ପ୍ରମୂଖ ଖବର
  • ବୋରିଗୁମ୍ମା : ଗୋଟିଏ ଦିନରେ ୩ ଘରୁ ଚୋରି, ୨କୋଟି ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ଭାସାମ୍ୟ ହରାଇ ଓଲଟିଲା ଓଏସଆରଟିସି ବସ୍‌, ୧୨ରୁ ଉର୍ଦ୍ଧ୍ୱ ଯାତ୍ରୀ ଆହତ
  • ||

ଖାଦ୍ୟ ଖାଇ ତୁରନ୍ତ ପାଣି ପିଉଛନ୍ତି କି? ଜାଣନ୍ତୁ ସ୍ୱାସ୍ଥ୍ୟ ପାଇଁ କେତେ କ୍ଷତିକାରକ

Published By : Prameya | February 14, 2025 12:28 PM

ଭୁବନେଶ୍ୱର ୧୪/୦୨: ଖାଦ୍ୟ ଖାଇବାର ତୁରନ୍ତ ପରେ ପାଣି ପିଇବା ସାଧାରଣତଃ ଲୋକଙ୍କର ଏକ ଅଭ୍ୟାସ । କିନ୍ତୁ ଜାଣନ୍ତି କି ଏହା ସ୍ୱାସ୍ଥ୍ୟ ପାଇଁ କେତେ କ୍ଷତିକାରକ? ଏହି ପ୍ରଶ୍ନର ଉତ୍ତର ଜାଣିବା ପାଇଁ ପ୍ରଥମେ ପାଚନ ପ୍ରକ୍ରିୟାକୁ ବୁଝିବା ଆବଶ୍ୟକ, ଯାହାଦ୍ୱାରା ଖାଇବାର କେତେ ସମୟ ପରେ ପାଣି ପିଇବା ଆବଶ୍ୟକ ତାହା ବୁଝିବା ସହଜ ହେବ । ବୈଜ୍ଞାନିକ ଦୃଷ୍ଟିରୁ ଦେଖିବାକୁ ଗଲେ ଖାଇବା ପରେ ତୁରନ୍ତ ପାଣି ପିଇବା ଶରୀର ପାଇଁ କ୍ଷତିକାରକ । ତାହା ଆମେ ସମସ୍ତେ ଜାଣୁ । ଘରର ବୟସ୍କ ଲୋକମାନେ ଖାଇବା ପରେ ପାଣି ପିଇବା ମଝିରେ କିଛି ସମୟର ଗ୍ୟାପ୍‌ ଦେବା ପାଇଁ କହିଥାନ୍ତି । ନିଶ୍ୱାସପ୍ରଶ୍ୱାସ ନେବା ଶରୀର ପାଇଁ ଯେତିକି ଜରୁରି, ପାଣି ପିଇବା ମଧ୍ୟ ଠିକ୍‌ ସେତିକି । ଏହା ଆମ ଶରୀରକୁ କେବଳ ସତେଜ ରଖି ନଥାଏ, ବରଂ ଶରୀର ଭିତରେ ହେଉଥିବା ପ୍ରକ୍ରିୟାରେ ମଧ୍ୟ ସହଯୋଗ କରିଥାଏ । କୁହାଯାଏ ପର୍ଯ୍ୟାପ୍ତ ପାଣି ପିଇବା ଦ୍ୱାରା ମଧ୍ୟ ତ୍ୱଚାରେ ଚମ୍‌କ ଆସିଥାଏ । କିନ୍ତୁ ଖାଇବାର କେତେ ସମୟ ପରେ ପାଣି ପିଇବା ଆବଶ୍ୟକ । ଚାଲନ୍ତୁ ସେ ବିଷୟରେ ଜାଣିବା ।

ଖାଦ୍ୟ ଖାଇବା ପୂର୍ବରୁ କିମ୍ବା ଖାଇବାର ତୁରନ୍ତ ପରେ ପାଣି ପିଇବା ଅନୁଚିତ୍‌ । ବିଶେଷଜ୍ଞଙ୍କ ମତରେ ଖାଇବାର ଅଧା ଘଣ୍ଟା ପୂର୍ବରୁ ଓ ଖାଇବାର ୩୦ ମିନିଟ୍‌ ପରେ ପାଣି ପିଇବା ଉଚିତ୍‌ । କାରଣ ତରଳ ଖାଦ୍ୟ ପେଟରୁ ପ୍ରାୟ ୨୦ରୁ ୩୦ ମିନିଟ୍‌ରେ ବାହାରି ଯାଇଥାଏ । ଯେତେବେଳେ ଖାଦ୍ୟ ହଜମ ହେବା ପାଇଁ ୩ରୁ ୪ ଘଣ୍ଟା ସମୟ ଲାଗିଥାଏ । ଯଦି ଖାଇବା ପରେ ତୁରନ୍ତ ପାଣି ପିଉଛନ୍ତି, ତେବେ ହଜମ ପ୍ରକ୍ରିୟାକୁ କାର୍ଯ୍ୟକାରୀ କରୁଥିବା ଏନ୍‌ଜାଇମ୍‌ଗୁଡିକ ଖାଦ୍ୟକୁ ହଜମ କରିବାରେ ବାଧା ସୃଷ୍ଟି କରିଥାନ୍ତି । ଫଳରେ ବ୍ଲୋଟିଂ ପରି ସମସ୍ୟା ସୃଷ୍ଟି ହୋଇଥାଏ । ଅବଶ୍ୟ ଯେଉଁମାନେ କମ୍‌ ଖାଦ୍ୟ ଖାଇଥାନ୍ତି, ସେମାନେ ଖାଇବା ସମୟରେ ସାମାନ୍ୟ ପାଣି ପିଇପାରିବେ । କାରଣ ଏମାନଙ୍କ କ୍ଷେତ୍ରରେ ଓଭର୍‌ଇଟିଂ ଆଶଙ୍କା କମ୍‌ ରହିଥାଏ ।

ପାଚନତନ୍ତ୍ର ଉପରେ ପାଣିର ପ୍ରଭାବ :

ଯେତେବେଳେ ଆମେ ଖାଦ୍ୟ ଖାଉଛେ, ତୁରନ୍ତ ଶରୀରରେ ହଜମ ପ୍ରକ୍ରିୟା ଆରମ୍ଭ ହୋଇଥାଏ । ଖାଦ୍ୟକୁ ହଜମ କରାଇବା ପାଇଁ ଲାଳ ଓ ହଜମ କରାଉଥିବା ଏନ୍‌ଜାଇମ୍‌ କ୍ଷରଣ ହୋଇଥାଏ । ଖାଦ୍ୟ ଖାଇବାର ଠିକ୍‌ ପୂର୍ବରୁ ପାଣି ପିଇବା ଦ୍ୱାରା ଏନ୍‌ଜାଇମ୍‌ଗୁଡିକ ଠିକ୍‌ ଭାବେ କାମ କରିପାରି ନଥାନ୍ତି । ଫଳରେ ଭୋଜନକୁ ହଜମ କରିବାରେ ସମସ୍ୟା ସୃଷ୍ଟି ହୋଇଥାଏ । ଏହାବ୍ୟତୀତ ଖାଇବା ପୂର୍ବରୁ ପାଣି ପିଇବା ଦ୍ୱାରା ପେଟ ଭରିଯାଏ, ତେଣୁ ଆବଶ୍ୟକ ଖାଦ୍ୟ ଖାଇବା ସମ୍ଭବ ହୁଏନା । ତେଣୁ କିଛି ସମୟ ପରେ ପୁଣି ଭୋକ ଲାଗିବା ସ୍ୱାଭାବିକ । ଏପରି କରିବା ଦ୍ୱାରା ଅଧିକ ଖାଇବାର ଆଶଙ୍କା ବଢିଥାଏ । ତେଣୁ ବିଶେଷଜ୍ଞଙ୍କ ମତରେ ଠିକ୍‌ ଭାବରେ ଖାଦ୍ୟ ଗ୍ରହଣ କରିବା ପାଇଁ ଖାଦ୍ୟ ଖାଇବାର ଅଧା ଘଣ୍ଟା ପୂର୍ବରୁ ଏକ ଗ୍ଲାସ୍‌ ପାଣି ପିଇବା ଉଚିତ୍‌ । କିନ୍ତୁ ଖାଇବାର ୩୦ ମିନିଟ୍‌ ପରେ ପାଣି ପିଇବା ଆବଶ୍ୟକ । ଖାଇବା ପରେ ତୁରନ୍ତ ପାଣି ପିଇବା ଦ୍ୱାରା ଗ୍ୟାସ୍‌, ଏସିଡିଟି ଓ ପେଟ ଯନ୍ତ୍ରଣା ପରି ସମସ୍ୟା ସୃଷ୍ଟି ହୋଇଥାଏ । କାରଣ ପାଣି ଖାଦ୍ୟକୁ ହଜମ କରୁଥିବା ଏନ୍‌ଜାଇମ୍‌କୁ ପତଳା କରିଦେଇଥାଏ । ତେଣୁ ଖାଦ୍ୟ ଖାଇବାର ଅଧା ଘଣ୍ଟା ପରେ ପାଣି ପିଇବା ଉଚିତ୍‌ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.