ଋତୁଚକ୍ରରେ ଖରା, ବର୍ଷା, ଶୀତ ଆସିବା ଭଳି ଏବର ଅଭିଭାବକଙ୍କ ପାଇଁ ଆସେ ଆଉ ଗୋଟିଏ ଋତୁ । ତାହା ହେଲା ପରୀକ୍ଷାର ଋତୁ । ଆଉ ପରୀକ୍ଷା ପରେ ଯାହାର ପ୍ରତୀକ୍ଷା ଥାଏ, ତାହା ହେଲା ନିଜ ପିଲାର ପ୍ରଗତି ପତ୍ର । ଯାହାକୁ ଇଂରାଜୀରେ ଆମେ ପ୍ରୋଗ୍ରେସ୍ ରିପୋର୍ଟ କହିଥାଉ । ଏଥିରେ ବର୍ଷସାରାର ସମସ୍ତ କ୍ଷେତ୍ରରେ ପିଲାଟିର ପ୍ରଗତି ସମ୍ବନ୍ଧିତ ତଥ୍ୟ ଥାଏ । ଯାହାକୁ ବର୍ଷ ଶେଷରେ, ବାର୍ଷିକ ପରୀକ୍ଷା ପରେ ଶିକ୍ଷକ ଏବଂ ଅଭିଭାବକମାନଙ୍କର ଏକ ବୈଠକ କରି ପ୍ରଦାନ କରାଯାଏ । ପ୍ରଗତି ପତ୍ରରେ ଅନେକ କିଛି ଉଲ୍ଲେଖ ଥିଲେ ମଧ୍ୟ ଅନେଶତ ପ୍ରତିଶତ ଅଭିଭାବକଙ୍କ ଆଖି ସ୍ୱତଃପ୍ରବୃତ୍ତ ଭାବେ ପିଲାଟିର ଶୈକ୍ଷିକ କ୍ଷେତ୍ରରେ ଥିବା ନମ୍ବର ଉପରେ ହିଁ ଅଟକି ରହିଥାଏ ।
ଆମର ଶିକ୍ଷା କ୍ଷେତ୍ରରେ ରହିଥାଏ ମୁଖ୍ୟ ପାଠ୍ୟ ବିଷୟ, ସହ-ପାଠ୍ୟ ବିଷୟ ଏବଂ ବ୍ୟକ୍ତିଗତ ସାମାଜିକ ଗୁଣାବଳୀ । ମୁଖ୍ୟ ପାଠ୍ୟ କହିଲେ ଭାଷା, ଗଣିତ, ବିଜ୍ଞାନ, ସମାଜିକ ବିଜ୍ଞାନ ଇତ୍ୟାଦିକୁ ବୁଝାଇଥାଏ । ସହ-ପାଠ୍ୟ ବିଷୟକୁ ଆମେ ଦୁଇଟି ଶ୍ରେଣୀରେ ନେଇପାରିବା । ଗୋଟିଏ ସହ-ଶୈକ୍ଷିକ ଅର୍ଥାତ୍ ସଙ୍ଗୀତ, ଆଶୁଭାଷଣ, ତର୍କ, ପ୍ରବନ୍ଧ ଲିଖନ, ବୈଜ୍ଞାନିକ ମନୋବୃତ୍ତି ଇତ୍ୟାଦି । ଅନ୍ୟଟି କ୍ରୀଡ଼ା, କଳା ଓ ସୌନ୍ଦର୍ଯ୍ୟ । ବ୍ୟକ୍ତିଗତ ସମାଜିକ ଗୁଣାବଳୀ କହିଲେ ଶିଶୁର ନେତୃତ୍ୱ, ସମୟାନୁବର୍ତ୍ତିତା, ଶୃଙ୍ଖଳା, ପରିଚ୍ଛନ୍ନତା, ସହାନୁଭୂତି, ସମସ୍ୟା ସମାଧାନର ଦକ୍ଷତା, ସହଭାଗୀତା, ଅନ୍ୟ ପ୍ରତି ଯତ୍ନଶୀଳ ଗୁଣାବଳୀ ଇତ୍ୟାଦିକୁ ବୁଝିଥାଉ । ଏବେ ଆମର ଶିକ୍ଷା ପଦ୍ଧତି, ଜାତୀୟ ଶିକ୍ଷାନୀତି ୨୦୨୦ ଉପରେ ପର୍ଯ୍ୟବେସିତ । ଏହି ଶିକ୍ଷା ବର୍ଷ ନିମନ୍ତେ ସରକାରଙ୍କ ତରଫରୁ ଏକ ସାମଗ୍ରିକ ବିକାଶ ପତ୍ର ଯୋଗାଇ ଦିଆଯାଇଛି । ଏଥିରେ ପିଲାଟିର ସ୍ୱାସ୍ଥ୍ୟଗତ ବିକାଶ, ସାମାଜିକ ଓ ଆବେଗିକ ବିକାଶ, ବିଷୟଗତ ବୌଦ୍ଧିକ ବିକାଶ, କଳା ଓ ସୌନ୍ଦର୍ଯ୍ୟର ବିକାଶ ତଥା ଧନ୍ଦାମୂଳକ ଶିକ୍ଷା ଉପରେ ଆଲୋକପାତ କରାଯାଇଛି । ଗୋଟିଏ ଶିକ୍ଷାର୍ଥୀର ମାନ ନିର୍ଦ୍ଧାରଣ ବିଭିନ୍ନ ସ୍ତର ଅନୁଯାୟୀ କରାଯାଇଛି ।
ଯେମିତିକି ନିଜେ ନିଜର ମାନ ନିର୍ଦ୍ଧାରଣ, ପିତାମାତାଙ୍କ ଦ୍ୱାରା ମାନ ନିର୍ଦ୍ଧାରଣ, ସହପାଠୀଙ୍କ ଦ୍ୱାରା ମାନ ନିର୍ଦ୍ଧାରଣ ଏବଂ ପରିଶେଷରେ ଶିକ୍ଷକଙ୍କ ଦ୍ୱାରା ମାନ ନିର୍ଦ୍ଧାରଣ । ଏଥିନିମନ୍ତେ ବିଭିନ୍ନ ସୂଚକ ମଧ୍ୟ ଦିଆଯାଇଛି । ପ୍ରତ୍ୟେକ ବିଷୟର ଅବଧାରଣାକୁ ସେ କେତେ ଗଭୀର ଭାବରେ ବୁଝୁଛି, ଆତ୍ମପ୍ରତ୍ୟୟର ସହ ବ୍ୟକ୍ତ କରୁଛି ତଥା ବିଷୟଗତ ଜ୍ଞାନକୁ ତାହାର ଦୈନନ୍ଦିନ ଜୀବନରେ କେତେ ଉପଯୋଗ କରୁଛି । ସାମାଜିକ ଓ ଆବେଗିକ ବିକାଶର ସୂଚକଗୁଡ଼ିକ ହେଉଛି ବିଭିନ୍ନ ଆବେଗକୁ ଚିହ୍ନଟ କରି ତାହାକୁ ପରିସ୍ଥିତି ଅନୁଯାୟୀ ନିୟନ୍ତ୍ରଣ କରିବା, ସେବା ମନୋଭାବ ପ୍ରଦର୍ଶନ କରିବା, ଅନ୍ୟର ଆବେଗ ଓ ଚିନ୍ତାଧାରାକୁ ସମ୍ମାନ ଦେଇ କାର୍ଯ୍ୟ କରିବା ତଥା ଜୀବଜନ୍ତୁମାନଙ୍କ ପ୍ରତି ସମ୍ବେଦନଶୀଳ ରହିବା । ସେହିପରି କଳା ଓ ସୌନ୍ଦର୍ଯ୍ୟ ତଥା ଧନ୍ଦାମୂଳକ ଶିକ୍ଷାର ମାନ ନିର୍ଦ୍ଧାରଣ ପାଇଁ ମଧ୍ୟ ବିଭିନ୍ନ ସୂଚକ ରହିଛି । ଶିକ୍ଷାର ମୂଳ ଲକ୍ଷ୍ୟ ଗୋଟିଏ ଶିଶୁର ସାମଗ୍ରିକ ବିକାଶ । ତାହାର ବ୍ୟବହାରଗତ ପରିବର୍ତ୍ତନ । ଶୈକ୍ଷିକ କ୍ଷେତ୍ରରେ ଅଗ୍ରଗତି ଗୋଟିଏ ଶିକ୍ଷାର୍ଥୀକୁ ଭଲ କର୍ମସଂସ୍ଥାନଟିଏ ଯୋଗାଇଥାଏ । କିନ୍ତୁ ବ୍ୟକ୍ତିଗତ ସମାଜିକ ଗୁଣାବଳୀ ଶିକ୍ଷାର୍ଥୀକୁ ଗୋଟିଏ ସୁନାଗରିକ କରି ଗଢ଼ି ତୋଳିଥାଏ ।
ଶୈକ୍ଷିକ ବିକାଶ ଜୀବିକା ଦିଏ, କିନ୍ତୁ ସାମାଜିକ ଗୁଣାବଳୀ ଗୋଟିଏ ବ୍ୟକ୍ତିକୁ ଜୀବନ ଜିଇଁବାର କଳା ଶିଖାଇ ଥାଏ । ଆମେ ସମସ୍ତ ଅଭିଭାବକଙ୍କ ପିଲାଟିର ପ୍ରଗତି ପତ୍ରର ସେହି ସ୍ତମ୍ଭଟି ପ୍ରତି ଖୁବ୍ ଯତ୍ନଶୀଳ, ଯେଉଁଠି ଗଣିତ, ବିଜ୍ଞାନ ଇତ୍ୟାଦି ବିଷୟରେ ବାର୍ଷିକ ପରୀକ୍ଷାର ପ୍ରାପ୍ତାଙ୍କ ଲେଖାଥାଏ । ଯଦି କୌଣସି ବିଷୟରେ ପାଇଥିବା ଅଙ୍କ କମ୍ ଥାଏ, ବା ପିଲାଟି ସେଥିରେ ଦୁର୍ବଳ ଥାଏ ଆମେ ଶିକ୍ଷକଙ୍କ ପରାମର୍ଶ ଲୋଡ଼ିଥାଉ । କ’ଣ କଲେ ସେହି ବିଷୟରେ ପିଲାଟି ଅଗ୍ରଗତି କରିପାରିବ । କେବେ କେହି ବି ଅଭିଭାବକ ପିଲାଟିର ପ୍ରଗତି ପତ୍ରରେ ଥିବା ସମାଜିକ ଗୁଣାବଳୀ ପ୍ରତି ଧ୍ୟାନ ଦେଇଛନ୍ତି କି? ସେହି ଗୁଣର ବିକାଶ ଦିଗରେ ଯତ୍ନବାନ ହୋଇଛନ୍ତି କି? ପିଲାଟି ବାର୍ଷିକ ପରୀକ୍ଷାରେ ନବେ ପ୍ରତିଶତ ଉପରକୁ ନମ୍ବର ରଖିବା ଆବଶ୍ୟକ । ଅନ୍ୟ ଦିଗଗୁଡ଼ିକ ଯାହା ହେଉଛି ହେଉ । ଏ କ୍ଷେତ୍ରରେ ଶିକ୍ଷାର୍ଥୀର ସାମଗ୍ରିକ ବିକାଶ ସମ୍ଭବ କି? ଆଜିର ଅବକ୍ଷୟିତ ସମାଜ ହେଉଛି ସେହି ବାଧାପ୍ରାପ୍ତ ସାମଗ୍ରିକ ବିକାଶର ପ୍ରତିଚ୍ଛବି । ପିଲାଟିଏ ତାହାର ଆବେଗକୁ ନିୟନ୍ତ୍ରଣ କରିପାରୁନାହିଁ । ଅନେକ କ୍ଷେତ୍ରରେ ବିଦ୍ୟାଳୟରେ ହିଂସା, ମାରପିଟ, ହତ୍ୟା ଭଳି ଅମାନୁଷିକ କାର୍ଯ୍ୟ ବିଦ୍ୟାଳୟ ସ୍ତରରେ ଦେଖିବାକୁ ମିଳୁଛି । ଜୀବନ ସମସ୍ୟା ବହୁଳ । ତାହାକୁ ସାମ୍ନା କରିବା ଏବଂ ତାହାର ସମାଧାନର ପନ୍ଥା ବାହାର କରିବା ପାଇଁ ପ୍ରତ୍ୟେକଙ୍କୁ ଶିଖିବା ଆବଶ୍ୟକ । ଛାତ୍ରମାନଙ୍କ ପାଖରେ ଏହାର ଘୋର ଅଭାବ । ଯାହାର ଫଳସ୍ୱରୂପ ଅନେକ ଛାତ୍ରଛାତ୍ରୀ ବିଷାଦଗ୍ରସ୍ତ ଅବସ୍ଥାରେ ସମୟ କାଟୁଛନ୍ତି, ନଚେତ୍ ଆତ୍ମହତ୍ୟାକୁ ସମାଧାନ ଭାବି ନେଉଛନ୍ତି ।
ବିଶୃଙ୍ଖଳିତ ଜୀବନ ଧାରା, ଧୈର୍ଯ୍ୟ ଓ ସହନଶୀଳତାର ଅଭାବ, ସମାଜକୁ ରସାତଳଗାମୀ କରିସାରିଲାଣି । ଅସାଧୁ ଉପାୟରେ ପାହାଡ଼ ଭଳି ଧନ ଉପାର୍ଜନ ଆମ ଛାତ୍ରମାନଙ୍କର ଏକମାତ୍ର ଲକ୍ଷ୍ୟ । ବଡ଼ମାନଙ୍କ ପ୍ରତି ସମ୍ମାନବୋଧ ହେଉ ଅବା ଦପ୍ତରରେ କର୍ତ୍ତବ୍ୟବୋଧ, ଠିକ୍ ଆକାଶ କଇଁଆ ଓ ଚିଲିକା ମାଛ ଭଳି । ଆମର ଶିକ୍ଷା ଯଦି ପ୍ରକୃତରେ ଶିଶୁର ଶାରୀରିକ, ମାନସିକ, ସମାଜିକ ତଥା ବୌଦ୍ଧିକ ବିକାଶର ଲକ୍ଷ୍ୟ ରଖେ, ତାହାହେଲେ ଆମକୁ ଏ ଦିନ ଦେଖିବାକୁ ପଡ଼ିବ ନାହିଁ । ଆବ୍ରାହମ୍ ଲିଙ୍କନ ତାଙ୍କ ପୁତ୍ରର ଶିକ୍ଷକ ନିକଟକୁ ଲେଖିଥିବା ପତ୍ର ବିଷୟରେ ଆମେ ସମସ୍ତେ ଊଣା ଅଧିକ ଅବଗତ । ସେ ତାଙ୍କର ପୁତ୍ରର ସର୍ବାଙ୍ଗୀନ ବିକାଶ କଥା ଚିନ୍ତା କରୁଥିଲେ । ୧୯୬୪ ଜାତୀୟ ଶିକ୍ଷା ନୀତିର ଅଧ୍ୟକ୍ଷ ଦୌଲତ ସିଂ କୋଠାରୀଙ୍କ ଅନୁସାରେ, ଗୋଟିଏ ରାଷ୍ଟ୍ରର ନିର୍ମାଣ ତାହାର ଶ୍ରେଣୀଗୃହରୁ ହିଁ ଆରମ୍ଭ ହୋଇଥାଏ । ତେଣୁ ଏବେ ସମସ୍ତ ଅଭିଭାବକ ତଥା ଶିକ୍ଷକଙ୍କ ପାଇଁ ଚିନ୍ତନର ସମୟ, କିପରି ନୂତନ ଶିକ୍ଷାନୀତିର ଲକ୍ଷ୍ୟ ହାସଲ ହେଉ । ଶିଶୁର ସାମଗ୍ରିକ ବିକାଶ ଘଟୁ ଏବଂ ଉତ୍ତମ ରାଷ୍ଟ୍ର ଗଠନ ହେଉ।