ନୂଆଦିଲ୍ଲୀ, ୨୩।୧୨: ଆଜିକାଲି ପିଲାମାନେ ପୁଷ୍ଟିକର ଖାଦ୍ୟ ଅପେକ୍ଷା କୁରକୁରେ ଏବଂ ଚିପ୍ସ ଆଦି ଖାଇବାକୁ ଅଧିକ ପସନ୍ଦ କରୁଛନ୍ତି । କିନ୍ତୁ, ଏହିସବୁ ଚଟପଟା ଖାଦ୍ୟ ପିଲାମାନଙ୍କ ପାଇଁ କେତେ ମାତ୍ରାରେ ବିପଦ ଆଣିପାରେ ତାହା କେବେ ଭାବିଛନ୍ତି କି ? ବଜାରରେ ବନ୍ଦ ହେବ ନାମୀଦାମୀ କମ୍ପାନୀର ଆଳୁଚିପ୍ସ । ଲେଜ୍ ବିକ୍ରି ଉପରେ ଲାଗିଲା ରୋକ୍ । ଲେଜ୍ ପଟାଟୋ ଚିପ୍ସରୁ ମିଳିଲା ମାରାତ୍ମକ ଇନଗ୍ରିଡିଏଣ୍ଟ । ଜୀବନ ପ୍ରତି ବିପଦ ଆଣିପାରେ ଚିପ୍ସରେ ମିଶିଥିବା ମିଲ୍କ ଆଲର୍ଜେନ୍ । କମ୍ପାନୀ ଉପରେ FDAର କଡ଼ା କାର୍ଯ୍ୟାନୁଷ୍ଠାନ । ଆମେରିକାର ଖାଦ୍ୟ ଏବଂ ଔଷଧୀ ପ୍ରଶାସନ(FDA) ତରଫରୁ ଫ୍ରିଟୋ-ଲେ କମ୍ପାନୀ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଏହି ଚିପ୍ସରେ ଏପରି ଆଲର୍ଜେନ୍ ମିଳିଛି ଯାହା ପ୍ୟାକେଜିଂରେ ଲେଖାଯାଇନାହିଁ । ରିପୋର୍ଟ ଅନୁଯାୟୀ, ମିଲ୍କ ଆଲର୍ଜେନ୍ ଦ୍ୱାରା ଏହି ଉତ୍ପାଦ ପ୍ରଭାବିତ ହୋଇପାରେ ବୋଲି ଗ୍ରାହକ ଜଣାଇଥିଲେ । କ୍ଷୀରରୁ ଯେଉଁମାନଙ୍କ ଆଲର୍ଜି ରହିଛି, ସେମାନେ ଏହି ଉତ୍ପାଦ ଖାଇବା ଦ୍ୱାରା ଗମ୍ଭୀର ଶାରୀରିକ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି ।
ଡିସେମ୍ବର ୧୬ ରେ, ଫ୍ରିଟୋ-ଲେ ଓରେଗନ୍ ଏବଂ ୱାଶିଂଟନରେ ବିକ୍ରି ହୋଇଥିବା ‘କ୍ଲାସିକ୍ ପଟାଟୋ ଚିପ୍ସ’ ଫେରାଇ ଆଣିବାକୁ ଘୋଷଣା କରିଥିଲେ । FDA ଅନୁଯାୟୀ, ଉତ୍ପାଦନରେ ନିରନ୍ତର ନିରାପତ୍ତା ମାନ ବଜାୟ ରଖିବା ସବୁବେଳେ ଚ୍ୟାଲେଞ୍ଜିଂ ହୋଇଥାଏ । ଏଭଳି ଘଟଣା ପ୍ରତି କମ୍ପାନୀ ଧ୍ୟାନ ରଖିବା ଉଚିତ୍ । ମାୟୋ କ୍ଲିନିକ୍ ଅନୁଯାୟୀ, ଗାଈ କ୍ଷୀରରେ କିଛି ଲୋକଙ୍କର ଆଲର୍ଜି ଥାଏ । କିଛି ଲୋକଙ୍କର ମେଣ୍ଢା, ଛେଳି ଏବଂ ଅନ୍ୟ ପ୍ରାଣୀମାନଙ୍କର କ୍ଷୀରରେ ଆଲର୍ଜି ମଧ୍ୟ ହୋଇପାରେ । ମିଲ୍କ ଆଲର୍ଜିର ଲକ୍ଷଣ ସାମାନ୍ୟରୁ ଗମ୍ଭୀର ପର୍ଯ୍ୟନ୍ତ ହୋଇପାରେ, ଯେପରିକି ଶ୍ୱାସ ନେବାରେ ଅସୁବିଧା, ବାନ୍ତି, ଯନ୍ତ୍ରଣା ଏବଂ ହଜମ ଜନିତ ସମସ୍ୟା ।