ଯେତେବେଳେ ଭାରତ ଏକ ଭବିଷ୍ୟତ ପାଇଁ ଯୋଗ୍ୟ କର୍ମଶକ୍ତି ନିର୍ମାଣ କରୁଛି, ଏହାର ଏଆଇ ନିୟାମକ ଢାଞ୍ଚାର ଦାୟିତ୍ୱପୂର୍ଣ୍ଣ ନିୟୋଜନ ସୁନିଶ୍ଚିତ ସହିତ ନବସୃଜନ ପ୍ରୋତ୍ସାହିତ ହେବା ଆବଶ୍ୟକ । ଏହା ‘କଠୋର’ ନିୟାମକ ବ୍ୟବସ୍ଥା ହେଲେ ମଧ୍ୟ ନବସୃଜନକୁ ହତୋତ୍ସାହିତ କରୁଥିବା ବା ବଜାର ସଞ୍ଚାଳିତ ଶାସନ ଏବଂ କିଛି ଲୋକଙ୍କୁ ହିଁ ସବୁବେଳେ ସୁବିଧା ପ୍ରଦାନ କରୁଥିବା ଢାଞ୍ଚାର ପ୍ରତିକୂଳ ହେବା ଆବଶ୍ୟକ । ଏ କ୍ଷେତ୍ରରେ ଭାରତ ବ୍ୟାବହାରିକ, ପ୍ରଯୁକ୍ତି-ଆଇନଗତ ପଦ୍ଧତିକୁ ଅନୁସରଣ କରୁଛି।
ମହାରାଷ୍ଟ୍ରର ବାରାମତି ଜିଲ୍ଲାର ଜଣେ କ୍ଷୁଦ୍ର ଚାଷୀ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ବ୍ୟବହାର କରି ନିଜ ଜମିରେ ଚାଷ ପ୍ରକ୍ରିୟାର ପୁନଃ ନିର୍ଦ୍ଧାରଣ କରୁଛନ୍ତି । କମ୍ ସାର ବ୍ୟବହାର ଏବଂ ଜଳ ଉତ୍ସଗୁଡ଼ିକର ଉନ୍ନତ ଉପଯୋଗ ଦ୍ୱାରା ଉତ୍ପାଦନ ବୃଦ୍ଧିକୁ ସେ ପ୍ରାଧାନ୍ୟ ଦେଉଛନ୍ତି । ଏହା ସ୍ୱୟଂ ଏକ ଅସାଧାରଣ ପ୍ରକ୍ରିୟା, କିନ୍ତୁ ଏଆଇ ବ୍ୟବହାର କରି ନିଜ ମନରେ ଆତ୍ମବିଶ୍ୱାସ ଦୃଢ଼ କରିପାରିଛନ୍ତି ଏ ଚାଷୀ ।
ଭାରତରେ ଜାରି ରହିଥିବା ଏଆଇ କ୍ରାନ୍ତିର ଏହା ଏକ ଝଲକ ମାତ୍ର ହୋଇପାରେ । କିନ୍ତୁ ଏହା ସ୍ପଷ୍ଟ କରୁଛି ଯେ, ଭାରତର ଟେକ୍ନୋଲୋଜି ଏବଂ ନବସୃଜନ ଆଉ ପ୍ରୟୋଗଶାଳାରେ ସୀମିତ ହୋଇ ରହିନାହିଁ, ବରଂ ଏହା ନାଗରିକଙ୍କ ହାତରେ ତାଙ୍କ ଜୀବନ ବଦଳାଇବା ଲାଗି ପ୍ରସ୍ତୁତ ହେଲାଣି । ଅନ୍ୟ ଭାଷାରେ କହିବାକୁ ଗଲେ, ଏହି କୃଷକଙ୍କ କାହାଣୀକୁ ପରିବର୍ତ୍ତନର ଏକ ସୂକ୍ଷ୍ମ ରୂପ ଭାବେ ବିବେଚନା କରାଯାଇପାରେ, ଯାହା ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନ ଆଡ଼କୁ ଆମର ଯାତ୍ରାକୁ ଇଙ୍ଗିତ କରୁଛି ।
ଡିଜିଟାଲ୍ ଭାଗ୍ୟ ନିର୍ଦ୍ଧାରଣ
ଡିଜିଟାଲ୍ ପବ୍ଲିକ୍ ଇନ୍ଫ୍ରାଷ୍ଟକ୍ଚର (ଡିପିଆଇ), ଏଆଇ, ସେମିକଣ୍ଡକ୍ଟର ଏବଂ ଇଲେକଟ୍ରୋନିକ୍ସ ଉତ୍ପାଦନ ଉପରେ ଧ୍ୟାନ ନିବେଶ କରି ଭାରତ ଏହାର ଡିଜିଟାଲ୍ ଭବିଷ୍ୟତକୁ ଗଢ଼ି ତୋଳୁଛି । ଏହା ସତ୍ୟ ଯେ, ଦଶନ୍ଧି ଧରି ଭାରତ ସଫ୍ଟୱେର୍ କ୍ଷେତ୍ରରେ ସାରା ବିଶ୍ୱରେ ଅଗ୍ରଣୀ ହୋଇ ରହିଛି, ଆଉ ଏବେ ହାର୍ଡୱେର୍ ଉତ୍ପାଦନରେ ମଧ୍ୟ ବଡ଼ ଭୂମିକା ଆଡ଼କୁ ଅଗ୍ରଗତି କରୁଛି ଭାରତ ।
ପାଞ୍ଚଟି ସେମିକଣ୍ଡକ୍ଟର ପ୍ଲାଣ୍ଟ ଏବେ ଦେଶରେ ନିର୍ମାଣାଧୀନ, ଯାହା ଆଗକୁ ବୈଶ୍ୱିକ ଇଲେକଟ୍ରୋନିକ୍ସ କ୍ଷେତ୍ରରେ ଭାରତର ଭୂମିକାକୁ ସୁଦୃଢ଼ କରିବ । ଆଜି, ଇଲେକଟ୍ରୋନିକ୍ସ ଉତ୍ପାଦଗୁଡ଼ିକ ଆମର ଶ୍ରେଷ୍ଠ ତିନୋଟି ରପ୍ତାନି ସାମଗ୍ରୀ ମଧ୍ୟରେ ସ୍ଥାନ ପାଇଛି । ପୁଣି ଆମେ ଚଳିତ ବର୍ଷ ପ୍ରଥମ "ମେକ୍ ଇନ୍ ଇଣ୍ଡିଆ’ ଚିପ୍ ଉତ୍ପାଦନ କରିବାକୁ ଯାଉଛୁ, ଯାହାଦ୍ୱାରା ଖବ୍ ଶୀଘ୍ର ଆମେ ଏକ ପ୍ରମୁଖ ମାଇଲଖୁଣ୍ଟ ହାସଲ କରିବୁ ।
ଏଆଇର ପ୍ରସ୍ତୁତି: କମ୍ପ୍ୟୁଟ୍, ଡାଟା ଏବଂ ନବସୃଜନ ସେମିକଣ୍ଡକ୍ଟର ଏବଂ ଇଲେକଟ୍ରୋନିକ୍ସ ହେଉଛି ଏହାର ମେରୁଦଣ୍ଡ, ଯେଉଁଠାରେ ଡିପିଆଇ ଭାରତର ପ୍ରଯୁକ୍ତି ବିପ୍ଳବକୁ ତ୍ୱରାନ୍ୱିତ କରିବା ଲାଗି ପ୍ରେରକ ଶକ୍ତି ଭାବେ କାର୍ଯ୍ୟରତ । ଭାରତ ନିଜ ପକ୍ଷରୁ ଏକ ଏଆଇ ଫ୍ରେମୱାର୍କ ମାଧ୍ୟମରେ ଏଆଇକୁ ସମସ୍ତଙ୍କ ପାଇଁ ସୁଗମ କରି ଏହାର ଗଣତାନ୍ତ୍ରିକରଣ କରୁଛି ।
ଏହି କ୍ଷେତ୍ରରେ ଭାରତର ଏକ ପ୍ରମୁଖ ପଦକ୍ଷେପ ହେଉଛି ଏଠାରେ ସହଜରେ ଉପଲବ୍ଧ ହୋଇପାରୁଥିବା ୧୮୦୦୦ରୁ ଅଧିକ ଗ୍ରାଫିକ୍ସ ପ୍ରକ୍ରିୟାକରଣ ୟୁନିଟ୍ ( ଜିପିୟୁ) ଓ ସାଧାରଣ କମ୍ପ୍ୟୁଟ୍ ସୁବିଧା । ଘଣ୍ଟାପ୍ରତି ୧୦୦ ଟଙ୍କାରୁ କମ୍ ରିହାତି ମୂଲ୍ୟରେ ପ୍ରଦାନ କରାଯାଉଥିବା ଏହି ସୁବିଧା ଅତ୍ୟାଧୁନିକ ଗବେଷଣା ପାଇଁ ଗବେଷକ, ଷ୍ଟାର୍ଟଅପ୍, ଶିକ୍ଷାନୁଷ୍ଠାନ ଏବଂ ଅନ୍ୟ ଅଂଶୀଦାରମାନଙ୍କୁ ସହାୟକ ହେଉଛି । ଏହି ପଦକ୍ଷେପ ମୌଳିକ ମଡେଲ୍ ଏବଂ ଆପ୍ଲିକେସନ୍ ସମେତ ଏଆଇ ଆଧାରିତ ସିଷ୍ଟମ୍ ବିକାଶ ପାଇଁ ଆବଶ୍ୟକ ଜିପିୟୁର ସହଜ ଉପଲବ୍ଧତାକୁ ନିଶ୍ଚିତ କରିଥାଏ ।
ଭାରତ ବିବିଧ ଏବଂ ଉଚ୍ଚ-ଗୁଣବତ୍ତା ସମ୍ପନ୍ନ ଡାଟା ଉପରେ ଏଆଇ ମଡେଲଗୁଡ଼ିକୁ ତାଲିମ ଦେବା ପାଇଁ ଅଣ-ବ୍ୟକ୍ତିଗତ ବିଶାଳ ଅଜ୍ଞାତ ଡାଟାସେଟ୍ ମଧ୍ୟ ବିକଶିତ କରୁଛି । ଏହି ପଦକ୍ଷେପ ପାତର ଅନ୍ତରକୁ ହ୍ରାସ ଏବଂ ସଠିକତାକୁ ଆହୁରି ଉନ୍ନତ କରିବାରେ ସହାୟକ ହେବ, ଯାହାଦ୍ୱାରା ଏଆଇ ସିଷ୍ଟମଗୁଡ଼ିକ ଅଧିକ ନିର୍ଭରଯୋଗ୍ୟ ଏବଂ ସମାବେଶୀ ହୋଇପାରିବ । ଏହି ଡାଟାସେଟ୍ କୃଷି, ପାଣିପାଗ ପୂର୍ବାନୁମାନ ଏବଂ ଟ୍ରାଫିକ୍ ପରିଚାଳନା ଭଳି ବିଭିନ୍ନ କ୍ଷେତ୍ରରେ ଏଆଇ ଚାଳିତ ବ୍ୟବସ୍ଥାଗୁଡ଼ିକୁ ଅଧିକ ସଶକ୍ତ କରିବ । ସରକାର ଭାରତର ନିଜସ୍ୱ ମୌଳିକ ମଡେଲ୍ ବିକାଶକୁ ସହାୟତା ପ୍ରଦାନ କରୁଛନ୍ତି । ଯେଉଁଥିରେ ବୃହତ ଭାଷା ମଡେଲ (ଏଲଏଲ୍ଏମ୍) ଏବଂ ଭାରତୀୟ ଆବଶ୍ୟକତା ଅନୁରୂପ ସମସ୍ୟାର ଏଆଇ ଉତ୍ତର ସାମିଲ ରହିଛି । ଏଆଇ ଗବେଷଣାକୁ ପ୍ରୋତ୍ସାହିତ କରିବା ପାଇଁ, ଏକାଧିକ ଉତ୍କର୍ଷ କେନ୍ଦ୍ର ମଧ୍ୟ ସ୍ଥାପନ କରାଯାଇଛି ।
ଭାରତର ଡିପିଆଇ, ଡିଜିଟାଲ୍ ନବସୃଜନ ପାଇଁ ଏକ ରୂପରେଖ
ଡିପିଆଇ କ୍ଷେତ୍ରରେ ଭାରତର ନେତୃତ୍ୱ ବିଶ୍ୱ ଡିଜିଟାଲ୍ ପରିପାଟୀରେ ନିଜର ଗୁରୁତ୍ୱ ବଢ଼ାଇଛି । କର୍ପୋରେଟ୍ କିମ୍ବା ରାଷ୍ଟ୍ର ନିୟନ୍ତ୍ରିତ ମଡେଲ୍ ପରି ନହୋଇ, ଏହା ଭାରତର ସରଳ ସାର୍ବଜନୀନ-ଘରୋଇ ଦୃଷ୍ଟିକୋଣରେ ପ୍ରସ୍ତୁତ ଆଧାର, ୟୁପିଆଇ ଏବଂ ଡିଜିଲକର ଭଳି ପ୍ଲାଟଫର୍ମର ବିକାଶ ପାଇଁ ସରକାରୀ ପାଣ୍ଠି ବ୍ୟବହାର କରିଛି । ଅପରପକ୍ଷେ ଡିପିଆଇ ପାଇଁ ଘରୋଇ କମ୍ପାନୀମାନେ ଗ୍ରାହକ ଅନୁକୂଳ, ଆପ୍ଲିକେସନ୍ ଭିତ୍ତିକ ସମାଧାନ ବିକାଶ କରିଥାଆନ୍ତି ।
ଏହି ମଡେଲକୁ ଏବେ ଏଆଇ ସହ ସୁପରଚାର୍ଜ କରାଯାଉଛି । କାରଣ ୟୁପିଆଇ ଏବଂ ଡିଜିଲକର ଭଳି ଆର୍ଥିକ ଏବଂ ପ୍ରଶାସନିକ ପ୍ଲାଟଫର୍ମଗୁଡ଼ିକ ଇଣ୍ଟେଲିଜେଣ୍ଟ ସଲ୍ୟୁସନ୍ଗୁଡ଼ିକୁ ଏକୀକୃତ କରିଥାନ୍ତି । ଜି-୨୦ ଶିଖର ସମ୍ମିଳନୀରେ ଭାରତର ଡିପିଆଇ ଫ୍ରେମୱାର୍କ ପ୍ରତି ବିଶ୍ୱର ଆଗ୍ରହ ସ୍ପଷ୍ଟ ହୋଇଥିଲା, ଯେତେବେଳେ ବିଭିନ୍ନ ଦେଶ ଏହି ମଡେଲ୍ର ପ୍ରତିକୃତି ତିଆରି ଲାଗି ଇଚ୍ଛା ପ୍ରକାଶ କରିଥିଲେ । ଜାପାନ ଭାରତର ୟୁପିଆଇ ପେମେଣ୍ଟ ବ୍ୟବସ୍ଥାକୁ ଏକ ପେଟେଣ୍ଟ ପ୍ରଦାନ କରିଛି, ଯାହା ଏହାର ଉତ୍କର୍ଷତାର ପ୍ରମାଣ ପ୍ରତିପାଦନ କରୁଛି ।
ମହାକୁମ୍ଭ: ପରମ୍ପରା ଏବଂ ପ୍ରଯୁକ୍ତିର ଏକ ସଙ୍ଗମ
ମହାକୁମ୍ଭ- ୨୦୨୫ ଭାରତରେ ଏଯାଏଁ ଆୟୋଜିତ ସର୍ବବୃହତ୍ ମାନବ ସମାବେଶ ଭାବେ ପରିଚିତ । ଏହାର ପରିଚାଳନା ପାଇଁ ଡିପିଆଇ ଏବଂ ଏଆଇ ଚାଳିତ ବ୍ୟବସ୍ଥାକୁ ବ୍ୟବହାର କରାଯାଇଥିଲା । ପ୍ରୟାଗରାଜର ରେଳ ଷ୍ଟେସନଗୁଡ଼ିକରେ ଭିଡ଼ ନିୟନ୍ତ୍ରଣ ପାଇଁ ଏଆଇ ଚାଳିତ ଉପକରଣଗୁଡ଼ିକ ରେଳଯାତ୍ରୀଙ୍କ ଗତିବିଧି ଉପରେ ରିୟଲ ଟାଇମ୍ ଭିତ୍ତିରେ ନଜର ରଖିଥିଲା । ଭାଷିନୀ ସଂଯୁକ୍ତ ଏଆଇ ଚାଟ୍ବଟ୍ "ସହାୟକ' ସ୍ୱରକୁ ଆଧାର କରି ହଜିଯାଇଥିବା ଲୋକଙ୍କୁ ଖୋଜିବା ସୁବିଧା ପ୍ରଦାନ ସହ, ପ୍ରକୃତ-ସମୟ ଅନୁବାଦ ଏବଂ ସମସ୍ତଙ୍କ ପାଇଁ ବହୁଭାଷୀ ସହାୟତା ସକ୍ଷମ କରିଥିଲା । ଭାରତୀୟ ରେଳ ଏବଂ ୟୁପି ପୋଲିସ ଭଳି ବିଭିନ୍ନ ବିଭାଗ ସହିତ ଏହାର ସହଯୋଗ ଦ୍ରୁତ ସମସ୍ୟା ସମାଧାନ ସହ ଯୋଗାଯୋଗକୁ ସୁଗମ କରିପାରିଥିଲା ।
ଡିପିଆଇ ବ୍ୟବହାର ଦ୍ୱାରା ମହାକୁମ୍ଭ- ୨୦୨୫ ପ୍ରଯୁକ୍ତି ସକ୍ଷମ ପରିଚାଳନା କ୍ଷେତ୍ରରେ ଏକ ବିଶ୍ୱ ମାନଦଣ୍ଡ ସ୍ଥାପନ କରିବା ସହ ଏହାକୁ ଅଧିକ ସମାବେଶୀ, ଦକ୍ଷ ଏବଂ ସୁରକ୍ଷିତ ମଧ୍ୟ କରିଛି ।
ଭବିଷ୍ୟତ ପାଇଁ ପ୍ରସ୍ତୁତ କର୍ମଶକ୍ତି
ଭାରତର କର୍ମଶକ୍ତି ଏହାର ଡିଜିଟାଲ୍ ବିପ୍ଳବର ପ୍ରାଣକେନ୍ଦ୍ର । ଦେଶ ପ୍ରତି ସପ୍ତାହରେ ଗୋଟିଏ ଗ୍ଲୋବାଲ୍ କ୍ଷମତା କେନ୍ଦ୍ର (ଜିସିସି) ଯୋଡୁଛି, ଯାହା ବିଶ୍ୱ ଗବେଷଣା ଓ ବିକାଶ ଏବଂ ପ୍ରଯୁକ୍ତିବିଦ୍ୟା ପାଇଁ ଏକ ପସନ୍ଦର ଗନ୍ତବ୍ୟସ୍ଥଳ ଭାବରେ ଏହାର ସ୍ଥିତିକୁ ସୁଦୃଢ଼ କରୁଛି । ତଥାପି, ଏହି ଅଭିବୃଦ୍ଧିକୁ ବଜାୟ ରଖିବା ପାଇଁ ଶିକ୍ଷା ଏବଂ ଦକ୍ଷତା ବିକାଶରେ ନିରନ୍ତର ନିବେଶ ଆବଶ୍ୟକ ହେବ।
ସରକାର ଜାତୀୟ ଶିକ୍ଷା ନୀତି (ଏନ୍ଇପି) ୨୦୨୦ ଅନୁଯାୟୀ ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମକୁ ପୁନଃସଂସ୍କାର କରି ଏଥିରେ ଏଆଇ, ୫-ଜି ଏବଂ ସେମିକଣ୍ଡକ୍ଟର ଡିଜାଇନ୍ ଅନ୍ତର୍ଭୁକ୍ତ କରିଛନ୍ତି । ଏହା ଭବିଷ୍ୟତର ଆହ୍ୱାନକୁ ମୁକାବିଲା କରିବାକୁ ଛାତ୍ରଛାତ୍ରୀଙ୍କୁ ପ୍ରସ୍ତୁତ କରିବ । ପୁଣି ଏହା ସୁନିଶ୍ଚିତ କରିବ ଯେ, ସ୍ନାତକମାନେ ଆବଶ୍ୟକ ଦକ୍ଷତା ସହିତ କର୍ମଶକ୍ତିରେ ପରିଣତ ହେବେ । ଫଳରେ ଶିକ୍ଷା ଏବଂ ନିଯୁକ୍ତି ଆବଶ୍ୟକତା ମଧ୍ୟରେ ବ୍ୟବଧାନକୁ ହ୍ରାସ କରାଯାଇପାରିବ ।
ଏଆଇ ନିୟନ୍ତ୍ରଣ ପାଇଁ ବାସ୍ତବିକ ଦୃଷ୍ଟିକୋଣ
ଯେତେବେଳେ ଭାରତ ଏକ ଭବିଷ୍ୟତ ପାଇଁ ଯୋଗ୍ୟ କର୍ମଶକ୍ତି ନିର୍ମାଣ କରୁଛି, ଏହାର ଏଆଇ ନିୟାମକ ଢାଞ୍ଚାର ଦାୟିତ୍ୱପୂର୍ଣ୍ଣ ନିୟୋଜନ ସୁନିଶ୍ଚିତ ସହିତ ନବସୃଜନ ପ୍ରୋତ୍ସାହିତ ହେବା ଆବଶ୍ୟକ । ଏହା ‘କଠୋର' ନିୟାମକ ବ୍ୟବସ୍ଥା ହେଲେ ମଧ୍ୟ ନବସୃଜନକୁ ହତୋତ୍ସାହିତ କରୁଥିବା ବା ବଜାର ସଞ୍ଚାଳିତ ଶାସନ ଏବଂ କିଛି ଲୋକଙ୍କୁ ହିଁ ସବୁବେଳେ ସୁବିଧା ପ୍ରଦାନ କରୁଥିବା ଢାଞ୍ଚାର ପ୍ରତିକୂଳ ହେବା ଆବଶ୍ୟକ । ଏ କ୍ଷେତ୍ରରେ ଭାରତ ବ୍ୟାବହାରିକ, ପ୍ରଯୁକ୍ତି-ଆଇନଗତ ପଦ୍ଧତିକୁ ଅନୁସରଣ କରୁଛି ।
ଏଆଇ-ସମ୍ବନ୍ଧୀୟ ବିପଦକୁ ସମାଧାନ କରିବା ପାଇଁ କେବଳ ଆଇନ ଉପରେ ନିର୍ଭର କରିବା ପରିବର୍ତ୍ତେ, ସରକାର ପ୍ରଯୁକ୍ତିଗତ ସୁରକ୍ଷା ବ୍ୟବସ୍ଥାରେ ବିନିଯାଗ କରୁଛନ୍ତି । ଡିପ୍ ଫେକ୍, ଗୋପନୀୟତା ଚିନ୍ତା ଏବଂ ସାଇବର ସୁରକ୍ଷା ବିପଦକୁ ମୁକାବିଲା କରିବା ଉଦ୍ଦେଶ୍ୟରେ ଆବଶ୍ୟକ ଉପକରଣ ବିକାଶ କରିବା ସହ ସରକାର ଶୀର୍ଷ ବିଶ୍ୱବିଦ୍ୟାଳୟ ଏବଂ ଆଇଆଇଟି ଗୁଡ଼ିକରେ ଏଆଇ-ଚାଳିତ ପ୍ରକଳ୍ପଗୁଡ଼ିକୁ ଆର୍ଥିକ ସହାୟତା ପ୍ରଦାନ କରୁଛନ୍ତି ।
ଯେତେବେଳେ ଏଆଇ ବିଶ୍ୱ ଶିଳ୍ପଗୁଡ଼ିକୁ ପୁନଃଆକୃତି ଦେଇ ଚାଲିଛି, ଭାରତର ଦୃଷ୍ଟିକୋଣ ସ୍ପଷ୍ଟ ରହିଛି- ନବସୃଜନକୁ ପ୍ରୋତ୍ସାହିତ କରୁଥିବା ଏକ ନିୟାମକ ଢାଞ୍ଚା ବଜାୟ ରଖି ଅନ୍ତର୍ଭୁକ୍ତି ଅଭିବୃଦ୍ଧି ଦିଗରେ ପ୍ରଯୁକ୍ତିବିଦ୍ୟାକୁ ବ୍ୟବହାର କରୁଛି । କିନ୍ତୁ ନୀତି ଏବଂ ଭିତ୍ତିଭୂମି ଊଦ୍ଧ୍ୱର୍ରେ ଏହି ପରିବର୍ତ୍ତନ ଆମ ଲୋକଙ୍କ ପାଇଁ ।