ନୂଆଦିଲ୍ଲୀ: ଲସ୍ ଏଞ୍ଜେଲସ୍ର ବେଭରଲି ହିଲଟନରେ ୮୨ ତମ ଗୋଲ୍ଡେନ୍ ଗ୍ଲୋବ୍ ପୁରସ୍କାର ସମାରୋହ ଆୟୋଜିତ ହୋଇଥିଲା । ବିଶ୍ବର କୋଣ ଅନୁକୋଣରୁ ସେଲିବ୍ରିଟିମାନେ ସେଠାକୁ ଆସିଥିଲେ । ଫିଲ୍ମ ଏବଂ ଟେଲିଭିଜନ୍ ଦୁନିଆର ବହୁ କଳାକାର ଏହି ଇଭେଣ୍ଟରେ ଅଂଶଗ୍ରହଣ କରିଥିଲେ । ରବିବାର ଗୋଲ୍ଡେନ ଗ୍ଲୋବ ରେଡ୍ କାର୍ପେଟ୍ରେ ନଜର ଆସିଥିଲେ ହଲିଉଡ୍ର ଆରିଆନା ଗ୍ରାଣ୍ଡେ, ଆଡ୍ରିଆନ୍ ବ୍ରୋଡି ଏବଂ ଆଞ୍ଜେଲିନା ଜୋଲିଙ୍କ ସମେତ ବହୁ କଳାକାର ।
ସେପଟେ ଗୋଲ୍ଡେନ ଗ୍ଲୋବ୍ ଆଓ୍ବାର୍ଡସ୍ ୨୦୨୫ ଭାରତୀୟଙ୍କ ପାଇଁ ଖାସ । କାରଣ ବିଶ୍ବସ୍ତରୀୟ ପୁରସ୍କାର ଉତ୍ସବରେ ଭାରତୀୟ ସିନେମା ‘ଅଲ୍ ଓ୍ବି ଇମାଜିନ୍ ଆଜ୍ ଲାଇଟ୍’ ଏବଂ ଏହାର ନିର୍ଦ୍ଦେଶିକା ପାୟଲ କପାଡିଆ ମଧ୍ୟ ଉପସ୍ଥିତ ଥିଲେ । ଯଦିଓ ଏହି ଫିଲ୍ମକୁ କୌଣସି ପୁରସ୍କାର ମିଳିନାହିଁ କିନ୍ତୁ ଏହାର ନିର୍ଦ୍ଦେଶିକଙ୍କୁ ଗୋଲ୍ଡେନ ଗ୍ଲୋବ୍ ରେଡ୍ କାର୍ପେଟରେ ଦେଖିବାକୁ ମିଳିଥିଲା । ପାୟଲ କପାଡିଆଙ୍କ ଫିଲ୍ମ ଗୋଲ୍ଡେନ ଗ୍ଲୋବ୍- ସର୍ବଶ୍ରେଷ୍ଠ ନିର୍ଦ୍ଦେଶକ ଏବଂ ବେଷ୍ଟ ମୋସନ୍ ପିକ୍ଚର ଶ୍ରେଣୀରେ ପଞ୍ଜିକୃତ ହୋଇଥିଲା । ଏହା ପୂର୍ବରୁ କାନ୍ସ ଫେଷ୍ଟିଭାଲ୍ ୨୦୨୪ରେ ଗ୍ରାଣ୍ଡ ପ୍ରିକ୍ସ ଟାଇଟଲ ହାସଲ କରିଥିଲା ‘ଅଲ୍ ଓ୍ବି ଇମାଜିନ୍ ଆଜ୍ ଲାଇଟ୍’ ।
Go get the ‘globe’ girl. #PayalKapadia#GoldenGlobes pic.twitter.com/cxuOi3kG9w
— Devansh Patel (@PatelDevansh) January 6, 2025
ଗୋଲ୍ଡେନ ଗ୍ଲୋବ୍ର ରେଡ୍ କାର୍ପେଟ୍ରେ ପାୟଲ କପାଡିଆଙ୍କ ଲୁକ୍ସକୁ ନେଇ ଚର୍ଚ୍ଚା ଲାଗି ରହିଛି । ପାୟଲ ଖଣ୍ଡଓ୍ବାଲାଙ୍କ ଦ୍ବାରା ଡିଜାଇନ୍ ହୋଇଥିବା ଆଉଟ୍ଫିଟ୍ରେ ନଜର ଆସିଥିଲେ ପାୟଲ କପାଡିଆ । ସେ ହାତ ତିଆରି ସିଲ୍କ ଜମ୍ପସୁଟ୍ରେ ରେଡ୍ କାର୍ପେଟ୍କୁ ଆସିଥିଲେ । ଜମ୍ପସୁଟ୍ରେ ବ୍ରାଣ୍ଡକୁ ଦର୍ଶାଉଥିବା ଏକ ଲୁପ୍ ନେକ୍ ଥିଲା, ଯାହାକୁ ପ୍ରତି ଥର ଭିନ୍ନ ଭିନ୍ନ ଉପାୟରେ ପିନ୍ଧି ହେବ । ପକେଟରେ ଥିବା ଡିଜାଇନ୍ ମଧ୍ୟ ଆକର୍ଷଣୀୟ ଥିଲା ।
କପାଡିଆ ନିଜ କେଶକୁ ବାନ୍ଧିଥିଲେ ଏବଂ ଚେହେରାରେ କୌଣସି ପ୍ରକାର ମେକଅପ୍ ନେଇନଥିଲେ । ସେପଟେ ରେଡ୍ କାର୍ପେଟ୍ରେ ଭିନ୍ନ ଅନ୍ଦାଜରେ ନଜର ଆସିଥିବା ପାୟଲ କପାଡିଆଙ୍କ ପୋଷାକରେ ଏକ ପ୍ରତୀକ ସମସ୍ତଙ୍କୁ ଆକୃଷ୍ଟ କରିଛି। ଏହା ଇସ୍ରାଏଲ ଏବଂ ପାଲେଷ୍ଟାଇନରେ ସାଧାରଣ ନାଗରିକଙ୍କ ମୃତ୍ୟୁ ଉପରେ ଦୁଃଖ ପ୍ରକାଶ କରିବାକୁ ବୁଝାଉଛି ବୋଲି କୁହାଯାଉଛି । ଚଳିତ ବର୍ଷ ଗୋଲ୍ଡେନ ଗ୍ଲୋବ୍ ଆଓ୍ବାର୍ଡସ୍ରେ ବହୁ ଲୋକପ୍ରିୟ ହଲିଉଡ୍ ସେଲିବ୍ରିଟି ଉପସ୍ଥିତ ଥିଲେ ।