ଭୁବନେଶ୍ୱର ୨୩/୧୨(ସ୍ମୃତିରଞ୍ଜନ ବିଶ୍ୱାଳ, ଅନିଲକାନ୍ତ ଦାସ): ବରମୁଣ୍ଡାର କାଦୁଅ ପଚପଚ ଆଉ ଗନ୍ଧାଉଥିବା ବସ୍ଷ୍ଟାଣ୍ଡର ରୂପ ବଦଳିଗଲା । ଠିଆ ହେଲା ବିମାନବନ୍ଦର ଭଳି ଚକଚକିଆ ବସ୍ ଟର୍ମିନାଲ୍ । ସହର ପାଇଁ ସ୍ୱପ୍ନର ପ୍ରକଳ୍ପ ମେଟ୍ରୋର କାମ ଚାଲିଲା । ବିମାନବନ୍ଦରରୁ ତ୍ରିଶୁଳିଆ ଯାଏ ଚାଲିଲା ମାଟି ପରୀକ୍ଷା । କଂକ୍ରିଟ୍ ସହରରେ ଜଙ୍ଗଲର ମଜା ଦେବାକୁ ଖୋଲିଲା ଆନନ୍ଦବନ । ସହର ଉପକଣ୍ଠରେ ନିଉ ସିଟି ପାଇଁ ଭିତ୍ତି ପଡ଼ିଲା । ସହର ଚାରିପାଖରେ ରିଙ୍ଗ୍ ରୋଡ୍ ଘେରାଇ ଗ୍ରେଟର ଭୁବନେଶ୍ୱର ଗଢ଼ିବାକୁ ପରିକଳ୍ପନା ହେଲା। ରାଜଧାନୀ ସହିତ ଗୋଟିଏ ପରେ ଗୋଟିଏ ନୂଆ ମାଇଲଖୁଣ୍ଟ ଯୋଡ଼ି ହୋଇଗଲା । ସଫଳତାର ଖୁସିକୁ ଫିକା ପକାଇଲା ଖୋଳାତଡ଼ାର ଯନ୍ତ୍ରଣା । ମଶାଙ୍କ ଉପଦ୍ରବ ଆଉ ଡ୍ରେନ୍ରେ ପିଲା ଭାସି ପ୍ରାଣ ହରାଇବା ଘଟଣା ସହର ମୁଣ୍ଡରେ କଳଙ୍କ ବୋଳିଲା ।
୨୦୨୪ରେ ରାଜଧାନୀର ଭିତ୍ତିଭୂମି ଚେହେରା ନୂଆ ରୂପ ନେଲା । ଦୀର୍ଘ ଦିନର ସ୍ୱପ୍ନ ପୂରା ହେଲା । ରାଜଧାନୀରେ ଛିଡ଼ା ହେଲା ହାଇଫାଇ ବସ୍ ଟର୍ମିନାଲ । ବିମାନବନ୍ଦର ଭଳି ଝଲସିଲା । ଚକାଚକ୍ ଚେହେରା ସାଙ୍ଗକୁ ଅତ୍ୟାଧୁନିକ ସୁବିଧା ସୁଯୋଗ ଖଞ୍ଜି ଦିଆଗଲା । କାଦୁଅ ପଚପଚ ଚେହେରାରୁ ବିଶ୍ୱସ୍ତରୀୟ ବସ୍ ଟର୍ମିନାଲ ରୂପ ନେଲା ବରମୁଣ୍ଡା ବସ୍ଷ୍ଟାଣ୍ଡ । ମେଟ୍ରୋ ସହର ତାଲିକାରେ ଯୋଡ଼ି ହେବାକୁ ଆଗକୁ ପାଦ ବଢ଼ାଇଲା ଭୁବନେଶ୍ୱର ।
ମେଟ୍ରୋ ଟ୍ରେନ୍ ପାଇଁ ପ୍ରକ୍ରିୟା ଆଗେଇଲା । ପିଲାର ନିର୍ମାଣ କରିବାକୁ ଚାଲିଲା ମାଟି ପରୀକ୍ଷଣ । ସହର ଉପକଣ୍ଠରେ ନିଉ ସିଟି ତିଆରିର ଭିତ୍ତି ପଡ଼ିଲା । ଆରମ୍ଭ ହେଲା ପାଚେରି କାମ । ରାଜଧାନୀରେ ହ୍ୱାଇଟ୍ ଟପିଙ୍ଗ୍ ଟେକ୍ନୋଲୋଜିର ରାସ୍ତା ପାଇଁ ବାଟ ଫିଟିଲା । ସହରର କଂକ୍ରିଟ୍ ନିର୍ମାଣ ଓ ଗାଡ଼ିମୋଟର କେଁ କଟରରୁ ବାହାରି କିଛି ସମୟ ଶାନ୍ତିରେ ବିତାଇବାକୁ ଅବସର ଦେଲା ‘ଆନନ୍ଦବନ’ । ଓଏଫ୍ଡିସି ପକ୍ଷରୁ ଏହି ସହରୀ ଜଙ୍ଗଲ ତିଆରି ହୋଇ ଉଦ୍ଘାଟନ ହେଲା । ୮୯ ଏକର ଜାଗାରେ ଘଞ୍ଚ ଜଙ୍ଗଲ ଘେରା ସବୁଜିମା ସାଙ୍ଗକୁ କୃତ୍ରିମ ଝରଣା, ପାହାଡ଼, ଗ୍ଲାସ୍ ହାଉସ୍, କାଫେ, ଆମ୍ପିଥିଏଟର ସାଙ୍ଗକୁ ଶାନ୍ତ ବାତାବରଣ ମନରେ ପ୍ରଶାନ୍ତି ଭରି ଦେଇଥିଲା ।
ପୁଣି ସହରରେ ବ୍ୟାଡମିଣ୍ଟନ ଖେଳର ପ୍ରୋତ୍ସାହନ ପାଇଁ ବିଶ୍ୱସ୍ତରୀୟ ଭିତ୍ତିଭୂମି ସୁବିଧା ଥିବା ସଟଲ୍ ଉଦ୍ଘାଟନ ହେଲା । ବିଶ୍ୱ ଭାଷା ସମ୍ମିଳନୀ ପାଇଁ ସହର ନୂଆବୋହୂ ଭଳି ସଜେଇ ହେଲା । ଏକାମ୍ର ଉତ୍ସବରେ ଝୁମିଲେ ସହରବାସୀ । ବଲିଉଡ୍ର ନାମୀଦାମୀ କଳାକାରଙ୍କ ନାଚଗୀତରେ ସମସ୍ତେ ମତୁଆଲା ହେଲେ । ଫୁଡ୍ ଫେଷ୍ଟିଭାଲରେ ଦେଶୀ ଓ ବିଦେଶୀ ବ୍ୟଞ୍ଜନର ସୁଆଦ ଚାଖିବାକୁ ସମସ୍ତେ ଭିଡ଼ ଲଗାଇଥିଲେ । ବିଳମ୍ବିତ ରାତି ଯାଏ ନାଇଟ୍ ମାର୍କେଟ୍ରେ ବୁଲିବାର ମଜା ନେଇଥିଲେ । ପାର୍କରେ ଭୂଫେଷ୍ଟୋ କାହାଣୀ ଶୁଣିବାର ଅବସର ଦେଇଥିଲା ।
ହଁ, ଅତ୍ୟାଧୁନିକ ଭିତ୍ତିଭୂମି, ଭବିଷ୍ୟତର ପରିକଳ୍ପନା ଓ ଉତ୍ସବମୟ ମାହୋଲ୍ ରାଜଧାନୀ ପାଇଁ ଖୁସି ଆଣିଥିଲା । ହେଲେ ବର୍ଷ ତମାମ ଖୋଳାତଡ଼ା ଯନ୍ତ୍ରଣାରେ ଲୋକେ ରୁନ୍ଧି ହୋଇଥିଲେ । ଯେଉଁ ଅଞ୍ଚଳକୁ ଗଲେ ସ୍ୱେରେଜ୍, ଡ୍ରେନେଜ୍, ଭୂତଳ କେବଲିଂ, ଗ୍ୟାସ୍ ପାଇପଲାଇନ୍ ଓ ମେଟ୍ରୋ କାମ ପାଇଁ ଖୋଳାତଡ଼ା ହୋଇଥିଲା । ଲୋକେ ଘଣ୍ଟା ଘଣ୍ଟା ଧରି ଟ୍ରାଫିକ୍ରେ ଫସିଥିଲେ । ଜଳବନ୍ଦୀରୁ ତ୍ରାହି ମିଳିଲାନି । ଛୋଟ ପିଲାଟଏ ଡ୍ରେନ୍ରେ ଭାସିଲା, ଜୀବନ ଗଲା । କଲବଲ କଲା ମଶା । ଟିଟିଏସ୍ ପାଇଁ ପୁଣି ହୋହଲ୍ଲା ଚାଲିଲା ।
ସ୍ୱପ୍ନର ପ୍ରକଳ୍ପ ମେଟ୍ରୋ ପାଇଁ ନିଅଁ
ଚଳିତ ବର୍ଷ ବହୁ ପ୍ରତୀକ୍ଷିତ ମେଟ୍ରୋ ପ୍ରକଳ୍ପ ନିର୍ମାଣ କାମ ଆରମ୍ଭ ହୋଇଥିଲା । ଜାନୁଆରୀ ମାସରେ ବାରଙ୍ଗ ଠାରେ ଏହାର ଡିପୋ ନିର୍ମାଣ କାମର ଶୁଭାରମ୍ଭ ହେଲା । ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥିପାଇଁ ମହା ଆଡ଼ମ୍ବରରେ ଶୁଭ ଦେଇଥିଲେ । ନିର୍ବାଚନ ପରେ କାମ ସାମାନ୍ୟ ଧିମେଇଲା । ପରେ ପୁଣି କାମ ଆଗେଇ ଚାଲିଲା । ବିମାନବନ୍ଦରରୁ ତ୍ରିଶୁଳିଆ ଛକ ଯାଏ ପିଲାର୍ ଛିଡ଼ା କରିବାକୁ ମାଟି ପରୀକ୍ଷା ଚାଲିଲା । ବିମାନବନ୍ଦରରୁ ତ୍ରିଶୁଳିଆ ଭିତରେ ୨୦ଟି ମେଟ୍ରୋ ଷ୍ଟେସନ୍ ରହିବ । ୨୦୨୭ ଡିସେମ୍ବର ସୁଦ୍ଧା ମେଟ୍ରୋ ଚାଲିବ । ସମ୍ପୂର୍ଣ୍ଣ ଏଲିଭେଟେଡ୍ କରିଡରରେ ଏହା ଉପରେ ଉପରେ ଯିବ । ବିମାନବନ୍ଦରରୁ କ୍ୟାପିଟାଲ ହସ୍ପିଟାଲ ଛକ-ଶିଶୁ ଭବନ-ମାଷ୍ଟରକ୍ୟାଣ୍ଟିନ୍-ବାଣୀବିହାର-ଆଚାର୍ଯ୍ୟବିହାର-ଜୟଦେବ ବିହାର- କିଟ୍ ଛକ-ନନ୍ଦନକାନନ ଦେଇ ତ୍ରିଶୁଳିଆରେ ପହଞ୍ଚିବ ମେଟ୍ରୋ । ପ୍ରଥମ ପର୍ଯ୍ୟାୟ ମେଟ୍ରୋ ପ୍ରକଳ୍ପରେ ପ୍ରାୟ ୬୨୫୫ କୋଟି ଟଙ୍କା ଖର୍ଚ୍ଚ ପାଇଁ ଆକଳନ ହୋଇଛି ।
ନିଉ ସିଟି ପାଇଁ ମୂଳଦୁଆ
ଭୁବନେଶ୍ୱର ଉପକଣ୍ଠରେ ବିଡିଏ ପକ୍ଷରୁ ନୂଆ ସହର ପାଇଁ ମୂଳୁଦୁଆ ପଡ଼ିଲା । ଉପକଣ୍ଠକୁ ଲାଗି ୩ଟି ରାଜସ୍ୱ ଗ୍ରାମକୁ ନେଇ ଏହି ହାଇଟେକ୍ ସିଟି ନିର୍ମାଣ ହେବ । ମଳିପଡ଼ା, ଦାସପୁର ଓ ଗୋଠପାଟଣାରେ ପ୍ରାୟ ୮୨୧.୯୬୧ ଏକର ଜମି ଚିହ୍ନଟ ହେଲ । ପ୍ରସ୍ତାବିତ ସହର ପାଖ ୭ କିମି ଜମିରେ ପାଚେରି କାମ ଆରମ୍ଭ ହେଲା । ନିଉ ସିଟି ପାଇଁ ପ୍ରାୟ ୮ ହଜାର କୋଟି ଟଙ୍କା ଖର୍ଚ୍ଚ କରିବ ବିଡିଏ । ଏଥିପାଇଁ ଚକାଚକ୍ ନକ୍ସା ଅଙ୍କାଯାଇଛି । ଏଠାକୁ ମେଟ୍ରୋ ନେବାକୁ ଯୋଜନା ଅଛି ।
ବିମାନବନ୍ଦର ଭଳି ବସ୍ ଟର୍ମିନାଲ
ବରମୁଣ୍ଡା ବସ୍ଷ୍ଟାଣ୍ଡର ନବକଳେବର ହେଲା । ଏହା କେବଳ ବସ୍ଷ୍ଟାଣ୍ଡ ନୁହେଁ, ବିମାନବନ୍ଦରର ଭ୍ରମ ସୃଷ୍ଟି କଲା । ବସ୍ ଟର୍ମିନାଲକୁ ଫେବ୍ରୁଆରୀ ମାସରେ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ କରିଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବାବା ସାହେବ ଭୀମରାଓ ଆମ୍ବେଦକରଙ୍କ ନାମରେ ଏହି ବସ୍ଷ୍ଟାଣ୍ଡକୁ ନାମିତ କରାଗଲା । ବିଡିଏ ପକ୍ଷରୁ ୨୧୯ କୋଟି ଟଙ୍କା ଖର୍ଚ୍ଚରେ ତିଆରି ହୋଇଥିବା ଏହି ଆନ୍ତରାଜ୍ୟ ବସ୍ ଟର୍ମିନାଲରେ ଅତ୍ୟାଧୁନିକ ସୁବିଧାସୁଯୋଗ ଖଞ୍ଜାଯାଇଛି । ପ୍ରବେଶପଥରେ ବ୍ୟାଗେଜ୍ ସ୍କାନିଂ ବ୍ୟବସ୍ଥା ଅଛି । ବସ୍ ପାର୍କିଂ ପାଇଁ ବ୍ୟବସ୍ଥିତ ଓ ପ୍ରଶସ୍ତ ବସ୍ ବେ ରହିଛି । ମଡେଲ ଶୌଚାଳୟ ରଖାଯାଇଛି । ଆହାର କେନ୍ଦ୍ରକୁ ରେଷ୍ଟୁରାଣ୍ଟ ଭଳି ସଜାଯାଇଛି । ଏସି ବିଶ୍ରାମାଗାର, ବସ୍ ସଂଘ ଅଫିସ୍ ଏବଂ ଅନ୍ୟ ଆନୁସଙ୍ଗିକ ବ୍ୟବସ୍ଥା ରହିଛି ।
ଆନନ୍ଦବନର ମଜା
ସହରରେ ଜଙ୍ଗଲ ମଜା ଦେବାକୁ ଖୋଲିଥିଲା ଆନନ୍ଦବନ । ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦ୍ଘାଟନ କରିଥିଲେ । ଏଥିରେ ଘଞ୍ଚ ସବୁଜିମା ସାଙ୍ଗକୁ କୃତ୍ରିମ ଝରଣା, ପାହାଡ଼ ସାଙ୍ଗକୁ ଶାନ୍ତ ବାତାବରଣ ସମସ୍ତଙ୍କୁ ମତୁଆଲା କରିଥିଲା । ବ୍ୟସ୍ତବହୁଳ ଜୀବନ ଓ କୋଳାହଳ ଭିତରୁ ବାହାରି ଏଠାରେ କିଛି ସମୟ ବିତାଇବାକୁ ଅନେକ ବ୍ୟବସ୍ଥା ଖଞ୍ଜାଯାଇଛି । ପ୍ରାୟ ୮୯ ଏକର ଜାଗା ଉପରେ ଏହାକୁ ତିଆରି କରାଯାଇଛି । ସମୟ ବିତାଇବାର ଅବସର ଦେବା ସହିତ ସହରରେ ଜଙ୍ଗଲ ସୃଷ୍ଟି କରି ପ୍ରଦୂଷଣର ବଳୟକୁ କମାଇବାକୁ ଆନନ୍ଦବନ ପରିକଳ୍ପନା କରାଯାଇଥିଲା ।
ହିଟ୍ ଆଇଲାଣ୍ଡ
ରାଜଧାନୀରେ ରେକର୍ଡ ତାତି ଅନୁଭୂତ ହୋଇଥିଲା । ଅସମ୍ଭାଳ ତାତିରେ ସମସ୍ତେ ଛଟପଟ ହୋଇଥିଲେ । ତାତି ଏତେ ବଢ଼ିଥିଲା ଯେ ଏହା ଏସିଆର ଉତ୍ତପ୍ତ ସ୍ଥାନ ତାଲିକାରେ ରହିଥିଲା । ଖାଲି ଦିନରେ ନୁହେଁ, ରାତି ବି ତତଲା ହୋଇଥିଲା । ସହର ହିଟ୍ ଆଇଲାଣ୍ଡ ପାଲଟିବା ଯୋଗୁ ଏଭଳି ସ୍ଥିତି ଉପୁଜିଥିଲା । ଏପ୍ରିଲ ଶେଷ ଆଡ଼କୁ ଭୁବନେଶ୍ୱରର ତାତି ୪୫ ଡିଗ୍ରୀ ଛୁଇଁଥିଲା ।
ଉତ୍ସବମୟ
ବର୍ଷ ଆରମ୍ଭରୁ ଉତ୍ସବରେ ଝୁମିଥିଲେ ରାଜଧାନୀବାସୀ । କେଉଁଠି ଭାଷା ସାହିତ୍ୟର ମହାପର୍ବ ତ’ ଆଉ କେଉଁଠି ନାଚ, ଗୀତ ଓ ଖେଳ ସହିତ ଜବରଦସ୍ତ ଓ ନନଷ୍ଟପ୍ ମନୋରଞ୍ଜନରେ ପୂରା ସହର ଉଠିଥିଲା, ଆଉ ପଡ଼ିଥିଲା । ୩ ତାରିଖରୁ ଜନତା ମଇଦାନରେ ଆରମ୍ଭ ହୋଇଥିଲା ଭାଷା ଓ ସାହିତ୍ୟର ମହାଉତ୍ସବ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ । ରଙ୍ଗୀନ ଆଲୋକମାଳା ଓ ଫୁଲର ସମ୍ଭାରରେ ସଜାଇ ହେଲା ସହର । ଭାଷା ସମ୍ମିଳନୀକୁ ତାଳ ଦେଇ ୟୁନିଟ୍-୩ ପ୍ରଦର୍ଶନୀ ପଡ଼ିଆରେ ହୋଇଥିଲା ଏକାମ୍ର ଉତ୍ସବ । ଓଡ଼ିଆ ଭାଷା ପାଇଁ ହେଉଥିବା ଉତ୍ସବର ସାକ୍ଷୀ ହେବାକୁ ଡଟ୍ ଫେଷ୍ଟର ନାଁ ବଦଳାଇ ନୂଆ ନାଁ ରଖାଯାଇଥିଲା ।
ମାରାଥନ୍ ରାଲି, ରୋଡ୍ ସୋ
ନିର୍ବାଚନ ବର୍ଷ ଥିବାରୁ ରାଜଧାନୀରେ ମାରାଥନ୍ ରାଲି ଓ ରୋଡ୍ ସୋ’ ଦେଖିବାକୁ ମିଳିଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କଠାରୁ ନେଇ ଗୃହମନ୍ତ୍ରୀ ଅମିତ୍ ଶାହ, ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା, ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ତୁହାକୁ ତୁହା ସଭା ଓ ରୋଡ୍ ସୋ’ କରିଥିଲେ । ବିଜେପି ଅଫିସ୍ରୁ ବାଣୀବିହାର ଯାଏ ମୋଦିଙ୍କ ରୋଡ୍ ସୋ’ ସହରରେ ବେଶ୍ ଚର୍ଚ୍ଚିତ ହୋଇଥିଲା । ନିର୍ବାଚନରେ ବିଜେପି ସରକାର ଗଢ଼ିଥିଲା । ନୂଆ ସରକାରର ଶପଥଗ୍ରହଣ ସମାରୋହ ହେଉ କି ଡିଜିପି ସମ୍ମିଳନୀରେ ସାମିଲ ହେବା ଅବସରରେ ମୋଦି ଏକାଧିକ ବାର ଭୁବନେଶ୍ୱର ଆସି ରୋଡ୍ ସୋ’ କରିଥିଲେ ।
ପୁଣି ଭାସିଲା, ବୁଡ଼ିଲା
ସହରର ଚେହେଲା ବଦଳିଲା । ହେଲେ ଜଳବନ୍ଦୀରୁ ନିସ୍ତାର ମିଳିଲାନି । ଏ ବର୍ଷ ବି ସହର ପାଣିରେ ବୁଡ଼ିଲା । ଇସ୍କନ ପାଖରେ ମୋ ବସ୍ ବୁଡ଼ିଲା । ସଚିବାଳୟ ରାସ୍ତାରେ ପାଣି ଲହଡ଼ି ଖେଳିଲା । ବିଏମ୍ସି ପକ୍ଷରୁ ଡ୍ରେନ୍ ସଫେଇ ପାଇଁ ଟେଣ୍ଡର ଡକା ହେଲା । ହେଲେ ନିର୍ବାଚନ ପାଇଁ ଟେଣ୍ଡର ଖୋଲିଲା ନାହିଁ । ଫଳରେ ସଫେଇରେ ବିଳମ୍ବ ହେଲା । ଏହି ବିଳମ୍ବ ପାଇଁ ସହର ବୁଡ଼ିଲା । ନୂଆ ସରକାର ଆସିବା ପରେ ଜଳବନ୍ଦୀ ଏଡାଇବାକୁ ୧୦୦ କୋଟି ଘୋଷଣା ହେଲା । ହେଲେ ଏବେସୁଦ୍ଧା କାମ ଆଗେଇଲାନି ।
ବର୍ଷସାରା ଖୋଳାତଡ଼ା ଯନ୍ତ୍ରଣା
ଶେଷ ଯାଏ ଖୋଳାତଡ଼ା ଯନ୍ତ୍ରଣା ସହିଥିଲେ ରାଜଧାନୀବାସୀ । ବିଭାଗ ମଧ୍ୟରେ ସମନ୍ୱୟ ରହିଲାନି । ଗୋଟିଏ ରାସ୍ତାକୁ ୱାଟ୍କୋ ଖୋଳିଲେ ଆଉ ଗୋଟିଏ ରାସ୍ତାକୁ ଗ୍ୟାସ୍ ବିତରକ କମ୍ପାନୀ ଖୋଳିଥିଲା । ଟାଟା ପାୱାର, ଟେଲିକମ୍ କମ୍ପାନି ବି ବେଧଡ଼କ ଖୋଳିଲେ । ବିଏମ୍ସି ନ ଜାଣିଲା ଭଳି ଆଖିବୁଜା ଅନୁମୋଦନ ଦେଇ ବସିଗଲା । କର୍ପୋରେସନ ବୈଠକରେ ଏହି ପ୍ରସଙ୍ଗ ଉଠିଲା । ଖୋଳାତଡ଼ା ଉପରେ କଟକଣା ପାଇଁ ନିଷ୍ପତ୍ତି ହେଲା । କିନ୍ତୁ ଏହା କାଟୁ କଲାନି । ପୁଣି ଖୋଳାତଡ଼ା ଚାଲିଲା । ଲୋକେ ଯନ୍ତ୍ରଣା ଭୋଗିଲେ ।
ଡ୍ରେନ୍ରେ ଭାସି ଜୀବନ ଗଲା
ବିଏମ୍ସିର ଅବହେଳାରୁ ଏ ବର୍ଷ ପୁଣି ଏକ ନୀରିହ ଶିଶୁର ଜୀବନ ଗଲା । ୟୁନିଟ୍-୩ ମସଜିଦ୍ କଲୋନୀର ଡ୍ରେନ୍ ଭାସି ସପ୍ତମ ଶ୍ରେଣୀର ଜଣେ ଛାତ୍ରର ମୃତ୍ୟୁ ହୋଇଥିଲା । ଘଟଣାକୁ ନେଇ ରାଜନୀତି ତେଜିଥିଲା । ଘଟଣାସ୍ଥଳକୁ ନିଜେ ନଗର ଉନ୍ନୟନ ମନ୍ତ୍ରୀ ଯାଇଥିଲେ । ଜଣେ ଯନ୍ତ୍ରୀଙ୍କୁ ନିଲମ୍ବନ କରାଯାଇଥିଲା । ଗତ ୪ ବର୍ଷରେ ୫ରୁ ଅଧିକ ଲୋକେ ଡ୍ରେନ୍ରେ ଭାସି ଯାଇଛନ୍ତି । ହେଲେ ସବୁ ମୁକୁଳା ଡ୍ରେନ ଉପରେ କଭର ପଡ଼ି ପାରିଲାନାହିଁ ।
ବଦଳିଲେ କମିଶନର
ମେୟରଙ୍କ ଦରମା ୫୦ ହଜାର । କର୍ପୋରେଟରଙ୍କ ୧୦ ହଜାର । ବିଏମ୍ସି କର୍ପୋରେସନ ବୈଠକରେ ତରବରିଆ ଭାବେ ଏହି ନିଷ୍ପତ୍ତି ହେଲା । ବିଏମ୍ସିର ତତ୍କାଳୀନ କମିଶନର ବିଜୟ ଅମୃତ କୁଲାଙ୍ଗେ ଏହି ନିଷ୍ପତ୍ତିକୁ ଗଣମାଧ୍ୟମ ଆଗରେ ଘୋଷଣା କଲେ । ତାଙ୍କୁ ତତ୍କାଳ ତୃତୀୟ ମହଲାରୁ ଡାକରା ଆସିଲା । ରାତିକ ଭିତରେ ତାଙ୍କୁ କମିଶନର ପଦବିରୁ ହଟାଗଲା । ଏହାକୁ ନେଇ ବେଶ୍ ଚର୍ଚ୍ଚା ଚାଲିଲା । ସେ ମାସେ ଛୁଟିରେ ଗଲେ । ଛୁଟିରୁ ଫେରିବା ପରେ ନୂଆ ସରକାର ତାଙ୍କୁ ଓମ୍ଫେଡରେ ଅବସ୍ଥାପିତ କରିଥିଲେ ।
ଟିଟିଏସ୍ ପାଇଁ ହୋହଲ୍ଲା
ସୈନିକ ସ୍କୁଲ ପାଖ ଟିଟିଏସ୍କୁ ନେଇ ଆନ୍ଦୋଳନ ତେଜିଥିଲା । ସ୍ଥାନୀୟ ଲୋକେ ଏହାକୁ ହଟାଇବାକୁ ବିଏମ୍ସି ବିରୋଧରେ ସ୍ଲୋଗାନ୍ ଦେଲେ । ନିର୍ବାଚନ ପୂର୍ବରୁ ବିଜେପି ପ୍ରସଙ୍ଗକୁ ତେଜିଲା । ପ୍ରାୟ ମାସେ ଧରି ଏହି ପ୍ରସଙ୍ଗକୁ ନେଇ ଆନ୍ଦୋଳନ କଲା । ମୁଣ୍ଡ ଉପରେ ନିର୍ବାଚନକୁ ଥିବାରୁ ବିଏମ୍ସି ଅଳିଆ ପାହାଡ଼ ହଟାଇବାକୁ ଲାଗିଗଲା । ବିଏମସି ଅଫିସ୍ ଘେରି ଟିଟିଏସ୍କୁ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ବିଜେପି ଦାବି କଲା । ଅଳିଆ ଟେନସନ୍ ଦୂରେଇବାକୁ ବିଏମ୍ସି ରାଜଧାନୀରେ ବାୟୋ ମିଥେନ୍ ପ୍ଲାଣ୍ଟ ବସାଇବାକୁ ଅଏଲ ଇଣ୍ଡିଆ ସହ ଚୁକ୍ତି କଲା ।
କଲବଲ କଲା ମଶା
ନାକେଦମ୍ କଲା ମଶା । ଲୋକଙ୍କୁ ଗୋଡ଼ାଇ ଗୋଡ଼ାଇ କାମୁଡ଼ିଲା । ରାଜଧାନୀରେ ଡେଙ୍ଗୁ ରୋଗୀ ସଂଖ୍ୟା ୪ ହଜାର ଡେଇଁଲା । ଘରେ ଘରେ ଡେଙ୍ଗୁ ରୋଗୀ ଚିହ୍ନଟ ହେଲେ । ଡେଙ୍ଗୁରେ କେନ୍ଦ୍ରମନ୍ତ୍ରୀଙ୍କ ପତ୍ନୀଙ୍କ ଜୀବନ ଗଲା । ତଥାପି ବିଏମ୍ସି ଓ ସ୍ୱାସ୍ଥ୍ୟ ବିଭାଗ ଚେତିଲେନି । ଡେଙ୍ଗୁ ମଶାଙ୍କ ପାଦୁର୍ଭାବ ପରେ ବର୍ଷ ଶେଷକୁ ନ୍ୟୁଇସେନ୍ ମଶା କଲବଲ କଲା । ସହରରେ ମଶା ସାନ୍ଦ୍ରତା ୮୦ ପାର କରିଗଲା । ମଶା ଯୋଗୁ ବଦ୍ନାମ ହେଲା ବିଏମ୍ସି ।
ହ୍ୱାଇଟ୍ ଟପିଙ୍ଗ୍ ରୋଡ୍
ରାଜଧାନୀରେ ପ୍ରଥମଥର ପାଇଁ ହ୍ୱାଇଟ୍ ଟପିଙ୍ଗ୍ ରୋଡ୍ ହେବ । ପିଚୁ ରାସ୍ତା ବା ବିଟୁମିନସ୍କୁ ଖୋଳି ତା ଉପରେ ଉଚ୍ଚ ଶକ୍ତିସମ୍ପନ୍ନ ସିମେଣ୍ଟ କଂକ୍ରିଟ୍ ବିଛାଯିବ । ଏହି ଟେକ୍ନୋଲୋଜିରେ ରାସ୍ତା ତିଆରି ହେଲେ ୧୫ ବର୍ଷ ଯାଏ ରାସ୍ତାରେ ହାତ ବାଜିବନି । ନାଲ୍କୋ ଛକରୁ ଆଚାର୍ଯ୍ୟବିହାର ରାସ୍ତାରେ ପ୍ରାୟ ୧କିମି ରାସ୍ତା ପରୀକ୍ଷାମୂଳକ ଭାବେ କଂକ୍ରିଟ୍ ହେବ । ପରୀକ୍ଷଣ ସଫଳ ହେଲେ ରାଜଧାନୀ ସମେତ ରାଜ୍ୟର ସବୁ ସହରର ମୁଖ୍ୟ ରାସ୍ତା ଓ ଭିତର ରାସ୍ତାକୁ ହ୍ୱାଇଟ୍ ଟପିଙ୍ଗ୍ ଟେକ୍ନୋଲୋଜି ଜରିଆରେ କଂକ୍ରିଟ୍ ରୂପ ଦିଆଯିବ ।