ଦଶ ଅବତାର ସ୍ତୋତ୍ରର ପ୍ରଥମ ଅବତାର "ମୀନ’ ବା ମତ୍ସ୍ୟ । ଅନେକଙ୍କ ମତରେ, ଦଶ ଅବତାର ସ୍ତୋତ୍ର ଭିତରେ ଲୁଚିରହିଛି ବିବର୍ତ୍ତନବାଦ । ତେଣୁ ପ୍ରଥମ ଅବତାର ମତ୍ସ୍ୟ ହେଇପାରେ । କିନ୍ତୁ ଜଳଚର ଦେବତାଙ୍କ କଥା କେବଳ ଆମ ପୁରାଣ ନୁହେଁ, ପୃଥିବୀର ବିଭିନ୍ନ ଦେଶର ପୁରାଣରେ ମିଳେ । ବିଜ୍ଞାନ କୁହେ ପୃଥିବୀରେ ପ୍ରଥମ ଜୀବନ ଜଳରେ ସୃଷ୍ଟି ହେଇଥିଲା । ଜଳ, ପାଣି, ନୀର, ନାଁ ଯାହା ବି ହେଉ, ପ୍ରକୃତରେ ତ ସେ ହିଁ ଜୀବନ । ନଦୀକୂଳରେ ହିଁ ତ ଗଢ଼ିଉଠିଥିଲା ପ୍ରଥମ ସଭ୍ୟତା ।
ଛୋଟିଆଟେ ଥିଲି, ମାଆଙ୍କ ସାଙ୍ଗରେ ଗୋଟେ ମନ୍ଦିର ପାଖ ପୋଖରୀ ତୁଠରେ ବସିଛି, ହଠାତ୍ ନଜରକୁ ଆସିଲା ଗୋଟେ ଚୁଇଁ ମାଛ । କେମିତି କେଜାଣି ପାଣିରୁ ବାହାରି ଘାସରେ ପଡ଼ି ଛଟପଟ ହଉଛି । ମାଆ ତାକୁ ଉଠେଇ ପାଣିରେ ଛାଡ଼ିଲେ । ମୁଁ ପଚାରିଲି- ସେ ଉପରକୁ କେମିତି ଆସିଲା ମାଆ? ମାଆ ମଜା କରିବା ପାଇଁ ହସି କହିଲେ- କେଜାଣି, ବୋଧହୁଏ ମତ୍ସ୍ୟ ଅବତାର, ଆମକୁ ପରୀକ୍ଷା କରୁଥିଲେ ।
ବାସ୍, ମୋ ମୁଣ୍ଡରେ ହଜାର ପ୍ରଶ୍ନ ଖେଳିଗଲା । ସେସବୁ ପ୍ରଶ୍ନବାଣରେ ମାଆଙ୍କୁ ଚାରିଆଡ଼ୁ ଘେରି ପକେଇଲି ଆଉ ସେଇ ପ୍ରଥମ ମାଆଙ୍କ ମୁହଁରେ ଦଶ ଅବତାର ସ୍ତୋତ୍ର ଶୁଣିଲି- "ପ୍ରଳୟ ପୟୋଧି ଜଳେ ଧୃତବାନ୍ ଅସି ବେଦମ୍/ ବିହିତ ବହିତ୍ର ଚରିତ୍ରମ୍ ଅଖେଦମ୍/ କେଶବ ଧୃତ ମୀନ ଶରୀର, ଜୟ ଜଗଦୀଶ ହରେ’ ।
ମାଆ କହିଲେ, କେମିତି ବିବସ୍ୱାନ ମନୁ ନଦୀରେ ତର୍ପଣ କଲାବେଳେ ଗୋଟିଏ ଛୋଟିଆ ମାଛକୁ ରକ୍ଷା କରିଥିଲେ । ସେହି ମାଛ ବିଷ୍ଣୁଙ୍କ ଅବତାର ଥିଲେ । ସେ ହିଁ ମହାପ୍ରଳୟରେ ଜୀବନ ଓ ବେଦକୁ ରକ୍ଷା କରିଥିଲେ ଓ ମନୁଙ୍କଠାରୁ ପୁନର୍ବାର ମାନବ ଜାତି ସୃଷ୍ଟିହେଲେ । ଦଶ ଅବତାର ସ୍ତୋତ୍ରର ପ୍ରଥମ ଅବତାର "ମୀନ’ ବା ମତ୍ସ୍ୟ । ଅନେକଙ୍କ ମତରେ, ଦଶ ଅବତାର ସ୍ତୋତ୍ର ଭିତରେ ଲୁଚିରହିଛି ବିବର୍ତ୍ତନବାଦ । ତେଣୁ ପ୍ରଥମ ଅବତାର ମତ୍ସ୍ୟ ହେଇପାରେ । କିନ୍ତୁ ଜଳଚର ଦେବତାଙ୍କ କଥା କେବଳ ଆମ ପୁରାଣ ନୁହେଁ, ପୃଥିବୀର ବିଭିନ୍ନ ଦେଶର ପୁରାଣରେ ମିଳେ । ବିଜ୍ଞାନ କୁହେ ପୃଥିବୀରେ ପ୍ରଥମ ଜୀବନ ଜଳରେ ସୃଷ୍ଟି ହେଇଥିଲା । ଜଳ, ପାଣି, ନୀର, ନାଁ ଯାହା ବି ହେଉ, ପ୍ରକୃତରେ ତ ସେ ହିଁ ଜୀବନ । ନଦୀକୂଳରେ ହିଁ ତ ଗଢ଼ିଉଠିଥିଲା ପ୍ରଥମ ସଭ୍ୟତା । ନଦୀ, ସମୁଦ୍ର, ପୋଖରୀ, କୂଅ, ଆଉ ବିଭିନ୍ନ ଜଳଚର ପ୍ରାଣୀ ଆବହମାନ କାଳରୁ ଆମ ଚାରିପାଖେ ଘେରି ରହିଛନ୍ତି, ଆମକୁ ଜୀବନ ଓ ଜୀବିକା ଯୋଗାଉଛନ୍ତି । ମଣିଷର ସଂସ୍କାର, ସଂସ୍କୃତି, ଜୀବନଧାରା, ପୂଜା, ପାର୍ବଣ ସବୁଥିରେ ଜଳ ଆଉ ଜଳଚରଙ୍କ ପ୍ରତ୍ୟକ୍ଷ ପ୍ରଭାବ । ତାହେଲେ ଆମ ଦେବଦେବୀମାନେ ବାଦ୍ ଯିବେ କେମିତି?
ଆଜି ଆମେ ବିଭିନ୍ନ ଦେଶର କିଛି ପ୍ରମୁଖ ଜଳଚର ଦେବଦେବୀଙ୍କ ବିଷୟରେ ଟିକେ ଜାଣିବା ।
ଇଜିପ୍ଟ: ହାଟମେହିଟ- ଇଜିପ୍ଟର ପୌରାଣିକ ଦେବୀ ହାଟମେହିଟ ନୀଳ ନଦୀର ଏବଂ ଉର୍ବରତାର ଦେବୀ । ତାଙ୍କ ଅଧା ଦେହ ନାରୀର ଆଉ ବାକି ଅଧା ମାଛ । ଅର୍ଥାତ୍ ସେ ଜଣେ ମତ୍ସ୍ୟକନ୍ୟା । ମାଛ ନୀଳ ନଦୀ ସହ ତାଙ୍କ ସମ୍ପର୍କ ଓ ନଦୀ କିପରି ସ୍ଥଳଭାଗକୁ ଉର୍ବର କରେ ତାହାରି ପ୍ରତୀକ । ନୀଳ ନଦୀର ଅବବାହିକା ମିଶର ସଭ୍ୟତା ପାଇଁ ଏକ ପ୍ରମୁଖ ଭୂମିକା ରଖେ । ଏହି ନଦୀକୂଳର ଉର୍ବର ଜମି ମିଶରୀୟ ଅର୍ଥନୀତିକୁ ବହୁଳାଂଶେ ପ୍ରଭାବିତ କରେ । ହାଟମେହିଟଙ୍କୁ ସୃଷ୍ଟି ଓ ପାଳନର ଦେବୀ ବୋଲି କୁହାଯାଏ । ତାଙ୍କରି ଇଚ୍ଛାରେ ବନ୍ୟା ଆସୁଥିଲା, ଯାହା ନଦୀତଟର ମାଟିକୁ ଉର୍ବର କରୁଥିଲା, ତେଣୁ ସେ ପୃଥିବୀର ମାଆ ବୋଲି ପୂଜା ପାଉଥିଲେ । ତାଙ୍କର ଦୁଇ ବାନ୍ଧବୀ, ଦେବୀ ତାୱାରେଟ, ଯିଏ ସନ୍ତାନ ଜନ୍ମର ଦେବୀ ଏବଂ ଦେବୀ ନେଖବେଟ, ଯିଏ ମାତୃତ୍ୱର ଦେବୀ । ଏହି ତିନିଜଣ ଏକାଠି ଗର୍ଭାବସ୍ଥାରେ ନାରୀଙ୍କୁ ରକ୍ଷା କରୁଥିଲେ ଓ ନୂଆ ଜୀବନକୁ ପୃଥିବୀରେ ଆଣିବାକୁ ସାହାଯ୍ୟ କରୁଥିଲେ ।
ଗ୍ରୀସ: ପାସାଇଡନ- ଗ୍ରୀକ୍ ପୁରାଣ ଅନୁଯାୟୀ ପାସାଇଡନ ସମୁଦ୍ର, ଭୂମିକମ୍ପ ଏବଂ ଘୋଡ଼ାମାନଙ୍କ ଅଧୀଶ୍ୱର । ସେ ଜେଉସଙ୍କ ଭାଇ ଏବଂ ଜଣେ ଅତ୍ୟନ୍ତ ଶକ୍ତିଶାଳୀ ଦେବତା । ନିଜର କ୍ଷଣକୋପୀ ସ୍ୱଭାବ ଯୋଗୁଁ ସେ ଯଥେଷ୍ଟ ଭୟ ଉଦ୍ରେକ କରନ୍ତି । ବିଶାଳ ଚେହେରା ଏବଂ ହାତରେ ଧରିଥିବା ତ୍ରିଶୂଳ ଦ୍ୱାରା ସେ ସାରା ସମୁଦ୍ରକୁ ଶାସନ କରନ୍ତି । ସେ ରାଗିଗଲେ ଭୂମିକମ୍ପ ଓ ପ୍ରାକୃତିକ ବିପର୍ଯ୍ୟୟ ଘଟେ । ବିଭିନ୍ନ ଦ୍ୱୀପ ଓ ସହରର ସେ ସୃଷ୍ଟିକର୍ତ୍ତା । ଗ୍ରୀସର ନାବିକ ଏବଂ ତଟବର୍ତ୍ତୀ କୃଷକମାନେ ତାଙ୍କୁ ଅଧିକ ପୂଜା କରନ୍ତି । ତାଙ୍କୁ ନେଇ ସୃଷ୍ଟିହେଇଛି କେତେ ଯେ କିମ୍ବଦନ୍ତୀ!
ବ୍ୟାବିଲୋନ: ଓଆନ୍ନେସ- ଅଧା ମଣିଷ, ଅଧା ମତ୍ସ୍ୟ ଶରୀରଧାରୀ ଓଆନ୍ନେସଙ୍କ ବିଷୟରେ ବିଭିନ୍ନ ପୁରାଣ ଏବଂ ବିଶେଷକରି ବ୍ୟାବିଲୋନର ପୁରୋହିତ ତଥା ଶାସ୍ତ୍ରକାର ବେରୋସାସଙ୍କ ପୋଥିରୁ ଜଣାପଡ଼େ । ବେରୋସାସଙ୍କ ମତରେ, ସର୍ବପ୍ରଥମେ ଓଆନ୍ନେସ ହିଁ ସମୁଦ୍ର ଭିତରୁ ଉଠିଆସି ମଣିଷଙ୍କୁ ବିଭିନ୍ନ ଶିଳ୍ପକଳା, ବିଜ୍ଞାନ, କୃଷି, ଲେଖିବା କଳା, ଗଣିତ ଆଦି ଶିଖେଇଥିଲେ । ଯେହେତୁ ସେ ସମୟରେ ସମୁଦ୍ରକୁ ଅଜଣା ତଥା ଅଲୌକିକ ବୋଲି ଭାବୁଥିଲେ । ତେଣୁ ଯେଉଁମାନେ ଜାହାଜ ନେଇ ସମୁଦ୍ରକୁ ଯାଉଥିଲେ ସେମାନଙ୍କୁ ବିଶେଷ ଜ୍ଞାନୀ ଭାବରେ ସମ୍ମାନ ଦିଆଯାଉଥିଲା । ଓଆନ୍ନେସ ଥିଲେ ସମୁଦ୍ର ବିଜ୍ଞାନର ଆଧାର । ୟୁଫ୍ରେଟିସ ନଦୀକୂଳରେ ଅବସ୍ଥିତ ବ୍ୟାବିଲୋନ ସହର ଏବଂ ସମୁଦ୍ର ତଟମାନଙ୍କରେ ଓଆନ୍ନେସଙ୍କୁ ପୂଜା କରାଯାଉଥିଲା । ତାଙ୍କୁ ଜ୍ଞାନୀ, ଗୁଣୀ, ପରୋପକାରୀ ଭାବରେ ବର୍ଣ୍ଣନା କରାଯାଇଛି । ଜଣେ ପ୍ରମୁଖ ଦେବତା ହେଇଥିଲେ ବି ପରବର୍ତ୍ତୀ କାଳରେ ତାଙ୍କ ପ୍ରଭାବ ଏତେମାତ୍ରାରେ ନରହି ପ୍ରାୟ କେବଳ ଗବେଷଣାର ବିଷୟ ଭାବରେ ସେ ରହିଗଲେ ।
ପ୍ୟାଲେଷ୍ଟାଇନ: ଡାଗନ୍- ପ୍ରଥମେ ଡାଗନ୍ଙ୍କୁ କୃଷି ଓ ଉତ୍ପାଦନର ଦେବତା ଭାବରେ ପୂଜା କରାଯାଉଥିଲା । ଡାଗନ୍ ନାଁଟି ଆକ୍କାଡିଆନ ଶବ୍ଦ ଡାଗାନ୍ରୁ ଆସିଛି, ଯାହାର ଅର୍ଥ "ଶସ୍ୟ’ । ପରବର୍ତ୍ତୀ କାଳରେ ତାଙ୍କୁ ସମୁଦ୍ର ଏବଂ ନୌବାଣିଜ୍ୟର ଦେବତା ବନେଇ ଦିଆଗଲା । ବୋଧହୁଏ ନୌବାଣିଜ୍ୟ ଉପରେ ସେଠାକାର ଲୋକଙ୍କ କ୍ରମବର୍ଦ୍ଧିଷ୍ଣୁ ନିର୍ଭରଶୀଳତା ଯୋଗୁଁ । ସାରାଦେଶରେ ତାଙ୍କର ଯଥେଷ୍ଟ ପ୍ରତିପତ୍ତି ଥିଲା । ହିବ୍ରୁ ବାଇବେଲର ଅନେକ ଅଧ୍ୟାୟରେ ତାଙ୍କର ଉଲ୍ଲେଖ ମିଳେ । ବିଶେଷକରି ଫିଲିସ୍ତିନମାନଙ୍କ ଦ୍ୱାରା Ark of theCovenant ଉପରେ କବ୍ଜା କରିବାର ଘଟଣାରେ । ଫିଲିସ୍ତିନମାନେ Ark of the Covenant ଛଡ଼େଇଆଣି ଡାଗନ୍ଙ୍କ ମନ୍ଦିର ଭିତରେ ରଖିଥିଲେ। ପରଦିନ ସକାଳେ ଆସି ସେମାନେ ଦେଖିଲେ ଯେ ଡାଗନ୍ଙ୍କ ମୂର୍ତ୍ତି ଭାଙ୍ଗି ବେଦିରୁ ତଳେ ଖସିପଡ଼ିଛି । ଯାହାଦ୍ୱାରା Ark of the Covenant କୁ ରଖିବା ପାଇଁ ଡାଗନ୍ଙ୍କ ଅସମ୍ମତି ଓ ଇସ୍ରାଏଲୀ ଦେବତାଙ୍କ ଶକ୍ତି ପ୍ରମାଣିତ ହେଇଥିଲା। ଏଭଳି ଘଟଣା ସତ୍ତେ୍ୱ ଫିଲିସ୍ତିନମାନଙ୍କ ଭିତରେ ଡାଗନ୍ଙ୍କ ପ୍ରଭାବ କମିନଥିଲା ଓ ସେ ସାରାଦେଶରେ ପୂର୍ବଭଳି ହିଁ ପୂଜା ପାଉଥିଲେ ।
ସିରିଆ: ଆଟାର୍ଗେଟିସ- ପୁରାତନ ସିରିଆରେ ଆଟାର୍ଗେଟିସ ଜଣେ ମହାନ ଦେବୀ ଥିଲେ । ଆସିରୀୟମାନେ ତାଙ୍କୁ ମାତୃଶକ୍ତି ଭାବରେ ପୂଜା କରୁଥିଲେ । ସେ ସୃଷ୍ଟି, ମାତୃତ୍ୱ, ଜଳ ଏବଂ ମୃତ୍ୟୁ ପରବର୍ତ୍ତୀ ଜୀବନର ଦେବୀ । ହେରାପୋଲିସ (ଅଧୁନା ସିରିଆ) ଓ ଆସ୍କାଲନ (ଅଧୁନା ଇସ୍ରାଏଲ) ଭଳି ପ୍ରମୁଖ ନଗରମାନଙ୍କରେ ତାଙ୍କ ମୂର୍ତ୍ତି ପୂଜା ପାଉଥିଲା । ତାଙ୍କ ଶରୀର ଅଧା ମଣିଷ, ଅଧା ମତ୍ସ୍ୟ । କେବେ କେବେ ତାଙ୍କୁ ସ୍ଫିଙ୍କସ୍ ବା ଅଧାସିଂହ ଭାବରେ ବି କଳ୍ପନା କରାଯାଉଥିଲା, ଯାହା ତାଙ୍କ ଶକ୍ତିକୁ ପ୍ରଦର୍ଶିତ କରୁଥିଲା । ସମୁଦ୍ରର ଲହଡ଼ି ଉପରେ ତାଙ୍କର ଆୟତ୍ତ ଥିବାରୁ ସେ ନାବିକ ଓ ମତ୍ସ୍ୟଜୀବୀମାନଙ୍କ ରକ୍ଷାକର୍ତ୍ତ୍ରୀ ଥିଲେ ।
ସେ ପାତାଳର ଦେବୀ ବି ଥିଲେ, ଯିଏ ଆତ୍ମାମାନଙ୍କୁ ରାସ୍ତା ଦେଖାଉଥିଲେ ଓ ନବଜନ୍ମ ମଧ୍ୟ ଦେଉଥିଲେ । ପାତାଳ ସହିତ ସଂଶ୍ଳିଷ୍ଟ ଥିବାରୁ ଅନେକେ ତାଙ୍କୁ ସୈତାନ ବୋଲି ବି ମାନୁଥିଲେ । ଯାହାବି ହେଉନା କାହିଁକି, ସେ ସମୟରେ ସେ ଜଣେ ଯଥେଷ୍ଟ ପ୍ରଭାବଶାଳୀ ଦେବୀଭାବରେ ପୂଜା ପାଉଥିଲେ । ଏମାନଙ୍କ ଛଡ଼ା ଅନ୍ୟ କିଛି ଧର୍ମ ଓ ଦେଶରେ ଅନେକ ଜଳ ଦେବଦେବୀଙ୍କ ଉଲ୍ଲେଖ ମିଳେ । ଯଥା- ଚୀନର ଦେବୀ ନୁୱା, ଯିଏ ସୃଷ୍ଟି ଓ ଉତ୍ପାଦନର ଦେବୀ ଏବଂ ତାଙ୍କ ହାତରେ ଏକ ମାଛ ଧରିଥାନ୍ତି । ଅଜଟେକ୍ ଦେବୀ ଜୋକିକ୍ୟୁଜାଲ- ଉତ୍ପାଦନ, ସୌନ୍ଦର୍ଯ୍ୟ ଓ ଯୌନ ଆନନ୍ଦର ଦେବୀ, ତାଙ୍କ ପ୍ରତୀକ ମାଛ । ଜାପାନର ଦେବତା- ରିଉଗୁ ନୋ କାମି । କଇଁଛ ଏବଂ ମାଛ ସହ ଯାହାଙ୍କୁ ଯୋଡ଼ା ଯାଇଥାଏ ।
ଏହିସବୁ ପୌରାଣିକ କଥା ହିଁ ତ ଆମକୁ ଶିଖାଏ ପ୍ରକୃତି ସହ ଆମ ସମ୍ପର୍କ ଓ ଜୀବଜଗତ ସହ ସମନ୍ୱୟ ରଖିବା । ଆଉ ଗୋଟେ କଥା ଲକ୍ଷ୍ୟ କରିଛନ୍ତି? ପୃଥିବୀର କୋଣ ଅନୁକୋଣରେ ସବୁ ପୌରାଣିକ କଥା ଆଉ ଦେବତାମାନେ ଏକା ଭଳି । ମଣିଷ-ମଣିଷ ଭିତରେ ଯେତେ ବିଦ୍ୱେଷ ଆଉ ବିଭେଦ ଥାଉନା କାହିଁକି, ପୁରାଣ କିନ୍ତୁ କହୁଛି ଯେ ଆମେ ଦିନେ ଏକ ଥିଲେ, ଏକ ଅଛୁ ଆଉ ରହିବୁ । ଦେଶ, ରାଜନୀତି ଆଉ ସାମ୍ପ୍ରଦାୟିକତା ଆମକୁ ପରସ୍ପରଠାରୁ ଯେତେ ଦୂରେଇବାକୁ ଚେଷ୍ଟା କରିବ, ହେଲେ ପୁରାଣ ଗାଥା ଆଉ କିମ୍ବଦନ୍ତୀ ଆମକୁ ବାନ୍ଧିରଖିବ, ହେଇଥାଉନା କାହିଁକି ଗୋଟିଏ ରଙ୍ଗୀନ ସରୁ ସୂତାଖିଅ, ହେଲେ ବନ୍ଧନ ତ ରହିବ ।