ମଣିଷ ଯୁଦ୍ଧ କାହିଁକି କରେ ଏକ ଅବାନ୍ତର ପ୍ରଶ୍ନ, କାରଣ ମଣିଷ ହିଁ ଯୁଦ୍ଧ କରେ । ସଂଘବଦ୍ଧ ଭାବେ ଯୁଦ୍ଧ କରେ । ସେ ଯୁଦ୍ଧ ବାକଯୁଦ୍ଧ ଯୁକ୍ତି ବା ପ୍ରକୃତି ସହିତ ଯୁଦ୍ଧ ହେଇପାରେ । ମଣିଷ ଯୁଦ୍ଧ କରେ ଅଦୃଶ୍ୟ ଶକ୍ତି ବିରୋଧରେ ଭୂତାଣୁ ପାଇବା ଲାଗି । ମଣିଷ ମାନସିକ ଯୁଦ୍ଧରୁ କ୍ଷାନ୍ତ ହେବନାହିଁ । ଆରାମ ଲାଗି, ବିଳାସ ଲାଗି, ଆତ୍ମରକ୍ଷା ଲାଗି, ପ୍ରେମ ଲାଗି ସେ ଯୁଦ୍ଧ କରିବ । ନିଜର ମାନରକ୍ଷା ଲାଗି ମଧ୍ୟ ଯୁଦ୍ଧକରେ। ବେଳେବେଳେ ନିଜର ବାହୁବଳର ସମ୍ମାନ ପାଇବା ଲାଗି ମଧ୍ୟ ଯୁଦ୍ଧ କରିବ ଯାହା କୁରୁକ୍ଷେତ୍ର ବେଳେ ଘଟିଛି । ଯେଉଁମାନେ ଅସ୍ତ୍ରଚାଳନା, ଅଶ୍ୱଚାଳନା, କୁସ୍ତିବିଦ୍ୟା କରନ୍ତି ସେମାନେ ତାଙ୍କର ବଳକୌଶଳରେ ପରୀକ୍ଷା ପାଇଁ ଯୁଦ୍ଧ କରନ୍ତି । କୁରୁକ୍ଷେତ୍ରରେ ଏପରି ଅନେକ ଗୋଷ୍ଠୀ ସାମିଲ ହେଇଥିଲେ ବିନା କାରଣ, ବିନା ଉଦ୍ଦେଶ୍ୟରେ । ଭଗବତ ଗୀତାରେ ଯୁଦ୍ଧ ପାଇଁ କୃଷ୍ଣ ଅର୍ଜୁନଙ୍କୁ ବାରମ୍ବାର କହିଛନ୍ତି- ଯଦି ମର ସ୍ୱର୍ଗପ୍ରାପ୍ତି । ଯଦି ଜିଣ ପୃଥିବୀ ଭୋଗ । ଏହାଠୁ ବଳି କାରଣ କଅଣ ବା ହେଇପାରେ?
ବିଶ୍ୱ ଇତିହାସରେ ପ୍ରତ୍ୟେକ ପୃଷ୍ଠାରେ ଯୁଦ୍ଧ । ପାଣି, ଉର୍ବର ଜମି, କ୍ଷମତା ପରିସର ବୃଦ୍ଧି, ପ୍ରତିଶୋଧ ବା ଦିଗବିଜୟ ପାଇଁ ଯୁଦ୍ଧ ଘଟିଛି । ଆଜି ମଧ୍ୟ ଘଟୁଛି । ୟୁକ୍ରେନ-ରୁଷ ଯୁଦ୍ଧ ଦୁଇବର୍ଷ ଟପିଛି । ଅକ୍ଟୋବର ୭ରେ ଇସ୍ରାଏଲ-ହାମାସ ଯୁଦ୍ଧ ବର୍ଷେ ପୂରିବ । କିନ୍ତୁ ତା’ ପୂର୍ବରୁ ଲେବାନନ (ହିଜବୁଲା) ୟେମେନ ଇସ୍ରାଏଲ ବୋମାମାଡ଼ରେ ଜଳୁଛି । ଇସ୍ରାଏଲ ଆତ୍ମରକ୍ଷା ପାଇଁ ଯୁଦ୍ଧ କରିବା ଲାଗି ବାଧ୍ୟ । ଧର୍ମବିଦ୍ୱେଷ ଓ ଅସହିଷ୍ଣୁତା ଏହି ଯୁଦ୍ଧର କାରଣ । ଧର୍ମ ନାମରେ ଯୁଦ୍ଧର ଅନ୍ତ ହେବନାହିଁ । ବାଂଲାଦେଶ ଆଜି ସେହି ଧର୍ମ ନାମରେ ହିନ୍ଦୁମାନଙ୍କୁ ବାସଚ୍ୟୁତ କରିବାରେ ଲାଗିଛି । ଭାରତ ପାକିସ୍ତାନ ୩ଟି ବଡ଼ ଯୁଦ୍ଧ ପରେ ଆତଙ୍କବାଦ ବିରୋଧରେ ଯୁଦ୍ଧ ଚାଲିଛି । ଜାମ୍ମୁ କାଶ୍ମୀରରେ ଏନକାଉଣ୍ଟର ଚାଲିଛି । ଯେଉଁମାନେ ଯୁଦ୍ଧ କାହିଁକି ଲାଗିଛି ବୋଲି ପଚାରୁଛନ୍ତି ସେମାନେ ହୁଏତ ବୋକା ନଚେତ୍ ନିର୍ବୋଧ । ଭାରତର ଉତ୍ତର- ପଶ୍ଚିମ ମୁଣ୍ଡରେ ବରଫ ପାହାଡ଼ ଉପରେ ୫୦-୬୦ ହଜାର ଚୀନ ସୈନ୍ୟ ବସିଛନ୍ତି । ଟ୍ୟାଙ୍କ ବିମାନଘାଟି ଇତ୍ୟାଦି ଉଭୟ ପକ୍ଷରୁ ଜମା ହେଉଛି । ଯଦି କାହିଁକି ପଚରାଯାଏ, ଉତ୍ତର ହେବ ଏହାହିଁ ମଣିଷର ବିଶ୍ୱନୀତି । ମଣିଷ ସାରା ବିଶ୍ୱର ଏକଛତ୍ର ଅଧିକାରୀ ହେବାକୁ ଚାହେଁ । ଆମେରିକା ବି ଚାହେଁ । ଯିଏ ନଚାହେଁ ତା’ପାଇଁ ଜାଗା ହେଲା ହିମାଳୟ ଗୁମ୍ଫାରେ ଓଁ ଶାନ୍ତି ଜପ ।
ଦ୍ୱିତୀୟ ବିଶ୍ୱଯୁଦ୍ଧ (୧୯୩୯-୪୫) ପରେ ଆଣବିକ ବୋମାର ବିଭୀଷିକା ଦେଖିସାରିବା ପରେ ଆଶା କରାଯାଇଥିଲା ଯେ ମଣିଷ ଆଉ ନିଜର ଶକ୍ତିର ଅପଚୟ କରିବ ନାହିଁ । ସାମାନ୍ୟ ଶାନ୍ତିରେ ବଂଚିବ । କିନ୍ତୁ ହେଲାନାହିଁ, ଶୀତଳ ଯୁଦ୍ଧ ହେଲା । ଏବେ ମଧ୍ୟ ଉଭୟ ଗରମ ଓ ଶୀତଳ ଯୁଦ୍ଧ ଚାଲିଛି । ମୁଁ ଯେହେତୁ ବର୍ତ୍ତମାନର ପରିସ୍ଥିତିର ରାଜନୀତିକ କିମ୍ବା ନୈତିକ ତର୍ଜମା କରିବାକୁ ଚାହେଁନାହିଁ, ମୋର ଆଲୋଚନା ସାମାନ୍ୟ ଅଲଗା । ଅବଶ୍ୟ ଯେତେ ଯାହା କଲେ ମଧ୍ୟ ରାଜନୀତି ଓ ନୈତିକତା ଆଲୋଚନା ମଧ୍ୟକୁ ଆସିବ । କିନ୍ତୁ ବିଚାର କରନ୍ତୁ ନୈତିକତା ବିଚାର କଲେ ଯୁଦ୍ଧ କଦାପି ଏକ ମାନବିକ କାର୍ଯ୍ୟ ନୁହେଁ- କିନ୍ତୁ ପ୍ରତି ମୁହୂର୍ତ୍ତରେ ମଣିଷ ଯୁଦ୍ଧ ହିଁ କରେ । ମନ ବିବେକର ଦ୍ୱନ୍ଦ୍ୱ ଯୁଦ୍ଧରୁ କୌଣସି ସଚେତନ ବ୍ୟକ୍ତି କେବେ ମୁକ୍ତି ପାଇନାହିଁ । ଆଉ ରାଜନୀତି? ରାଜନୀତି ସୃଷ୍ଟି ଆରମ୍ଭରୁ ରହିଛି । ଈଶ୍ୱର ମଣିଷ ସୃଷ୍ଟି କରି ଏହି ରାଜନୀତି ପୂରାଇ ଦେଇଛନ୍ତି ମଣିଷକୁ ଇଚ୍ଛା, କାମନା ଦେଇ । ଯଦି ମଣିଷ ପାଖରେ ଇଚ୍ଛା କାମନା ନଥାନ୍ତା ତେବେ ସେ ଶାନ୍ତିରେ ରହନ୍ତା । କିନ୍ତୁ ମଣିଷ ଶାନ୍ତି ପାଇଁ ଆସିନାହିଁ । ସଂଘର୍ଷ, ବିବାଦ, ଯୁକ୍ତିଯୁଦ୍ଧ, ଶକ୍ତି ପ୍ରଦର୍ଶନ ଯୁଦ୍ଧ ଓ ବ୍ୟକ୍ତି ଗୋଷ୍ଠୀସ୍ୱାର୍ଥ ପ୍ରଣୋଦିତ ଯୁଦ୍ଧ ବା ତିଷ୍ଠି ରହିବା ପାଇଁ ଯୁଦ୍ଧ ଭିତରେ ଶାନ୍ତିର ସନ୍ଧାନ (ଯାହା ମିଳେନାହିଁ) ଈଶ୍ୱରଙ୍କ ସୃଷ୍ଟି ରହସ୍ୟ ।
ଏଇଠି ରହିଛି ପରମପିତାର ରହସ୍ୟ, ହାସ୍ୟତତ୍ତ୍ୱ ଓ ଈଶ୍ୱର ହେବାର ବଡ଼ପଣ । ରସିକତା ବିନା କେହି ବଡ଼ ହୁଏନାହିଁ । ଏବେ ଦେଖନ୍ତୁ ମଣିଷ କେମିତି କାହିଁକି ଯୁଦ୍ଧ କରେ । ଥରେ ଆସ୍ତିକ ନାସ୍ତିକ ମଧ୍ୟରେ ଦ୍ୱନ୍ଦ୍ୱ ହେଲା । ଈଶ୍ୱର ଅଛନ୍ତି ନାହାନ୍ତି ଭିତରେ ବିତର୍କ । ଆସ୍ତିକ ଶେଷରେ ବିଧାଟିଏ ମାରିଲା ନାସ୍ତିକକୁ । ନାସ୍ତିକ କହିଲା ଏତେ ଜୋରରେ ମାରିଲ କାଟୁଛି । କାଟୁଛି? ପ୍ରମାଣ କର । କାଟୁଛି ତ ପ୍ରମାଣ କଣ କରିବି? ଆସ୍ତିକ ହସି କହିଲା, ଈଶ୍ୱର ତ ଅଛନ୍ତି ପ୍ରମାଣ କଣ ଦେବି? ବିଧା ନବାଜିଲେ ସମାଧାନ ହୁଏନାହିଁ । କିନ୍ତୁ ଏହା କ୍ଷଣିକ ଶାନ୍ତି ଫେରେନାହିଁ । ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ବିଶ୍ୱରେ ଶାନ୍ତି ଆସିନାହିଁ । କାରଣ ଶାନ୍ତି କେହି ଚାହେଁନାହିଁ । ଆଲଡସ ହଡଲେ କହିଥିଲେ- ଏହା ସଂପୂର୍ଣ୍ଣ ସତ୍ୟ । ମଣିଷ କଥାବାର୍ତ୍ତା ଆପୋସ ଆଲୋଚନା କରି ସମାଧାନରେ ପହଞ୍ଚେନାହିଁ । ଯଦି ପହଞ୍ଚେ ତାହା ସ୍ଥାୟୀ ନୁହେଁ । ମଣିଷ ଚାହେଁ ସଂପୂର୍ଣ୍ଣ ଆଧିପତ୍ୟ । ଅର୍ଥାତ୍ ମଣିଷ ଈଶ୍ୱର ହେଲା ପର୍ଯ୍ୟନ୍ତ ଅଶାନ୍ତ । ଈଶ୍ୱର ହେଲେ ମଧ୍ୟ ସେ ଅଶାନ୍ତ ରହିବ । ବିନା ଯୁଦ୍ଧରେ ସଂଘର୍ଷ, ସଂଗ୍ରାମରେ ବଂଚିବାର ଆନନ୍ଦ କେଉଁଠି? ମଧ୍ୟସ୍ଥି, କଥାବାର୍ତ୍ତାରେ ଯଦି ସମାଧାନ ହୁଅନ୍ତା ତେବେ ମହାଭାରତ ଯୁଦ୍ଧ ହୋଇନଥାନ୍ତା ।
ବିଶ୍ୱର ପ୍ରଥମ ଓକିଲ ପରି କୃଷ୍ଣ କୌରବମାନଙ୍କ ଆଗରେ ଯେଉଁସବୁ ଯୁକ୍ତି ବାଢ଼ିଲେ ତାହା ଅକାଟ୍ୟ । କିନ୍ତୁ ଦୁର୍ଯ୍ୟୋଧନ କୌଣସି ସତ୍ୟ-ଯୁକ୍ତି ଗ୍ରହଣ କଲାନାହିଁ । ଶେଷରେ କୃଷ୍ଣ ପାଞ୍ଚ ପଡ଼ାରୁ ଗୋଟିଏ ପଡ଼ା ମାଗିଲେ କିନ୍ତୁ ଦୁର୍ଯ୍ୟୋଧନ ବିନା ଯୁଦେ୍ଧ ସୂଚ୍ୟଗ୍ର ମେଦିନୀ ଦେବନାହିଁ କହି କୃଷ୍ଣ(ମଧ୍ୟସ୍ଥି)ଙ୍କୁ ବାନ୍ଧିବାକୁ ଚାହିଁଲା । ହୋମରଙ୍କ ଟ୍ରୋଜାନ ଯୁଦ୍ଧରୁ ୟୁକ୍ରେନ-ରୁଷ, ଇସ୍ରାଏଲ-ହାମାସ, ଲେବାନନ ଯୁଦ୍ଧ ପର୍ଯ୍ୟନ୍ତ ମଣିଷ ଯୁକ୍ତିର ପରାଜୟ ଘଟିଛି । ମଣିଷର ଯୁକ୍ତି ହୁଏତ ଉପଯୁକ୍ତ ବା ଯଥେଷ୍ଟ ବା ଯୁକ୍ତିଯୁକ୍ତ ନୁହେଁ ବା ମଣିଷ ଶାନ୍ତିକୁ ଭୀରୁତା ଭାବି ପୌରୁଷର ପ୍ରତିଷ୍ଠା ପାଇଁ ଯୁଦ୍ଧକ୍ଷେତ୍ର ବାଛେ । ମଣିଷର ବିଜେତା ପୌରୁଷ ସବୁ ପରାଜୟ ସତ୍ତେ୍ୱ ପୁଣି ବିଜୟ ଅଭିଯାନରେ ବାହାରେ ହୁଏତ ମରିବା ପାଇଁ । ମଣିଷ ନାମ, ମର୍ଯ୍ୟାଦା, ବଂଶ ପରିଚୟ, ଅପମାନ ଲାଗି ଯୁଦ୍ଧ କରେ । ବେଳେବେଳେ ବିନା କାରଣରେ ଯୁଦ୍ଧ କରେ । କାହିଁକି? ଏ କାହିଁକିର ଉତ୍ତର ଗୋଟିଏ- ଅହଂକାର । ମଣିଷ ତାର ଦେହର ରଙ୍ଗ, ଉଚ୍ଚତା, ଆସ୍ଥାବିଶ୍ୱାସ, ଧନ ସଂପତ୍ତି, ଧର୍ମ ଜାତି ନେଇ ଅହଂକାର କରେ । ମୁଁ ବ୍ୟତୀତ ଆମେ’ରେ ବିଶ୍ୱାସ କରେନାହିଁ । ଯେହେତୁ ମଣିଷକୁ ବୁଦ୍ଧି ଦିଆଯାଇଛି । ... ବଢ଼ିଚାଲିଛି । ମଣିଷ ନିଜକୁ ଈଶ୍ୱର ଭାବେ । ତାହାଛଡ଼ା ଧର୍ମ ନାମରେ ଯେଉଁ ବିଶ୍ୱାସ ସୃଷ୍ଟି କରାଯାଇଛି ସେହି ବିଶ୍ୱାସକୁ ନେଇ ସେ ଏକଛତ୍ରବାଦୀ ହେବାକୁ ଚାହେଁ ।
ହିନ୍ଦୁମାନେ ଇତିହାସରେ ବାରମ୍ବାର ଆକ୍ରମିତ ହେବାର କାରଣ ହିନ୍ଦୁମାନଙ୍କ ମଧ୍ୟରେ ଏକତା ନାହିଁ³ ଅର୍ଥାତ୍ ଗୋଷ୍ଠୀଚେତନା ନାହିଁ । ବ୍ୟକ୍ତିଚେତନା ବ୍ୟକ୍ତିବିଶ୍ୱାସ ଯୋଗୁ ପ୍ରତ୍ୟେକ ହିନ୍ଦୁ ଏକକ ବ୍ୟକ୍ତି । ତେଣୁ ହିନ୍ଦୁମାନଙ୍କର ଗୋଷ୍ଠୀ ପ୍ରାର୍ଥନା ନାହିଁ । ମନ୍ଦିରକୁ ଯିଏ ଯେତେବେଳେ ଯେଉଁ ଅବସ୍ଥାରେ ଥିଲେ ଯାଇପାରେ । ସମବେତ ପ୍ରାର୍ଥନା ନାହିଁ । ତେଣୁ ଧର୍ମରକ୍ଷା ପାଇଁ ସେ ଈଶ୍ୱର ବା ରାଜା ଉପରେ ନିର୍ଭର କରେ । ହିନ୍ଦୁ ପର ଧନ, ପର ଭୂମି, ପର ଦେଶ ଅଧିକାର କରିବାକୁ ଲାଳାୟିତ ନୁହେଁ । ଭାରତୀୟମାନେ ଆଜିପର୍ଯ୍ୟନ୍ତ ଅନ୍ୟ ଦେଶ ଆକ୍ରମଣ କରିନାହାନ୍ତି । ରାମ ଲଙ୍କା ବିଜୟ କରି ବିଭୀଷଣକୁ ରାଜା କରି ଲଙ୍କା ତାଙ୍କ ହାତରେ ଦେଇ ଫେରିଆସିଥିଲେ ଅଯୋଧ୍ୟା । ଇନ୍ଦିରା ଗାନ୍ଧି ୯୦ହଜାର ପାକିସ୍ତାନୀ ସୈନ୍ୟଙ୍କୁ ବିନା ସର୍ତ୍ତରେ ଫେରାଇ ଦେଇଥିଲେ ପାକିସ୍ତାନକୁ । ଯଦି ଇନ୍ଦିରା ଗାନ୍ଧି ପିଓକେ ମାଗିଥାନ୍ତେ ମିଳିଥାନ୍ତା ସେନାଙ୍କ ବଦଳରେ । କିନ୍ତୁ ତାହା କହିନଥିଲେ । ରାଜନୀତିରେ କ୍ରୁରତା, ଛନ୍ଦ କପଟରେ ଭାରତୀୟ ବିଶ୍ୱାସ କରେନାହିଁ । ଚାଣକ୍ୟ ଯେଉଁ ନୀତି ବାଢ଼ିଥିଲେ ତାହା ବିଦେଶୀ ଶତ୍ରୁ (ଆଲେକଜାଣ୍ଡାର ଓ ଚେରିୟସ) ଏବଂ ଧନ ଜନର କୁଶାସନ ପ୍ରତି ଉଦ୍ଦିଷ୍ଟ ଥିଲା । ଆଜିର ଭାରତ ବସୁଧୈବ କୁଟୁମ୍ବକମ୍ରେ ବିଶ୍ୱାସ କରେ । ବିଶ୍ୱ ପରିବାରର ସମସ୍ତ ସଦସ୍ୟ କିପରି ଭଲରେ ରହିବେ ସେଥିପାଇଁ ନୀତି ପ୍ରସ୍ତୁତ କଲେ । ତଥାପି ଭାରତ ଶତ୍ରୁ ଚେଷ୍ଟିତ । ଚୀନ ସହ ଏପର୍ଯ୍ୟନ୍ତ ଯେତେ ଚୁକ୍ତି ହୋଇଛି ଚୀନ ତାକୁ ଅମାନ୍ୟ କରୁଛି, କିନ୍ତୁ ଭାରତ ସ୍ୱାଭିମାନ ରକ୍ଷାକରି ନିଜର ନୀତିରେ ଅଟଳ । ଭାରତ ପ୍ରଥମ ଆକ୍ରମଣ କରିବ ନାହିଁ, କିନ୍ତୁ ଯଦି କିଏ ଆକ୍ରମଣ କରେ ତାର ମୁହଁଭଙ୍ଗା ଜବାବ ଦିଆଯିବ । ଆଜିର ବିଶ୍ୱ ଏକ ବିଷମ ପରିସ୍ଥିତିରେ ଧ୍ୱଂସମୁଖୀ ହେବାକୁ ଯାଉଛି ।
ମଧ୍ୟପ୍ରାଚ୍ୟରେ ହମାସ, ହିଜବୁଲା ପରେ ଏବେ ଇରାନ, ଇସ୍ରାଏଲ ଉପରେ କ୍ଷେପଣାସ୍ତ୍ର ମାଡ଼ କରିଛି । ଏହାର ପ୍ରତିକ୍ରିୟାରେ ଯଦି ଆମେରିକା ଯୁଦ୍ଧରେ ଇସ୍ରାଏଲ ସପକ୍ଷରେ ଗଣତନ୍ତ୍ର ବଞ୍ଚାଇବା ଲାଗି ଯୁଦ୍ଧକ୍ଷେତ୍ରରେ ପ୍ରବେଶ କରେ ହୁଏତ ବିଶ୍ୱ ପ୍ରଳୟମୁଖୀ ହେବ । ୟୁରୋପୀୟ ଗଣତନ୍ତ୍ର ଦେଶମାନେ ମଧ୍ୟ ଜଏନ କରିପାରନ୍ତି । ଯଦି ତା’ହୁଏ ଚୀନ-ରୁଷିଆ କଣ କରିବେ କହିହେବନାହିଁ । ଭାରତ ଏଭଳି ସ୍ଥିତିରେ ସମଭାବ ରକ୍ଷା କରି ନିରପେକ୍ଷ ରହିପାରିବା ମଧ୍ୟ ସମ୍ଭବ ନୁହେଁ । ତେଣୁ ବିଶ୍ୱର ସବୁ ରାଷ୍ଟ୍ର ଏକାଠି ହୋଇ ଚିନ୍ତା କରିବାକୁ ହେବ । ମିଳିତ ଜାତିସଂଘ କେବଳ ଏକ ବିତର୍କ କରିବା ଅନୁଷ୍ଠାନ, ୟୁଏନଓ କିଛି କରିପାରିବ ନାହିଁ । ଭାରତ ଆମେରିକା ରୁଷିଆ ଯଦି ଏକାଠି ବସି ଯୁଦ୍ଧ ସମାପ୍ତି ପ୍ରତି ଆହ୍ୱାନ ଦିଅନ୍ତି ହୁଏତ ଶାନ୍ତ ପଡ଼ିବ ।
କିନ୍ତୁ ଯୁଦ୍ଧର ମୂଳ କାରଣ ଯେଉଁ ପର୍ଯ୍ୟନ୍ତ ଦୂର ହେଇନାହିଁ ଯେପର୍ଯ୍ୟନ୍ତ ଯୁଦ୍ଧଭୟ ରହିବ ପୃଥିବୀରେ । କିଏ ଯୁଦ୍ଧ ଚାହେଁ? ପ୍ରଥମ ବିଶ୍ୱଯୁଦ୍ଧ ପରେ ଲେଖା ହୋଇଥିଲା ଏକ ଚମତ୍କାର ଉପନ୍ୟାସ- ପଶ୍ଚିମ ସାମ୍ମୁଖ୍ୟରେ ଶାନ୍ତି । ଲେଖକ ଥିଲେ ଜଣେ ଜର୍ମାନ ପ୍ରତ୍ୟକ୍ଷଦର୍ଶୀ ଏରିକ୍ ମାରିଆ ରେମାର୍କ । ସେଥିରେ ଶେଷଭାଗରେ ଲେଖାଯାଇଛି- କିଏ ଚାହେଁ ଏ ଯୁଦ୍ଧ? ଜର୍ମାନୀର ନଦୀ ପର୍ବତ କଣ ଫ୍ରାନ୍ସର ନଦୀ ପର୍ବତ ସହ ଯୁଦ୍ଧ ଚାହିଁଥିଲେ? ଯୁଦ୍ଧ ଚାହିଁଲେ ନେତାମାନେ, ବୁଢ଼ାହଡ଼ା ଅହଂକାରୀମାନେ । ତେବେ ସେମାନେ ପରସ୍ପର ସହିତ ଯୁଦ୍ଧ କରନ୍ତୁ । ଆମେ ତାଙ୍କ ଚାରିପଟେ ଗୋଲ ହୋଇ ବସିବା । ଯିଏ ଜିତିବ ନେଇଯାଉ ରାଜ୍ୟ, ଆମେ ତାଳି ମାରିବା । ଏହାର ତାତ୍ପର୍ଯ୍ୟ ପାଠକମାନେ ଠିକ୍ ବୁଝିବେ ବୋଲି ମୋର ବିଶ୍ୱାସ । ଦେଶର ମାଟି ପାଣି ଆକାଶ ଅନ୍ୟ ଦେଶର ମାଟି ପାଣି ଆକାଶ ସହିତ ଯୁଦ୍ଧ ଚାହେଁନାହିଁ । କେତେକ ଧର୍ମାନ୍ଧ, ଧନାନ୍ଧ, ବାହୁବଳେନ୍ଦ୍ର ଯୁଦ୍ଧ ଚାହାଁନ୍ତି । ମଣିଷର ବଞ୍ଚିବାର ଅଧିକାରକୁ ନଷ୍ଟ କରନ୍ତି ଅସ୍ୱୀକାର କରି । ଧର୍ମ ସଂପ୍ରଦାୟମାନେ ଅନ୍ୟ ଧର୍ମକୁ ଅସ୍ୱୀକାର କରନ୍ତି ।
ଏବେ ଯଦି କୃଷ୍ଣ ଓହ୍ଲାଇ ଆସନ୍ତି ସେ କହିବେ ନାହିଁ ‘ଧର୍ମ ସଂସ୍ଥାପନାର୍ଥାୟ, ବିନାଶାୟ ଚ ଦୁଷ୍କୃତାମ୍ ସମ୍ଭବାମି ଯୁଗେ ଯୁଗେ’ । ସେ କହିବେ ଯେ ପ୍ରଥମେ ଧର୍ମକୁ ଯେଉଁ ଅର୍ଥରେ ଗ୍ରହଣ କରାଯାଉଛି ତାର ଧର୍ମ କହିଲେ କେବଳ କର୍ତ୍ତବ୍ୟ । ସେଥିରେ ଆବ୍ରାହମ କିମ୍ବା ଯିଶୁ ବା ବିଷ୍ଣୁ ଶିବ କେହି ନାହାନ୍ତି । ପ୍ରତ୍ୟେକ ବ୍ୟକ୍ତି ଶିବ ବିଷ୍ଣୁ ଆଲ୍ଲା ଆବ୍ରାହମ । ବ୍ୟକ୍ତିର ସମ୍ମାନ ହେଉ । ମଣିଷର ସମ୍ମାନ ହେଉ । ନାରୀର ସମ୍ମାନ ହେଉ । ପ୍ରତ୍ୟେକ ରଙ୍ଗ ବର୍ଣ୍ଣ ଭାଷାର ସମ୍ମାନ ହେଉ ।
ଦ୍ୱିତୀୟରେ ଅସମାନତା ଦୂର ହେଉ । ଅସମାନତା ଦୂର ହେବନାହିଁ ସତ । ବିଶ୍ୱ ରକେଫେଲର, ଫୋର୍ଡ, ବିଲ୍ ଗେଟସ, ଅମ୍ବାନୀ, ଆଦାନୀ ଚାହେଁ ସେମାନେ ସାଧାରଣ ମଣିଷ ପାଇଁ ଦାନ କରନ୍ତୁ ଏବଂ ସାଧାରଣ ମଣିଷର ସମ୍ମାନ ପାଆନ୍ତୁ । ବର୍ଣ୍ଣଭେଦ, ଭାଷା ବିବାଦ, ଲିଙ୍ଗଭେଦ ଇତ୍ୟାଦି ଭେଦ ଦୂର ହେଉ । ତୃତୀୟରେ କୌଣସି ଦେଶର ସୀମା ସରହଦ ନରହୁ । ବିଶ୍ୱ ଏକ ପରିବାର ହେଉ । ସମସ୍ତଙ୍କୁ ଭାଷା ବର୍ଣ୍ଣ ଲିଙ୍ଗ ନିର୍ବିଶେଷରେ ଶିକ୍ଷା ଓ କର୍ମ ଦିଆଯାଉ ।