ଭୁବନେଶ୍ବର,୨୩।୧୨: ୨୦୨୪ ସାଧାରଣ ନିର୍ବାଚନରେ ଅନିୟମିତତା ଅଭିଯୋଗ। ନିର୍ବାଚନର ୬ ମାସ ପରେ ଏଭଳି ଅଭିଯୋଗ କରିଛି ବିଜେଡି। ଏନେଇ ନିର୍ବାଚନ କମିଶନ୍ଙ୍କ ନିକଟରେ ଫେରାଦ ଦେଇଛନ୍ତି ଏକ ପ୍ରତିନିଧି ଦଳ। କେବଳ ଇଭିଏମ୍ରେ ନୁହେଁ ନିର୍ବାଚନ ପକ୍ରିୟାରେ ଗଡବଡ ହୋଇଥିବାର କରିଛି ଅଭିଯୋଗ। ସୋମବାର ଦିଲ୍ଲୀରେ ଏକ ପ୍ରେସମିଟ୍ କରିଛି ବିଜେଡି। ଏହି ପ୍ରେସମିଟ୍ରେ ଯୋଗଦେଇଥିଲେ ବିଜେଡିର ୭ ରାଜ୍ୟସଭା ସାଂସଦଙ୍କ ସମେତ ପୂର୍ବତନ ସାଂସଦ ଅମର ପଟ୍ଟନାୟକ। ସେଭଳି ବିଜେଡିର ଏଭଳି ଅଭିଯୋଗର ଜବାବ୍ ରଖି ବିଜେପି କହିଛି ନିର୍ବାଚନରେ ହାରିବା ପରେ ଏଭଳି ଅମୁଳଅ ଅଭିଯୋଗ ଆଣିଛି ବିଜେଡି।
ବିଜେଡି ଅଭିଯୋଗ କରିଛି ଇଭିଏମ୍ରେ ଯେତିକି ଭୋଟ୍ ପଡିଛି ଗଣତି ବେଳେ ତା’ର ତାରତମ୍ୟ ରହୁନି। ଫୁଲବାଣୀ ବୁଥ ନମ୍ବର ୫୭ର ଉଦାହରଣ ଦେଇଛି ବିଜେଡି। ଦଳ କହିଛି ଏହି ବୁଥ୍ରେ ଯେତିକି ଭୋଟ୍ ପଡିଛି ଗଣତି ବେଳେ ସେଥିରେ ୬୮୨ ଖଣ୍ଡ ଭୋଟ ଅଧିକ ଦର୍ଶାଉଛି। ବିଜେଡିର ଦ୍ବିତୀୟ ଅଭିଯୋଗ ହେଲା ପ୍ରତି ଲୋକସଭା ଆସନରେ ଇଭିଏମ୍ରେ ମୋଟ ଯେତିକି ଭୋଟ୍ ପଡିଛି ସେହି ଲୋକସଭା ଅଧିନରେ ଥିବା ୭ ବିଧାନସଭା ମୋଟ୍ ଭୋଟ୍ ସହ ତାହା ମେଳ ଖାଉନି। ତୃତୀୟ ଅଭିଯୋଗରେ ବିଜେଡି କହିଛି, ଯେଉଁ ଦିନ ଭୋଟ୍ ଗ୍ରଅହଣ ହେଲା ସେ ଦିନ ନିର୍ବାଚନ କମିଶନ୍ ଯେତିକି ଭୋଟ୍ ପ୍ରତିଶଥ ହୋଇଛି ବୋଲି ଘୋଷଣା କଲେ ତା’ର ଦୁଇ ଦିନ ପରେ ଚୂଡାନ୍ତ ଭୋଟ୍ ପ୍ରତିଶତ ଘୋଷଣା ଭିତରେ ବହୁ ଫରକ୍ ରହିଥିଲା। ଏସବୁ ପ୍ରସଙ୍ଗରେ ନିର୍ବାଚନ କମିଶନଙ୍କଠାରୁ ସ୍ପଷ୍ଟୀକରଣ ମାଗିଛି ବିଜେଡି।
ଯେହେତୁ ନିର୍ବାଚନ କମିଶନ୍ ଏକ ସ୍ବତନ୍ତ୍ର ସଂସ୍ଥା ଓ ଏହା ମୁକ୍ତ ଅବାଧ ନିର୍ବାଚନ ପରିଚାଳନା ପାଇଁ ଜଣାଯାଏ। ସେଥିପାଇଁ ନିର୍ବାଚନ ପକ୍ରିୟାରେ ଏସବୁ ତାରତମ୍ୟ ଉପରେ ଦଳ ପକ୍ଷରୁ ଜବାବ ମଗାଯାଇଛି ବୋଲି ବିଜେଡି କହିଛି। ଏସବୁ ତଥ୍ୟ ନିର୍ବାଚନ କମିଶନ୍ଙ୍କ ଓ୍ବେବସାଇଟ୍, ମୁଖ୍ୟ ନିର୍ବାଚନ କମିଶନ୍ଙ୍କ ତଥ୍ୟ ଓ ଦଳର ନିର୍ବାଚନ ଲଢୁଥିବା ପ୍ରାର୍ଥୀଙ୍କ ତଥ୍ୟ ଆଧାରରେ ସଂଗୃହୀତ ହୋଇଛି ବୋଲି ଦଳ କହିଛି। ଏଥିସହ ଆଉ କିଛି ତଥ୍ୟ ଦଳ ପକ୍ଷରୁ ମଗାଯାଇଥିଲେ ମଧ୍ୟ ମୁଖ୍ୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଏହା ଯୋଗାଇ ଦିଆଯାଉନାହିଁ। ଏହାର ତଥ୍ୟ ଦେବାକୁ ନିର୍ବାଚନ କମିଶନ୍ର ନିର୍ଦେଶ ଦିଅନ୍ତୁ ବୋଲି ଦାବି କରିଛି ବିଜେଡି।
ସେପେଟ ବିଜେପିର ଅଭିଯୋଗକୁ ଖଣ୍ଡନ କରିଛି ବିଜେପି। ପ୍ରେସମିଟ୍ରେ ବିଜେପି ପକ୍ଷରୁ ବଳଭଦ୍ର ମାଝି କହିଛନ୍ତି ବିଜେଡିକୁ ହାରିବା ହଜମ ହେଉନି। ନୀତି ନିୟମ ଅନୁସାରେ ନିର୍ବାଚନ ହୋଇଛି। ବିଜେଡି ଉପସ୍ଥିତିରେ ନିର୍ବାଚନ ହୋଇଛି। ନିର୍ବାଚନର ୬ ମାସ ପରେ ବିଜେଡିର ଏଭଳି ପ୍ରଳାପ କାହିଁକି ? ସେମାନେ ନିଜେ ଆତ୍ମ ସମୀକ୍ଷା କରିବା ଦରକାର କେଉଁଥିପାଇଁ ହାରିଲେ ? ଦିଲ୍ଲୀ ଯାଇକି ନିର୍ବାଚନ କମିଶନ୍ଙ୍କ ପାଖରେ ହାଜର ହୋଇ ଏଭଳି ବୃଥା ଚେଷ୍ଟା ନକରନ୍ତୁ। ଉଲ୍ଲେଖନୀୟ ଯେ, ୨୦୨୪ ନିର୍ବାଚନ ପରେ ଇଭିଏମ୍ ଗଡବଡି ନେଇ କଂଗ୍ରେସ ସହ ଅନେକ ଦଳ ପ୍ରଶ୍ନ ଉଠାଇଛନ୍ତି। ଏବେ ବିଜେଡି ଏଥିରେ ସାମିଲ ହୋଇଛି। ତେବେ ପୂର୍ବରୁ ନିର୍ବାଚନ କମିଶନ୍ ଓ ସୁପ୍ରିମକୋର୍ଟ ଏଭଳି ଅଭିଯୋଗକୁ ଖଣ୍ଡନ କରିସାରିଛନ୍ତି।