ପ୍ରାଥମିକ ପ୍ରସଙ୍ଗ ଯାହା ବିଚାରଯୋଗ୍ୟ, ତାହା ହେଉଛି ୧୯୯୧ ମସିହା ଉପାସନାସ୍ଥଳୀ ଅଧିନିୟମର ଧାରା-୩ ଏବଂ ୪ର ରୂପରେଖ ଓ ପରିସୀମା ନିରୂପଣ କରିବା । ଯେହେତୁ ମାମଲା ଏହି ଅଦାଲତରେ ବିଚାରାଧୀନ ଅଛି, ଆମେ ନିର୍ଦ୍ଦେଶ ଦେବା ଉଚିତ ମନେକରୁଛୁ ଯେ, ଉପାସନା ପୀଠ ଦ୍ୱନ୍ଦ୍ୱ ସଂପର୍କରେ ନୂତନ ମୋକଦ୍ଦମା ଦାୟର କରାଗଲେ ମଧ୍ୟ ତାହା ପଞ୍ଜିକୃତ ହେବନାହିଁ ଏବଂ ଏହି କୋର୍ଟର ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ତାହାର ବିଚାର ପ୍ରକ୍ରିୟା ଆରମ୍ଭ ହେବନାହିଁ । ଆହୁରି ମଧ୍ୟ ଏହି ଅଦାଲତର ପରବର୍ତ୍ତୀ ଶୁଣାଣି/ ନିର୍ଦ୍ଦେଶ ପର୍ଯ୍ୟନ୍ତ କୌଣସି କୋର୍ଟ, ବିଚାରାଧୀନ ମୋକଦ୍ଦମାର ସର୍ଭେ ଆଦି ନିର୍ଦ୍ଦେଶ ସମେତ ମଧ୍ୟବର୍ତ୍ତୀକାଳୀନ କିମ୍ବା ଚୂଡ଼ାନ୍ତ ଆଦେଶ ପାରିତ କରିପାରିବେ ନାହିଁ । ୧୯୯୧ ମସିହା ଆଇନର ବୈଧତା ଉପରେ ସର୍ବୋଚ୍ଚ ଅଦାଲତର ଚୂଡ଼ାନ୍ତ ରାୟ ପର୍ଯ୍ୟନ୍ତ ଏହି ରାୟ ବଳବତ୍ତର ରହିବ । ଚଳିତ ଡିସେମ୍ବର ମାସ ୧୨ ତାରିଖରେ ଦେଶର ସର୍ବୋଚ୍ଚ ଅଦାଲତଙ୍କ ଏହି ନିର୍ଦ୍ଦେଶନାମା ଫଳରେ ଦେଶର ବିଭିନ୍ନ ସ୍ଥାନରେ ଉପୁଜିଥିବା ମନ୍ଦିର-ମସଜିଦ ଦ୍ୱନ୍ଦ୍ୱର ସାମୟିକ ଅବସାନ ଘଟିଛି । ଉତ୍ତର ପ୍ରଦେଶ ସମ୍ଭଲରେ ଅବସ୍ଥିତ ଶାହି ଜମା ମସଜିଦ ଏକ ମନ୍ଦିର ଉପରେ ନିର୍ମାଣ ହୋଇଛି ବୋଲି କିଛି ବ୍ୟକ୍ତି ଅଦାଲତରେ ଆବେଦନ କରିବା ପରେ ସମ୍ଭଲର ସିନିୟର ଡିଭିଜନ ସିଭିଲ ଅଦାଲତ ମସଜିଦର ସର୍ଭେ ପାଇଁ ଅନୁମତି ଦେଇଥିଲେ । ଜିଲ୍ଲା ପ୍ରଶାସନ ଓ ପୁଲିସ ବିଭାଗର ପୂର୍ଣ୍ଣ ସହଯୋଗରେ ନଭେମ୍ବର ୧୯ ତାରିଖରେ ପ୍ରଥମ ସର୍ଭେ ଶାନ୍ତିପୂର୍ଣ୍ଣ ସମାପ୍ତ ହୋଇଥିଲେ ମଧ୍ୟ ସେହି ମାସ ୨୪ ତାରିଖ ଦ୍ୱିତୀୟ ସର୍ଭେ ସମୟରେ କିଛି ଉତ୍ତ୍ୟକ୍ତ ଜନତା ପୋଲିସ ଉପରେ ଆକ୍ରମଣ କରିଥିଲେ ଏବଂ ସେହି ହିଂସାରେ ପାଞ୍ଚଜଣ ବ୍ୟକ୍ତି ପ୍ରାଣ ହରାଇଥିଲେ । ସାରା ଦେଶରେ ଏ ଘଟଣା ଶିହରଣ ସୃଷ୍ଟି କରିଥିଲା ।
ଏହି ସମୟରେ ସୁପ୍ରିମକୋର୍ଟରେ "୧୯୯୧ ମସିହା ଉପାସନା ପୀଠ (ବିଶେଷ ବ୍ୟବସ୍ଥା) ଅଧିନିୟମ-୧୯୯୧ ସଂପର୍କୀୟ ମାମଲା ବିଚାରାଧୀନ ଥିଲା, ଯାହାର ଶୁଣାଣି ଡିସେମ୍ବର ୧୨ ତାରିଖକୁ ଧାର୍ଯ୍ୟ କରାଯାଇଥିଲା । ଏଥିସହିତ ସମ୍ଭଲର ଶାହି ଜମା ମସଜିଦ୍, ମଥୁରାର ଶାହି ଇଦ୍ଗାହ ମସଜିଦ ଏବଂ ଆହୁରି ଅନେକ ମାମଲା ଯୋଡ଼ି ହୋଇଗଲା । ତେଣୁ ପରବର୍ତ୍ତୀ ଶୁଣାଣି ନିମନ୍ତେ ଡିସେମ୍ବର ୭ ତାରିଖରେ ମୁଖ୍ୟ ବିଚାରପତି ସଂଜୀବ ଖାନ୍ନା, ବିଚାରପତି ପି.ଭି. ସଂଜୟ କୁମାର ଏବଂ କେ.ଭି. ବିଶ୍ୱନାଥନଙ୍କୁ ନେଇ ଏକ ସ୍ୱତନ୍ତ୍ର ଖଣ୍ଡପୀଠ ଗଠନ କରାଗଲା । ସେହି ଖଣ୍ଡପୀଠ ଡିସେମ୍ବର ୧୨ ତାରିଖରେ ଉପରୋକ୍ତ ନିର୍ଦ୍ଦେଶନାମା ଜାରି କରିଛନ୍ତି । ୧୯୯୧ ମସିହା ଉପାସନା ପୀଠ (ବିଶେଷ ବ୍ୟବସ୍ଥା) ଅଧିନିୟମ- ୧୯୯୧ କ'ଣ ଏବଂ ସେ ସଂପର୍କୀୟ ମାମଲା କାହିଁକି ସୁପ୍ରିମକୋର୍ଟରେ ବିଚାରାଧୀନ ରହିଛି, ତାହାର ପୃଷ୍ଠଭୂମି ଅନୁଶୀଳନ କରିବା । ୧୯୯୧ ମସିହା ସେପ୍ଟେମ୍ବର ୧୮ ତାରିଖରେ ପ୍ରଧାନମନ୍ତ୍ରୀ ପି.ଭି. ନରସିଂହ ରାଓଙ୍କ ଶାସନ କାଳରେ "୧୯୯୧ ମସିହା ଉପାସନା ପୀଠ (ବିଶେଷ ବ୍ୟବସ୍ଥା) ଅଧିନିୟମ' ପାର୍ଲାମେଣ୍ଟରେ ପାରିତ ହୋଇଥିଲା ।
ସେତେବେଳେ ଅଯୋଧ୍ୟାରେ ବିବାଦୀୟ ବାବ୍ରୀ ମସଜିଦ ସ୍ଥଳରେ ରାମ ମନ୍ଦିର ପ୍ରତିଷ୍ଠା ନେଇ ଦେଶବ୍ୟାପୀ ଜନଆନ୍ଦୋଳନ ତୀବ୍ରତର ରୂପ ନେଇସାରିଥାଏ । ସରକାରଙ୍କର ଆଶଙ୍କା ଥିଲା, ଯେହେତୁ ଅତୀତରେ ଏବଂ ବିଶେଷ କରି ମୋଗଲ ଶାସନକାଳରେ ଏହିଭଳି ଅନେକ ମନ୍ଦିର ଭଙ୍ଗାଯାଇ ମସଜିଦ ପ୍ରତିଷ୍ଠା କରାଯାଇଛି, ସେହି ମନ୍ଦିରଗୁଡିକର ପୁନଃ ନିର୍ମାଣ ନିମନ୍ତେ ଦାବି ଉଠିପାରେ । ଏହି ପରିପ୍ରେକ୍ଷୀରେ ୧୯୯୧ ମସିହା ଆଇନର ଆଭିମୁଖ୍ୟ ହେଉଛି: ୧) ୧୯୪୭ ମସିହା ଅଗଷ୍ଟ ୧୫ ତାରିଖ ସୁଦ୍ଧା ଦେଶରେ ଯେଉଁ ସମସ୍ତ ଉପାସନା ପୀଠ ରହିଛି, ସେଗୁଡିକର ଧାର୍ମିକ ଗୁଣବତ୍ତାରେ ପରିବର୍ତ୍ତନ ଅଣାଯାଇ ପାରିବ ନାହିଁ । ୨) ସଂପୃକ୍ତ ସଂପ୍ରଦାୟର ବିନା ଅନୁମତିରେ କୌଣସି ଧାର୍ମିକ ପୀଠକୁ ଭିନ୍ନ ସଂପ୍ରଦାୟର ଉପାସନାସ୍ଥଳୀରେ ପରିଣତ କରାଯାଇପାରିବ ନାହିଁ । ଯେହେତୁ ରାମ ଜନ୍ମଭୂମି- ବାବ୍ରୀ ମସଜିଦ ବିବାଦ ଅଦାଲତରେ ବିଚାରାଧୀନ ଥିଲା, ତାହାକୁ ଆଇନ ପରିସରରୁ ବାଦ୍ ଦିଆଗଲା । ୨୦୧୯ ମସିହାରେ ସୁପ୍ରିମକୋର୍ଟର ୫ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ସର୍ବସମ୍ମତିକ୍ରମେ ଶ୍ରୀରାମ ବିରାଜମାନଙ୍କ ସପକ୍ଷରେ ରାୟ ଦେବା ପରେ ଦୀର୍ଘ ୪୫୦ ବର୍ଷର ବିବାଦର ଅନ୍ତ ଘଟିଥିଲା । ଖଣ୍ଡପୀଠ ଏହି ରାୟରେ ୧୯୯୧ ମସିହା ଆଇନ ସଂପର୍କରେ ଉଲ୍ଲେଖ କରିଛନ୍ତି "ଉପାସନା ପୀଠ ଆଇନ ହେଉଛି ଧର୍ମନିରପେକ୍ଷତା ପ୍ରତି ରାଷ୍ଟ୍ରର ଅନ୍ତର୍ନିହିତ ଅଙ୍ଗୀକାରବଦ୍ଧତାର ପ୍ରତିଫଳନ' । ୨୦୨୨ ମସିହାରେ ତତ୍କାଳୀନ ମୁଖ୍ୟ ବିଚାରପତି ଜଷ୍ଟିସ ଚନ୍ଦ୍ରାଚୁଡ ବାରାଣାସୀ ଜ୍ଞାନବ୍ୟାପୀ ମସଜିଦ୍ର ସର୍ଭେ ନିମନ୍ତେ ଅନୁମତି ଦେବା ଅବସରରେ ଅଦାଲତରେ ମତ ରଖିଥିଲେ "୧୯୯୧ ମସିହା ଆଇନ ଆଧାରରେ କୌଣସି ଉପାସନା ପୀଠର ଧାର୍ମିକ ଗୁଣାବତ୍ତାରେ ପରିବର୍ତ୍ତନ ଅଣାଯାଇପାରିବ ନାହିଁ । କିନ୍ତୁ ଉପାସନା ପୀଠର ଧାର୍ମିକ ଚରିତ୍ର ନିରୂପଣ କରିବାରେ ପ୍ରତିବନ୍ଧକ ନାହିଁ’ ।
୨୦୨୦ ମସିହାରେ ଅଶ୍ୱିନୀ ଉପାଧ୍ୟାୟ ନାମକ ଜଣେ ଓକିଲ ୧୯୯୧ ମସିହା ଆଇନର ବୈଧତା ପ୍ରସଙ୍ଗରେ ସୁପ୍ରିମକୋର୍ଟରେ ପିଟିସନ ଦାଖଲ କଲେ । ତାଙ୍କର ଆବେଦନ ଥିଲା "ଏହି ଆଇନର ଧାରା- ୨, ୩, ୪କୁ ଅସାମ୍ବିଧାନିକ ଘୋଷଣା କରାଯାଉ' । ଧାରା୨ରେ ୧୯୯୧ ମସିହା ଜୁଲାଇ ୧୧ ତାରିଖରୁ ଏହି ଆଇନ ଲାଗୁ ହେବ ବୋଲି ଉଲ୍ଲେଖ ଅଛି । ଏଥିସହିତ "ରୂପାନ୍ତର/ପରିବର୍ତ୍ତନର' ସଂଜ୍ଞା ନିରୂପଣ କରାଯାଇଛି ଏବଂ "ଉପାସନା ପୀଠ' ଯଥା- ମନ୍ଦିର, ମସଜିଦ୍, ଗୁରୁଦ୍ୱାରା, ଚର୍ଚ୍ଚ ଆଦିର ବ୍ୟାଖ୍ୟା ରହିଛି । ଧାରା-୩ରେ ଉପାସନା ପୀଠକୁ ପରିବର୍ତ୍ତନ କରାଯାଇ ପାରିବନାହିଁ ବୋଲି ବାରଣ କରାଯାଇଛି । କେହି ବ୍ୟକ୍ତି କୌଣସି ଧର୍ମର ପୂଜାସ୍ଥଳୀ କିମ୍ବା ତାହାର ଅଂଶବିଶେଷକୁ ଅନ୍ୟ ଧର୍ମ ପୀଠରେ ପରିବର୍ତ୍ତନ କରିପାରିବେ ନାହିଁ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ଧାରା-୪ । ଏଥିରେ ଉଲ୍ଲେଖ ଅଛି: "୧୯୪୭ ମସିହା ଅଗଷ୍ଟ ୧୫ ତାରିଖରେ ଉପାସନା ପୀଠ ଯେମିତି ରହିଥିଲା, ତାହାରି ଆଧାରରେ ସେହି ସ୍ଥଳୀର ଧାର୍ମିକ ଚରିତ୍ର ନିର୍ଦ୍ଧାରଣ କରାଯିବ । ଆଇନ ଲାଗୁ ହେବା ପୂର୍ବରୁ ଯଦି କୌଣସି ଧର୍ମସ୍ଥଳୀ ପରିବର୍ତ୍ତନ ପ୍ରସଙ୍ଗ ଅଦାଲତରେ ବିଚାରାଧୀନ ଥାଏ, ତାହା ଆପଣାଛାଏଁ ଖାରଜ ହୋଇଯିବ ଏବଂ ଆଇନ ଲାଗୁ ହେବା ପରେ କୌଣସି ଅଦାଲତ, ଧର୍ମସ୍ଥଳୀ ପରିବର୍ତ୍ତନ ପ୍ରସଙ୍ଗ ବିଚାର ନିମନ୍ତେ ଗ୍ରହଣ କରିପାରିବେ ନାହିଁ' ।
ଆବେଦନକାରୀ ପିଟିସନରେ ଯେଉଁ ଯୁକ୍ତି ଉଲ୍ଲେଖ କରିଛନ୍ତି ତାହା ହେଲା- ୧) ୧୧୯୨ ମସିହାରୁ ବିଦେଶୀ ମୁସଲମାନ ଏବଂ ଇଂରେଜମାନେ ଦେଶ ଶାସନ କରିବା ସହିତ ନିଜସ୍ୱ ଧର୍ମର ପ୍ରସାର ନିମନ୍ତେ ବହୁ ମନ୍ଦିର ଧ୍ୱଂସ କରିଥିଲେ । ସେହି ଦୃଷ୍ଟିରୁ ୧୯୪୭ ଅଗଷ୍ଟ ୧୫ ତାରିଖକୁ ଧାର୍ଯ୍ୟ ତାରିଖ ଭାବେ ଗ୍ରହଣ କରାଗଲେ ହିନ୍ଦୁ, ଶିଖ୍, ଜୈନ, ବୌଦ୍ଧ ଧର୍ମାବଲମ୍ବୀଙ୍କ ଉପାସନାସ୍ଥଳୀ ସଙ୍କୁଚିତ ହୋଇଯିବ । ଏହା ସମ୍ବିଧାନର ଧାରା-୧୪ ଏବଂ ୧୫ ଆଧାରରେ ସମାନତା ଓ ଭେଦଭାବ ନକରିବା ଅଧିକାର କ୍ଷୁଣ୍ଣ କରିବା ସହ ଧାରା-୨୬, ୨୯ ଆଧାରରେ ଧାର୍ମିକ ସ୍ୱାଧୀନତା ଅଧିକାର ଉଲ୍ଲଙ୍ଘନ କରୁଛି । ୨) ୧୯୯୧ ମସିହା ଆଇନର ଧାରା-୪, ନ୍ୟାୟିକ ସମୀକ୍ଷା ବାରଣ କରିବା ଦ୍ୱାରା ନ୍ୟାୟପାଳିକାର କାର୍ଯ୍ୟ ଉପରେ ହସ୍ତକ୍ଷେପ କରି ସମ୍ବିଧାନର ମୂଳ ଢାଞ୍ଚାର ବିରୋଧ କରୁଛି । ୩) ହିନ୍ଦୁ ଆଇନ ଅନୁସାରେ ଧ୍ୱଂସ ହୋଇଥିବା ମନ୍ଦିର ଏବେ ମଧ୍ୟ ମନ୍ଦିର ଅଟେ । କାରଣ ମୂର୍ତ୍ତିମାନେ ଚିରନ୍ତନ ବିଦ୍ୟମାନ ଥାଆନ୍ତି । ମୂର୍ତ୍ତି ଧ୍ୱଂସ ହେବାପରେ ନୂଆ ମୂର୍ତ୍ତି ପ୍ରତିଷ୍ଠା କରିବାର ପ୍ରଥା ରହିଛି, କାରଣ ସଂପତ୍ତି ଉପରୁ ସେମାନଙ୍କ ଅଧିକାର କେବେହେଲେ କ୍ଷୁଣ୍ଣ ହୁଏନାହିଁ ଏବଂ ଆଇନ ସେମାନଙ୍କୁ ସେଥିରୁ ବଞ୍ଚିତ କରିପାରିବ ନାହିଁ । ୪) ପୂଜାପୀଠ ଏବଂ ତୀର୍ଥଯାତ୍ରା ଆଦି ରାଜ୍ୟ ତାଲିକାର ଅଂଶ ହୋଇଥିବାରୁ କେନ୍ଦ୍ର ସରକାର ସେ ସଂକ୍ରାନ୍ତୀୟ ଆଇନ ପ୍ରଣୟନ କରିପାରିବେ ନାହିଁ । ତେଣୁ ଆଇନକୁ ଅସାମ୍ବିଧାନିକ ଘୋଷଣା କରାଯାଉ । ମାମଲା ଏବେ ସୁପ୍ରିମକୋର୍ଟରେ ବିଚାରାଧୀନ ଅଛି ।
୧୯୯୧ ମସିହାରେ ଉପାସନା ପୀଠ ଆଇନ ପ୍ରଣୟନ ହେବା ସତ୍ତେ୍ୱ ୧୦ଟିରୁ ଊଦ୍ଧ୍ୱର୍ ମନ୍ଦିର-ମସଜିଦ-ଦରଘା ମାମଲା ଅଦାଲତକୁ ଆସିଲା କେମିତି, ଏ ପ୍ରଶ୍ନ ମନକୁ ଆନ୍ଦୋଳିତ କରିବା ସ୍ୱାଭାବିକ । ଏଥିମଧ୍ୟରୁ ବହୁଚର୍ଚ୍ଚିତ ହେଉଛି କାଶୀ ବିଶ୍ୱନାଥ ମନ୍ଦିର ବନାମ ଜ୍ଞାନବ୍ୟାପୀ ମସଜିଦ, ବାରାଣାସୀ ଏବଂ ଶ୍ରୀକୃଷ୍ଣ ଜନ୍ମଭୂମି ବନାମ ଶାହି ଇଦ୍ଗାହ୍ ମସଜିଦ, ମଥୁରା । ଆମେ ଏଥିରୁ କାଶୀ ବିଶ୍ୱନାଥ ମନ୍ଦିର ବନାମ ଜ୍ଞାନବ୍ୟାପୀ ମସଜିଦ ମାମଲାକୁ ଦୃଷ୍ଟାନ୍ତ ଭାବେ ଅନୁଶୀଳନ କରିବା । ୧୯୯୧ ମସିହାରେ କିଛି ସାଧୁ ସନ୍ଥ କାଶୀ ବିଶ୍ୱନାଥ ମନ୍ଦିରରେ ପୂଜା ଉପାସନା ନିମନ୍ତେ ବାରାଣାସୀ ସିଭିଲ କୋର୍ଟରେ ନିବେଦନ କରିଥିଲେ ଏବଂ ୧୯୯୭ରେ ତାହା ଖାରଜ କରାଗଲା । ୨୦୨୧ ମସିହାରେ କିଛି ମହିଳା କାଶୀ ବିଶ୍ୱନାଥ ମନ୍ଦିରରେ ପୂଜା ନିମନ୍ତେ ବାରାଣାସୀ ସିଭିଲ ଅଦାଲତରେ ନିବେଦନ କଲେ । ସିଭିଲ ଜଜ୍ ମହିଳାଙ୍କ ଆବେଦନ ଗ୍ରହଣ କରି ମସଜିଦ ଉପରେ ଭିଡିଓ ସର୍ଭେ ନିମନ୍ତେ ଅନୁମତି ଦେଲେ ।
ମସଜିଦ କମିଟି ତରଫରୁ ମାମଲା ସୁପ୍ରିମକୋର୍ଟକୁ ଆସିବା ପରେ, ପ୍ରସଙ୍ଗର ମୂଳ ତଥ୍ୟ ସଂଗ୍ରହ ନିମନ୍ତେ ସୁପ୍ରିମକୋର୍ଟ ତାହାକୁ ବାରାଣାସୀ ଜିଲ୍ଲା ଅଦାଲତକୁ ପଠାଇଦେଲେ । ପୂର୍ବରୁ ଥିବା ହିନ୍ଦୁ ମନ୍ଦିର ଉପରେ ମସଜିଦ୍ ନିର୍ମାଣ ହୋଇଛି କି ନାହିଁ, ତାହା ଜାଣିବା ପାଇଁ ବୈଜ୍ଞାନିକ ସର୍ଭେ ନିମନ୍ତେ ଜିଲା ଜଜ୍ ଅନୁମତି ଦେଲେ । ୨୦୨୩ ଅଗଷ୍ଟ ମାସରୁ ସର୍ଭେ ଆରମ୍ଭ ହୋଇଛି । ଏହି ନିର୍ଦ୍ଦେଶନାମାରେ ଜିଲ୍ଲା ଜଜ୍ ଏ.କେ. ବିଶ୍ୱେସ ଉଲ୍ଲେଖ କରିଛନ୍ତି "ହିନ୍ଦୁମାନେ ମନ୍ଦିର ପରିସରରେ ୧୯୪୭ ମସିହା ଅଗଷ୍ଟ ୧୫ ତାରିଖ ପୂର୍ବରୁ ଓ ପରେ ନିରବଚ୍ଛିନ୍ନ ପୂଜା ଆରାଧନା କରିଆସୁଛନ୍ତି । ତେଣୁ ଏହି କ୍ଷେତ୍ରରେ ୧୯୯୧ ମସିହା ଉପାସନା ପୀଠ ଆଇନ ଲାଗୁହେବ ନାହିଁ' । ମାମଲା ସୁପ୍ରିମକୋର୍ଟରେ ବିଚାରାଧୀନ ରହିଛି । ପ୍ରତିଟି ଉପସନା ପୀଠ ସହିତ ସଂପୃକ୍ତ ସଂପ୍ରଦାୟର ଭାବାବେଗ ଜଡ଼ିତ ଥାଏ । ଦୀର୍ଘ ୪୫୦ ବର୍ଷର ରାମ ଜନ୍ମଭୂମି ବିବାଦ ସୁପ୍ରିମକୋର୍ଟ ମାଧ୍ୟମରେ ସର୍ବସମ୍ମତି, ସହମତିରେ ସମାଧାନ ହୋଇପାରିଲା । ବିବିଧତା ହିଁ ଭାରତର ଶକ୍ତି, ଭାରତୀୟ ଅନ୍ତରାତ୍ମାର ଅନ୍ତଃସ୍ୱର । ବିକଶିତ ଭାରତ ପଥରେ ମନ୍ଦିର-ମସଜିଦ ବିବାଦ ଅନ୍ତରାୟ ନହେଉ ଏ ଦାୟିତ୍ୱ ସୁପ୍ରିମକୋର୍ଟ ଉପରେ ନ୍ୟସ୍ତ ରହିଛି ।