ଭୁବନେଶ୍ୱର,୧୮/୦୪: ଆସନ୍ତା ୨୦ ତାରିଖରୁ ରାଜ୍ୟରେ ତାତି ବଢ଼ିବ । ଉତ୍ତର ପଶ୍ଚିମ ଓ ଦକ୍ଷିଣ ପଶ୍ଚିମ ଦିଗରୁ ଗରମ ପବନ ବହିବ । ପୁଣି ରାଜ୍ୟକୁ ଆସୁଥିବା ସାମୁଦ୍ରିକ ପବନ ଆଉ ଆସିବନି । ଫଳରେ ରାଜ୍ୟରେ ତାପମାତ୍ରା ବଢ଼ିଯିବ । ୨୩ ଓ ୨୪ ତାରିଖ ବେଳକୁ ଉପକୂଳ ଓଡ଼ିଶାରେ ତାତି ୪୪ରୁ ୪୫ ଡିଗ୍ରୀ ଛୁଇଁପାରେ । ପାଣିପାଗ ବିଶେଷଜ୍ଞ ଏଭଳି ପୂର୍ବାନୁମାନ କରିଛନ୍ତି ।
ସୋଆ ଜଳବାୟୁ ଓ ପରିବେଶ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ସାହୁ ଆକଳନ କରି କହିଛନ୍ତି, ଉପକୂଳ ଓଡ଼ିଶାକୁ ଛାଡ଼ି ପଶ୍ଚିମ ଓଡ଼ିଶା ଓ ଅନ୍ୟ ସ୍ଥାନରେ ଶୁକ୍ରବାରଠାରୁ ତାପମାତ୍ରା ଆହୁରି ବଢ଼ିବ । ଗୁରୁବାରଠୁ ପଶ୍ଚିମ ଓଡ଼ିଶାର ବିଭିନ୍ନ ସ୍ଥାନରେ ତାତି ଅଧିକ ରହିଛି । ୨୦ ତାରିଖ ବେଳକୁ ଉପକୂଳରେ ବି ତାତିର ପ୍ରକୋପ ଦେଖିବାକୁ ମିଳିବ ।
ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରି କହିଛି, ଆସନ୍ତା ତିନି ଦିନ ପରେ ଦିନ ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲସିୟସ୍ ବଢ଼ିଯିବ । ୨୦ ତାରିଖରେ ସୋନପୁର, ବୌଦ୍ଧ, ବଲାଙ୍ଗୀର, ଟିଟିଲାଗଡ଼, ଭବାନୀପାଟଣା, ଝାରସୁଗୁଡ଼ା ଓ ସମ୍ବଲପୁରରେ ତାପମାତ୍ରା୪୨ ଡିଗ୍ରୀ ରହିବ । ନୂଆପଡ଼ା, ସୁନ୍ଦରଗଡ଼ ଓ ରାଉରକେଲାରେ ୪୧ ଡିଗ୍ରୀ, ବରଗଡ଼ ଓ ନବରଙ୍ଗପୁରରେ ତାପମାତ୍ରା ୪୦ଡିଗ୍ରୀ ଛୁଇଁବ । ୨୧ ତାରିଖରେ ଉପକୂଳର ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼ ଓ ଢେଙ୍କାନାଳରେ ତାତି ୪୦ ଡିଗ୍ରୀ ପାଖାପାଖି ରହିବ । ତେବେ ଶୁକ୍ରବାର ପଶ୍ଚିମ ଓଡ଼ିଶାର ଅଧିକାଂଶ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।
ଗୁରୁବାର ଟିଟିଲାଗଡ଼ରେ ୪୦.୫ ଡିଗ୍ରୀ,ଭବାନୀପାଟଣାରେ ୪୦.୪, ଝାରସୁଗୁଡ଼ାରେ ୪୦.୩ ଡିଗ୍ରୀ, ସୋନପୁର, ସମ୍ବଲପୁର ଓ ବୌଦ୍ଧରେ ୩୯.୮, ହୀରାକୁଦରେ ୩୯.୫, ଅନୁଗୁଳରେ ତାପମାତ୍ରା ୩୯.୧ ଡିଗ୍ରୀ ସେଲସିୟସ୍ ରେକର୍ଡ ହୋଇଛି ।