ପୃଥିବୀ ନିଜ କୋଳରେ ଆମକୁ ଧରି ରଖିଛି ଓ ଆମର ଆବଶ୍ୟକତାକୁ ପୂରଣ କରୁଛି ବୋଲି ଆମେ ବଞ୍ଚି ରହିଛୁ । ଆମେ ବଞ୍ଚିରହିବା ପାଇଁ ସେ ଆମକୁ ବାୟୁ, ପାଣି, ମାଟି ଓ ଆକାଶ ଦେଇଛି, ଯାହାକୁ ଆମେ ‘ବା-ପା-ମା-ଆ' ବୋଲି କହିପାରିବା । ବାୟୁ ଆମକୁ ଅମ୍ଳଜାନ ଦିଏ । ଅମ୍ଳଜାନ ବିନା ଆମର ବଞ୍ଚିବା ଅସମ୍ଭବ । ତେଣୁ ବାୟୁରେ ଯଥେଷ୍ଟ ଅମ୍ଳଜାନ ରହିବା ଜରୁରି । ଜଳ ଆମ ଜୀବନ । ଆମ ଦେହରେ ହାଡ଼ ମାଂସ ସବୁଥିରେ ରହିଛି ପାଣି । ତେଣୁ ଆମ ଜୀବନ ପାଇଁ ବିଶୁଦ୍ଧ ଜଳ ଦରକାର । ମାଟି ବିନା ଆମେ ଘରଦୁଆର କେମିତି କରିବା, ମାଟି ବିନା ଆମେ ଚାଷ କେମିତି କରିବା, ମାଟି ନଥିଲେ ଆମେ ଚାଷ କେମିତି କରିବା, ଆମେ ରାସ୍ତା କାହା ଉପରେ ତିଆରି କରିବା? ମାଟି ତଳେ ସୁନା ରୁପା ରହିଛି । ମାଟି ତଳେ ତେଲ ଅଛି । ମାଟି ନରହିଲେ କଳକାରଖାନା ବି ବସିପାରିବ ନାହିଁ । ତେଣୁ ଆମ ପାଇଁ ମାଟି ଜରୁରି । ବାକି ରହିଲା ଆକାଶ । ଆମର ବିଚରଣ ପାଇଁ ଜଳ, ସ୍ଥଳ ଓ ଆକାଶ ଦରକାର । ଆମ ଚାରିପଟେ ବାୟୁକୁ ଧରି ରଖିବା ସକାଶେ ଆକାଶ ରହିଛି ।
ଏଥିରୁ ଠିକ୍ ବୁଝିହେଉଛି, ଆମର ବାୟୁ-ପାଣିମାଟି-ଆକାଶ (ବା-ପା-ମା-ଆ) ସୁସ୍ଥ ରହିଲେ ଆମେ ଯାଇ ଭଲରେ ବଞ୍ଚିପାରିବା । ଆମକୁ ଜନ୍ମ ଦେଇଥିବା ପିତା-ମାତା (ବାପା-ମାଆ) ପରି ସେମାନେ ବି ଆମର ଲାଳନ ପାଳନ କରୁଛନ୍ତି । ପ୍ରାୟ ୬୦ଲକ୍ଷ ବର୍ଷ ତଳେ ପୃଥିବୀରେ ମଣିଷ ଜାତିର ସୃଷ୍ଟି ହୋଇଥିଲା । ଅନେକ ବର୍ଷ ସେ ଜଙ୍ଗଲରେ ରହିଲା ପରେ ୨୦ଲକ୍ଷ ବର୍ଷ ତଳେ ନିଆଁର ବ୍ୟବହାର ଶିଖିଲା ଓ ଏଇ ମାତ୍ର ୫୦୦୦ ବର୍ଷ ତଳେ ଚାଷବାସ ଆରମ୍ଭ କଲା । ନିଆଁର ବ୍ୟବହାର ଶିଖିଲା ପରେ ମଣିଷ ଜୀବନରେ ସଂସ୍କାର ଆରମ୍ଭ ହେଲା । ନିଆଁ ହେଉଛି ଶକ୍ତିର ଏକ ରୂପ, ଯାହାକୁ ଆମେ ତାପଶକ୍ତି କହୁ । ତାପଶକ୍ତି ପରେ ଧୀରେ ଧୀରେ ବିଭିନ୍ନ ଶକ୍ତିର ସନ୍ଧାନ ଆଜି ମଣିଷକୁ ଆଧୁନିକତାର ପରିଚୟ ଦେଇଛି । ଆଜି ଆମକୁ ସଭ୍ୟ ଓ ସଂସ୍କାରୀ ସାମାଜିକ ଜୀବର ପରିଚୟ ଦେଇଛି । କିନ୍ତୁ ଦୁଃଖର କଥା, ଶକ୍ତିର ପିଠିରେ ବସି ଅଧିକରୁ ଅଧିକ ଆଧୁନିକ ହେବା ନିଶାରେ ଆଜି ଆମେ ନିଜର ବାସସ୍ଥଳୀକୁ ଅସନା କରିଦେଇଛୁ । କୋଇଲା, ପେଟ୍ରୋଲ୍, କିରାସିନି, ରନ୍ଧନଗ୍ୟାସ୍, ଡିଜେଲ୍ ଓ ପ୍ରାକୃତିକ ବାଷ୍ପର ଅବାଧ ବ୍ୟବହାର ଆଜି ଆମ ‘ବା-ପା-ମା-ଆ'କୁ ମୁମୂର୍ଷୁ ଅବସ୍ଥାକୁ ନେଇଯାଇଛି ।
ଶକ୍ତିର ଅବାଧ ଅବିବେକୀ ବ୍ୟବହାର ଫଳରେ ଏହି ପାରମ୍ପରିକ ଉତ୍ସଗୁଡ଼ିକ ଆଉ ମାତ୍ର କେଇଟା ବର୍ଷ ଭିତରେ ନିଃଶେଷ ହେବାକୁ ବାଧ୍ୟ କରୁଛି । ସଭ୍ୟତାକୁ ଉନ୍ନତ କରିବାର ଆଶା ନେଇ ଗଢ଼ି ଉଠିଥିବା କଳକାରଖାନା ଆଜି ସଭ୍ୟତା ପାଇଁ ଚିନ୍ତାର କାରଣ ହୋଇଛି । କଳକାରଖାନା, ଗାଡ଼ିମୋଟର ଓ ତାପଜ ବିଦ୍ୟୁତ୍ କେନ୍ଦ୍ରଗୁଡ଼ିକରୁ ନିର୍ଗତ ଧୂଆଁ ଆମର ପାରିପାଶ୍ୱିର୍କ ଅବସ୍ଥାକୁ ବାସ ଅନୁପଯୋଗୀ କରିସାରିଛି । ବାୟୁ ଓ ଜଳ ପରି ଜୀବନଦାତା ଉପାଦାନ ଆଉ ବିଶୁଦ୍ଧ ଅବସ୍ଥାରେ ନାହିଁ । ତାପଜ ବିଦ୍ୟୁତ୍ କେନ୍ଦ୍ରଗୁଡ଼ିକରୁ ନିର୍ଗତ ଧୂଆଁ ବାୟୁମଣ୍ଡଳକୁ ପ୍ରଦୂଷିତ କରିବା ସହିତ ଏଥିରୁ ନିର୍ଗତ ଉତ୍ତାପ ଉଭୟ ବାୟୁମଣ୍ଡଳ ଓ ଜଳାଶୟକୁ ଉତ୍ତପ୍ତ କରୁଛି । ଜଳାଶୟର ତାପ ବୃଦ୍ଧି ସାଙ୍ଗକୁ ଜଳ ପ୍ରଦୂଷଣ ଫଳରେ କେତେକ ଜଳଜୀବ ସମ୍ପୂର୍ଣ୍ଣ ଲୋପ ପାଇଗଲେଣି । ତାପଜ କେନ୍ଦ୍ରରୁ ବର୍ଜ୍ୟବସ୍ତୁ ହିସାବରେ ବାହାରୁଥିବା ପାଉଁଶରେ ଭାରୀଧାତୁ ରହିଥିବାରୁ ଏହା ମୃତ୍ତିକାକୁ ପ୍ରଦୂଷିତ କରିବା ସହିତ ଭୂତଳ ଜଳକୁ ମଧ୍ୟ ସଂକ୍ରମିତ କରୁଛି । ଖନନ ଅବସରରେ କୋଇଲା ଖଣିରୁ ନିର୍ଗତ ବିଷାକ୍ତ ବାଷ୍ପ ସିଧାସଳଖ ଆମର ଶରୀର ଭିତରକୁ ପ୍ରବେଶ କରୁଛି । କୋଇଲା ଖଣିର ବର୍ଜ୍ୟବସ୍ତୁରେ ଉପସ୍ଥିତ ଭାରୀଧାତୁ ତଥା ଅନ୍ୟାନ୍ୟ ଉପାଦାନ ମୃତ୍ତିକା ଓ ଜଳକୁ ପ୍ରଦୂଷିତ କରିଚାଲିଛି ।
ତୈଳ-ବିଶୋଧନ କେନ୍ଦ୍ରରୁ ନିର୍ଗତ ସଲଫର୍ ଡାଇଅକ୍ସାଇଡ୍ ଦ୍ୱାରା ଅମ୍ଳବୃଷ୍ଟି ଘଟୁଛି । ସୀସାଯୁକ୍ତ ପେଟ୍ରୋଲ୍ ବ୍ୟବହାର କରିବା ଫଳରେ ଧୂଆଁ ସହ ନିର୍ଗତ ସୀସାଧାତୁ ବାୟୁରେ ମିଶୁଛି ଓ ପରେ ପରେ ଖାଦ୍ୟଶୃଙ୍ଖଳ ପ୍ରକ୍ରିୟାରେ ଆମର ଶରୀର ଭିତରକୁ ପ୍ରବେଶ କରୁଛି । ଗାଡ଼ିମୋଟର ଇଞ୍ଜିନରୁ ନିର୍ଗତ ନାଇଟ୍ରୋଜେନ୍ ଅକ୍ସାଇଡ୍ ବାଷ୍ପ ଆମର ଫୁସଫୁସ୍ ଓ ଚର୍ମ ଉପରେ କୁପ୍ରଭାବ ପକାଇ ଚାଲିଛି । ଏମିତି ପ୍ରତିକୂଳ ପରିବେଶକୁ ଆମେ ଆଉ କେତେ ଦିନ ସାମ୍ନା କରିବା, ସେକଥା ଆମେ ଜାଣିନାହୁଁ । ପରିବେଶକୁ ପ୍ରଦୂଷଣରୁ ରକ୍ଷା କରିବା ସହିତ ସୀମିତ ପାରମ୍ପରିକ ଶକ୍ତି ଉତ୍ସର ମୁକାବିଲା କରିବା ପାଇଁ ଅକ୍ଷୟ ଓ ନିର୍ମଳ ଶକ୍ତିଉତ୍ସର ପ୍ରଭୂତ ଆବଶ୍ୟକତା ରହିଛି । ଆମକୁ ପ୍ରତିକୂଳ ପରିବେଶରୁ ମୁକୁଳିବା ସକାଶେ ନିର୍ମଳ ଶକ୍ତିଉତ୍ସର ଆବଶ୍ୟକତା ରହିଛି । ଏଭଳି ପରିସ୍ଥିତିରେ ସୌରଶକ୍ତି, ପବନଶକ୍ତି ଓ ଜୁଆରଶକ୍ତି ଭଳି ପରିବେଶଗ୍ରାହୀ ନୂତନ ଶକ୍ତିଉତ୍ସଗୁଡ଼ିକ ଅପରିହାର୍ଯ୍ୟ ଓ ଏକମାତ୍ର ପନ୍ଥା ମନେହୁଏ । ଏଗୁଡ଼ିକ ସରିଯିବାର ଭୟ ନାହିଁ । ତେଣୁ ଏଗୁଡିକୁ "ଅକ୍ଷୟ ଶକ୍ତି’ର ଆଖ୍ୟା ଦିଆଯାଇଛି । ଆଜି କଳକାରଖାନାଗୁଡ଼ିକ ପବନ ଶକ୍ତିରେ ଚାଲିବାର ବ୍ୟବସ୍ଥା କରାଯାଉଛି । ଗାଡ଼ିମୋଟର ସବୁ ସୌରଶକ୍ତିରେ ଚାଲିବା ପାଇଁ ଯୋଜନା କାର୍ଯ୍ୟକାରୀ ହୋଇଛି ।
ଆଜିକାଲି ପେଟ୍ରୋଲ୍ ବଦଳରେ ଚାର୍ଜିତ ବ୍ୟାଟେରୀ ବ୍ୟବହାର କରି ଚାଲୁଥିବା ଇ-ବାଇକ୍ ବଜାରକୁ ଆସୁଛି । ଘରେ ଘରେ କାଠ, କୋଇଲା ବା ରନ୍ଧନଗ୍ୟାସ୍ ବଦଳରେ ସୋଲାର୍ ହିଟର, ସୌରଚୁଲା ଇତ୍ୟାଦିର ପ୍ରଚଳନ ଆରମ୍ଭ ହୋଇଛି । ବଡ଼ ବଡ଼ ହୋଟେଲମାନ ସୌରଶକ୍ତି ଉପରେ ନିର୍ଭର କରୁଛନ୍ତି । ବିଜୁଳି ମାରିବା ସମୟରେ ସୃଷ୍ଟି ହେଉଥିବା ଅମାପ ବିଦ୍ୟୁତଶକ୍ତିକୁ ସଂଗ୍ରହ କରିବା ପାଇଁ ଚିନ୍ତା କରାଯାଉଛି । ଅକ୍ଷୟ ଶକ୍ତିର ବ୍ୟବହାର ପରିପ୍ରେକ୍ଷୀରେ ଏଭଳି ପ୍ରୟାସ ତଥା ଯୋଜନା ନିହାତି ସ୍ୱାଗତଯୋଗ୍ୟ । ଆମେ ଶୁଣୁଛୁ, ଆଜିକାଲି ଜୋତା ତଳେ ଚାର୍ଜର୍ ରହିଛି, ଯାହାକି ବିଦ୍ୟୁତଶକ୍ତି ବ୍ୟବହାର ନକରି ମୋବାଇଲ୍ ଚାର୍ଜ କରିପାରୁଛି । ଭବିଷ୍ୟତରେ ଏପରି ଶାର୍ଟ ତିଆରି କରିବାର ଯୋଜନା ହେଉଛି, ଯେଉଁଥିରେ ମୋବାଇଲ୍ ଚାର୍ଜ କରିହେବ ଏବଂ ରେଡିଓ ବଜେଇ ହେବ । ଠିକ୍ କଥା । ବିଦ୍ୟୁତ୍ଶକ୍ତିର ଆବଶ୍ୟକତା ଅଳ୍ପ ହେଉ କି ବେଶୀ, ସବୁଠି ପରିବେଶକୁ ସୁହାଇଲା ପରି ପ୍ରୟାସ କରାଯିବା ଜରୁରି । ଶକ୍ତି ପାଇବା ପାଇଁ ଆମେ ଆଉ କୋଇଲା-ପେଟ୍ରୋଲ-ଡିଜେଲ ଭଳି ପାରମ୍ପରିକ ଉତ୍ସ ଉପରେ ନିର୍ଭର କରିବା ନାହିଁ କି ବାୟୁମଣ୍ଡଳକୁ ଧୂଆଁ ଛାଡ଼ିବା ନାହିଁ କିମ୍ବା ପରିବେଶକୁ ଦୂଷିତ କରିବା ନାହିଁ । ଅକ୍ଷୟ ଶକ୍ତି ଏମିତି ଏକ ପ୍ରୟାସ, ଯାହାକି ପାରମ୍ପରିକ ଶକ୍ତିର ବ୍ୟବହାର ହ୍ରାସ କରିବା ସହିତ ପ୍ରଦୂଷଣ ହ୍ରାସ କରିପାରିବ । ଏହା ମହାଜାଗତିକ ଉଷ୍ମତାକୁ ହ୍ରାସ କରିବାରେ ସହାୟତା କରେ । ଭୂକମ୍ପନଜନିତ ବିପର୍ଯ୍ୟୟରୁ ଆମକୁ ରକ୍ଷା କରିବା ଦିଗରେ ଅକ୍ଷୟ ଶକ୍ତି ବ୍ୟବହାରର ମଧ୍ୟ ଭୂମିକା ରହିଛି । ଏକଥା ମଧ୍ୟ ସତ ଯେ, ଅକ୍ଷୟ ଶକ୍ତିର ଜଗତୀକରଣ ପ୍ରକ୍ରିୟାରେ ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ନିଯୁକ୍ତି ସୃଷ୍ଟି ହେଉଛି । ଏଥିରୁ ଅନୁମେୟ, ଅକ୍ଷୟ ଶକ୍ତି ଆମ ଭବିଷ୍ୟତର ରୂପରେଖ ନିର୍ଦ୍ଧାରଣ କରିବ । ଶକ୍ତିଉତ୍ସର ସୁବିନିଯୋଗ ଓ ସଂରକ୍ଷଣ ଦିଗରେ ଭାରତର ପ୍ରୟାସ ସ୍ୱାଗତଯୋଗ୍ୟ ।
୧୯୯୧ ମସିହାରୁ ପ୍ରତିବର୍ଷ ଡିସେମ୍ବର ୧୪ ତାରିଖକୁ ଆମ ଦେଶରେ "ଜାତୀୟ ଶକ୍ତି ସଂରକ୍ଷଣ ଦିବସ’ ଭାବରେ ପାଳନ କରାଯାଏ । ଏହାର ନାମକରଣରୁ ସ୍ପଷ୍ଟ ଜଣାପଡୁଛି ଯେ ଶକ୍ତିକୁ ଜଗିରଖି ଯତ୍ନର ସହିତ ଖର୍ଚ୍ଚ କରିବା ସକାଶେ ଏହି ଦିବସ ପାଳନ କରାଯାଉଛି । ଆଜି ଆମ ଦେଶର ଲୋକସଂଖ୍ୟା ୧୪୫ କୋଟିକୁ ଟପିଲାଣି । ତେଣୁ ଶକ୍ତିର ପ୍ରଚୁର ଆବଶ୍ୟକତା ରହିଛି । ଶକ୍ତି ଉତ୍ପାଦନ ବଢ଼େଇବା କଷ୍ଟ, କିନ୍ତୁ ଆମେ ଇଚ୍ଛା କଲେ ଶକ୍ତିଖର୍ଚ୍ଚକୁ କମ୍ କରିପାରିବା । ସେଥିପାଇଁ ସଚେତନତା ତଥା ଆନ୍ତରିକତା ଜରୁରି । ଆମ ଦେଶକୁ "ଶକ୍ତି-ଦକ୍ଷ ଭାରତ’ରେ ପରିଣତ କରିପାରିଲେ ସାରା ପୃଥିବୀରେ ଆମ ଦେଶର ଗୌରବ ବଜାୟ ରଖିପାରିବା ଓ ଦେଶର ଭବିଷ୍ୟତକୁ ସୁରକ୍ଷିତ ରଖିପାରିବା । ତାହା ସହିତ ଜଳବାୟୁ ପରିବର୍ତ୍ତନକୁ ରୋକିବା ଦିଗରେ ଆମର ବିଶେଷ ଅବଦାନ ରହିବ । ଭାରତ ୨୦୧୦ ମସିହା ସୁଦ୍ଧା ୧୦ ପ୍ରତିଶତ ଓ ୨୦୨୦ ମସିହା ସୁଦ୍ଧା ୨୦ ପ୍ରତିଶତ ଅକ୍ଷୟଶକ୍ତି ବ୍ୟବହାର କରିବା ପାଇଁ ଲକ୍ଷ୍ୟ ରଖିଥିଲା ।
ଆଶ୍ଚର୍ଯ୍ୟର କଥା, ୨୦୨୪ ମସିହା ନଭେମ୍ବର ମାସରେ ଭାରତର ବିଜୁଳି ଉତ୍ପାଦନ କ୍ଷମତା ୪୫୩ ଗିଗାୱାଟ୍, ଯାହାର ୪୫ ପ୍ରତିଶତ କେବଳ ଅଣପାରମ୍ପରିକ ଶକ୍ତିଉତ୍ସରୁ । ମିଳୁଛି । ଆସନ୍ତା ୨୦୩୦ ମସିହାରେ ଅଣପାରମ୍ପରିକ ଶକ୍ତିଉତ୍ସରୁ ୫୦୦ ଗିଗାୱାଟ୍ ବିଜୁଳି ଉତ୍ପାଦନ ଲକ୍ଷ୍ୟ ରହିଛି । ଭାରତ ଆଗାମୀ ଦିନରେ ଶକ୍ତିର ଆବଶ୍ୟକତା ପୂରଣ କରିବା ସକାଶେ ମୁଖ୍ୟତଃ ସୂର୍ଯ୍ୟ, ସମୁଦ୍ରଜଳ ଓ ଜୈବଇନ୍ଧନ ଭଳି ଅକ୍ଷୟ ଶକ୍ତିଉତ୍ସ ଉପରେ ନିର୍ଭର କରିବ । ଆମର ବା-ପା-ମା-ଆ’ଙ୍କୁ ସୁସ୍ଥ ରଖିବା ପାଇଁ ଏହା ହିଁ ସମୀଚୀନ ପ୍ରୟାସ ହେବ । ଆମ ଦେଶ ଚୀନ୍, ବ୍ରାଜିଲ୍ ଓ ଦକ୍ଷିଣ ଆମେରିକା ଭଳି ବିକାଶଶୀଳ ରାଷ୍ଟ୍ରଗୁଡ଼ିକ ସହିତ ପୃଥିବୀର ଜଳବାୟୁ ପରିବର୍ତ୍ତନକୁ ରୋକିବା ଦିଗରେ ମୁଖ୍ୟ ଭୁମିକା ଗ୍ରହଣ କରିପାରିବ ବୋଲି ବିଭିନ୍ନ ଆନ୍ତର୍ଜାତିକ ପରିବେଶ ସଂଗଠନ ପକ୍ଷରୁ ଅନୁଧ୍ୟାନ ପୂର୍ବକ କୁହାଯାଇଛି।
ଆମର ବା-ପା-ମା-ଆ’ଙ୍କୁ ସୁସ୍ଥ ରଖିବା ପାଇଁ ଏହା ହିଁ ସମୀଚୀନ ପ୍ରୟାସ ହେବ । ଆମ ଦେଶ ଚୀନ୍, ବ୍ରାଜିଲ୍ ଓ ଦକ୍ଷିଣ ଆମେରିକା ଭଳି ବିକାଶଶୀଳ ରାଷ୍ଟ୍ରଗୁଡ଼ିକ ସହିତ ପୃଥିବୀର ଜଳବାୟୁ ପରିବର୍ତ୍ତନକୁ ରୋକିବା ଦିଗରେ ମୁଖ୍ୟ ଭୁମିକା ଗ୍ରହଣ କରିପାରିବ ବୋଲି ବିଭିନ୍ନ ଆନ୍ତର୍ଜାତିକ ପରିବେଶ ସଂଗଠନ ପକ୍ଷରୁ ଅନୁଧ୍ୟାନ ପୂର୍ବକ କୁହାଯାଇଛି ।