାକ୍ସ ଆକାରରେ ମଧ୍ୟ ଗ୍ରହଣ କରାଯାଇଥାଏ । ମଖାନା ଖାଇବା ଦ୍ୱାରା ରକ୍ତରେ ଶର୍କରାର ପରିମାଣ କମିବା ସହ ଓଜନ ନିୟନ୍ତ୍ରଣ କରିବାରେ ମଧ୍ୟ ସାହାଜ୍ୟ ମିଳିଥାଏ । କେବଳ ସେତିକି ନୁହେଁ, ମଖାନାରେ ଆଣ୍ଟି ଏଜିଂ ପ୍ରପର୍ଟିଜ୍ ରହିଥିବାରୁ ଏହା ହୃତପିଣ୍ଡର ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଲାଭଦାୟକ ବୋଲି ବିବେଚନା କରାଯାଇଥାଏ । ମଖାନାରେ ପୋଷକ ତତ୍ତ୍ୱ ଭରପୁର ହୋଇ ରହିଥାଏ । ଏଥିରେ କାର୍ବୋହାଇଡ୍ରେଟ୍ସ ଏବଂ ଆହୁରି ଅନେକ ପ୍ରକାରର ମାଇକ୍ରୋ ନ୍ୟୁଟ୍ରିଏଣ୍ଟ୍ସ ମଧ୍ୟ ରହିଛି । ଏହା ସହ କ୍ୟାଲସିୟମ, ମ୍ୟାଗ୍ନେସିୟମ, ଆଇରନ୍ ଏବଂ ଫସ୍ଫରସ୍ର ମାତ୍ରା ସର୍ବାଧିକ ରହିଥାଏ । ମଖାନାକୁ ଆହାରରେ ସାମିଲ କରିବା ଦ୍ୱାରା କେଉଁ ସବୁ ଲାଭ ମିଳିଥାାଏ, ଆସନ୍ତୁ ସେ ବିଷୟରେ ଜାଣିବା।
ନିୟନ୍ତ୍ରଣ ହୋଇଥାଏ ରକ୍ତଚାପ-
ରକ୍ତଚାପ ଅଧିକ ଥିବା ବ୍ୟକ୍ତିଙ୍କ ପାଇଁ ମଖାନା ବେଶ୍ ଲାଭଦାୟକ ହୋଇଥାଏ । ନିଜ ଆହାରରେ ମଖାନା ସାମିଲ କରିବା ଦ୍ୱାରା ବହୁ ମାତ୍ରାରେ ସୁଲାଭ ମିଳିଥାଏ । କାରଣ ମଖାନାରେ ସୋଡ଼ିୟମ୍ର ମାତ୍ରା ବହୁତ କମ୍ ରହିବା ସହ ମ୍ୟାଗ୍ନେସିୟମ୍ର ପରିମାଣ ବହୁତ ଅଧିକ ରହିଥାଏ । ଯାହା ରକ୍ତଚାପକୁ ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ ।
ରକ୍ତରେ ଶର୍କରାର ପରିମାଣକୁ କରିଥାଏ ନିୟନ୍ତ୍ରଣ-
ମଧୁମେହ ରୋଗୀ ନିଜ ସ୍ୱାସ୍ଥ୍ୟର ବିଶେଷ ଧ୍ୟାନ ରଖିବା ଉଚିତ । କାରଣ ଜୀବନଶୈଳୀରେ ସାମାନ୍ୟ ପରିବର୍ତ୍ତନ ମଧୁମେହକୁ ବଢାଇ ଦେଇଥାଏ । ତେଣୁ ସେମାନଙ୍କ ସ୍ୱାସ୍ଥ୍ୟ ପାଇଁ ମଖାନା ଅତ୍ୟନ୍ତ ଫଳପ୍ରଦ ସାବ୍ୟସ୍ତ ହୋଇଥାଏ । କାରଣ ଏଥିରେ ଗାଇସେମିକ୍ ଇନଡେକ୍ସର ପରିମାଣ ବହୁତ କମ୍ ରହିଥାଏ । ଯାହା ମଧୁମେହ ରୋଗୀଙ୍କ ପାଇଁ ବହୁ ପରିମାଣରେ ଭଲ ହୋଇଥାଏ ।
ଚର୍ମ ପାଇଁ ଲାଭଦାୟକ-
ମଖାନା ଖାଇବା ଦ୍ୱାରା ଶରୀରର ଚର୍ମରେ ଉନ୍ନତି ହୋଇଥାଏ । କାରଣ ମଖାନାରେ ଅନେକ ଗୁଡ଼ିଏ ଏମିନୋ ଏସିଡ୍ ରହିଥାଏ । ଏହି ଏସିଡ୍ ଚର୍ମ ସ୍ୱାସ୍ଥ୍ୟର ଜତ୍ନ ନେବା ସହ ଏହାର ଟେକ୍ସଚର୍ ମଧ୍ୟ ଉନ୍ନତ କରିଥାଏ । ଏହା ଚର୍ମକୁ ନରମ କରିବା ସହ ଦାଗ ଇତ୍ୟାଦି ଦୂର କରିବାରେ ସହାୟକ ହୋଇଥାଏ । ଏହାକୁ ଖାଇବା ଦ୍ୱାରା ପୁରୁଷଙ୍କ ଟେଷ୍ଟୋଷ୍ଟେରୋନ୍ର ମାତ୍ରା ବଢିଥାଏ । ଯାହା ଦ୍ୱାରା ମାଂସପେଶୀ ସୁଦୃଢ ହୋଇଥାଏ । ଖାସ୍ କରି ଏହାକୁ ୱାର୍କ ଆଉଟ୍ କରିବା ପରେ ଖାଇବା ଦ୍ୱାରା ଅନେକ ଲାଭ ମିଳିଥାଏ ।
ମସ୍ତିଷ୍କ ଶାନ୍ତ କରିବା ସହ କମାଇଥାଏ ଓଜନ-
ରାତିରେ ଶୋଇବା ପୂର୍ବରୁ କ୍ଷୀରରେ ମଖାନା ମିଶାଇ ଗ୍ରହଣ କରିବା ଦ୍ୱାରା ଚିନ୍ତା ଏବଂ ଥକାପଣ ଦୂର ହୋଇଥାଏ । ଏହା ଆପଣଙ୍କ ମସ୍ତିଷ୍କକୁ ଶାନ୍ତ କରିବାରେ ମଧ୍ୟ ସାହାୟକ ହୋଇଥାଏ । ମଖାନାରେ ଅଧିକ ମାତ୍ରାରେ ଫାଇବର୍ ରହିବା ସହ ଏଥିରେ କ୍ୟାଲୋରି ମଧ୍ୟ କମ୍ ରହିଥାଏ । ଯାହା ଖାସ୍ କରି ଓଜନ କମାଇବାରେ ସହାୟକ ହୋଇଥାଏ । ଏହା ଶରୀରରେ ଭୋକକୁ ନିୟନ୍ତ୍ରଣ କରି ପେଟରେ ଫ୍ୟାଟ୍ର ଅବଶୋଷଣକୁ ମଧ୍ୟ କମାଇଥାଏ ।