ପ୍ରମୂଖ ଖବର
  • ଭୁବନେଶ୍ୱରରେ ନୂଆ ରାଜ୍ୟପାଳ ଡ. ହରିବାବୁ କମ୍ଭମପତି, ଏୟାରପୋର୍ଟରେ ଦିଆଗଲା ଗାର୍ଡ ଅଫ୍ ଅନର୍‌
  • ||
  • ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ବଢିଲା ସ୍ୱାଧୀନତା ସଂଗ୍ରାମୀଙ୍କ ଭତ୍ତା
  • ||
  • ରାଜଧାନୀରେ ନକଲି ସିମେଣ୍ଟ୍ ଫ୍ୟାକ୍ଟ୍ରି ଠାବ, ପାଉଁଶ ମିଶାଇ ଲୋକଙ୍କୁ କରୁଥିଲେ ବିକ୍ରି
  • ||
  • କରଞ୍ଜିଆ : ସ୍କୁଟିକୁ ଧକ୍କା ଦେଲା ଲୁହା ପଥର ବୋଝେଇ ଟ୍ରକ୍, ମାଆ ଆଗରେ ଚାଲିଗଲା ପୁଅର ଜୀବନ
  • ||
  • ଆନନ୍ଦପୁର : ଜଙ୍ଗଲରୁ ୨ ଶିକାରୀ ଗିରଫ, ମାରଣାସ୍ତ୍ର ସହ ଫାସ ଜବତ
  • ||
  • ବୋରିଗୁୁମ୍ମା : ନୂଆବର୍ଷରେ ଭୋଜି କରି ଯୁବକଙ୍କୁ ନିର୍ମମ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • ବୌଦ୍ଧ : ୨୧୬ ଲିଟର ବିଦେଶୀ ମଦ ଜବତ, ଜଣେ ଗିରଫ
  • ||
  • ଅପରାହ୍ନରେ ଝାରସୁଗୁଡ଼ା ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ‘ଦୁଲ୍‌ଦୁଲି' କାର୍ଯ୍ୟକ୍ରମରେ ଦେବେ ଯୋଗ
  • ||
  • କଳାହାଣ୍ଡି : ଟ୍ୟାଙ୍କର ଧକ୍କାରେ ଯୁବକଙ୍କ ମୃତ୍ୟୁ ଘଟଣା, କ୍ଷତି ପୂରଣ ଦାବିରେ ଶବ ରଖି ରାସ୍ତା ଅବରୋଧ
  • ||
  • ଜଗା ଦର୍ଶନ ପାଇଁ ପୁରୀରେ ପ୍ରବଳ ଭିଡ଼, ବଡ଼ଦାଣ୍ଡରେ ଲାଗିଛି ଲମ୍ବା ଲାଇନ୍
  • ||
  • ସମ୍ୱଲପୁରରେ ଜବରଦଖଲ ଉଚ୍ଛେଦ, ୧୬୩ ଧାରା ଲାଗୁ
  • ||
  • ଘଟଗାଁରେ ଉଦ୍‌ଘାଟନ ହେବ ଅଟେଇ ଜଙ୍ଗଲ ସଫାରୀ, ବନ୍ୟଜନ୍ତୁ ଦେଖିବାର ମଜା ନେବେ ପର୍ଯ୍ୟଟକ
  • ||
  • ଆଜି ଓଡ଼ିଶାରେ ପହଞ୍ଚିବେ ନୂଆ ରାଜ୍ୟପାଳ, ପୁରୀ ଯାଇ ଶ୍ରୀଜିଉଙ୍କୁ କରିବେ ଦର୍ଶନ
  • ||
  • ସାଲେପୁର : ବାଇକ୍‌କୁ ପଛପଟୁ ଧକ୍କା ଦେଲା ବାଇକ୍: ଜଣେ ସଙ୍କଟାପନ୍ନ, ଦୁଇ ଗୁରୁତର
  • ||
  • ସୋର : ଇଶାନ ଗାଁରେ ଅଗ୍ନିକାଣ୍ଡ: ଜଳିଗଲା ୪ ବଖରା ଘର, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ
  • ||
  • ଜାନୁଆରୀରେ ଶୀତ କମ୍‌, ମାର୍ଚ୍ଚ ଯାଏଁ ଅଧିକ ବର୍ଷା, ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ
  • ||

ଅର୍ଥନୈତିକ ଅଭିବୃଦ୍ଧି ହାର ହ୍ରାସର କାରଣ

Published By : Prameya | December 28, 2024 2:03 PM

ଭାରତର ସେବାକ୍ଷେତ୍ରର ରପ୍ତାନି ଆମଦାନୀ ଅପେକ୍ଷା ଅଧିକ ଏବଂ ଏହା ୧୯.୮୪% ବଳକା ହୋଇଛି, ତଥାପି ବାଣିଜ୍ୟ ନିଅଣ୍ଟ ଅଧିକ ରହିଛି । ଦେଶର ଇନ୍ଧନ ତୈଳ, ବୈଦ୍ୟୁତିକ ଉପକରଣ ଏବଂ ଭାରୀଯନ୍ତ୍ର ଉପରେ ଭାରତର ନିର୍ଭରଶୀଳତା କମିବାର ନାହିଁ । ତେଣୁ ଭାରତର ବାଣିଜ୍ୟ ନିଅଣ୍ଟ ଆଗକୁ ରହିବ, ଯାହା ଦେଶର ଅର୍ଥନୀତିର ଅଭିବୃଦ୍ଧି ହାରକୁ ହ୍ରାସ କରିବ ଏବଂ ସ୍ଥିରୀକୃତ ଅଭିବୃଦ୍ଧି ହାର ହାସଲ କରିବାରେ ବାଧା ସୃଷ୍ଟି କରିବ ।

ଅନେକ ଉପାଦାନକୁ ବିଶ୍ଳେଷଣ କରି, ଅର୍ଥ ବ୍ୟବସ୍ଥାର ବିଭିନ୍ନ ବିଭାଗର ପ୍ରଦର୍ଶନକୁ ଦେଖି, ଅତୀତ ଓ ବର୍ତ୍ତମାନର ଆର୍ଥିକ ଧାରାକୁ ଅନୁଧ୍ୟାନ କରିବା ପରେ ଦେଶର କେନ୍ଦ୍ରୀୟ ବ୍ୟାଙ୍କ୍‌ ଗୋଟିଏ ବିତ୍ତ ବର୍ଷ ପାଇଁ ଅଭିବୃଦ୍ଧି ହାର ସ୍ଥିର କରିଥାନ୍ତି । ଗୋଟିଏ ଦେଶର ଅର୍ଥନୈତିକ ବିକାଶ ସେ ଦେଶର ମୋଟ୍‌ ଘରୋଇ ଉତ୍ପାଦରେ ହେଉଥିବା ଅଭିବୃଦ୍ଧିକୁ ବୁଝାଏ । ମୋଟ୍‌ ଘରୋଇ ଉତ୍ପାଦ ମାନେ, ଦେଶରେ ସୃଷ୍ଟି ହେଉଥିବା ସବୁ ଜିନିଷ ଏବଂ ସେବାର ଟଙ୍କାରେ ପ୍ରକାଶିତ ମୂଲ୍ୟ । ଏହା ସବୁବେଳେ ଗୋଟିଏ ଆର୍ଥିକ ବର୍ଷ ପାଇଁ ଧରାଯାଏ । ଆର୍ଥିକ ବର୍ଷ ଅର୍ଥ, ଗୋଟିଏ ଇଂରାଜୀ ବର୍ଷର ଏପ୍ରିଲ ମାସର ପହିଲା ଠାରୁ ତା' ପରବର୍ଷର ମାର୍ଚ୍ଚ ମାସର ଏକତିରିଶ ତାରିଖ । ଅର୍ଥନୀତିର ପ୍ରଗତିକୁ ସଠିକ୍‌ ଭାବରେ ଅଧ୍ୟୟନ କରି ଆବଶ୍ୟକ ସ୍ଥଳେ ତାକୁ ସୁଧାରିବା ପାଇଁ ସପୂର୍ଣ୍ଣ ବର୍ଷକୁ ଚାରିଭାଗରେ ବିଭକ୍ତ କରି ତ୍ରୟମାସିକ ଅଭିବୃଦ୍ଧି ହାର ବିଚାରକୁ ନିଆଯାଏ । ଗୋଟିଏ ବର୍ଷର ଅଂଶ ହେଲେ ମଧ୍ୟ ଏହି ତିନି ମାସର ଅଭିବୃଦ୍ଧିରେ ପରିଲକ୍ଷିତ ପରିବର୍ତ୍ତନ ଦେଶ ପାଇଁ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ । 

ଚଳିତ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୟମାସିକ (ଜୁଲାଇ ୨୦୨୪ରୁ ସେପ୍ଟେମ୍ବର ୨୦୨୪) ଅବଧିରେ ଅଭିବୃଦ୍ଧି ହାର ୫.୪% ରହିଛି । ପୂର୍ବ ତ୍ରୟମାସିକରେ ଏହା ୬.୭% ଥିଲା । ଗତବର୍ଷର ଏହି ସମୟର ୮.୧ ପ୍ରତିଶତର ଅଭିବୃଦ୍ଧି ହାର ଅପେକ୍ଷା ଏହା ଯଥେଷ୍ଟ କମ୍‌ । ଏହା ବିଗତ ସାତ ତ୍ରୟମାସିକ (୨୧ମାସ) ମଧ୍ୟରେ ସବୁଠାରୁ କମ୍‌ । ଏହା ଏକ ବଡ଼ ହ୍ରାସ ଏବଂ ଏହା ଆମର ବାର୍ଷିକ ଅଭିବୃଦ୍ଧି ହାର ହାସଲ କରିବାରେ ନିଶ୍ଚିତ ନକାରାତ୍ମକ ପ୍ରଭାବ ପକେଇବ । ଭାରତୀୟ ଅର୍ଥନୀତିଜ୍ଞ ଏହି ସମୟର ଅଭିବୃଦ୍ଧି ହାର ୬.୫% ରହିବ ବୋଲି କହିଥିବାବେଳେ, ଭାରତୀୟ ରିଜର୍ଭ ବ୍ୟାଙ୍କ ବାର୍ଷିକ ହାର ୭% ହେବା ବୋଲି ଲକ୍ଷ୍ୟ ଧାର୍ଯ୍ୟ କରିଥିଲେ । ଜାତୀୟ ଓ ଅନ୍ତର୍ଜାତୀୟ ଅର୍ଥବ୍ୟବସ୍ଥାକୁ ଦୃଷ୍ଟିରେ ରଖି ଅନେକ ସଂସ୍ଥା ଏବଂ ଅର୍ଥଶାସ୍ତ୍ରୀ ଏହି ହାରକୁ ଅପହଞ୍ଚ ବୋଲି କହିଥିଲେ । ଇଂଲଣ୍ଡକୁ ଟପି ଦେଶ ବର୍ତ୍ତମାନ ପୃଥିବୀର ପଞ୍ଚମ ବୃହତ୍ତମ ଅର୍ଥନୀତି ହୋଇଥିଲେ ହେଁ ରୋଜଗାର, ମୁଦ୍ରାସ୍ଫୀତି, ମୁଣ୍ଡପିଛା ଆୟ ଏବଂ ବ୍ୟୟ କ୍ଷେତ୍ରରେ ଏହା ଅନେକ ଦେଶ ପଛରେ । ଏପରି ଅବସ୍ଥାରେ ଅଭିବୃଦ୍ଧି ହାର କମିବା ନିଶ୍ଚିତ ଭାବରେ ଚିନ୍ତାଜନକ । 

ଅର୍ଥନୀତିର ଗତି ଗୋଟିଏ ଗାଡ଼ିର ଗତି ପରି । ଯେମିତି ଗୋଟିଏ ଗାଡ଼ିର ବେଗ ସବୁବେଳେ ସମାନ ରହିନପାରେ, ସେହିପରି ଅନେକ କାରଣ ଯୋଗୁଁ ଅର୍ଥନୀତିର ବେଗ ବା ଗତି ସମାନ ରହିନଥାଏ । ବର୍ତ୍ତମାନ ଜାଣିବା ଜାତୀୟ ଅଭିବୃଦ୍ଧି ହାରରେ ବ୍ରେକ୍‌ କାହିଁକି ଲାଗିଲା । ଘରୋଇ ଉପଭୋଗ (ଖର୍ଚ୍ଚ), ନିବେଶ, ସରକାରୀ ଖର୍ଚ୍ଚ ଏବଂ ବହିର୍ବାଣିଜ୍ୟ- ଅର୍ଥନୈତିକ ଅଭିବୃଦ୍ଧିର ଚାରି ଉପାଦାନ ମଧ୍ୟରୁ ଉପଭୋଗ (ଖର୍ଚ୍ଚ), ନିବେଶ ଏବଂ ବହିର୍ବାଣିଜ୍ୟରେ ତୀବ୍ର ହ୍ରାସ ପରିଲକ୍ଷିତ । ଅଭିବୃଦ୍ଧି ହାରରେ ହ୍ରାସ ମାନେ ଦେଶରେ ଉତ୍ପାଦନ, ନିବେଶ ଏବଂ ଲୋକଙ୍କର ବ୍ୟୟ ହ୍ରାସ । ଘରୋଇ ଉପଭୋଗ ବା କ୍ରୟ ଅର୍ଥାତ୍‌ ସାଧାରଣ ଲୋକଙ୍କର କିଣାକିଣି କମିଛି, ଖର୍ଚ୍ଚ କମିଛି । ଦେଶରେ ଖାଇବା ପଦାର୍ଥ, ରନ୍ଧନ ତୈଳ, ଇନ୍ଧନ ତୈଳ ଇତ୍ୟାଦି ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ମୂଲ୍ୟ ଉଚ୍ଚ ରହିଛି, ଯାହା ମୁଦ୍ରାସ୍ଫୀତିକୁ ଉପରକୁ ଟାଣିଛି । ଏହା ସହିତ ଘର, ଗାଡ଼ି ବା ପିଲାମାନଙ୍କର ଶିକ୍ଷା ପାଇଁ ନେଇଥିବା ଋଣ ଉପରେ ଲୋକେ ଅଧିକ ସୁଧ ଦେଉଥିବାରୁ କିଣାକିଣି ପାଇଁ ତାଙ୍କ ପାଖରେ ଅର୍ଥ କମ୍‌ ବଳୁଛି । ଏହି ଉପାଦାନଗୁଡ଼ିକ ଯୋଗୁଁ ମଧ୍ୟବିତ୍ତ ପରିବାରର କ୍ରୟଶକ୍ତି ଅତିମାତ୍ରାରେ ପ୍ରଭାବିତ ହୋଇଛି । ତେଣୁ ତାଙ୍କର ଜିନିଷପତ୍ର ପାଇଁ ଚାହିଦା କମିଛି । 

ଉଚ୍ଚ ମୁଦ୍ରାସ୍ଫୀତି ହାର ଦ୍ୱାରା ଉଭୟ ସହର ଓ ଗ୍ରାମୀଣ ଲୋକ ପ୍ରଭାବିତ ହେଉଥିଲେ ମଧ୍ୟ ସହରରେ ରହୁଥିବା ଲୋକ ଅଧିକ ଦାମ୍‌ ଦେଇ ଏକା ଜିନିଷ କିଣୁଥିବାରୁ ସେମାନଙ୍କର କ୍ରୟଶକ୍ତି କମିଥାଏ । ସାମଗ୍ରିକ ଉପଭୋଗ କମିବା ଦ୍ୱାରା ଦେଶରେ ନିବେଶ ପାଇଁ ତାହା କମ୍‌ ଉପଲବ୍ଧ ଦ୍ୱିତୀୟରେ ଚାହିଦା କମିବାରୁ ଉତ୍ପାଦନ କମୁଛି । ଅର୍ଥନୀତି ଉପରକୁ ଯିବ କେମିତି? ଅର୍ଥନୀତିର ବିକାଶରେ ମୁଖ୍ୟ ଭୂମିକା ଗ୍ରହଣ କରେ ବିନିର୍ମାଣ ବା ମାନୁଫାକ୍‌ଚରିଙ୍ଗ୍‌ କ୍ଷେତ୍ର । କିନ୍ତୁ କରୋନା ପରଠାରୁ ଏହି କ୍ଷେତ୍ର ଉଠିପାରିନି । ଦେଶରେ ଚାହିଦା କମ୍‌ ଏବଂ ରପ୍ତାନି ହ୍ରାସ ଯୋଗୁଁ ମାନୁଫାକ୍‌ଚରିଙ୍ଗ୍‌ କ୍ଷେତ୍ରର ଅବଦାନ କମ୍‌ ରହୁଛି, ଏହି ସମୟରେ ଏହା ମାତ୍ର ୨.୨ ପ୍ରତିଶତ ହାରରେ ବଢ଼ିଛି । ପ୍ରତିକୂଳ ପାଗ ସହାୟକ ହୋଇନଥିବାରୁ ଖଣି ଖନନ ଏବଂ ଶକ୍ତି ଉତ୍ପାଦନ ହ୍ରାସ ପାଇଛି । ବିଭିନ୍ନ କ୍ଷେତ୍ର ବିଯୁକ୍ତାତ୍ମାକ ଫଳ ଦେଖାଇଥିଲେ ମଧ୍ୟ କୃଷିକ୍ଷେତ୍ରର ଅବଦାନ ବୃଦ୍ଧିପାଇଛି । ଏହି ସମୟରେ ଏହାର ବୃଦ୍ଧି ହାର ୩.୫ ପ୍ରତିଶତ ରହିଛି । ଯଦିଓ ସରକାରୀ ଖର୍ଚ୍ଚ ବଢ଼ିଛି, ତାହାର ବୃଦ୍ଧି ହାର ଗତବର୍ଷର ଏହି ସମୟର ବୃଦ୍ଧି ହାର ଅପେକ୍ଷା କମ୍‌ । ଯେହେତୁ ସବୁକ୍ଷେତ୍ରର ପ୍ରଦର୍ଶନ ଖରାପ ରହିଛି, ସାମଗ୍ରିକ ଭାବରେ ଅଭିବୃଦ୍ଧି ହାର ହ୍ରାସ ପାଇଛି । ଅର୍ଥନୀତିକୁ ସାହାଯ୍ୟ କରୁଥିବା ଘରୋଇ ନିବେଶ, ବିଶେଷକରି ପୁଞ୍ଜି ନିର୍ମାଣ ପାଇଁ ନିବେଶ ହ୍ରାସ ପାଉଛି ଏବଂ ତାହା ବଢ଼ିବାର କୌଣସି ସୂଚନା ନାହିଁ । ଭଲ କୃଷି ଯୋଗୁଁ ଆଗକୁ ଖାଦ୍ୟପଦାର୍ଥର ଦାମ୍‌ ହ୍ରାସ ଏବଂ ମୁଦ୍ରାସ୍ଫୀତି ହାର କମିବାର ସମ୍ଭାବନା ରହିଛି । କିନ୍ତୁ ଡଲାର ତୁଳନାରେ ଟଙ୍କାର ମୂଲ୍ୟ ଲଗାତାର କମୁଥିବାରୁ ମୁଦ୍ରାସ୍ଫୀତି ହାର କମିବା ଅସମ୍ଭବ ମନେହୁଏ । ଏହା ସହିତ ଯୋଡ଼ି ହୋଇଛି ୨୦୨୪ର ସାଧାରଣ ନିର୍ବାଚନ ଖର୍ଚ୍ଚ । କହିବା ନିଷ୍ପ୍ରୟୋଜନ ଯେ, ନିର୍ବାଚନ ପରେ ଦରଦାମ୍‌ ବଢ଼େ । ତାହା ହିଁ ହୋଇଛି । 

ହିସାବ ଅନୁସାରେ ୨୦୨୪ ମସିହା ନିର୍ବାଚନରେ ୧୩୬୦୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଏ ନିର୍ବାଚନ ଖର୍ଚ୍ଚ ଦେଶ ଉପରେ କେବଳ ଏକ ବଡ଼ ଆର୍ଥିକ ବୋଝ ଲଦିବା ସହିତ ମୁଦ୍ରସ୍ପୀତି ହାର ବୃଦ୍ଧିରେ ସାହାଯ୍ୟ କରିଛି । ଗୋଟିଏ ଦେଶର ଅର୍ଥନୀତି ଉପରେ ତା'ର ବହିର୍ବାଣିଜ୍ୟର ପ୍ରଭାବ ପ୍ରମୁଖ ଭୂମିକା ଗ୍ରହଣ କରେ । ବହିର୍ବାଣିଜ୍ୟର ଦୁଇଟି ଉପାଦାନ- ରପ୍ତାନି ଓ ଆମଦାନୀ । ଯଦି ରପ୍ତାନି ଅଧିକ ହୋଇ ଆମଦାନୀ କମ୍‌ ହୁଏ ତାହା ଅର୍ଥନୀତିର ଅଭିବୃଦ୍ଧି ସାହାଯ୍ୟ କରିଥାଏ । ବର୍ଦ୍ଧିତ ରପ୍ତାନି ପାଇଁ ଦେଶର ଅଧିକ ଦ୍ରବ୍ୟ ଉତ୍ପାଦନ ହେବାଦ୍ୱାରା ଦେଶରେ ନିଯୁକ୍ତି ସୁଯୋଗ ସୃଷ୍ଟିହୁଏ, ଲୋକଙ୍କ ପାଖକୁ ମଜୁରି ଯାଏ, ଅଧିକ ଅର୍ଥ ହାତରେ ଆସିଲେ ଲୋକ ଅଧିକ ଖର୍ଚ୍ଚ କରନ୍ତି ଯାହା ଅଧିକ ଉତ୍ପାଦନକୁ ସାହାଯ୍ୟ କରେ । ଏହା ଗୋଟିଏ ଚକ୍ରୀୟ ପ୍ରକ୍ରିୟା । ଦେଶ ଠିକ୍‌ ଏହାର ବିପରୀତ ପ୍ରକ୍ରିୟା ଭିତର ଦେଇ ଯାଉଛି । ଏତଦ୍‌ ବ୍ୟତୀତ ବିଶ୍ୱ ଅର୍ଥନୀତିରେ ମାନ୍ଦାବସ୍ଥା, ଆମେରିକା ପରି ଉନ୍ନତ ବଡ଼ ଅର୍ଥନୀତିର ବିଭିନ୍ନ ଦେଶ ଉପରେ ଅର୍ଥନୈତିକ କଟକଣା, ଦକ୍ଷିଣ ଏସୀୟ ଦେଶମାନଙ୍କର ଅର୍ଥନୈତିକ ଅବଗତି, ରୁଷୟୁକ୍ରେନ୍‌ ଏବଂ ପଶ୍ଚିମ ଏସୀୟ ଦେଶମାନଙ୍କରେ ଯୁଦ୍ଧ ପରି ଭୂରାଜନୈତିକ ସଙ୍କଟ ଦ୍ୱାରା ଯୋଗାଣ ଶୃଙ୍ଖଳ ବ୍ୟାହତ, ଯାହା ଦରଦାମ ଉପରେ ପ୍ରଭାବ ପକାଇ ବୃଦ୍ଧି କରିଛି ଏବଂ ରପ୍ତାନି ଉପରେ ବିୟୋଗାତ୍ମକ ପ୍ରଭାବ ପଡିଛି । ତେଣୁ ଦେଶର ରପ୍ତାନି କମିଛି, ଆମଦାନୀ ବଢ଼ିଛି । ରପ୍ତାନି କମିଲେ ଉତ୍ପାଦନ କମିବ, ଅର୍ଥନୀତି ଅଗ୍ରଗତି ହେବାରେ ବାଧା ପହଞ୍ଚିବା ନିଶ୍ଚିତ। 

ନଭେମ୍ବର ମାସରେ ଭାରତର ବାଣିଜ୍ୟ ନିଅଣ୍ଟ (ରପ୍ତାନି ଅପେକ୍ଷା ଆମଦାନୀ ଅଧିକ) ରେକର୍ଡ ସ୍ତରରେ ପହଞ୍ଚିଛି, ୩୭.୮ ବିଲିଅନ ଡଲାର । ଏହି ନିଅଣ୍ଟ ଦ୍ରବ୍ୟ ଆମଦାନୀରେ ଦେଖାଦେଇଛି । ଭାରତର ଜିନିଷପତ୍ର ରପ୍ତାନି ଗତବର୍ଷର ଏହି ସମୟର ରପ୍ତାନି ତୁଳନାରେ ୪.୮% କମିଛି । ଅଧିକ ସୁନା ଆମଦାନୀ ଯୋଗୁଁ ଏହା ହୋଇଛି । ସୁନା ଆମଦାନୀରେ ୩୩୦% ବୃଦ୍ଧି ଘଟି ଏହା ୧୫ ବିଲିଅନ୍‌ ଡଲାର ହୋଇଛି । ଦିନକୁ ଦିନ ଭାରତୀୟ ଟଙ୍କାର ମୂଲ୍ୟ ଡଲାର ତୁଳନାରେ ଦ୍ରୁତଗତିରେ ହ୍ରାସ ହେଉଥିବାରୁ ସରକାର ସୁନାକୁ ଏକ ନିରାପଦ ସଞ୍ଚୟ ଭାବରେ ରଖୁଛନ୍ତି । ଯଦିଓ ଭାରତର ସେବାକ୍ଷେତ୍ରର ରପ୍ତାନି ଆମଦାନୀ ଅପେକ୍ଷା ଅଧିକ ଏବଂ ଏହା ୧୯.୮୪% ବଳକା ହୋଇଛି, ତଥାପି ବାଣିଜ୍ୟ ନିଅଣ୍ଟ ଅଧିକ ରହିଛି । ଦେଶର ଇନ୍ଧନ ତୈଳ, ବୈଦ୍ୟୁତିକ ଉପକରଣ ଏବଂ ଭାରୀଯନ୍ତ୍ର ଉପରେ ଭାରତର ନିର୍ଭରଶୀଳତା କମିବାର ନାହିଁ । ତେଣୁ ଭାରତର ବାଣିଜ୍ୟ ନିଅଣ୍ଟ ଆଗକୁ ରହିବ, ଯାହା ଦେଶର ଅର୍ଥନୀତିର ଅଭିବୃଦ୍ଧି ହାରକୁ ହ୍ରାସ କରିବ ଏବଂ ସ୍ଥିରୀକୃତ ଅଭିବୃଦ୍ଧି ହାର ହାସଲ କରିବାରେ ବାଧା ସୃଷ୍ଟି କରିବ ।

  • prameyanews
  • PrameyaOdia
  • prameya
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.