ଭୁବନେଶ୍ଵର, ୨୩/୧୨ : ୩ ଦିନ ମଧ୍ୟରେ ଆସିବ ଅଦିନିଆ ବର୍ଷାରେ ଚାଷୀଙ୍କ କ୍ଷୟକ୍ଷତି ରିପୋର୍ଟ। ୫ ଦିନରେ ମିଳିବ କ୍ଷତିପୂରଣ। ଏନେଇ ସୂଚନା ଦେଲେ ରାଜସ୍ଵ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ। ସେ କହିଛନ୍ତି ଯେ, ଅଦିନିଆ ବର୍ଷାରେ ଚାଷୀ କ୍ଷତି ସହିଛନ୍ତି। ତାର ଆକଳନ ଚାଲିଛି। ଗଞ୍ଜାମ ଜିଲ୍ଲାରେ ଅଧିକ କ୍ଷତି ହୋଇଛି। ଯେଉଁ ଜିଲ୍ଲାରେ ଅଧିକ କ୍ଷତି ହେଇଛି ସେହି ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଆକଳନ ପାଇଁ ନିର୍ଦ୍ଦେଶ ଦିଆଯାଇଛି।
ରାଜସ୍ଵ ମନ୍ତ୍ରୀ କହିଛନ୍ତି ଯେ, ବିଭାଗୀୟ ଅଧିକାରୀମାନେ କାମରେ ଲାଗିଛନ୍ତି। ଯେଉଁ ଜିଲ୍ଲାରେ ବର୍ଷା ହୋଇନାହିଁ ରାଜସ୍ଵ ଅଧିକାରୀମାନେ ସେଠାରୁ ଆସି କ୍ଷତିଗ୍ରସ୍ତ ଜିଲ୍ଲାରେ କାମ କରି ଆକଲନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ୩ ଦିନ ଭିତରେ କ୍ଷୟକ୍ଷତିର ରିପୋର୍ଟ ଆସିବ। ଯେଉଁମାନଙ୍କର ଧାନ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି ତାର କ୍ଷତିପୂରଣ ରିପୋର୍ଟ ଆସିବା ମାତ୍ରେ ସହାୟତା ରାଶି ପହଞ୍ଚିବ। ଯେଉଁମାନଙ୍କର ଅଳ୍ପ ନଷ୍ଟ ହୋଇଛି ଜିଲ୍ଲା ପ୍ରଶାସନ ତାଙ୍କ ପ୍ରତି କୋହଳ ମନୋଭାବ ରଖି ତାହା କିଭଳି ବିକ୍ରି ହୋଇପାରିବ ସେଥିପ୍ରତି ଧ୍ୟାନ ଦେବାକୁ ରାଜ୍ୟ ସରକାର କହିଛନ୍ତି। ଚାଷୀମାନେ ଆଦୌ ବ୍ୟସ୍ତ ହୁଅନ୍ତୁ ନାହିଁ। ସରକାର ଉଚିତ୍ ପଦକ୍ଷେପ ନେବେ। ସରକାର ଚାଷୀମାନଙ୍କ ଇନ୍ସୁରାନ୍ସ ପାଇଁ ଆଇନ ଅନୁଯାୟୀ ଓକିଲାତି କରିବେ।