ନୂଆଦିଲ୍ଲୀ: ଆତ୍ମହତ୍ୟା ନେଇ ଚିନ୍ତା କରୁଥିବା ରୋଗୀଙ୍କ ସଂପର୍କରେ ଡାକ୍ତରଙ୍କୁ ସୂଚନା ଦେଇପାରିବ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (ଏଆଇ) । ନୂଆ ଗବେଷଣାରୁ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଆସିଥିବା ଏ ତଥ୍ୟ ମେଡିକାଲ ସାଇନ୍ସ କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣିପାରିବ ବୋଲି ଆଶା ପ୍ରକାଶ ପାଇଛି । ଆତ୍ମହତ୍ୟା ସହ ଯୁଝୁଥିବା ରୋଗୀଙ୍କ ଲାଗି ନିୟମିତ ଚିକିତ୍ସା ପ୍ରଣାଣୀ ତୁଳନାରେ ଏଆଇ ଏହାକୁ ଆହୁରି ସରଳୀକରଣ କରିବାରେ ସହାୟକ ହୋଇପାରିବ ।
ଜେଏଏମଏ ନେଟଓ୍ବର୍କ ଓପନ ଜର୍ଣ୍ଣାଲରେ ପ୍ରକାଶିତ ଏହି ଗେବେଷଣାର ତଥ୍ୟ ଅନୁସାରେ, ଦୁଇଟି ପ୍ରଣାଳୀ ମଧ୍ୟରେ ପ୍ରାର୍ଥକ୍ୟ ଖୋଜିଛନ୍ତି ଗେବେଷକ । ପ୍ରଥମ ପ୍ରଣାଳୀ ଅନୁସାରେ, ଡାକ୍ତରଙ୍କ କାର୍ଯ୍ୟକୁ ରୋକିବା ସହ ପପ୍-ଅପ୍ ଆଲର୍ଟ ଦେଖାଇବ । ଦ୍ବିତୀୟରେ, ରୋଗୀଙ୍କ ଇଲେକଟ୍ରୋନିକ୍ ରିପୋର୍ଟରେ ବିପଦ ଥିବା ନେଇ ଦର୍ଶାଇବ । ତେବେ ଡାକ୍ତରଙ୍କ କାର୍ଯ୍ୟରେ ବାଧା ଦେଇ ଆସୁଥିବା ପପ୍-ଅପ ଆଲର୍ଟ ହିଁ ବେଶୀ ପ୍ରଭାବଶାଳୀ ବୋଲି ଜାଣିବାକୁ ପାଇଛନ୍ତି ଗବେଷକ । ଏହା ଦ୍ବାରା ଡାକ୍ତର ୪୨ ପ୍ରତିଶତ ମାମଲାରେ ଆତ୍ମହତ୍ୟା ରିସ୍କ ନେଇ ଯାଞ୍ଚ କରିଥିବା ବେଳେ ଦ୍ବିତୀୟ ପ୍ରଣାଳୀ ମାଧ୍ୟମରେ ଡାକ୍ତର କେବଳ ୪ ପ୍ରତିଶତ ମାମଲାରେ ଯାଞ୍ଚ କରିପାରିଛନ୍ତି ।
ଭେଣ୍ଡରବିଲ୍ଟ ୟୁନିଭର୍ସିଟି ମେଡିକାଲ ସେଣ୍ଟରର ପ୍ରଫେସର କଲିନ ଓ୍ବାଲସ୍ କହିଛନ୍ତି, ଅଧିକାଂଶ ଲୋକ ଯେଉଁମାନେ ଆତ୍ମହତ୍ୟା କରୁଛନ୍ତି ସେମାନେ ମୃତ୍ୟୁ ପୂର୍ବରୁ କୌଣସି ନା କୌଣସି ଡାକ୍ତରଙ୍କୁ ଭେଟିଥାନ୍ତି । କିନ୍ତୁ ମାନସିକ ସ୍ବାସ୍ଥ୍ୟ ସହ ଜଡ଼ିତ କାରଣ ପାଇଁ ନୁହେଁ ବରଂ ସେମାନେ ଅନ୍ୟ ଶାରୀରିକ ସମସ୍ୟା ଲାଗି ଡାକ୍ତରଙ୍କ ପରାମର୍ଶ ନେଇଥାନ୍ତି । ତେବେ ଗବେଷକ ନିଜର ଏକ ଏଆଇ ସିଷ୍ଟମ (ବିସଏଆଇଏଲ ମଡେଲ)କୁ ନ୍ୟୁରୋଲୋଜି କ୍ଲିନିକ୍ରେ ରୋଗୀଙ୍କ ଆତ୍ମହତ୍ୟା ସ୍ଥିତିକୁ ସ୍କ୍ରନିଂ କରିବା ଲାଗି ବ୍ୟବହାର କରିଥିଲେ । ଓ୍ବାଲସ୍ କହିଛନ୍ତି, ସବୁ ସ୍ଥାନରେ ସମସ୍ତ ରୋଗୀଙ୍କୁ ସ୍କ୍ରିନିଂ କରିବା ସହଜ ନୁହେଁ । ତେଣୁ ହାଇ ରିସ୍କ ଥିବା ରୋଗୀଙ୍କ ଚିକତ୍ସା କରିବା ଏବଂ ଡାକ୍ତରଙ୍କୁ ଜରୁରୀ ଯାଞ୍ଚ ଲାଗି ପ୍ରେରିତ କରିବା ଲାଗି ବିସଏଆଇଏଲ ମଡେଲକୁ ବିକଶିତ କରାଯାଇଛି ।
ଏହି ମଡେଲ୍ ରୋଗୀଙ୍କ ନିୟମିତ ସ୍ବାସ୍ଥ୍ୟ ଯାଞ୍ଚର ଇଲେକଟ୍ରୋନିକ ରେକର୍ଡ ଜରିଆରେ ଆଗାମୀ ୩୦ ଦିନ ଭିତରେ ଆତ୍ମହତ୍ୟା ପ୍ରୟାସ ନେଇ ବିପଦ ରହିଛି କି ନାହିଁ ତାହା ଜଣାଇ ଦେବ । ଗବେଷକଙ୍କ ଅନୁସାରେ, ଏହି ସିଷ୍ଟମକୁ ଅନ୍ୟ ଚିକିତ୍ସା କ୍ଷେତ୍ରରେ ମଧ୍ୟ ବ୍ୟବହାର କରାଯାଇପାରେ । ଅଧ୍ୟୟନ ଅନୁସାରେ, ଅଟୋମେଟେଡ୍ ରିସ୍କ ଡିଟେକ୍ସନ୍ ଏବଂ ଉତ୍ତମ ଡିଜାଇନ ହୋଇଥିବା ଆଲର୍ଟ ବ୍ୟବସ୍ଥା ଆତ୍ମହତ୍ୟାର ବିପଦ ଥିବା ରୋଗୀଙ୍କୁ ଚିହ୍ନିବାରେ ସହାୟକ ହୋଇପାରେ । ସେପଟେ ୭୭ ପ୍ରତିଶତ ଆତ୍ମହତ୍ୟା କରୁଥିବା ଲୋକ ନିଜର ମୃତ୍ୟୁ ପୂର୍ବରୁ ବର୍ଷ ସାରା କୌଣସି ନା କୌଣସି ପ୍ରାଥମିକ ଚିକତ୍ସା ପ୍ରଦାନକାରୀଙ୍କୁ ଭେଟିଥାନ୍ତି ବୋଲି ଗବେଷକମାନେ କହିଛନ୍ତି ।