ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶ ପୋଲିସକୁ ମିଳିଲା ବଡ ସଫଳତା। ଗତ ସପ୍ତାହରେ ୱେଷ୍ଟ ଗୋଦାବରୀ ଜିଲ୍ଲାର ଜଣେ ମହିଳାଙ୍କୁ ପାର୍ସଲରେ ମୃତଦେହ ମିଳିଥିଲା। ଏହି ଘଟଣାରେ ସମୃକ୍ତ ମୃତଦେହକୁ ଚିହ୍ନଟ କରିଛି ପୋଲିସ। ଉକ୍ତ ମୃତ ଦେହଟି କଲା ମଣ୍ଡଳ ଅଞ୍ଚଳର ବି ପାର୍ଲାୟାଙ୍କର ବୋଲି ଆଧିକାରିକ ସ୍ତରରେ ଘୋଷଣା କରିଛି ଆନ୍ଧ୍ର ପୋଲିସ।
ଖବର ମୁତାବକ, ଡିସେମ୍ବର ୧୯ ତାରିଖ ଦିନ ଶାଗି ତୁଳସୀ ନାମକ ଜଣେ ମହିଳା କ୍ଷତ୍ରୀୟ ସେବା ସମିତି ଦ୍ୱାରା ତାଙ୍କ ନିର୍ମାଣଧୀନ ଘର ପାଇଁ ପଠାଯାଇଥିବା ପାର୍ସଲକୁ ଅପେକ୍ଷା କରିଥିଲେ। ଏହି ସମୟରେ ପାର୍ଶଲ ତାଙ୍କ ଘରେ ପହଞ୍ଚିଥିଲା। ସେ ପାର୍ଶଲ ଖୋଲିବା ପରେ ପାର୍ଶଲରେ ଜଣେ ୪୫ ବର୍ଷ ଯୁବକଙ୍କ ଗଳିତ ଶବ ସହ 1 କୋଟି ଟଙ୍କା ଦେବାପାଇଁ ଏକ ଧମକପୂର୍ଣ୍ଣ ଚିଠି ରହିଥିଲା। ଏଥିରେ ତୁଳସୀ ସମ୍ପୂର୍ଣ୍ଣ ଡରିଯାଇ ପୋଲିସକୁ ଫୋନ କରିଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହ ମାମଲାର ତଦନ୍ତ ଆରମ୍ଭ କରିଥିଲା।
ପାର୍ଶଲରେ ଥିବା ଗଳିତ ମୃତଦେହ ବି ପାର୍ଲାୟାଙ୍କର ବୋଲି ପୋଲିସ ଘୋଷଣା କରିଛି। ପାର୍ଲାୟା ପ୍ରତିଦିନ ନିଶା ସେବନ କରିବା ସହ ନିଜ ପତ୍ନୀଙ୍କଠୁ ୧୫ ବର୍ଷ ହେବ ଅଲଗା ରହୁଥିଲେ। ସେ ଭିକାରି ଭଳି ଜୀବନ ଅତିବାହିତ କରୁଥିବା ବେଳେ ରାସ୍ତାକଡ କିମ୍ବା ମନ୍ଦିର ମାନଙ୍କରେ ରାତ୍ରୀଯାପନ କରୁଥିଲେ ବୋଲି ୱେଷ୍ଟ ଗୋଦାବରୀର ଏସପି ଅଦନନ୍ ନାଇମ ଘୋଷଣା କରିଛନ୍ତି।
ପୋଲିସ ମୃତବ୍ୟାକ୍ତିର ଡିଏନଏ ପରିକ୍ଷା କରି ପରିଚୟ ଜାଣିବାକୁ ଚେଷ୍ଟା କରିଥିଲା। ତେବେ ପାର୍ଲାୟାଙ୍କ ସମ୍ପର୍କିୟ ଓ ପଡୋଶି ମାନେ ମୃତଦେହରୁ ମିଳିଥିବା କପଡାରୁ ତାଙ୍କ ପରିଚୟ ସ୍ପଷ୍ଟ କରିଥିଲେ।
ସୂଚନା ମୁତାବକ, ଶ୍ରୀଧର ବର୍ମା ନାମକ ଜଣେ ବ୍ୟକ୍ତି ପାର୍ଲାୟାଙ୍କୁ ନିଜ ଜମିରୁ ଘାସ ବାଛିବା ପାଇଁ କାମ ଦେଇଥିଲେ। ଡିସେମ୍ବର ୧୭ ଦିନ ପାର୍ଲାୟା ଶ୍ରୀଧରଙ୍କ ଜମିକୁ କାମ କରିବାକୁ ଯାଇଥିଲେ। ଶେଷଥର ପାଇଁ ପାର୍ଲାୟା ଓ ଶ୍ରୀଧରଙ୍କୁ ଏକ ବାଇକରେ ଯାଉଥିବାର ଦେଖାଯାଇଥିଲା। ଡିସେମ୍ବର ୧୯ରେ ତୁଳସୀଙ୍କୁ ଉକ୍ତ ପାର୍ସଲ ମିଳିବା ପରଠୁ ଶୀଧରଙ୍କ ପତ୍ତା ମିଳୁନାହିଁ ବୋଲି ପୋଲିସ କହିଛି।