ଇଣ୍ଡିଆ ରେଟିଂ ଆଣ୍ଡ ରିସର୍ଚ୍ଚର ରିପୋର୍ଟ ଅନୁସାରେ, ଗତ ପାଞ୍ଚବର୍ଷ ମଧ୍ୟରେ ଭାରତରେ ବାସ୍ତବ ମଜୁରି ଅଭିବୃଦ୍ଧି ୦.୦୧% ରହିଛି । ଅଧିକାଂଶ ବେତନ ପ୍ରାପ୍ତ ଭାରତୀୟ ଶ୍ରମିକଙ୍କ ବାସ୍ତବ ମଜୁରି ଗତ ୬ବର୍ଷ ମଧ୍ୟରେ ହ୍ରାସପାଇଛି କିମ୍ବା ସ୍ଥିର ହୋଇ ରହିଛି, ଯାହା ଚାହିଦାକୁ ହ୍ରାସକରିଛି ଏବଂ ଫଳସ୍ୱରୂପ ଆର୍ଥିକ ଅଭିବୃଦ୍ଧି ଉପରେ ନକାରାତ୍ମକ ପ୍ରଭାବ ପକାଇଛି ।
କୌଣସି ଦେଶର ବିକାଶ କେବଳ ଜିଡିପି ଦ୍ୱାରା ଆକଳନ କରାଯାଏ ନାହିଁ । କାରଣ, ଧନୀମାନେ ଅଧିକ ବ୍ୟୟ କଲେ ଅର୍ଥନୈତିକ କାର୍ଯ୍ୟକଳାପ ବୃଦ୍ଧିପାଇ ମଧ୍ୟ ଜିଡିପି ବୃଦ୍ଧି ପାଇବ । ଜିଡିପି ଏକ ସାମୂହିକ ସୂଚକାଙ୍କ ଏବଂ ଏଥିରେ ଗରିବଙ୍କ ଦୁଃଖ ଓ ସମସ୍ୟା ପ୍ରତିଫଳିତ ହୋଇନଥାଏ । ଏକ ଦେଶର ବିକାଶ କେବଳ ଜିଡିପି ନୁହେଁ ବିଭିନ୍ନ ଅନ୍ତର୍ଜାତୀୟ ସୂଚକାଙ୍କ ଯଥା- ମୁଣ୍ଡପିଛା ଆୟ, ମାନବ ବିକାଶ ସୂଚକାଙ୍କ, ନିରନ୍ତର ଉନ୍ନୟନ ବିକାଶ ଆଦି ବିଭିନ୍ନ ସୂଚକାଙ୍କରେ ପ୍ରତିଫଳିତ ହେବା ଆବଶ୍ୟକ । ଦାରିଦ୍ର୍ୟ, ବୈଷମ୍ୟ ହ୍ରାସ ସାଙ୍ଗକୁ ଅଭିବୃଦ୍ଧି ସମତୁଲ ଓ ସମାନୁପାତିକ ହେବା ସହିତ ଲୋକଙ୍କ ଜୀବନ ଧାରଣର ମାନରେ ଉନ୍ନତି ହେବା ଆବଶ୍ୟକ । କିନ୍ତୁ ବର୍ତ୍ତମାନ ଆମ ଦେଶର ଶାସକ ଶ୍ରେଣୀ ବିଭିନ୍ନ ସମସ୍ୟାରୁ ଜନତାଙ୍କ ମନକୁ ଦୂରେଇଦେବା ପାଇଁ ସର୍ବଦା ଜିଡିପି ବୃଦ୍ଧି କଥା କହୁଛନ୍ତି । ୨୦୪୭ରେ ବିକଶିତ ରାଷ୍ଟ୍ରରେ ପରିଣତ ହେବା କଥା କୁହାଯାଉଛି । କିନ୍ତୁ ହଠାତ୍ ସେ ସ୍ୱପ୍ନ ପାଣିଫୋଟକା ପରି ମିଳେଇ ଯାଇଛି । କାରଣ, ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ (ଏନ୍ଏସ୍ଓ) ତରଫରୁ ପ୍ରକାଶିତ ତଥ୍ୟ ଅନୁସାରେ, ଆର୍ଥିକ ଅଭିବୃଦ୍ଧି ଜୁଲାଇ-ସେପ୍ଟେମ୍ବର ୨୦୨୪ରେ ମାତ୍ର ୫.୪% ହୋଇଛି ଯାହା ଗତ ୭ଟି ତ୍ରୟମାସରେ ସର୍ବନିମ୍ନ । ଜିଡିପି ଉତ୍ପାଦନ/ଆଉଟପୁଟ୍, ଆୟ ଓ ବ୍ୟୟ ଆଦି ତିନିଟି ପଦ୍ଧତିରେ ଆକଳନ ହୁଏ । ଆମର ଉତ୍ପାଦନ ପଦ୍ଧତିରେ କୃଷି ଓ ଆନୁଷଙ୍ଗିକ କ୍ଷେତ୍ର, ଶିଳ୍ପ ଓ ସେବାର ବୃଦ୍ଧିକୁ ନେଇ ଗ୍ରସ୍ ଭାଲ୍ୟୁ ଆଡେଡ୍ ଆକଳନ କରାଯାଏ । ଏଥିରେ ଉତ୍ପାଦ ସବସିଡି ବିଯୁକ୍ତ କରାଯାଇ, ଉତ୍ପାଦ ଟିକସ ଯୋଗ କରାଯାଇ ଜିଡିପି ଆକଳନ କରାଯାଇଥାଏ । ଜିଏସ୍ଟି, ଏକ୍ସାଇଜ୍ ଡ୍ୟୁଟି, ଭାଟ୍, ଏବଂ ସୀମା ଶୁଳ୍କ ଉତ୍ପାଦ କର ହୋଇଥିଲାବେଳେ ଖାଦ୍ୟ, ପେଟ୍ରୋଲିୟମ ଏବଂ ସାର ସବ୍ସିଡି ଆଦି ଉତ୍ପାଦ ସବ୍ସିଡି ଅଟେ । ଏହାଦ୍ୱାରା ନୋମିନାଲ ବା ନାମାଙ୍କନ ଜିଡିପି ବା ବଜାର ମୂଲ୍ୟରେ ଜିଡିପି ଆକଳନ ହୋଇ ମୁଦ୍ରାସ୍ଫୀତିକୁ (ପ୍ରାଇସ ଡିଫ୍ଲେଟର ଦ୍ୱାରା) ବିଚାରକୁ ନେଇ ବାସ୍ତବ ଜିଡିପି ବା ସ୍ଥାୟୀ ମୂଲ୍ୟରେ ଜିଡିପି ଆକଳନ ହୋଇଥାଏ ।
ଜିଡିପି ଏକ ବର୍ଷର ମୂଲ୍ୟ ପୂର୍ବ ବର୍ଷ ଅନୁସାରେ କେତେ ବୃଦ୍ଧି ବା ହ୍ରାସ ପାଇଛି ତାହା ଆକଳନ କରାଯାଇଥାଏ । କେତେବେଳେ ଏକ ତ୍ରୟମାସର (ଜୁଲାଇ-ସେପ୍ଟେମ୍ବର ୨୦୨୪) ଜିଡିପି ବୃଦ୍ଧି କଥା କୁହାଯାଏ, ତାହା ପୂର୍ବ ବର୍ଷ ସେହି ତ୍ରୟ ମାସରେ (ଜୁଲାଇ-ସେପ୍ଟେମ୍ବର ୨୦୨୩) ତୁଳନାରେ କେତେ ବୃଦ୍ଧିପାଇଛି ବିଚାର କରାଯାଏ । ଏହାକୁ "ଇଅର୍ ଅନ୍ ଇଅର୍' ହିସାବ କୁହାଯାଏ । ଆମେରିକାରେ "କ୍ୱାର୍ଟର ଅନ୍ କ୍ୱାର୍ଟର' ହିସାବ କରାଯାଏ । ଅର୍ଥାତ୍ ଏକ ତ୍ରୟମାସରେ ପୂର୍ବ ତ୍ରୟମାସ ତୁଳନାରେ କେତେ ବୃଦ୍ଧିପାଇଛି । ଅତ୍ୟନ୍ତ ଚିନ୍ତାଜନକ ହେଉଛି ବିଗତ ୨ବର୍ଷ ବା ୭ଟି ତ୍ରୈମାସରେ ବାସ୍ତବ ଜିଡିପି ବୃଦ୍ଧି ସର୍ବନିମ୍ନ । ପୂର୍ବ ଆର୍ଥିକ ବର୍ଷରେ ଏହି ସମୟରେ ଜିଡିପି ଅଭିବୃଦ୍ଧି ୮.୧% ଥିଲା । ନିକଟ ଅତୀତରେ ଏକ ତ୍ରୟମାସରେ ଏହାଠାରୁ କମ୍ ବାସ୍ତବ ଅଭିବୃଦ୍ଧି ହାର ଅକ୍ଟୋବର-ଡିସେମ୍ବର ୨୦୨୨- ୨୩ ହୋଇଥିଲା । ସେତେବେଳେ ଅଭିବୃଦ୍ଧି ୪.୩% ହୋଇଥିଲା । ଗତ ୪ଟି ତ୍ରୟମାସରେ ଅକ୍ଟୋବରଡିସେମ୍ବର ୨୦୨୩ରେ ଅଭିବୃଦ୍ଧି ହାର ୮.୬% ହୋଇଥିଲାବେଳେ ଏହା ପରବର୍ତ୍ତୀ ୩ଟି ତ୍ରୟମାସରେ ନିମ୍ନଗାମୀ ହୋଇ ଯଥାକ୍ରମେ ୭.୮%, ୬.୭% ଓ ୫.୪% ହୋଇଛି । ଏହାର ଅର୍ଥ, ଭାରତର ଅର୍ଥ ବ୍ୟବସ୍ଥାରେ ସ୍ଲୋଡାଉନ ଦେଖାଦେଇଛି ବା ଭାରତୀୟ ଅର୍ଥନୀତି ମନ୍ଥର ହୋଇଛି । ଠିକ୍ ଯେପରି ବିମୁଦ୍ରାୟନ ଓ ଜିଏସ୍ଟି ପରେ ଘଟିଥିଲା । ଏହା ଭଲ ସନ୍ଦେଶ ଦେଉନି । ରିସେସନ ବା ମାନ୍ଦାବସ୍ଥା କହିଲେ ଦୁଇଟି ଲଗାତାର ତ୍ରୈମାସରେ ଜିଡିପି ଅଭିବୃଦ୍ଧି ବିଯୁକ୍ତାତ୍ମକ ହେବା । କିନ୍ତୁ ଅର୍ଥନୀତି ମନ୍ଥର ହେବା କହିଲେ ଯେଉଁ ହାରରେ ଜିଡିପି ବୃଦ୍ଧି ପାଉଥିଲା, ତାହାଠାରୁ କମ୍ ହାରରେ ବୃଦ୍ଧି ପାଇବା । ଭାରତୀୟ ଅର୍ଥନୀତି ମନ୍ଥର ହେବା ଯୋଗୁଁ ୨୦୨୪- ୨୫ରେ ଯେଉଁ ହାରରେ ଜିଡିପି ବୃଦ୍ଧିପାଇବ ବୋଲି ଆକଳନ କରାଯାଇଥିଲା, ତାହା ହାସଲ ହେବନାହିଁ । ୨୦୨୩-୨୪ରେ ଅଭିବୃଦ୍ଧି ହାର ୮.୨% ଥିଲାବେଳେ ୨୦୨୪-୨୫ରେ ୬.୫%ରୁ ୭% ହେବ ବୋଲି ଆର୍ଥିକ ସର୍ବେକ୍ଷଣରେ ଆକଳନ କରାଯାଇଥିଲା।
ରିଜର୍ଭ ବ୍ୟାଙ୍କ ଏହା ୭.୨% ହେବ ବୋଲି ଆକଳନ କରିଥିଲା । କିନ୍ତୁ ପ୍ରଥମ ୬ ମାସରେ (ଏପ୍ରିଲ-ସେପ୍ଟେମ୍ବର ୨୦୨୪) ୬% ହୋଇଛି । ଏଣୁ ପୂରା ୨୦୨୪-୨୫ରେ ଅତି ବେଶୀରେ ୬% ବା ତାହାଠାରୁ କମ୍ ହେବ । ଯାହା ଗଭୀର ଚିନ୍ତାଜନକ । ଏଣୁ ରିଜର୍ଭ ବ୍ୟାଙ୍କ ତାର ପୂର୍ବ ଆକଳନରେ ସଂଶୋଧନ ଆଣିଛି । ପୁନଶ୍ଚ ନାମାଙ୍କନ ଜିଡିପି ଏପ୍ରିଲସେପ୍ଟେମ୍ବର ୨୦୨୩ରେ ୯% ଥିଲାବେଳେ ଏହି ବର୍ଷ ସେହି ଅବଧିରେ ୮.୯% ହୋଇଛି । କିନ୍ତୁ ଚଳିତ ଆର୍ଥିକ ବର୍ଷ ବଜେଟରେ ଏହା ୨୦୨୪-୨୫ରେ ୧୦%ହେବ ବୋଲି ଧାର୍ଯ୍ୟ କରାଯାଇଥିଲା । ନାମାଙ୍କନ ଅଭିବୃଦ୍ଧି କମ୍ ହେବା ଅର୍ଥ ରାଜସ୍ୱ କମ୍ ଆଦାୟ ହେବ ଏବଂ ବିତ୍ତୀୟ ନିଅଣ୍ଟ ବୃଦ୍ଧିପାଇବ ବା ବ୍ୟୟ ହ୍ରାସପାଇବ । କିଛି କହୁଛନ୍ତି ଯେ, ଅଭିବୃଦ୍ଧି ହାର ହ୍ରାସ ସତ୍ତେ୍ୱ ଭାରତ ସବୁଠୁ ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି ରହିଛି, କାରଣ ୨୦୨୪-୨୫ରେ ଚାଇନାର ଜିଡିପି ଅଭିବୃଦ୍ଧି ୪.୮% ଓ ଆମେରିକାର ୨.୮% ହେବ ବୋଲି ଆକଳନ କରାଯାଇଛି । କିନ୍ତୁ ବର୍ତ୍ତମାନ ଆମେରିକା ଜିଡିପି ବାର୍ଷିକ ୧% ବୃଦ୍ଧିପାଇଲେ ପୂର୍ବ ଆର୍ଥିକ ବର୍ଷର ଜିଡିପି ୨୭.୭୨୧ ଟ୍ରିଲିୟନ ଡଲାରରେ ୨୭୭ ବିଲିୟନ ଡଲାର ଯୋଗ ହେଲାବେଳେ ଚାଇନାର ପୂର୍ବ ଆର୍ଥିକ ବର୍ଷର ଜିଡିପି ୧୭.୭୬ ଟ୍ରିଲିୟନ ଡଲାରରେ ୧୭୬ ବିଲିଅନ୍ ଡଲାର ଯୋଗହେବ । କିନ୍ତୁ ଭାରତର ପୂର୍ବ ଆର୍ଥିକ ବର୍ଷର ଜିଡିପି ୩.୫୭ ଟ୍ରିଲିୟନ ଡଲାରରେ ମାତ୍ର ୩୫.୭ ବିଲିଅନ ଡଲାର ଯୋଗହେବ । ପୁନଶ୍ଚ ଉନ୍ନତ ଦେଶରେ ଅଭିବୃଦ୍ଧିର ସୁଯୋଗ କମ୍ । କାରଣ ସେମାନେ ସାଚୁରେସନ୍ ପଏଣ୍ଟରେ ପହଞ୍ଚି ସାରିଛନ୍ତି । ଏକଦା ୮୦ ଦଶକରେ ଭାରତର ଜିଡିପି ଚାଇନା ସହିତ ସମାନ ଥିଲା । କିନ୍ତୁ ବର୍ତ୍ତମାନ ଚାଇନା ଅର୍ଥନୀତି ଭାରତର ୫ଗୁଣରୁ ଅଧିକ । ଏଣୁ ସେପରି ତୁଳନା କରିବା ଦ୍ୱାରା ଭୁଲ୍ ସିଦ୍ଧାନ୍ତରେ ପହଞ୍ଚିବାର ସମ୍ଭାବନା ରହିଛି । ପୁନଶ୍ଚ ୨୦୪୬-୪୭ରେ ଭାରତ ବିକଶିତ ରାଷ୍ଟ୍ର ହେବାପାଇଁ ନାମାଙ୍କନ ଜିଡିପି ୯.୭% ହାରରେ ଡଲାର ମୂଲ୍ୟରେ ବୃଦ୍ଧି ପାଇବା ଆବଶ୍ୟକ ଥିଲାବେଳେ, ବାସ୍ତବରେ ଏହା ବହୁତ କମ୍ ରହିଛି । ଭାରତ ନିମ୍ନ-ମଧ୍ୟମ ଅର୍ଥନୀତି ଭାବେ ୨୦୦୬ରୁ ରହିଛି । ପ୍ରଥମେ ଉଚ୍ଚ-ମଧ୍ୟମ ଓ ପରେ ଉଚ୍ଚ ଆୟକାରୀ ରାଷ୍ଟ୍ର ହେବା ଏକ ମରୀଚିକା ।
ଆଲୋଚ୍ୟ ତ୍ରୟମାସରେ ଜିଡିପି ବୃଦ୍ଧି ହାର କମ୍ ହେବାର କାରଣ ହେଲା ମାନୁଫାକଚରିଂ କ୍ଷେତ୍ର ନିର୍ମାଣ କ୍ଷେତ୍ରରେ ଏବଂ ଖଣି ସେକ୍ଟରରେ ଖରାପ ପ୍ରଦର୍ଶନ । ଯଦିଓ ସରକାର ସୁଧହାର ବୃଦ୍ଧିଜନିତ ଋଣ ପରିବ୍ୟୟ ଅଧିକ ବ୍ୟୟସାପେକ୍ଷ ହେବା ଓ ବିଶ୍ୱ ଆର୍ଥିକ ପରିସ୍ଥିତିକୁ ଅଭିବୃଦ୍ଧି ହ୍ରାସର କାରଣ ଦର୍ଶାଉଛନ୍ତି, ବାସ୍ତବରେ କାରଣ ଅନେକ ରହିଛି ଏବଂ ଅର୍ଥନୀତି ଏକ ଗଭୀର ସଙ୍କଟ ଆଡକୁ ମୁହାଁଉଛି । ପ୍ରଥମତଃ ମୁଦ୍ରାସ୍ଫୀତି ନିୟନ୍ତ୍ରଣ ଏବଂ ସଞ୍ଚୟକାରୀଙ୍କ ସ୍ୱାର୍ଥପାଇଁ ମୁଦ୍ରାସ୍ଫୀତି ହାର ତୁଳନାରେ ସୁଧହାର ଅଧିକ ରହିବା ଆବଶ୍ୟକ । ବାସ୍ତବରେ ଏକ ପ୍ରମୁଖ କାରଣ ହେଲା ବାସ୍ତବ ମଜୁରି ହ୍ରାସପାଇବା ବା ସ୍ଥିର ରହିବା । ଇଣ୍ଡିଆ ରେଟିଂ ଆଣ୍ଡ ରିସର୍ଚ୍ଚର ରିପୋର୍ଟ ଅନୁସାରେ, ଗତ ପାଞ୍ଚବର୍ଷ ମଧ୍ୟରେ ଭାରତରେ ବାସ୍ତବ ମଜୁରି ଅଭିବୃଦ୍ଧି ୦.୦୧% ରହିଛି । ଅଧିକାଂଶ ବେତନ ପ୍ରାପ୍ତ ଭାରତୀୟ ଶ୍ରମିକଙ୍କ ବାସ୍ତବ ମଜୁରି ଗତ ୬ବର୍ଷ ମଧ୍ୟରେ ହ୍ରାସପାଇଛି କିମ୍ବା ସ୍ଥିର ହୋଇ ରହିଛି, ଯାହା ଚାହିଦାକୁ ହ୍ରାସକରିଛି ଏବଂ ଫଳସ୍ୱରୂପ ଆର୍ଥିକ ଅଭିବୃଦ୍ଧି ଉପରେ ନକାରାତ୍ମକ ପ୍ରଭାବ ପକାଇଛି । ଦେଶର ଅଭିବୃଦ୍ଧିକୁ ପ୍ରଭାବିତ କରିଥିବା ପ୍ରମୁଖ କାରଣ ମଧ୍ୟରେ ରହିଛି ମୁଦ୍ରାସ୍ଫୀତି ଓ ଆମର ଟିକସ ବ୍ୟବସ୍ଥା । ଅକ୍ଟୋବର ୨୦୨୪ରେ ଖୁଚୁରା ମୁଦ୍ରାସ୍ଫୀତି ୧୪ମାସର ସର୍ବୋଚ୍ଚ ସ୍ତର ୬.୨୧% ପହଁଞ୍ଚିଛି, ଯାହା ରିଜର୍ଭ ବ୍ୟାଙ୍କ ଧାର୍ଯ୍ୟ କରିଥିବା (୪% ଏବଂ ଅତିବେଶୀରେ ୬% ଓ ଅତି କମ୍ରେ ୨%) । ଖାଦ୍ୟ ମୁଦ୍ରାସ୍ଫୀତି ଅକ୍ଟୋବରରେ ୧୦.୮୭% ରହିଛି, ଯାହା ଅନ୍ୟ ଦେଶଠାରୁ ଅଧିକ । ଭାରତ ପରି ବିକାଶଶୀଳ ଦେଶରେ ଅଧିକାଂଶ ଲୋକ ତାଙ୍କ ଆୟର ପ୍ରମୁଖ ଭାଗ ଖାଦ୍ୟପାଇଁ ବ୍ୟୟ କରିଥାନ୍ତି । ଯଦି ଖାଦ୍ୟ ମୁଦ୍ରାସ୍ଫୀତି ଏତେ ଅଧିକ ହୁଏ, ତେବେ ସେମାନଙ୍କ କ୍ରୟଶକ୍ତି ହ୍ରାସ ପାଇବା ସ୍ୱାଭାବିକ । ସେହିପରି ଅତ୍ୟଧିକ ଜିଏସ୍ଟି ଓ ପେଟ୍ରୋଲିୟମ ପ୍ରଡକ୍ଟ ଉପରେ ଏକ୍ସାଇଜ ଟିକସ ଲୋକଙ୍କ ପକେଟରେ କଣା କରି କ୍ରୟଶକ୍ତି ହ୍ରାସ କରୁଛି ।
ସେହିପରି ବିତ୍ତୀୟ ସଞ୍ଚୟ, ଯାହା ଆଗରୁ ହାରାହାରି ୭.୨% ଥିଲା ତାହା ୨୦୨୨-୨୩ରେ ଜିଡିପିର ୫.୧%କୁ ହ୍ରାସପାଇଛି, ଯାହା ୧୯୭୬-୭୭ ପରେ ସର୍ବନିମ୍ନ । ଘରୋଇ ପାରିବାରିକ ଋଣ ୨୦୨୩ର ପ୍ରଥମ ତ୍ରୟମାସରେ ଯାହା ଜିଡିପିର ୪୨.୩୦% ଥିଲା, ତାହା ୨୦୨୪ର ପ୍ରଥମ ତ୍ରୟମାସରେ ଜିଡିପିର ୪୨.୭୦%କୁ ବୃଦ୍ଧିପାଇ, ପାରିବାରିକ ଦୁଃସ୍ଥିତି ସୂଚାଉଛି । ଏପରିକି ଲୋକ ଗତବର୍ଷରେ ମୋଟାମୋଟି ୫୦% ସୁନା ବନ୍ଧକ ଦେଇଛନ୍ତି । ଶିକ୍ଷା, ସ୍ୱାସ୍ଥ୍ୟ ଅଧିକ ବ୍ୟୟସାପେକ୍ଷ ହେବାଯୋଗୁଁ ଲୋକଙ୍କର କ୍ରୟଶକ୍ତି ହ୍ରାସପାଉଛି । ଜମି ଓ ଘରବାଡ଼ିର ଅହେତୁକ ମୂଲ୍ୟ ବୃଦ୍ଧି ନକାରାତ୍ମକ ପ୍ରଭାବ ପକାଉଛି । ବାୟୁମଣ୍ଡଳ ଦୂଷିତ ହେବା ସହିତ ଲୋକ ଭୟଙ୍କର ରୋଗରେ ପଡ଼ିବାରୁ ତାଙ୍କ ଉପାର୍ଜନ ଓ କ୍ରୟଶକ୍ତି ହ୍ରାସପାଇଛି । ଭାରତରେ ନିଯୁକ୍ତିବିହୀନ ଅଭିବୃଦ୍ଧି ଦେଖିବାକୁ ମିଳୁଛି । କମ୍ପାନୀମାନେ ଅତ୍ୟଧିକ ଯନ୍ତ୍ରପାତି, ବୈଷୟିକ ଜ୍ଞାନକୌଶଳ ବ୍ୟବହାର କରି ନିଯୁକ୍ତି ସଙ୍କୁଚିତ କରୁଛନ୍ତି । ଏସବୁ ଦ୍ୱାରା ଲୋକଙ୍କ କ୍ରୟଶକ୍ତି ହ୍ରାସପାଇଛି ଓ ସେମାନଙ୍କ ଇଚ୍ଛାଧୀନ ବ୍ୟୟ ବା ଡିସ୍କ୍ରେସନାରୀ ବ୍ୟୟ ହ୍ରାସ କରୁଛନ୍ତି, ଯାହା ଅଭିବୃଦ୍ଧି ଉପରେ ନକାରାତ୍ମକ ପ୍ରଭାବ ପକାଇଛି । ମୁଦ୍ରାସ୍ଫୀତି ବୃଦ୍ଧି ସାଙ୍ଗକୁ ନିଯୁକ୍ତି ଓ ବାସ୍ତବ ମଜୁରି ହ୍ରାସ ଘରୋଇ କଞ୍ଜପ୍ସନ ଉପରେ ନକାରାତ୍ମକ ପ୍ରଭାବ ପକାଇଛି । ପୂର୍ବରୁ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ଭି. ଅନନ୍ତ ନାଗେଶ୍ୱରନ ଅଭିବୃଦ୍ଧି ଅଧିକ ହାସଲ ପାଇଁ ନିୟନ୍ତ୍ରଣମୁକ୍ତ ଅର୍ଥନୀତି ଓ ଅଧିକ ସଂସ୍କାର କଥା କହୁଥିଲାବେଳେ ବର୍ତ୍ତମାନ କହିଛନ୍ତି ଯେ, ମଜୁରିର କମ୍ ଅଭିବୃଦ୍ଧି ମାନୁଫାକଚରିଂ କ୍ଷେତ୍ର ଓ ଲୋକଙ୍କ କ୍ରୟଶକ୍ତି ଉପରେ ପ୍ରଭାବ ପକାଇଛି ଓ ଅଭିବୃଦ୍ଧି ହ୍ରାସ କରିଛି ବୋଲି କହୁଛନ୍ତି । ସେ ମଧ୍ୟ କମ୍ପାନୀମାନଙ୍କୁ ତାଙ୍କ ଲାଭ ହ୍ରାସ କରି ଅଧିକ ମଜୁରି ଦେବା ସହିତ ନିଯୁକ୍ତି ବୃଦ୍ଧି କରିବାକୁ କହିଛନ୍ତି । ଅର୍ଥାତ୍ ସେ ବାମପନ୍ଥୀ ବା ମାନବବାଦୀ ଅର୍ଥନୀତିଜ୍ଞଙ୍କ ପରାମର୍ଶ ଦୋହରାଇଛନ୍ତି । କେବଳ ଅଭିବୃଦ୍ଧି ହ୍ରାସ ନୁହେଁ, ଅର୍ଥନୀତିରେ ଆଉ କିଛି ସଂକଟ ଦେଖାଦେଇଛି, ଯାହା ଚିନ୍ତାଜନକ । ଏଣୁ ସରକାର ଧନୀ ଓ କର୍ପୋରେଟଙ୍କ ଠାରୁ ଆଦାୟ କରି ଜନହିତକର କାର୍ଯ୍ୟରେ ବ୍ୟୟ କରିବା ସହିତ ନିଯୁକ୍ତି ବୃଦ୍ଧିକୁ ଗୁରୁତ୍ୱ ଦେବା ଉଚିତ³ ଯାହା ଫ୍ରାନ୍ସର ଅର୍ଥନୀତିଜ୍ଞ ଥୋମାସ ପାଇକେଟୀ କହିଛନ୍ତି ।