ନୂଆଦିଲ୍ଲୀ, ୨୦।୨: ବର୍ତ୍ତମାନ ଅଧିକାଂଶ ଯୁବପିଢ଼ି ବିଳମ୍ୱିତ ରାତି ଯାଏ ଫୋନ୍ ଦେଖୁଛନ୍ତି । ଫୋନ୍ ଦେଖିସାରିବା ପରେ କେହି କେହି ମୁଣ୍ଡ ପାଖରେ କିମ୍ୱା ତକିଆ ତଳେ ଫୋନ୍ ରଖି ଶୋଇପଡ଼ନ୍ତି । ଆପଣ ବି ଏଭଳି କରୁଛନ୍ତି କି ? ତେବେ ହୋଇଯାନ୍ତୁ ସାବଧାନ ! ଏଥିପାଇଁ ଆପଣ ଡିପ୍ରେସନକୁ ଚାଲିଯାଇପାରନ୍ତି ! ଏମିତିକି ବ୍ରେନ୍ କ୍ୟାନସର ବି ହୋଇପାରେ ।
ଆଜିକାଲି ଛୋଟରୁ ବଡ଼ ପର୍ଯ୍ୟନ୍ତ ସମସ୍ତଙ୍କ ପାଖରେ ସ୍ମାର୍ଟଫୋନଟିଏ ନିହାତି ଥିବ । ସ୍ମାର୍ଟଫୋନ ଧରିବାରେ ଏମାନେ ଏମିତି ଅଭ୍ୟସ୍ତ ଯେ, ସକାଳୁ ଉଠିବା ପରେ ବି ଶୋଇ ଶୋଇ ଫୋନ୍ ଦେଖି ବେଡ୍ରେ ଘଣ୍ଟାଏ କାଟିବେ । ସକାଳ ଉଠିବାଠୁ ରାତିରେ ଶୋଇବା ପର୍ଯ୍ୟନ୍ତ ମୋବାଇଲ ବ୍ୟବହାର କରନ୍ତି । ବିଶେଷକରି ରାତିରେ ଶୋଇବା ସମୟରେ କିଛି ସମୟ ସ୍କ୍ରଲ୍ କରି ତକିଆ ତଳେ ରଖି ଶୋଇଥାନ୍ତି । ଯଦି ଆପଣ ବି ଏଭଳି କରୁଛନ୍ତି ତେବେ ହୋଇଯାନ୍ତୁ ସାବଧାନ । ଏଭଳି କରୁଥିଲେ କେବଳ ଶାରୀରିକ ନୁହେଁ ବରଂ ମାନସିକ ସ୍ବାସ୍ଥ୍ୟ ଉପରେ ବି ପଡ଼ିପାରେ ପ୍ରଭାବ । ସ୍ମାର୍ଟଫୋନରୁ ବାହାରୁଥିବା ବ୍ଲୁ ଲାଇଟ ମେଲାଟୋନିନ୍ ହରମୋନର ନିର୍ଗମନରେ ବାଧା ସୃଷ୍ଟି କରିପାରେ । ଏହା ନିଦକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ । ଫୋନର ଅତ୍ୟଧିକ ବ୍ୟବହାର ଅନିଦ୍ରା ସମସ୍ୟା ସୃଷ୍ଟି କରିବାର ସମ୍ଭାବନା ରହିଥାଏ ।
ଅଧ୍ୟୟନରୁ ଜଣାପଡ଼ିଛି ଯେ, ସ୍ମାର୍ଟଫୋନଗୁଡ଼ିକ ରେଡିଓଫ୍ରିକ୍ୱେନ୍ସି ବିକିରଣ ନିର୍ଗତ କରନ୍ତି, ଯାହାର ସଂସ୍ପର୍ଶରେ ମସ୍ତିଷ୍କ କର୍କଟ ଭଳି କିଛି ପ୍ରକାରର କର୍କଟ ରୋଗର ଆଶଙ୍କା ବଢ଼ିପାରେ । ଭବିଷ୍ୟତରେ ଏହା ବିପଜ୍ଜନକ ହୋଇପାରେ ବୋଲି କୁହାଯାଇଛି । କିଛି ଅଧ୍ୟୟନରୁ ଜଣାପଡ଼ିଛି ଯେ, ମୋବାଇଲ୍ ଫୋନ୍ ଏବଂ ଇଣ୍ଟରନେଟ୍ ସଂଯୋଗରୁ ନିର୍ଗତ ରେଡିଓଫ୍ରେକ୍ୱିନ୍ସି ବିକିରଣର ସଂସ୍ପର୍ଶରେ ଆସିବା ଦ୍ୱାରା ପୁରୁଷମାନଙ୍କଠାରେ ଶୁକ୍ରାଣୁ ଗୁଣବତ୍ତା ହ୍ରାସ ପାଇପାରେ । ଯାହା ପ୍ରଜନନ କ୍ଷମତା ହ୍ରାସ କରିପାରେ । ରାତିରେ ତକିଆ ତଳେ କିମ୍ବା ପାଖରେ ସ୍ମାର୍ଟଫୋନ ରଖି ଶୋଇବା ଦ୍ୱାରା ଚାପ ଏବଂ ଅବସାଦର ସ୍ତର ବଢ଼ିପାରେ । ମୋବାଇଲ୍ ବ୍ୟବହାର ଯୋଗୁଁ ଶରୀରରେ କର୍ଟିସୋନ୍ ନାମକ ଚାପ ହରମୋନ୍ ଅଧିକ ପରିମାଣରେ ଉତ୍ପାଦିତ ହୁଏ । ଯାହାକି ମାନସିକ ଅସନ୍ତୁଳନତା ସୃଷ୍ଟି କରେ । କିଛି ଲୋକ ଇଣ୍ଟରନେଟ୍ ଅନ୍ କରି ମୁଣ୍ଡ ପାଖରେ ମୋବାଇଲ ଫୋନ ରଖି ଶୁଅନ୍ତି । ଯାହା ମାଇଗ୍ରେନ୍ର କାରଣ ହୋଇଥାଏ । ଫୋନରୁ ବାହାରୁ ଥିବା ତାତି ଓ ରେଡିଓଫ୍ରିକ୍ୱେନ୍ସି ବିକିରଣ ସମ୍ପର୍କରେ ଆସିଲେ ଏଭଳି ସମସ୍ୟା ଦେଖାଦେଇପାରେ ।