ପୌଷ ପୂର୍ଣ୍ଣିମାରୁ ମହା ଶିବରାତ୍ରି । ଦେଢ଼ ମାସ ଧରି ଗଙ୍ଗାକୂଳରେ ଲାଗିଥିଲା ମେଳା । ସନାତନ ଧର୍ମର ଆସ୍ଥା, ଏକତା ଓ ବିଶ୍ୱାସର ମହାପର୍ବ ପ୍ରୟାଗରାଜ କୁମ୍ଭମେଳା । ବିଶ୍ୱର ସର୍ବବୃହତ୍ ଏ ଧାର୍ମିକ ମେଳା ହେଉଛି ଭାରତୀୟ ଏକତାର ସ୍ପର୍ଦ୍ଧିତ ଜୟଯାତ୍ରା । ଏ ବିଶାଳ ଆଧ୍ୟାତ୍ମିକ ମହାପର୍ବ ପ୍ରତିଷ୍ଠା କରିଛି ବିଶ୍ୱ ରେକର୍ଡ ।
ଆସ୍ଥାର ଉତ୍ସବ । ଦିବ୍ୟ ସ୍ନାନର ଅମୃତ ଯୋଗ । ପ୍ରୟାଗରାଜର ଦଶ ହଜାର ଏକର ଜମିରେ ଏକାଠି ହେଲେ ଭାରତର ଅଧା ଲୋକ । ଯେତିକି ଦିବ୍ୟ ସେତିକି ଭବ୍ୟ । ମହାକୁମ୍ଭ ମେଳାରେ ସାମିଲ ହେଲେ ୬୬ କୋଟି ଶ୍ରଦ୍ଧାଳୁ । ସଙ୍ଗମରେ ପକାଇଲେ ବିଶ୍ୱାସର ବୁଡ଼ । ସାରା ବିଶ୍ୱରେ ଏବେ ମହାକୁମ୍ଭର ଚର୍ଚ୍ଚା । ସଙ୍ଗମନଗରୀରେ ଜନ ସମୁଦ୍ର ଓ ତ୍ରୁଟିଶୂନ୍ୟ ପରିଚାଳନାକୁ ଦେଖି ସମସ୍ତେ ଚକିତ । ଡିଜିଟାଲ ଯୁଗରେ ଗୋଟେ ଦେଶ ଆସ୍ଥା ଓ ଧର୍ମୀୟ ବିଶ୍ୱାସ ପାଇଁ କେମିତି ଏକଜୁଟ୍ ହୋଇପାରେ ତାହା ବିଶ୍ୱକୁ ଦେଖାଇଛି ମହାକୁମ୍ଭ ମେଳା । ଆଧ୍ୟାତ୍ମର ଉତ୍ସବ, ସାଂସ୍କୃତିକ ଏ ମହୋତ୍ସବ ସୃଷ୍ଟି କରିଛି ଐତିହାସିକ ରେକର୍ଡ । ପ୍ରୟାଗରାଜ ମାଟିରେ ପାଦ ପକାଇଥିବା ପ୍ରତିଟି ଶ୍ରଦ୍ଧାଳୁଙ୍କ ତୁଣ୍ଡରେ ଥିଲା ଗୋଟିଏ ସ୍ୱର-‘ହର ହର ଗଙ୍ଗେ, ହର ହର ମହାଦେବ ।’ ଆସ୍ଥା, ମାନବତା ଓ ଏକତାର ଏ ମହାକୁମ୍ଭକୁ ପାଖରୁ ଦେଖିବାର ଅପୂର୍ବ ସୁଯୋଗ ଆମକୁ ମିଳିଥିଲା । ବିଶ୍ୱର ସର୍ବବୃହତ୍ ଏ ଧାର୍ମିକ ପର୍ବ ଥିଲା ଅଦ୍ଭୂତ, ଅଲୌକିକ ଓ ଅଦ୍ୱିତୀୟ ।
ସୁସ୍ଥ, ସ୍ୱଛ ଓ ସୁରକ୍ଷିତ ମହାକୁମ୍ଭ
ମୋକ୍ଷ ପ୍ରାପ୍ତି ପାଇଁ ମହାସମାଗମ । ୧୪୪ ବର୍ଷରେ ଦୁର୍ଲ୍ଲଭ ମହାକୁମ୍ଭ ଅବସରରେ ଗଙ୍ଗା-ଯମୁନା-ସରସ୍ୱତୀ ନଦୀର ମିଳନସ୍ଥଳୀ ତ୍ରିବେଣୀ ସଙ୍ଗମରେ ବୁଡ଼ ପକାଇବାକୁ ଏକାଠି ହୋଇଥିଲେ ଦେଶ ବିଦେଶର ଶ୍ରଦ୍ଧାଳୁ । ମା’ ଗଙ୍ଗାଙ୍କ ପୂଜାର୍ଚ୍ଚନା ସହ ପୁଣ୍ୟପ୍ରାପ୍ତି ପାଇଁ କୋଟି କୋଟି ଭକ୍ତଙ୍କ ବିଶାଳ ସମାଗମକୁ ସୁବ୍ୟବସ୍ଥିତ କରିବାକୁ ଉତ୍ତରପ୍ରଦେଶ ସରକାର ଓ ସେଠାର ଲୋକ କାନ୍ଧରେ କାନ୍ଧ ମିଳାଇଥଲେ । ୪୫ ଦିନ ଧରି ଗଙ୍ଗାକୂଳରେ ଲାଗିଥିଲା ମେଳା । ମାନବ ଇତିହାସରେ ଏହା ହେଉଛି ସବୁଠାରୁ ବଡ଼ ଓ ଭବ୍ୟ ଆୟୋଜନ ।
ବିଭିନ୍ନତାରେ ଏକତାର ବାର୍ତ୍ତା ବାଣ୍ଟିଛି ମହାକୁମ୍ଭ । ଏ ମେଳାକୁ ସଂପୂର୍ଣ୍ଣ ସୁସ୍ଥ, ସ୍ୱଚ୍ଛ ଓ ସୁରକ୍ଷିତ କରିବାକୁ ୟୁପି ସରକାର ରାତି ଦିନ ଏକ କରିଥିଲେ । ପରିମଳ, ସ୍ୱାସ୍ଥ୍ୟ ସେବା ସହ ଶ୍ରଦ୍ଧାଳୁଙ୍କ ସୁରକ୍ଷା ପାଇଁ ହୋଇଥିଲା ବିଶ୍ୱସ୍ତରୀୟ ବ୍ୟବସ୍ଥା । ମେଳା କ୍ଷେତ୍ରକୁ ୨୫ ସେକ୍ଟରରେ ଭାଗ କରାଯାଇ ୪୩ଟି ହସ୍ପିଟାଲ ଖୋଲିଥିଲା । ଏଠାରେ ସବୁପ୍ରକାର ଚିକିତ୍ସା ସୁବିଧା ସହ ଭିଡ଼ରେ ଜରୁରୀକାଳୀନ ରୋଗୀଙ୍କୁ ସ୍ଥାନାନ୍ତର ପାଇଁ ଆମ୍ବୁଲାନସ୍ କରିଡର ସହ ଏୟାର ଆମ୍ବୁଲାନସ୍ ମଧ୍ୟ ମହଜୁଦ ଥିଲା । ୬ ହଜାର ରୋଗୀ ଶଯ୍ୟାରେ ୪ ଶହ ଡାକ୍ତର ଚିକିତ୍ସା ସେବାରେ ଥିଲେ ନିୟୋଜିତ । ମେଳା କ୍ଷେତ୍ରରେ ସ୍ୱଚ୍ଛତା ପାଇଁ ୮୫୦ ଟିମ୍ରେ ୧୧ ହଜାର ପରିମଳ କର୍ମଚାରୀ କାମ କରିଛନ୍ତି । ସ୍ୱଚ୍ଛତା ଅନୁଧ୍ୟାନ ଦାୟିତ୍ୱ ତୁଲାଇଥିଲେ ୧୮୦୦ ଗଙ୍ଗାଦୂତ । ବିଶାଳ ସମାବେଶରେ ପରିମଳ ସେବା ଏତେ ଉନ୍ନତ ଥିଲା ତାହା ଆଖିରେ ନ ଦେଖିଲେ ବିଶ୍ୱାସ ହେବନି । ସମର୍ପଣ ଭାବ ନେଇ ସଫେଇ କର୍ମଚାରୀ ଦିନରାତି ଦାୟିତ୍ୱ ତୁଲାଇଥିଲେ । ସୁରକ୍ଷା ପାଇଁ ୧୪ ବାଟାଲିୟନ କେନ୍ଦ୍ରୀୟ ଫୋର୍ସ ସହ ୩୭ ହଜାର ପୁଲିସ କର୍ମଚାରୀ ଓ ୧୪ ହଜାର ହୋମ୍ଗାର୍ଡ ମୁତୟନ ହୋଇଥିଲେ । ୨୭୫୦ ଏଆଇ ସିସି କ୍ୟାମେରା ଓ ୫୦ ୱାଚ୍ ଟାୱାରରେ ଶ୍ରଦ୍ଧାଳୁଙ୍କ ଗତିବିଧି ନିରୀକ୍ଷଣ କରୁଥିଲା କଣ୍ଟ୍ରୋଲ ରୁମ୍ । ସମସ୍ତଙ୍କ ସହଯୋଗ, ନିଷ୍ଠା ଓ ପରିଶ୍ରମରୁ ଏ ଭବ୍ୟ ଆୟୋଜନ ଶୃଙ୍ଖଳାର ସହ ସମାପ୍ତ ହୋଇଛି ।
କଳାଗ୍ରାମ: କଳା, ସଂସ୍କୃତି ଓ ଐତିହ୍ୟର ସଙ୍ଗମ
ଗୋଟିଏ ମଞ୍ଚରେ ଓଡ଼ିଶୀ, କଥକ, କୁଚିପୁଡ଼ିରୁ ଆରମ୍ଭ କରି ସାରା ଦେଶର ଲୋକନୃତ୍ୟ । ହସ୍ତକଳାର ଅପୂର୍ବ ସମ୍ଭାର । ମେଳାକ୍ଷେତ୍ରର କଳାଗ୍ରାମର ମହାମଞ୍ଚ ସାରା ଦେଶର ବିବିଧତା ଭିତରେ ସାଂସ୍କୃତିକ ଏକତାକୁ ପ୍ରଦର୍ଶନ କରିଛି । କେନ୍ଦ୍ର ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟର କଳାଗ୍ରାମ କହୁଥିଲା ଦେଶର ସବୁ ରାଜ୍ୟର କଳା ଓ ସଂସ୍କୃତିର କଥା । ଭାରତର ଗୌରବମୟ ଐତିହ୍ୟକୁ ନେଇ ମଧ୍ୟ ବିବିଧ ପ୍ରଦର୍ଶନୀ ଶ୍ରଦ୍ଧାଳୁଙ୍କୁ ହାତଠାରି ଡାକୁଥିଲା । ୧୦ ଏକର ପରିମିତ ନାଗବାସୁକୀ କ୍ଷେତ୍ରରେ ନିର୍ମିତ କଳାଗ୍ରାମରେ ଭାରତର ହସ୍ତଶିଳ୍ପ, ବ୍ୟଞ୍ଜନ ଓ ସଂସ୍କୃତିର ଥିଲା ଅଦ୍ଭୂତ ସମନ୍ୱୟ । ହଜାର ବର୍ଷର ପୁରୁଣା ସଂସ୍କୃତି ଓ ଐତିହ୍ୟରେ ଆଧୁନିକ ପ୍ରଯୁକ୍ତିର ପ୍ରୟୋଗ କଳାଗ୍ରାମକୁ ଆହୁରି ଜୀବନ୍ତ କରିଥିଲା ।
ଓଡ଼ିଶାର ଲୋକସଂଗୀତ, ଲୋକ ନୃତ୍ୟ ସହ ହସ୍ତତନ୍ତ ଶ୍ରଦ୍ଧାଳୁଙ୍କ ମନ ଜିଣିଥିଲା । ସମ୍ବଲପୁରୀ, ଗୋଟିପୁଅ ସହ ଘୁମୁରା ନାଚରେ ଦୁଲୁକିଥିଲା କଳାଗ୍ରାମର ମଞ୍ଚ । ହସ୍ତତନ୍ତ, ହସ୍ତଶିଳ୍ପ ସାମଗ୍ରୀ କିଣାବିକା ପାଇଁ ୬୦୦ ଷ୍ଟଲରେ ଲାଗିଥିଲା ଭିଡ଼ । ଆମ ସଂସ୍କୃତି ଓ ଐତିହ୍ୟ ସମୃଦ୍ଧ ଉଡ଼ାଣର ଦୃଢ଼ ମୂଳଦୁଆ ପକାଇଛି କୁମ୍ଭମେଳା ୨୦୨୫ ।
ପକ୍ଷୀଙ୍କ ଶବ୍ଦ ଥେରାପି, ଶ୍ରଦ୍ଧାଳୁଙ୍କ ମନରେ ଶାନ୍ତି
ସଙ୍ଗମରେ କେବଳ ମଣିଷ ନୁହଁ ପକ୍ଷୀ ବି ପକାଇଥିଲେ ଆସ୍ଥାର ଅମୃତ ବୁଡ଼ । ଅଲୌକିକ ଆଧ୍ୟାତ୍ମିକ ମହୋତ୍ସବର ସାକ୍ଷୀ ହେବାକୁ ବିଦେଶୀ ପକ୍ଷୀମାନେ ମଧ୍ୟ ସଙ୍ଗମରେ ଅଟକି ରହିଥିଲେ । ରଙ୍ଗବେରଙ୍ଗର ପକ୍ଷୀ ମେଳିର ଶୋଭା ଶ୍ରଦ୍ଧାଳୁଙ୍କ ମନ ଜିଣୁଥିଲା । ସେମାନଙ୍କ କିଚିରି ମିଚିରି ସ୍ୱର ବାବା, ଧର୍ମଗୁରୁ, କ୍ଲାନ୍ତ କର୍ମଚାରୀ ଓ ଶ୍ରଦ୍ଧାଳୁଙ୍କ ମନରେ ଆଣୁଥିଲା ଶାନ୍ତି । ପକ୍ଷୀଙ୍କ ଏ ଶବ୍ଦ ଥେରାପି ମନକୁ ହାଲୁକା କରିବା ସହ ଆନ୍ତରିକ ଶାନ୍ତି ଆଣୁଥିଲା । ଶରୀର ଓ ମନକୁ ସୁସ୍ଥ ରଖିବାରେ ‘ପକ୍ଷୀଙ୍କ ଶବ୍ଦ ଥେରାପି’ର ବଡ଼ ଭୂମିକା ଅଛି । ଏହାକୁ ଭେଷଜ ବିଜ୍ଞାନ ମଧ୍ୟ ସ୍ୱୀକାର କରୁଛି । ଲକ୍ଷ ଲକ୍ଷ ଭକ୍ତ ୨୦ରୁ ୩୦ କିମି ପାଦରେ ଚାଲି ଚାଲି ସଙ୍ଗମରେ ଅମୃତ ସ୍ନାନ କରିବା ପରେ ପକ୍ଷୀଙ୍କ ସ୍ୱର ତାଙ୍କ ଥକାପଣ ମେଣ୍ଟାଇବାରେ ବେଶ୍ ସହାୟକ ହେଉଥିଲା । ଲାଗୁଥିଲା ସତେ ଯେମିତି ଶାନ୍ତିର ଦୂତ ସାଜି ଲକ୍ଷ ଲକ୍ଷ ପକ୍ଷୀ ଶ୍ରଦ୍ଧାଳୁଙ୍କ ମାନସିକ ଶାନ୍ତି ପାଇଁ ଗଙ୍ଗାକୂଳରେ ଚକ୍କର କାଟୁଛନ୍ତି । ପ୍ରୟାଗରାଜ ଡିଏଫ୍ଓ ଅରବିନ୍ଦ ଯାଦବ କହନ୍ତି, ସାଧାରଣତଃ ଅକ୍ଟୋବର ଶେଷ ଆଡ଼କୁ ସାଇବେରିଆ, ମଙ୍ଗୋଲିଆ, ଆଫଗାନିସ୍ତାନ ଅଞ୍ଚଳରେ ଥଣ୍ଡାରୁ ରକ୍ଷା ପାଇବାକୁ ବହୁ ସଂଖ୍ୟାରେ ପକ୍ଷୀ ଗଙ୍ଗାକୂଳକୁ ଆସନ୍ତି। ସେମାନେ ଜାନୁଆରୀ ଶେଷ ଆଡ଼କୁ ବାହୁଡ଼ନ୍ତି । ମାତ୍ର ଏଥର ଆଶ୍ଚର୍ଯ୍ୟଜନକ ଭାବେ କୁମ୍ଭମେଳା ଶେଷ ଯାଏ ସେମାନେ ଅଟକି ରହିଛନ୍ତି । ୯୦ ପ୍ରଜାତିର ଏ ପକ୍ଷୀଙ୍କ ଅମୃତ ସ୍ନାନ ଥିଲା ଶ୍ରଦ୍ଧାଳୁଙ୍କ ପାଇଁ ସବୁଠାରୁ ବଳି ଆକର୍ଷର କେନ୍ଦ୍ରବିନ୍ଦୁ ।
ଏକ ଭାରତ-ଶ୍ରେଷ୍ଠ ଭାରତ
ବିଶ୍ୱାସ ଯେଉଁଠି, ଭଗବାନ ସେଇଠି । ସନାତନ ଧର୍ମର ଆସ୍ଥା ଓ ବିଶ୍ୱାସର ମହାକୁମ୍ଭ ପ୍ରୟାଗରାଜ କୁମ୍ଭମେଳା । ବିଶ୍ୱର ସର୍ବବୃହତ୍ ଏ ଧାର୍ମିକ ମେଳା ଏବେ ସାରା ବିଶ୍ୱରେ ବିଶେଷଜ୍ଞମାନଙ୍କ ପାଇଁ ଗବେଷଣାର ବିଷୟ । ସର୍ବଧର୍ମର ପ୍ରତୀକ ଏ ମେଳା ଦିବ୍ୟ, ଭବ୍ୟ ଓ ଭାରତୀୟ ଏକତାର ସ୍ପର୍ଦ୍ଧିତ ଜୟଯାତ୍ରା । ଏ ବିଶାଳ ମହାମିଳନ ପ୍ରତିଷ୍ଠା କରିଛି ବିଶ୍ୱ ରେକର୍ଡ । ଏକାଠି ୧୫ ହଜାର ସଫେଇ କର୍ମଚାରୀ ମେଳା କ୍ଷେତ୍ରର ସଫେଇ କରି ଗିନିଜ୍ ବିଶ୍ୱ ରେକର୍ଡ କରିଛନ୍ତି । ଏହାଛଡ଼ା ଆଉ ଦୁଇଟି କ୍ଷେତ୍ରରେ ମଧ୍ୟ ଗିନିଜ୍ ରେକର୍ଡ ପ୍ରତିଷ୍ଠା କରିଛି କୁମ୍ଭମେଳା । ବେପାର ଛୁଇଁଛି ୩ ଲକ୍ଷ କୋଟି । ପୌଷ ପୂର୍ଣ୍ଣିମାରୁ ମହା ଶିବରାତ୍ରି । ଦେଢ଼ ମାସ ଧରି ଗଙ୍ଗାକୂଳରେ ଲାଗିଥିଲା ମେଳା । ବିଶ୍ୱର କୌଣସି ବିଶାଳ ଆୟୋଜନରେ ଏତେ ସଂଖ୍ୟାରେ ଲୋକ ସାମିଲ ହୋଇନଥିଲେ । ଦେଢ଼ ମାସର ଏ ମହାପର୍ବରେ ୬୬ କୋଟିରୁ ଅଧିକ ଲୋକ ସଙ୍ଗମରେ ବୁଡ଼ ପକାଇଛନ୍ତି । ରେକର୍ଡ କହୁଛି ୨୦୨୪ ହଜ୍ ଯାତ୍ରାରେ ୧୮ ଲକ୍ଷ ମୁସଲିମ୍ ଏକାଠି ହୋଇଥିଲେ ।
୨୦୨୩ ରିଓ କାର୍ଣ୍ଣିଭାଲରେ ୪.୬୬ କୋଟି, ୨୦୨୪ ଇରାକ ଅରବାଇନରେ ୩ କୋଟି ଏବଂ ଜର୍ମାନୀ ଅକ୍ଟୋବର ଫେଷ୍ଟରେ ୬୭ ଲକ୍ଷ ଲୋକଙ୍କ ସମାଗମ ହୋଇଥିଲା । ପୃଥିବୀର ୭୩ ଦେଶର ଅତିଥି ଓ ଭକ୍ତ ମଧ୍ୟ ତ୍ରିବେଣୀ ଘାଟରେ ଭାରତୀୟ ସଂସ୍କୃତିର ମହାନତାକୁ ପାଖରୁ ଦେଖିଛନ୍ତି । କୁମ୍ଭ ମେଳାର ଆୟୋଜନ ବିଶ୍ୱରେ ନୂଆ ବେଞ୍ଚ୍ ମାର୍କ ପ୍ରତିଷ୍ଠା କରିଛି । ନଦୀ କୂଳରେ ଆରମ୍ଭ ହୋଇଥିଲା ମାନବ ସଭ୍ୟତା । ନଦୀ କୂଳରେ ହିଁ ତିଆରି ହୋଇଥିଲା ଗାଁ ଆଉ ସହର । ଗୋଟିଏ ନଦୀ କେମିତି ଗୋଟିଏ ଦେଶକୁ ତା’ କୂଳରେ ଏକାଠି ବାନ୍ଧି ରଖିପାରେ ତା’ର ପ୍ରମାଣ ପାଇଁ ଦରାଣ୍ଡିବାକୁ ପଡ଼ିବନି ଇତିହାସର ପୃଷ୍ଠା । ପ୍ରୟାଗରାଜର କୁମ୍ଭମେଳା ହିଁ ଏହାର ଜୀବନ୍ତ ସାକ୍ଷୀ । ଏକତାର ଏ ମହାଯଜ୍ଞ ଦର୍ଶାଇଛି, ଆଧୁନିକ ଯୁଗରେ ମଧ୍ୟ ଭାରତୀୟମାନେ ପ୍ରାଚୀନ ପରମ୍ପରା ଓ ଧର୍ମୀୟ ଭାବନାକୁ ଭୁଲି ନାହାନ୍ତି । ସେମାନେ ଝରକା ଖୋଲା ରଖନ୍ତି । ପରିବର୍ତ୍ତନକୁ ଖୁସିର ସହ ଗ୍ରହଣ କରନ୍ତି । ଏକତା ଓ ଅଖଣ୍ଡତାର ମହାକୁମ୍ଭ ସାରା ବିଶ୍ୱକୁ ଦେଇଛି ବାର୍ତ୍ତା- ‘ଏକ ଭାରତ, ଶ୍ରେଷ୍ଠ ଭାରତ’ ।