ନୂଆଦିଲ୍ଲୀ: ଭାରତ ପାଇଁ ଖୁସି ଖବର। ଫୁଣି ଜଣେ ଭାରତୀୟଙ୍କୁ ଉଚ୍ଚ ପଦରେ ନିଯୁକ୍ତ କଲେ ଡୋନାଲ୍ଡ ଟ୍ରମ୍ପ। ଭାରତୀୟ-ଆମେରିକୀୟ ଉଦ୍ୟୋଗି, ପୁଞ୍ଜିପତି ତଥା ଲେଖକ ଶ୍ରୀରାମ କୃଷ୍ଣନ୍ ଙ୍କୁ ଡୋନାଲ୍ଡ ଟ୍ରମ୍ପ କୁତ୍ରିମ ବୁଦ୍ଧିମତା(ଏଆଇ) ଉପରେ ହ୍ୱାଇଟ ହାଉସର ବରିଷ୍ଠ ନୀତି ପରାମର୍ଶ ଦାତା ଭାବେ ନିଯୁକ୍ତି ଦେଇଛନ୍ତି।
ଅନ୍ୟମାନଙ୍କ ସହ ନିଯୁକ୍ତି ଘୋଷଣା କରିବା ସମୟରେ ଟ୍ରମ୍ପ ଶ୍ରୀରାମ କ୍ରିଶନନ୍ ଙ୍କ ନାମ ମଧ୍ୟ ଘୋଷଣା କରିଥିଲେ। ଶ୍ରୀରାମ କୃଷ୍ଣନ୍ କୃତ୍ରିମ ବୁଦ୍ଧିମତା ଉପରେ ହ୍ୱାଇଟ ହାଉସର ବରିଷ୍ଠ ନୀତି ପରାମର୍ଶ ଦାତା ଭାବେ କାମ କରିବେ। ଏଆଇ କ୍ଷେତ୍ରରେ ଆମେରିକାର ନେତୃତ୍ୱ ବଜାୟ ରଖିବାକୁ ଶ୍ରୀରାମ ଡେଭିଡ ସାକ୍ସଙ୍କ ସହ ମିଳିତ ଭାବେ କାମ କରିବେ ବୋଲି ଟ୍ରମ୍ପ ସୂଚନା ଦେଇଛନ୍ତି।
ପ୍ରମୁଖ ଭାବେ ସେ ସରକାରୀ ଏଜେନ୍ସିଗୁଡିକର ଏଆଇ ନୀତି ଗଠନ ଓ ସମନ୍ୱୟ ରକ୍ଷା କରିବା ଦିଗରେ କାର୍ଯ୍ୟକରିବେ। ତେବେ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ଉପରେ ରାଷ୍ଟ୍ରପତିଙ୍କ ପରାମର୍ଶଦାତା ପରିଷଦ ସହିତ କାର୍ଯ୍ୟ କରିବେ ଶ୍ରୀରାମ କୃଷ୍ଣନ୍। ସେ ପ୍ରଥମେ ମାଇକ୍ରୋସଫ୍ଟ ପାଇଁ କାର୍ଯ୍ୟ କରୁଥିଲେ। ମାଇକ୍ରୋସଫ୍ଟର ୱିଣ୍ଡୋଜ ଆଜ୍ୟୁରେକୁ ତିଆରି କରିବାରେ ସେ ପ୍ରମୁଖ ଭୁମିକା ଗ୍ରହଣ କରିଥିଲେ।
ଶ୍ରୀରାମ କୃଷ୍ଣନ୍ କିଏ...?
ତାମିଲନାଡୁର ଏସଆରଏମ ଭାଲ୍ଲିଆମ୍ମାଇ ଇଂଜିନିୟରିଂ କଲେଜରୁ ପାଠ ପଢା ଶେଷ କରିଥିଲେ ଶ୍ରୀରାମ କୃଷ୍ଣନ୍। ପଢା ଶେଷ ହେବା ପରେ ସେ ମାଇକ୍ରୋସଫ୍ଟରେ ଯୋଗ ଦେଇଥିଲେ। ସେ ମାଇକ୍ରୋସଫ୍ଟର ଏପିଆଇ ଓ ୱିଣ୍ଡୋଜ ଆଜ୍ୟୁରେର ଡେଭଲପିଂ ପାଇଁ କାମ କରୁଥିଲେ। ପରେ ସେ ୱିଣ୍ଡୋଜ ଆଜ୍ୟୁରେ ପାଇଁ ପ୍ରୋଗ୍ରାମିଂ ମଧ୍ୟ କରିଥିଲେ।
୨୦୧୩ ମସିହାରେ ଶ୍ରୀରାମ କୃଷ୍ଣନ୍ ଫେସବୁକରେ ଯୋଗ ଦେଇଥିଲେ। ପରେ ସେ ନିଜର ଏକ ମୋବାଇଲ ବିଜ୍ଞାପନ ଆପ ମଧ୍ୟ ବନେଇଥିଲେ। ସେ ସ୍ନାପଚାଟ ଓ ଟୁଇଟରରେ ୨୦୧୯ ଯାଏ କାମ କରିଥିଲେ। ମସ୍କ ଟୁଇଟରକୁ ଅଧିଗ୍ରହଣ କରିବା ପରେ ଏହାର ପ୍ଲାଟଫର୍ମକୁ ବିକାଶ କରିବାରେ ମଧ୍ୟ ସେ ସହଯୋଗ କରିଥିଲେ।
୨୦୨୧ ସୁଦ୍ଧା, କୃଷ୍ଣନ୍ ଆଣ୍ଡ୍ରେସେନ୍ ହୋରୋଭିଜ୍(ଏ୧୬ଜେଡ଼)ର ଜଣେ ସାଧାରଣ ଅଂଶୀଦାର ହୋଇଥିଲେ। ୨୦୨୩ ମସିହାରେ ସେ ଲଣ୍ଡନରେ ନିଜ ଫାର୍ମର ପ୍ରଥମ ଆନ୍ତର୍ଜାତୀୟ କାର୍ଯ୍ୟାଳୟ ଖୋଲିଥିଲେ। ସେ ଭାରତୀୟ ଫିନଟେକ କମ୍ପାନି କ୍ରେଡ଼ରେ ପରାମର୍ଶଦାତା ଭାବେ ମଦ୍ୟ କାମ କରୁଛନ୍ତି। ପତ୍ନୀ ଆରତି ରାମମୂର୍ତ୍ତୀ କରୁଥିବା ପୋଡକାଷ୍ଟ ଶୋ ଆରତୀ ଆଣ୍ଡ ଶ୍ରୀରାମ ସୋ ରେ କୃଷ୍ଣନ୍ କୋ-ହୋଷ୍ଟି ମଧ୍ୟ କରିଥାନ୍ତି।