ଆଜିର ସମୟରେ ବିଶ୍ୱର ପ୍ରତିଟି ଦେଶ ଭାରତ ସହ ସଂପର୍କ ମଜବୁତ କରିବାକୁ ଚାହୁଁଛି । ମୋଦିଙ୍କ ନେତୃତ୍ୱ ଏବଂ କୂଟନୀତି ବିଶ୍ୱ ଦରବାରରେ ଭାରତକୁ ଆଗଧାଡ଼ିରେ ଠିଆ କରାଇଛି । ଚୀନର ସବୁଠୁ ବଡ଼ ଚାଲେଞ୍ଜ ହେଉଛି ଆମେରିକା । ଭାରତ ଓ ଆମେରିକା ମଧ୍ୟରେ ବର୍ତ୍ତମାନର ସଂପର୍କକୁ ଖୁବ୍ ଭଲ ବୋଲି ଚୀନ ଠିକ୍ ଜାଣିଛି ।
୨୦୨୦ ମସିହାରେ ଗଲୱାନ ଠାରେ ଚୀନର ପିଏଲଏ ଓ ଭାରତୀୟ ସୈନ୍ୟଙ୍କ ମଧ୍ୟରେ ଘଟିଥିବା ରକ୍ତାକ୍ତ ସଂଘର୍ଷ ପର ଠାରୁ ଦୁଇ ଦେଶର ସଂପର୍କରେ ସୃଷ୍ଟି ହୋଇଥିଲା ତିକ୍ତତା । ଲୁହାକୁ ଲୁହାରେ କାଟିଲା ଭଳି ଭାରତର ଦୃଢ଼ ତଥା ଉଚିତ ପଦକ୍ଷେପ କାରଣରୁ ଚୀନ ତା’ର ମନ୍ଦ ଉଦ୍ଦେଶ୍ୟ ସାଧନରୁ ନିବୃତ୍ତ ରହିବା ସହ ବର୍ତ୍ତମାନର ଭାରତକୁ ଷାଠିଏ ଦଶକର ଭାରତ ବୋଲି ଭାବିବା ଉଚିତ୍ ନୁହେଁ, ତାହା ଚୀନ ବେଶ୍ ବୁଝିପାରିଥିଲା । ୨୦୨୪ ଅକ୍ଟୋବରରେ ଭାରତ ଓ ଚୀନ ମଧ୍ୟରେ ସୈନ୍ୟ ପ୍ରତ୍ୟାହାର ନେଇ ଚୁକ୍ତି ହେବାପରେ ଏଲଏସିରେ ଶାନ୍ତି ଜାରି ରହିଥିବାବେଳେ ୨୦୨୫ ଜାନୁଆରୀ ଦ୍ୱିତୀୟ ସପ୍ତାହରେ ଚୀନ ସେହି ଅଞ୍ଚଳ ନିକଟରେ ଏକ ସାମରିକ ସମରାଭ୍ୟାସ କରିଛି । ଚୀନର ଏହି ସମରାଭ୍ୟାସ ହାଇ- ଅଲଟିଚ୍ୟୁଟ ଅଞ୍ଚଳରେ କରାଯିବା ସହ ସବୁ ପ୍ରକାର ପ୍ରତିକୂଳ ପରିସ୍ଥିତିରେ ଯାତାୟାତ କରିପାରୁଥିବା ଭାରୀ ଯାନ, ଅତ୍ୟାଧୁନିକ ଯୁଦ୍ଧାସ୍ତ୍ର, ମାନବବିହୀନ ଡ୍ରୋନ ନିୟୋଜନ କରିଥିବାର ସୂଚନା ମିଳେ ।
ଭାରତ-ଚୀନ ସୈନ୍ୟ ପ୍ରତ୍ୟାହାର ଚୁକ୍ତିର ମାତ୍ର କିଛି ସମୟ ବ୍ୟବଧାନରେ ପୂର୍ବ ଲାଦାଖରେ ଚୀନ ସେନାର ଏଭଳି ସମରାଭ୍ୟାସ ସୃଷ୍ଟି କରେ ଘୋର ସନ୍ଦେହ । ଲାଦାଖକୁ ନେଇ ଚୀନ ପୁଣି ରଙ୍ଗ ବଦଳାଇବା ଆରମ୍ଭ କରିଛି । ହୋତାନ ପ୍ରାନ୍ତରେ ଚୀନ ଦୁଇଟି ନୂଆ କାଉଣ୍ଟି ଗଠନ କରିବାକୁ ଘୋଷଣା କରିବା ସହ ଲାଦାଖର କିଛି ଅଞ୍ଚଳକୁ ନିଜର ଦର୍ଶାଇଥିବାରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି ଭାରତ । ଚୀନ ଯେଉଁ କ୍ଷେତ୍ରକୁ ଯୋଡ଼ି ନିଜର ନୂଆ ପ୍ରଦେଶ ଘୋଷଣା କରିଛି ସେଥିରେ ଭାରତର କେନ୍ଦ୍ରଶାସିତ ଅଞ୍ଚଳ ଲାଦାଖର କିଛି ଅଂଶ ରହିଛି ବୋଲି ଭାରତର ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଚୀନ ନିକଟରେ କଡ଼ା ଆପତ୍ତି ଉଠାଯାଇଛି । ପାର୍ଲାମେଣ୍ଟର ଶୀତକାଳୀନ ଅଧିବେଶନରେ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର କହିଥିଲେ, ସଂଘର୍ଷ କିମ୍ବା ଅପ୍ରୀତିକର ସ୍ଥିତି ଏଡ଼ାଇବା ପାଇଁ ଏଲଏସିର ଫ୍ରିକ୍ସନ ପଏଣ୍ଟଗୁଡ଼ିକରୁ ସୈନ୍ୟ ପ୍ରତ୍ୟାହାର ଉପରେ ସର୍ବାଧିକ ପ୍ରାଥମିକତା ଦିଆଯାଇଥିଲା, ଯାହା ପୂରଣ ହୋଇଛି । ତେବେ ସାଟେଲାଇଟ୍ ଚିତ୍ରରୁ ଚୀନ-ପକ୍ଷ ଉତ୍ତେଜନା ହ୍ରାସ କରିବା ଦିଗରେ କୌଣସି ସ୍ପଷ୍ଟ ସୂଚନା ଦେଉନାହିଁ । ପ୍ୟାଙ୍ଗୋଙ୍ଗ ହ୍ରଦର ଉତ୍ତର-ପାର୍ଶ୍ୱ ନିକଟବର୍ତ୍ତୀ ବିବାଦୀୟ ଅଞ୍ଚଳରେ ଚୀନ ଏହାର ସାମରିକ ଏବଂ ଦ୍ୱୈତ ବ୍ୟବହାରକ୍ଷମ ଭିତ୍ତିଭୂମିର ବିକାଶ ଜାରି ରଖିଛି ।
ଦେପସାଙ୍ଗ ଏବଂ କେମଚୋକ୍ ଅଞ୍ଚଳରୁ ଦୁଇ ଦେଶର ସୈନ୍ୟ ପ୍ରତ୍ୟାହାର ଉଭୟ ଦେଶ ରାଜି ହୋଇଥିଲେ, ମାତ୍ର ଫରୱାର୍ଡ ପୋଜିସନଗୁଡ଼ିକୁ ଖାଲି କରାଯିବା ପରେ ଦେପସାଙ୍ଗ ନିକଟବର୍ତ୍ତୀ ଚୀନ ତାର ଅଞ୍ଚଳରେ ପିଏଲଏ ନୂତନ ଶିବିର ନିର୍ମାଣ କରିଥିବା ସାଟେଲାଇଟ୍ ଚିତ୍ରରୁ ଦୃଶ୍ୟମାନ ହୁଏ । ଏଥିରୁ ଚୀନର ମନ୍ଦ ଉଦ୍ଦେଶ୍ୟ ସହଜରେ ଅନୁମେୟ । ଭାରତ ସହ ସଂପର୍କ ଖରାପ ହେବା ପରେ ବାଂଲାଦେଶ ପ୍ରତିରକ୍ଷା ସହଯୋଗ ପାଇଁ ଚୀନ ଆଡ଼କୁ ମୁହାଁଇଛି । ବାଂଲାଦେଶ ବାୟୁସେନାରେ ଏବେ ରୁଷିଆ ନିର୍ମିତ ମିଗ୍-୨୯ କମ୍ବାଟ୍ ବିମାନ ରହିଛି । ଆମେରିକା ଠାରୁ ଏଫ-୧୬ ଲଢୁଆ ବିମାନ ଚୁକ୍ତି କରିବାରେ ବିଫଳ ହେବା ପରେ, ବାଂଲାଦେଶ ଏବେ ଚୀନ ସହ ୧୬ ସଂଖ୍ୟକ ଜେ-୧୦-ସି ମଲଟିରୋଲ୍ କମ୍ବାଟ୍ ଏୟାରକ୍ରାଫ୍ଟ, ଆଟାକ୍ ହେଲିକୋପ୍ଟର କ୍ରୟ କରିବାକୁ ପ୍ରତିରକ୍ଷା ଚୁକ୍ତି ଉପରେ ଆଲୋଚନା ଜାରି ରଖିଥିବାର ଜଣାଯାଏ । ବିଗତ କିଛି ବର୍ଷ ମଧ୍ୟରେ ବାଂଲାଦେଶ ତାର ନୌବାହିନୀ ପାଇଁ ଯୁଦ୍ଧଜାହାଜ, ଏୟାର ଡିଫେନ୍ସ ସିଷ୍ଟମ ଏବଂ ବିଭିନ୍ନ ପ୍ରତିରକ୍ଷା ସାମଗ୍ରୀ ମଧ୍ୟ ଚୀନ ଠାରୁ କ୍ରୟ କରିଛି ।
ଦକ୍ଷିଣ ଏସିଆରେ ସାନ ସାନ ଦେଶଗୁଡ଼ିକ ଉଭୟ ସାମରିକ ଓ ଅର୍ଥନୈତିକ ସମର୍ଥନ ପାଇଁ ବେଜିଂ ଆଡକୁ ମୁହାଁଉଛନ୍ତି । ବାଂଲାଦେଶରେ ଚୀନର ବଢୁଥିବା ପ୍ରଭାବ ଭାରତ ପାଇଁ ଚିନ୍ତାର କାରଣ ପାଲଟିବା ସ୍ୱାଭାବିକ । ଚୀନ ଆଗାମୀ ଦିନରେ ପାକିସ୍ତାନକୁ ୫ମ ପିଢ଼ିର ୪୦ ସଂଖ୍ୟକ ଅତ୍ୟାଧୁନିକ ଲଢୁଆ ବିମାନ ବିକ୍ରୟ କରିବ ବୋଲି ଜଣାଯାଏ । ଚୀନ ଇତିମଧ୍ୟରେ ଜେ୩୫-ଏ ଆଧୁନିକ ଯୁଦ୍ଧ ବିମାନ ନିର୍ମାଣ କରି ତାର ବାୟୁସେନାରେ ସାମିଲ କରିସାରିଛି । ଆମେରିକାର ଏଫ-୩୫ ଅତ୍ୟାଧୁନିକ ଲଢୁଆ ବିମାନ ସହ ଚୀନର ଏହି ବିମାନ ଯଥେଷ୍ଟ ସାମଞ୍ଜସ୍ୟ ରହିଛି । ହଂକଂ ସ୍ଥିତ ‘ସାଉଥ ଚାଇନା ମର୍ଣ୍ଣିଙ୍ଗ ପୋଷ୍ଟ’ ପତ୍ରିକାରେ ପ୍ରକାଶିତ ସୂଚନା ଅନୁଯାୟୀ, ଚୀନ ଆସନ୍ତା ଦୁଇବର୍ଷ ମଧ୍ୟରେ ପାକିସ୍ତାନକୁ ଏହି ବିମାନ ଯୋଗାଇଦେବ । ଚୀନଠାରୁ ଏହି ପ୍ରକାରର ଯୁଦ୍ଧବିମାନ ଆହରଣ କଲା ପରେ ପାକିସ୍ତାନ ତାର ବାୟୁସେନାରେ ଥିବା ଆମେରିକା ପ୍ରଦତ୍ତ ଏଫ-୧୬ ଯୁଦ୍ଧବିମାନ ପୁରୁଣା ହେବା କାରଣରୁ ହଟାଇଦେବ ବୋଲି ଆଶା କରାଯାଏ । ପାକିସ୍ତାନର ଆର୍ଥିକ ସ୍ଥିତି ସମ୍ବନ୍ଧରେ ଚୀନ ସଂପୂର୍ଣ୍ଣ ଅବଗତ ଥିବା ସତ୍ତେ୍ୱ ପାକିସ୍ତାନକୁ ଜେ୩୫ଏ ଯୋଗାଇବା ପଛରେ ନିଜର ସ୍ୱାର୍ଥ ଥିବା ସ୍ପଷ୍ଟ ବାରି ହୁଏ । ପାକିସ୍ତାନକୁ ଋଣଯନ୍ତାରେ ପୂରାଇ ଏହାକୁ ସଂପୂର୍ଣ୍ଣ ବଶୀଭୂତ କରିବାକୁ ଏହା ଚୀନର ଏକ ହୀନଚକ୍ରାନ୍ତ ବୋଲି କୂଟନୀତିଜ୍ଞଙ୍କ ମତ ।
ବାଂଲାଦେଶ ଓ ପାକିସ୍ତାନ ସହ ଚୀନର ବଢ଼ୁଥିବା ସଂପର୍କ ଭାରତର କୂଟନୈତିକ ରଣନୀତିରେ ଆଉ ଏକ ଜଟିଳତା ଯୋଡ଼ି ଦେଇଛି । ବିଗତ କିଛି ବର୍ଷ ଧରି ଚୀନର ବିସ୍ତାରବାଦୀ ସାମରିକ ଓ କୂଟନୀତି ଏସୀୟ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଅନେକ ଅସ୍ଥିରତା ସୃଷ୍ଟି କରିଛି । ଦକ୍ଷିଣ-ଚୀନ ସାଗର ଅଞ୍ଚଳରେ କୃତ୍ରିମ ଦ୍ୱୀପ ସୃଷ୍ଟି ଏବଂ ସେଠାରେ ସାମୁଦ୍ରିକ ନୌସେନା ଘାଟି ନିର୍ମାଣ କରିବା ସହ ଭାରତ ମହାସାଗରୀୟ ଅଞ୍ଚଳକୁ ଚୀନ ଅଶାନ୍ତ କରି ରଖିଛି । ଏସୀୟ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଭାରତ ସମେତ ପ୍ରାୟ ୧୭ ସଂଖ୍ୟକ ଦେଶ ସହିତ ଚୀନର ସୀମା ବିବାଦ ରହିଛି ଅଥବା କୂଟନୈତିକ ତିକ୍ତତା ସୃଷ୍ଟି ହୋଇଛି । ମାନବାଧିକାର ଉଲ୍ଲଙ୍ଘନ ଅଭିଯୋଗରେ ଆନ୍ତର୍ଜାତିକ ମୁଦ୍ରାପାଣ୍ଠି ଓ ବିଶ୍ୱବ୍ୟାଙ୍କ ଆଫ୍ରିକୀୟ ଦେଶଗୁଡ଼ିକୁ ଋଣ ସହାୟତା ଦେବାକୁ କୁଣ୍ଠିତ ଥିଲାବେଳେ ଏହାର ସୁଯୋଗ ନେଇ ଚୀନ ସେଠାରେ ବିପୁଳ ପରିମାଣରେ ପୁଞ୍ଜି ନିବେଶ କରିଛି । ଏବେ ଆଫ୍ରିକୀୟ ରାଷ୍ଟ୍ରମାନଙ୍କ ପାଇଁ ଚୀନ ହିଁ ଶେଷ ବିକଳ୍ପ ହୋଇଯାଇଥିବାରୁ ଚୀନ ପ୍ରତି ସେମାନଙ୍କ ଆନୁଗତ୍ୟ ବଢ଼ିବା ସ୍ୱାଭାବିକ । ପାକିସ୍ତାନ ଓ ଶ୍ରୀଲଙ୍କା ଚୀନର ଋଣ ଜାଲରେ ଫନ୍ଦି ହୋଇସାରିଥିଲା ବେଳେ ଆଫ୍ରିକା ମହାଦେଶର ଅନୁନ୍ନତ ରାଷ୍ଟ୍ରଗୁଡ଼ିକ ଆଗାମୀ ଦିନରେ ସେହି ଦଶା ଭୋଗିବେ ବୋଲି ଅର୍ଥନୀତିଜ୍ଞଙ୍କ ମତ । ଚୀନ ରାଷ୍ଟ୍ରପତି ସି ଜିନ୍ପିଙ୍ଗ୍ ଏଭଳି ଏକ ବ୍ୟକ୍ତିତ୍ୱ, ଯାହାଙ୍କ ଅହଙ୍କାର ସମଗ୍ର ବିଶ୍ୱକୁ ପୁଣି ଏକ ବିପର୍ଯ୍ୟୟର ନିକଟବର୍ତ୍ତୀ କରିବ ବୋଲି କେତେକ କୂଟନୈତିକଙ୍କ ମତ ପ୍ରକାଶ ପାଇଛି ।
୨୦୨୫ ନବବର୍ଷରେ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଦେଇଥିବା ବାର୍ତ୍ତାରେ ଜିନ୍ ପିଙ୍ଗ୍ ତାଇୱାନ ବିରୋଧରେ ସାମରିକ କାର୍ଯ୍ୟାନୁଷ୍ଠାନ ସଂପର୍କରେ ସୂଚନା ଦେଇ ସେଥିପାଇଁ ପ୍ରସ୍ତୁତ ରହିବାକୁ ଦେଇଥିଲେ ଆହ୍ୱାନ । ଚୀନର ପିପୁଲ୍ସ ଲିବେରେସନ ଆର୍ମି ତା’ର ଏୟାର ଡିଫେନ୍ସ ଫୋର୍ସକୁ ଅଧିକ ଶକ୍ତିଶାଳୀ କରିବାରେ ତତ୍ପର । ୨୦୩୫ ମସିହା ସୁଦ୍ଧା ୧୦୦୦ ଊଦ୍ଧ୍ୱର୍ ସଂଖ୍ୟକ ‘ଷ୍ଟିଲ୍ଥ ଏବଂ ଫିଫ୍ଥ ଜେନେରେସନ ଫାଇଟର ଏୟାରକ୍ରାଫ୍ଟ’ରେ ସଜ୍ଜିତ ହେବାକୁ ଲକ୍ଷ୍ୟ ରଖିଛି । ରକେଟ ଫୋର୍ସରେ ଶକ୍ତି ବୃଦ୍ଧି କରିବାକୁ ହାଇପରସୋନିକ ଏବଂ କ୍ରୁଜ୍ ମିଜାଇଲ୍ସର ସଂଖ୍ୟା ଓ ପାରଦର୍ଶିତା ବୃଦ୍ଧି କରିବାକୁ ତତ୍ପର । ଜିନ୍ ପିଙ୍ଗ୍ଙ୍କ ନିର୍ଦ୍ଦେଶରେ ନ୍ୟାସନାଲ ଡିଫେନ୍ସ ଉପରେ ଏକ ହ୍ୱାଇଟ୍ ମଧ୍ୟ ପ୍ରକାଶ ପାଇଛି ଯେଉଁଥିରେ ସମଗ୍ର ବିଶ୍ୱରେ ସୁପର ପାୱାର ହେବାର ଲକ୍ଷ୍ୟ ସ୍ପଷ୍ଟ ବାରି ହୁଏ । ୨୦୨୪ ଡିସେମ୍ବର ୨୬ ତାରିଖରେ ଚୀନ ତା’ର ଦୁଇଟି ସିକ୍ସଥ ଜେନେରେସନ ଫାଇଟର କମ୍ବାଟ ଏୟାରକ୍ରାଫ୍ଟର ଉଡାଣ ଚେଙ୍ଗଡୁ ଏୟାରବେସ୍ରେ କରିଥିବାର ସୂଚନା ମିଳେ । ଚୀନ ତା’ର ଏୟାରଫୋର୍ସରେ ଥିବା ଜେ-୨୦ ଫିଫ୍ଥ ଜେନେରେସନ କମ୍ବାଟ ଏୟାରକ୍ରାଫ୍ଟଗୁଡ଼ିକୁ ଭାରତ ବିପକ୍ଷରେ ଚେଙ୍ଗଡୁ, ହୋତାନ ଏବଂ ସିଙ୍ଗାସେ ଏୟାରଫିଲ୍ଡରେ ନିୟୋଜିତ କରିଥିବାର ଗୁପ୍ତ ସୂଚନା ଜଣାଯାଏ । ଏଥିରୁ ଚୀନର ମତିଗତି ବେଶ୍ ଅନୁମେୟ । ନିକଟରେ ପ୍ରକାଶିତ ଖବର ଅନୁସାରେ, ଚୀନ ତିବ୍ବତର ୟାରଲଙ୍ଗ ସାଙ୍ଗପୋ (ଯାହା ଭାରତରେ ବ୍ରହ୍ମପୁତ୍ର ନଦୀ ନାମରେ ପରିଚିତ) ଉପରେ ବିଶ୍ୱର ସର୍ବବୃହତ ଜଳବିଦ୍ୟୁତ ପ୍ରକଳ୍ପ ନିର୍ମାଣ ପାଇଁ ଯୋଜନା କରିଛି ।
ବ୍ରହ୍ମପୁତ୍ର ନଦୀ ଅରୁଣାଚଳ ପ୍ରଦେଶ ଓ ଆସାମର ଜୀବନରେଖା ଭାବେ ପ୍ରବାହିତ ହୋଇ ବାଂଲାଦେଶରେ ପ୍ରବେଶ କରିଛି । ଚୀନ ଯେଉଁ ବିଶାଳ ଡ୍ୟାମ ବ୍ରହ୍ମପୁତ୍ର ନଦୀର ଉପରମୁଣ୍ଡରେ ନିର୍ମାଣ କରିବାକୁ ଯାଉଛି ତାହା ଭାରତ ପାଇଁ ଚିନ୍ତାର କାରଣ ସାଜିଛି । ପ୍ରଥମତଃ, ଏହି ଡ୍ୟାମ ନିର୍ମାଣ ହେଲେ ଭାରତକୁ ବ୍ରହ୍ମପୁତ୍ର ନଦୀର ଜଳପ୍ରବାହ ଗୁରୁତର ଭାବେ ବ୍ୟାହତ ହେବ । ଦ୍ୱିତୀୟତଃ, ଉପରମୁଣ୍ଡରୁ ପାଣିକୁ ଅଟକାଇ ଚୀନ ଏହାକୁ ଭାରତ ବିରୋଧରେ ଯୁଦ୍ଧ ସମୟରେ ଏକ ଅସ୍ତ୍ର ଭାବେ ବ୍ୟବହାର କରିବାର ସମ୍ଭାବନା ରହିଛି । ତୃତୀୟତଃ, ଡ୍ୟାମ ନିର୍ମାଣ କରିବାକୁ ଥିବା ଅଞ୍ଚଳଟି ଭୂକମ୍ପପ୍ରବଣ ହୋଇଥିବାରୁ ଭୂକମ୍ପ ବେଳେ ଉପରମୁଣ୍ଡରେ ଥିବା ଡ୍ୟାମ ଭାଙ୍ଗିଲେ ଭାରତର ଉତ୍ତର-ପୂର୍ବାଞ୍ଚଳ ଯଥେଷ୍ଟ କ୍ଷତିଗ୍ରସ୍ତ ହେବା ସୁନିଶ୍ଚିତ । ଏଭଳି ସ୍ଥିତିର ସମାଧାନ ଭାରତ କିପରି ଚୀନ ସହିତ କରିବ ତାହା ବିଶେଷ ଗୁରୁତ୍ୱ ବହନ କରେ । ଯଦିଓ କୂଟନୈତିକ ସ୍ତରରେ ଚୀନ ସହ ଯୋଗାଯୋଗ ରକ୍ଷା କରି ଭାରତ ସରକାର ନିଜର ବିରୋଧ ଓ ପ୍ରତିବାଦ କରିଛି, ମାତ୍ର ଆଗକୁ କ’ଣ ଘଟିବ ତାହା କହିବା କଷ୍ଟକର । ଆଜିର ସମୟରେ ବିଶ୍ୱର ପ୍ରତିଟି ଦେଶ ଭାରତ ସହ ସଂପର୍କ ମଜବୁତ କରିବାକୁ ଚାହୁଁଛି । ମୋଦିଙ୍କ ନେତୃତ୍ୱ ଏବଂ କୂଟନୀତି ବିଶ୍ୱ ଦରବାରରେ ଭାରତକୁ ଆଗଧାଡ଼ିରେ ଠିଆ କରାଇଛି । ଚୀନର ସବୁଠୁ ବଡ଼ ଚାଲେଞ୍ଜ ହେଉଛି ଆମେରିକା । ଭାରତ ଓ ଆମେରିକା ମଧ୍ୟରେ ବର୍ତ୍ତମାନର ସଂପର୍କକୁ ଖୁବ୍ ଭଲ ବୋଲି ଚୀନ ଠିକ୍ ଜାଣିଛି ।
ଏବେ ପରିସ୍ଥିତି ଯାହା ହେଉନା କାହିଁକି ଚୀନ ଭାରତ ସହ ସଂପର୍କକୁ ମଜବୁତ ପାଇଁ ଆଗେଇ ଆସିବା ବିଶ୍ୱର ପ୍ରତ୍ୟେକଟି ଦେଶ ପାଇଁ ଶୁଭଙ୍କର । ମାତ୍ର ସବୁଠୁ ବଡ଼ ପ୍ରଶ୍ନ ହେଉଛି, ଚୀନ ତା’ର ଆଭିମୁଖ୍ୟ ପରିସ୍ଥିତିକୁ ଦୃଷ୍ଟିରଖି ବଦଳାଇଛି ନା ଏହା ଚୀନର ଆଉ ଏକ ରଣନୀତି । ସାପକୁ କ୍ଷୀର ପିଆଇଲେ ଯେ ସେ ଦଂଶନ କରିବନାହିଁ, ଏହା ଭାବିବା ନିଶ୍ଚିତ ଭୁଲ୍ । ଚୀନ ଏଭଳି ଏକ ଜନ୍ତୁ, ଯାହାକୁ ଭରସା କରିହେବ ନାହିଁ । ତେଣୁ ଭାରତକୁ ପ୍ରତିଟି ପାଦ ଆଗକୁ ବଢ଼ାଇବା ପୂର୍ବରୁ ଭଲଭାବେ ବିଚାର କରିବାକୁ ପଡ଼ିବ ।