ନୂଆଦିଲ୍ଲୀ: ବିଶ୍ବବ୍ୟାପୀ କାର ବିକ୍ରି କରୁଥିବା ଜାପାନର ଅଟୋ ମୋବାଇଲ୍ କମ୍ପାନି ନିସାନ୍ ମୋଟର ଏବଂ ହୋଣ୍ଡା ମୋଟ୍ର ଖୁବଶୀଘ୍ର ‘ଏକ’ ହେବାକୁ ଯାଉଛନ୍ତି । ହୋଣ୍ଡା ଏବଂ ନିସାନ୍ ମର୍ଜର ଉପରେ ମୋହର ଲାଗିସାରିଛି । ଏହି ଦୁଇ କମ୍ପାନି ସହ ମିଶିବ ମିତ୍ସୁବିଶି ମୋଟର୍ସ । ଏନେଇ ଦୀର୍ଘ ଦିନ ଧରି ଚର୍ଚ୍ଚା ଲାଗି ରହିଥିବା ବେଳେ ଆଜି (ସୋମବାର) ଏହା ଉପରେ ବିରାମ ଲାଗିଛି । ଏନେଇ ଆଜି କମ୍ପାନି ଏମଓୟୁ ସ୍ବାକ୍ଷର କରିଛନ୍ତି । ଆଉ ଏହି ମର୍ଜର ଡିଲ୍ ସହ ଏକ ବଡ଼ ରେକର୍ଡ ହେବାକୁ ଯାଉଛି ।
ମର୍ଜର ଡିଲରେ ଏହି ୩ କମ୍ପାନି ଏକ ଜଏଣ୍ଟ ହୋଲ୍ଡିଂ କମ୍ପାନି ତିଆରି କରିବେ ଏବଂ ଇଲେକ୍ଟ୍ରିକ୍ ଭେଇକିଲ୍ ସେଗମେଣ୍ଟରେ ନିଜର ସ୍ଥିତି ଦୃଢ଼ କରିବେ । ଏହା ଦ୍ବାରା ୩ କମ୍ପାନି ମିଳିତ ଭାବରେ ଏଲନ ମସ୍କଙ୍କ ଟେସଲା ଏବଂ ଚୀନ୍ର ଇଲେକ୍ଟ୍ରିକ୍ ଭେଇକିଲ୍ କମ୍ପାନି ସହ ପ୍ରତିଯୋଗୀତା କରିପାରିବେ । ଯଦି ହୋଣ୍ଡା, ନିସାନ ଏବଂ ମିତ୍ସୁବିଶି ଏକ ହୋଇଯାଆନ୍ତି ତେବେ ଦୁନିଆରେ ଅଟୋ ମାର୍କେଟ ପରିବର୍ତ୍ତନ ହୋଇପାରେ । ଏହି ଡିଲ୍ ଦ୍ବାରା ଅନେକ ରେକର୍ଡ ତିଆରି ହୋଇପାରିବ ବୋଲି କୁହାଯାଉଛି ।
- ୩ କମ୍ପାନିର ମର୍ଜର ବା ମିଶ୍ରଣ ପରେ ଯେଉଁ କମ୍ପାନି ତିଆରି ହେବ, ତାର ବାର୍ଷିକ ବିକ୍ରି ୩୦ ଟ୍ରିଲିୟନ ୟେନ୍ ବା ୧୬.୨୪ ଲକ୍ଷ କୋଟି ଟଙ୍କା ହେବ ବୋଲି ଅନୁମାନ କରାଯାଉଛି । କମ୍ପାନିର ବାର୍ଷିକ ଲାଭ ୩ ଟ୍ରିଲିୟନ୍ ୟେନ୍ ବା ୧.୬୨ ଲକ୍ଷ କୋଟି ଟଙ୍କା ଟପିବ ବୋଲି ଆଶା କରାଯାଉଛି ।
- ମର୍ଜର ପରେ ନୂଆ କମ୍ପାନି ବିଶ୍ବବ୍ୟାପୀ ୮୦ ଲକ୍ଷ କାର ବିକ୍ରି କରିବ । ଏହା ପରେ କାର ବିକ୍ରି ମାମଲାରେ ଦୁନିଆରେ ତୃତୀୟ ବଡ଼ କାର କମ୍ପାନି ହୋଇପାରିବ । ଏବେ ଜାପାନର କାର କମ୍ପାନି ଟୋୟୋଟା ବାର୍ଷିକ ୧.୧୫ କୋଟି କାର ବିକ୍ରି ସହ ନମ୍ବର ଓ୍ବାନରେ ଥିବା ବେଳେ ଜର୍ମାନୀର ଫୋକ୍ସଓ୍ବାଗନ୍ ୯୨ ଲକ୍ଷ ଗାଡ଼ି ବିକ୍ରି ସହ ଦ୍ବିତୀୟ ସ୍ଥାନରେ ରହିଛି ।
ହୋଣ୍ଡା, ନିସାନ୍ ଏବଂ ମିତ୍ସୁବିଶି ପକ୍ଷରୁ କୁହାଯାଇଛି ଯେ, ଏହି ଡିଲକୁ ନେଇ ଜୁନ୍ ୨୦୨୫ ସୁଦ୍ଧା ଆଲୋଚନା ଶେଷ ହୋଇଯିବ । ଏହା ପରେ ନୂଆ ଜଏଣ୍ଟ କମ୍ପାନି ଅଗଷ୍ଟ ୨୦୨୬ ସୁଦ୍ଧା କାର୍ଯ୍ୟ ଆରମ୍ଭ କରିବ । ନିସାନ ମୋଟର ବ୍ୟାଟେରି ଏବଂ ଇଲେକ୍ଟ୍ରିକ୍ ଭେଇକିଲ୍ କ୍ଷେତ୍ରରେ ବହୁ ଆଗରେ ଥିବା ବେଳେ ହୋଣ୍ଡା ନିଜର ରିସର୍ଚ୍ଚ ଦିଗରେ ଆଗରେ ରହିଛି । ଏହି ମର୍ଜର ପରେ ଅଟୋ ମୋବାଇଲ୍ ସେକ୍ଟରରେ ଏକ ବୈପ୍ଳବିକ ପରିବର୍ତ୍ତନ ଦେଖିବାକୁ ମିଳିବ ବୋଲି କୁହାଯାଉଛି ।