ନୂଆଦିଲ୍ଲୀ,୦୧/୦୧: ଚଳିତବର୍ଷ ଦିଲ୍ଲୀ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ଜାନୁଆରୀ କିମ୍ବା ଫେବୃଆରୀରେ ହୋଇପାରେ ଭୋଟ ଗ୍ରହଣ । ନିର୍ବାଚନ ପୂର୍ବରୁ ଦିଲ୍ଲୀ ରାଜନୈତିକ ପାଣିପାଗ ସରଗରମ ରହିଛି । ଶାସକ ଆପ୍ ଓ ବିଜେପି ମଧ୍ୟରେ ବୟାନବାଜି ନିଶାନା ବି ଜାରି ରହିଛି । ଜନତାଙ୍କ ପାଇଁ ପ୍ରତିଶ୍ରୁତି ପେଡି ଖୋଲି ଦେଉଛନ୍ତି ରାଜନୈତିକ ଦଳ । ଏହାରି ଭିତରେ ଆରଏସଏସ ମୁଖ୍ୟ ମୋହନ ଭାଗବତଙ୍କୁ ଚିଠି ଲେଖିଛନ୍ତି ଆପ୍ ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲ । ବିଜେପିକୁ ନେଇ ଚିଠିରେ ୪ଟି ପ୍ରଶ୍ନ ପଚାରିଛନ୍ତି ।
ଚିଠିରେ ବିଜେପି ଉପରେ ଏକାଧିକ ଆରେପ ଲଗାଇବା ସହ ଗତ ବର୍ଷରେ ଭାରତୀୟ ଜନତା ପାର୍ଟି ଯେଉଁ ଭୁଲ କରିଛି ତାକୁ ଆରଏସଏସ ସମର୍ଥନ କରୁଛି କି ବୋଲି ପ୍ରଶ୍ନ କରିଛନ୍ତି କେଜ୍ରିୱାଲ । ଟଙ୍କା ବାଣ୍ଟିବା, ଦଳିତ ଲୋକଙ୍କ ଭୋଟ କାଟିବା ଏବଂ ଗଣତନ୍ତ୍ରକୁ ଦୁର୍ବଳ କରିବା ପରି ଅଭିଯୋଗ ବିଜେପି ନାମରେ ଆଣିଛନ୍ତି ଆପ୍ ସୁପ୍ରିମୋ । ଚିଠିରେ କେଜ୍ରିୱାଲ ପଚାରିଛନ୍ତି ଭାଜପା ଗତ ଦିନରେ ଯେଉଁ ଭୁଲ କରିଛି କଣ ଆରଏସଏସ ତାର ସମର୍ଥନ କରୁଛି କି ? ।
କେଜ୍ରିୱାଲ ଚିଠିରେ ଆହୁରି ଲେଖିଛନ୍ତି, ଭାଜପା ନେତା ଖୋଲାଖୋଲି ଟଙ୍କା ବାଣ୍ଟୁଛନ୍ତି । କଣ ଆରଏସଏ ଭୋଟ କିଣିବାକୁ ସମର୍ଥନ କରୁଛି ? ଦଳିତଙ୍କ ଭୋଟ କାଟି ଦିଆଯାଉଛି । ଆରଏସଏସକୁ ଲାଗୁଛି କି ଏହା ଗଣତନ୍ତ୍ର ପାଇଁ ଠିକ୍ । ଆରଏସଏସକୁ ଲାଗୁନାହିଁ କି ବିଜେପି ଗଣତନ୍ତ୍ରକୁ ଦୁର୍ବଳ କରୁଛି ବୋଲି ।
୩ ମାସ ପୂର୍ବରୁ ମଧ୍ୟ ଅରବିନ୍ଦ କେଜ୍ରିୱାଲ ମୋହନ ଭାଗବତଙ୍କୁ ଚିଠି ଲେଖିଥିଲେ । ସେଥରେ ମୋଦିଙ୍କ ରିଟାୟରମେଣ୍ଟ ସମେତ ୫ ପ୍ରଶ୍ନ ପଚାରିଥିଲେ । ଭାଜାପା ଉପରେ ଭ୍ରଷ୍ଟାଚାର ନେତାଙ୍କୁ ଦଳରେ ସ୍ଥାନ ଦେବା ଅଭିଯୋଗ କରିଥିଲେ । ଭାଜପା ଓ ଆରଏସଏସ ସମ୍ପର୍କ ଉପରେ ପ୍ରଶ୍ନ ଉଠାଇଥିଲେ । ଏବେ ପୁଣି ଆଉ ଏକ ଚିଠି ଲେଖିଛନ୍ତି ଯେବେ ମୁଣ୍ଡ ଉପରେ ଦିଲ୍ଲୀ ବିଧାନସଭା ନିର୍ବାଚନ ହେବାକୁ ଯାଉଛି ।