ନୂଆଦିଲ୍ଲୀ, ୪।୧: ବର୍ତ୍ତମାନ ବଜାରରେ ଶୁଦ୍ଧ ଘିଅର ଡିମାଣ୍ଡ ସବୁଠୁ ଅଧିକ । ସେଥିପାଇଁ ନାମୀଦାମୀ ବ୍ରାଣ୍ଡ ନିଜ କମ୍ପାନୀର ଘିଅ ପ୍ରସ୍ତୁତ କରି ମାର୍କେଟକୁ ଛାଡ଼ୁଛି । ଗୋଟେପଟେ ଏହାର ଡିମାଣ୍ଡ ବଢ଼ୁଥିବା ବେଳେ ବଜାରରେ ନକଲି ଘିଅ ବି ବିକ୍ରି ହେଲାଣି । ଉଭୟକୁ ଦେଖିଲେ ଅସଲି ଆଉ ନକଲି କେଉଁଟି ଚିହ୍ନିବା ମୁସକିଲ୍ । ନିକଟରେ ନକଲି ଘିଅ କମ୍ପାନୀର ପୋଲିସ ଫର୍ଦ୍ଦାଫାସ କରିଛି । ନକଲି ଘିଅକୁ ଅସଲି ଶୁଦ୍ଧ ଘିଅ କହି ବିକ୍ରି କରାଯାଉଥିଲା । ଯାହା ଉପରେ ଲଗାଯାଇଥିଲା ବ୍ରାଣ୍ଡେଡ କମ୍ପାନୀର ଲୋଗୋ । ଆଉ ଶୁଦ୍ଧ ଦେଶୀ ଘିଅ ବୋଲି ଦାବି କରାଯାଉଥିଲା । କିନ୍ତୁ, ପରୀକ୍ଷା କରିବା ପରେ ମାମଲା ପୂରା ଓଲଟା । ପୋଲିସର ଚଢ଼ାଉ ବେଳେ ଏକାଧିକ ନକଲି ଘିଅ ଡବା ଧରାପଡ଼ିଥିଲା । ଡବାରେ ଘିଅ ତ ଥିଲା କିନ୍ତୁ ଅସଲି ନୁହଁ, ଶୁଦ୍ଧ ନକଲି ଘିଅ । ତେବେ ୟୁପିର ଆଗ୍ରା ସହରରେ ଏହି ନକଲି ଘିଅ ପ୍ରସ୍ତୁତ ହେଉଥିବା କମ୍ପାନୀ ଚାଲୁଥିଲା ।
ଜାନୁଆରୀ ୨ରେ ଆଗ୍ରାର ତାଜଗଞ୍ଜ ଅଞ୍ଚଳରେ ୩ଟି କମ୍ପାନୀ ନକଲି ଘିଅର ଫ୍ୟାକ୍ଟ୍ରି ଚଳାଉଥିବା ପୋଲିସ ଖବର ପାଇଥିଲା । ଯାହା ପରେ ଏହି ନକଲି କମ୍ପାନୀ ଉପରେ ପୋଲିସ ଓ ଖାଦ୍ୟ ସୁରକ୍ଷା ବିଭାଗ ଚଢ଼ାଉ କରିଥିଲେ । ଚଢ଼ାଉରେ ଆଳୁ ଖୋଳୁ ମହାଦେବ ବାହାରିବା ଭଳି କେବଳ ଘିଅ ନୁହେଁ, ଏଥିସହିତ ଦୁଗ୍ଧଜାତୀୟ ସାମଗ୍ରୀ ବିକ୍ରି କରୁଥିବା ୧୮ଟି ବ୍ରାଣ୍ଡର ଷ୍ଟିକର ମଧ୍ୟ ଜବତ କରିଥିଲା ପୋଲିସ । ସେ ପୁଣି ନାମୀଦାମୀ ବ୍ରାଣ୍ଡର । ଯେପରିକି ମଦର ଡାଏରୀ, ପତଞ୍ଜଳି, ମଧୁସୂଦନ ଭଳି ବ୍ରାଣ୍ଡର ଷ୍ଟିକର । ଲୋକ ତ ଖାଲି ବ୍ରାଣ୍ଡ ଦେଖି ଜିନିଷ ନେବେ । ଡବା ଭିତରେ ନକଲି ଘିଅ ରଖି ନାମୀଦାମୀ ବ୍ରାଣ୍ଡର ଷ୍ଟିକର ଲଗେଇଦେଲେ କଥା ସରିଲା । ବାସ୍ନା ଏକଦମ୍ ଅସଲି ଘିଅ ପରି । ତେବେ କେମିତି ପ୍ରସ୍ତୁତ ହେଉଥିଲା ଏହି ନକଲି ଘିଅ ? ଆସନ୍ତୁ ଜାଣିବା ପାମ୍ ଅଏଲ୍, ରିଫାଇଣ୍ଡ ଅଏଲ୍, ବନସ୍ପତି ଘିଅ, କେମିକାଲ ଆଦି ମିଶାଇ ଘିଅ ପ୍ରସ୍ତୁତ ହେଉଥିଲା । ଏଥିସହ ବାସ୍ନା ପାଇଁ ଏସେନ୍ସ ମିଶାଯାଉଥିଲା । ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ବଜାରରେ ଏକ୍ସପାଏରୀ ହୋଇଯାଇଥିବା ରିଫାଇଣ୍ଡ ତେଲ ମଧ୍ୟ ଏଥିରେ ମିଶାଯାଉଥିଲା । କାରଣ ବଜାରରେ ଏକ୍ସପାଏରୀ ରିଫାଇଣ୍ଡ ତେଲ ଶସ୍ତାରେ ମିଳିଯାଏ ।
କହିରଖୁ କି, ଆଗ୍ରାର ତାଜଗଞ୍ଜ ଅଞ୍ଚଳରେ ପ୍ରସ୍ତୁତ ହେଉଥିବା ଏହି ନକଲି ଘିଅ ଏକାଧିକ ରାଜ୍ୟ ଓ ସହରକୁ ଯୋଗାଣ ହେଉଥିଲା । ପୋଲିସର କହିବାନୁସାରେ, ସେଠାରେ ପ୍ରସ୍ତୁତ ହେଉଥିବା ନକଲି ଘିଅ ୟୁପିର ପ୍ରାୟ ଅଧିକାଂଶ ସହରରେ ବିକ୍ରି କରାଯାଉଥିଲା । ତେବେ ଗ୍ୱାଲିୟରର ନୀରଜ ଅଗ୍ରୱାଲ୍ ଏହି ନକଲି କମ୍ପାନୀ ଚଳାଉଥିଲେ । ପୋଲିସ ଚଢ଼ାଉ କରିଥିବା ସ୍ଥାନରୁ ଏକାଧିକ କଞ୍ଚା ମାଲ୍, ପ୍ୟାକେଜିଂ ମେସିନ୍ ଜବତ କରିଛି ଆଗ୍ରା ପୋଲିସ । ଯାହାର ମୂଲ୍ୟ କୋଟିଏରୁ ଅଧିକ । ଯଦି ବଜାରରୁ ଘିଅ କିଣୁଛନ୍ତି, ତେବେ ଏହା ଅସଲି କି ନକଲି ତାହା ଭଲଭାବେ ଯାଞ୍ଚ କରି କିଣନ୍ତୁ । ନଚେତ୍ ଏହା ସ୍ୱାସ୍ଥ୍ୟ ପ୍ରତି ବିପଦ ବି ହୋଇପାରେ ।