ନୂଆଦିଲ୍ଲୀ: ବାଂଲାଦେଶରେ ମହମ୍ମଦ ୟୁନୁସଙ୍କ ନେତୃତ୍ବଧୀନ ଅନ୍ତରୀଣ ସରକାର ଭାରତ ସରକାରଙ୍କୁ ଏକ ଚିଠି ଲେଖିଛନ୍ତି । ଏହି ଚିଠିରେ ବାଂଲାଦେଶର ଅପଦସ୍ତ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ପ୍ରତ୍ୟର୍ପଣ କରିବାକୁ ଦାବି କରିଛି। ବାଂଲାଦେଶର ଅନ୍ତରୀଣ ସରକାରରେ ଶେଖ ହସିନାଙ୍କ ବିରୋଧରେ ଅନେକ ମାମଲା ରୁଜୁ ହୋଇଛି । ସୂଚନାଥାଉକି ଅଗଷ୍ଟ ଶେଷରେ ବାଂଲାଦେଶରେ ହୋଇଥିବା ହିଂସା ପରେ ଶେଖ ହସିନା ଭାରତ ଚାଲି ଆସିଥିଲେ। ତେବେ ସେ ବାଂଲାଦେଶର ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ନା ନାହିଁ ତାହା ଏପର୍ଯ୍ୟନ୍ତ ନିଶ୍ଚିତ ହୋଇନାହିଁ।
ବାଂଲାଦେଶର ଅନ୍ତରୀଣ ସରକାର ଆଜି (ସୋମବାର) ସୂଚନା ଦେଇଛନ୍ତି ଯେ, ଶେଖ ହସିନାଙ୍କୁ ଢାକାକୁ ପଠାଇବା ପାଇଁ ଏହା ଭାରତ ନିକଟକୁ ଏକ କୂଟନୈତିକ ବାର୍ତ୍ତା ପଠାଇଛି । ବାଂଲାଦେଶର ଅନ୍ତରୀଣ ସରକାରରେ ବୈଦେଶିକ ମନ୍ତ୍ରୀ ତାହିଦ୍ ହୁସେନ୍ କହିଛନ୍ତି ଯେ, ଆମେ ଭାରତ ସରକାରଙ୍କୁ କୂଟନୈତିକ ବାର୍ତ୍ତା ପଠାଇଛୁ, ଯେଉଁଥିରେ କୁହାଯାଇଛି ଯେ ତାଙ୍କୁ (ହସିନା) ବାଂଲାଦେଶର ନ୍ୟାୟିକ ପ୍ରକ୍ରିୟା ପାଇଁ ଢାକାକୁ ପଠାଯିବା ଉଚିତ।
ଏହା ପୂର୍ବରୁ ବାଂଲାଦେଶ ଗୃହ ମନ୍ତ୍ରଣାଳୟର ପରାମର୍ଶଦାତା ଜାହାଙ୍ଗୀର ଆଲାମ ମଧ୍ୟ ସୂଚନା ଦେଇଛନ୍ତି ଯେ, ତାଙ୍କ କାର୍ଯ୍ୟାଳୟ ପଳାତକ ପ୍ରଧାନମନ୍ତ୍ରୀ ହସିନାଙ୍କ ପ୍ରତ୍ୟର୍ପଣ ପାଇଁ ବୈଦେଶିକ ମନ୍ତ୍ରଣାଳୟକୁ ଏକ ଚିଠି ପଠାଇଛି । ଏହାର ପ୍ରକ୍ରିୟା ଚାଲିଛି । ଗୃହ ମନ୍ତ୍ରଣାଳୟର ପରାମର୍ଶଦାତା ଜାହାଙ୍ଗୀର ଆଲାମ ଦାବି କରିଛନ୍ତି ଯେ ଢାକା ଏବଂ ନୂଆଦିଲ୍ଲୀ ମଧ୍ୟରେ ଏକ ପ୍ରତ୍ୟର୍ପଣ ଚୁକ୍ତି ପୂର୍ବରୁ ରହିଛି। ଏହି ଚୁକ୍ତିନାମା ଅନୁଯାୟୀ ଶେଖ ହସିନାଙ୍କୁ ବାଂଲାଦେଶକୁ ଫେରାଇ ନିଆଯାଇ ପାରିବ।