କ୍ରମବର୍ଦ୍ଧିଷ୍ଣୁ ମଣିଷର ବାସ ପାଇଁ ସ୍ଥାନ ସମ୍ପ୍ରସାରଣ ହେଉଥିଲା ବେଳେ ଅରଣ୍ୟାଞ୍ଚଳର ସୀମା ଉଲ୍ଲଙ୍ଘନ ଓ କ୍ରମଶଃ ସଂକୋଚନ ମୁଖ୍ୟ ସମସ୍ୟା ଉପୁଜିଛି । ପ୍ରତିବର୍ଷ ପୃଥିବୀରେ ଧ୍ୱଂସ ହେଉଛି ୧୯୨ ହଜାର ବର୍ଗ କି.ମି. ଜଙ୍ଗଲ ଓ ୧୫୩୦ କୋଟି ଗଛ । ଜନସଂଖ୍ୟା ନିୟନ୍ତ୍ରଣ ପଦକ୍ଷେପକୁ ପାଳନ ନକଲେ ମଣିଷମୟ ଭାରତ ଶେଷରେ ଭସ୍ମାସୁର ହୋଇଯିବା ଅସମ୍ଭବ ନୁହେଁ ।
ଅରଣ୍ୟ ମଣିଷର ଆଦିଭୂମି । ପୃଥିବୀ ସୃଷ୍ଟିର ନିୟୁତ ନିୟୁତ ବର୍ଷ ପରେ ଏନ୍ଜିଓ ସ୍ପାର୍ମ ବା ଉଦ୍ଭିଦ ଗୋଷ୍ଠୀର ଜନ୍ମ । ପ୍ରାୟ ଦଶକୋଟି ବର୍ଷ ପୂର୍ବେ ପ୍ରାକୃତିକ କ୍ରମବିକାଶ କ୍ରମେ ଜଳକଲ୍ଲୋଳିତ ପୃଥିବୀ ସବୁଜ ଗଛପତ୍ରରେ ପ୍ରଥମେ ପରିଶୋଭିତ ହେଲା । ଅରଣ୍ୟ କହିଲେ ବିବିଧ ଦ୍ରୁମ, ତରୁଲତା, ଗୁଳ୍ମ, ଜୀବଜନ୍ତୁ, ପାହାଡ଼ ପର୍ବତ ଆଦି ଏକତ୍ରିତ ହୋଇଥିବା ଅଞ୍ଚଳକୁ ବୁଝାଏ । ସଭ୍ୟତାର ଉନ୍ମେଷ କାଳରୁ ଏହି ଅଞ୍ଚଳ ସହିତ ମଣିଷର ସମ୍ପର୍କ ଅତି ନିବିଡ଼ । ଅରଣ୍ୟର ପୁଷ୍ପଫଳ ବିମଣ୍ଡିତ ଅପୂର୍ବ ଅପରୂପ ଶୋଭାରାଜି ମନୁଷ୍ୟ ପ୍ରାଣକୁ କେବଳ ସ୍ପନ୍ଦିତ କରେନାହିଁ, ମଣିଷକୁ ପରିପୁଷ୍ଟ କରିଥାଏ ଏବଂ ତା'ର ଆର୍ଥିକ ମାନଦଣ୍ଡକୁ ସୁଦୃଢ଼ କରିଥାଏ । ଆଦିମ ଅଧିବାସୀ ସମ୍ପ୍ରଦାୟସମୂହ ଜୀବନଧାରଣ ପାଇଁ ମୁଖ୍ୟତଃ ଅରଣ୍ୟ ଉପରେ ନିର୍ଭରଶୀଳ । ପରିବେଶ ସନ୍ତୁଳନ ରକ୍ଷା, ଖାଦ୍ୟ ସୁରକ୍ଷା, ଜଳଚକ୍ରର ସୁରକ୍ଷା, ବାୟୁଚକ୍ର ସଞ୍ଚାଳନ, ବିଶ୍ୱ ଉଷ୍ମତା ନିୟନ୍ତ୍ରଣ, ଜୀବଜନ୍ତୁ ଓ ପକ୍ଷୀଜଗତ ପାଇଁ ନିରାପଦ ଆଶ୍ରୟସ୍ଥଳୀ, ମୃତ୍ତିକା ସଂରକ୍ଷଣ, ପ୍ରାକୃତିକ ବିପର୍ଯ୍ୟୟରୁ ରକ୍ଷା, ଜୈବ ବିବିଧତାର ସୁରକ୍ଷା ଆଦି ବହୁବିଧ ବ୍ୟବସ୍ଥା ଅରଣ୍ୟ ଯୋଗାଇ ଦେଇଥାଏ । ଅରଣ୍ୟର ବୃକ୍ଷଲତା ହିଁ ଅଙ୍ଗାର ଆତ୍ମୀକରଣ କରି ଅମ୍ଳଜାନ ସୃଷ୍ଟି କରିଥାଏ, ଯାହା ଜୀବଜଗତ ପାଇଁ ସଞ୍ଜୀବନୀ । ଏଣୁ ଅରଣ୍ୟ ସ୍ରଷ୍ଟାଙ୍କର ଅମୂଲ୍ୟ ସୃଷ୍ଟି ।
ଜଳବାୟୁ, ମୃତ୍ତିକାର ପ୍ରକାରଭେଦକୁ ଆଧାର କରି ଅରଣ୍ୟକୁ ବିଭିନ୍ନ ଶ୍ରେଣୀରେ ବିଭକ୍ତ କରାଯାଇଥାଏ ଯଥା- ଚିରହରିତ୍ ଅରଣ୍ୟ, ପର୍ଣ୍ଣମୋଚୀ ଅରଣ୍ୟ, ଶୁଷ୍କ ଅରଣ୍ୟ, ପାର୍ବତ୍ୟ ଅରଣ୍ୟ, ଜୁଆରିଆ ଅରଣ୍ୟ, ହିମାଞ୍ଚଳ ଅରଣ୍ୟ । ପୃଥିବୀର ପ୍ରାୟ ୨୬ ପ୍ରତିଶତ ଅଞ୍ଚଳ ଜଙ୍ଗଲ । ଭାରତବର୍ଷର ଅରଣ୍ୟ ଆୟତନ ବିଶ୍ୱଜଙ୍ଗଲର ଆୟତନର ଶତକଡ଼ା ୧୫ ପ୍ରତିଶତ ଯାହା ଅତ୍ୟନ୍ତ ଉଦ୍ବେଗଜନକ । ଭାରତରେ ରହିଛି ୬,୯୦,୮୯୯ ବର୍ଗ କିଲୋମିଟର ଅରଣ୍ୟ ଯାହାକି ଦେଶର ସମଗ୍ର ଆୟତନର ୨୧ଭାଗ । ସେହିପରି ଆମ ଓଡ଼ିଶା ରାଜ୍ୟରେ ଜଙ୍ଗଲ ଜମିର ଆୟତନ ୪୮.୮୫୫ ବର୍ଗ କି.ମି. ଯାହା ସମଗ୍ର ଆୟତନର ୩୧.୮୮ ଭାଗ ବୋଲି ଦାବି କରାଯାଉଛି ।
ପୃଥିବୀର କୌଣସି ଦେଶରେ ଜଙ୍ଗଲ କ୍ଷେତ୍ରର ପରିବୃଦ୍ଧି ଘଟୁଥିବାର ଦେଖାଯାଉନାହିଁ । ବରଂ ପ୍ରତିବର୍ଷ ୦.୦୫ ବୃକ୍ଷ କ୍ଷୟ ଘଟୁଛି ଓ ଜଙ୍ଗଲର ପରିସୀମା ସଂକୁଚିତ ହେଉଛି । ଜଙ୍ଗଲର ଅବକ୍ଷୟ ଯୋଗୁଁ କେବଳ ମଣିଷ ନୁହେଁ ଜୀବମଣ୍ଡଳ ବିପଦାପନ୍ନ । ଏହାଦ୍ୱାରା ବାୟୁମଣ୍ଡଳର ଅଙ୍ଗାରକାମ୍ଳ ଶୋଷଣ ପ୍ରକ୍ରିୟା ବ୍ୟାହତ ହୋଇ ଗଚ୍ଛିତ ଅଙ୍ଗାରକ ଅଙ୍ଗାରକାମ୍ଳ ରୂପେ ବାୟୁମଣ୍ଡଳକୁ ନିର୍ଗତ ହୋଇ ବିଶ୍ୱ ଉତ୍ତାପ ବୃଦ୍ଧିରେ ସହାୟ ହେଉଛି । ବିଶ୍ୱ ଉତ୍ତାପ ଯୋଗୁଁ ମେରୁ ଅଞ୍ଚଳରୁ ବରଫ ତରଳିବା ଆରମ୍ଭ ହୋଇଛି ଏବଂ ସମୁଦ୍ର ପତନ ବୃଦ୍ଧି ହୋଇ ଉପକୂଳ ଅଞ୍ଚଳରେ କ୍ଷତି ଘଟାଉଛି । ମାଳଦ୍ୱୀପ ପରି ଅନେକ ଦେଶ ଆଜି ଲୀନ ହେବାର ଦ୍ୱାର ଦେଶରେ ।
ପରିସଂଖ୍ୟାନ ପୃଷ୍ଠାରୁ ଜଣାଯାଏ ପୃଥିବୀର ୭.୬ ପ୍ରତିଶତ ସ୍ତନ୍ୟପାୟୀ, ୧୨.୬ ପ୍ରତିଶତ ପକ୍ଷୀ, ୬.୨ ପ୍ରତିଶତ ସରୀସୃପ ପ୍ରଜାତିର ପ୍ରାଣୀ ଆମ ଭାରତରେ ବାସ କରନ୍ତି । ପ୍ରାୟତଃ ୩୫୦ ପ୍ରଜାତିର ସ୍ତନ୍ୟପାୟୀ ଜୀବ, ୨୦୦୦ ପ୍ରଜାତିର ପକ୍ଷୀ, ୫୦୦ ପ୍ରଜାତିର ସରୀସୃପ, ୨୫ ହଜାରରୁ ଅଧିକ କୀଟପତଙ୍ଗ ସହିତ ପାଖାପାଖି ୨୫୦୦ ପ୍ରଜାତିର ମାଛ ଓ ସାମୁଦ୍ରିକ ଜୀବ ଅଛନ୍ତି । ତନ୍ମଧ୍ୟରୁ ଭାରତରେ ୧୧୪୩ ପ୍ରଜାତିର ପ୍ରାଣୀମାନଙ୍କୁ ବିରଳ ଓ ବିପନ୍ନ ପ୍ରାଣୀ ଭାବେ ଚିହ୍ନଟ କରାଯାଇଛି । ଏହି ବିରଳ ତାଲିକାରେ ୭୧ ପ୍ରଜାତିର ସ୍ତନ୍ୟପାୟୀ ପ୍ରାଣୀ, ୮୮ ପ୍ରଜାତିର ପକ୍ଷୀ ଏବଂ ୧୧ ପ୍ରଜାତିର ସରୀସୃପ ରହିଛନ୍ତି ।
ପରିବେଶ ଅସନ୍ତୁଳନ, ଦ୍ରୁତ ଜଙ୍ଗଲକ୍ଷୟ ଓ ତ୍ୱରିତ ଶିଳ୍ପାୟନ ଓ ଏଇଭଳି ଜନବିସ୍ଫୋରଣର ବିନାଶ ପର୍ବ ଯଦି ଲାଗିରହେ, ହୁଏତ ଆଉ କିଛି ଶତାବ୍ଦୀ ପରେ ସମୟ ଆସିବ, ମଣିଷ ବ୍ୟତୀତ ଆଉ କୌଣସି ଜୀବଜନ୍ତୁ ଏ ପୃଥିବୀ ପୃଷ୍ଠରେ ଦେଖିବାକୁ ମିଳିବ ନାହିଁ । ଯଦି ସେମାନଙ୍କୁ କିଏ ଦେଖିବାକୁ ବା ଜାଣିବାକୁ ଇଚ୍ଛା କରିବ, ତେବେ ସେମାନେ କେବଳ ପୁସ୍ତକ ପୃଷ୍ଠାର ଚିତ୍ରରେ ଅଥବା ମଣିଷ ସୃଷ୍ଟ ଚିଡ଼ିଆଖାନାରେ ଦେଖିବେ । ହୁଏତ ସେତେବେଳର ଚିଡ଼ିଆଖାନାର ସ୍ଥିତି ବଦଳି ଯାଇଥିବ । ପରିବେଶ ଅସନ୍ତୁଳନ, ପ୍ରାକୃତିକ ବିପର୍ଯ୍ୟୟ, ବିବର୍ତ୍ତନ ପରିପ୍ରେକ୍ଷୀରେ ଜୀବଜଗତର ଚିତ୍ର ଓ ଚରିତ୍ର ବଦଳି ଯାଇଥିବ ସମ୍ପୂର୍ଣ୍ଣ ।
ସଂପ୍ରତି ଭାରତରେ ୮୬ଟି ଜାତୀୟ ବନ-ଉଦ୍ୟାନ, ୪୮୧ଟି ଅଭୟାରଣ୍ୟ, ଶତାଧିକ ସୁରକ୍ଷିତ ଓ ସଂରକ୍ଷିତ ଜଙ୍ଗଲ, ଗ୍ରାମ୍ୟ ଜଙ୍ଗଲ ରହିଅଛି । କ୍ରମଶଃ ସେମାନେ ଆଉ ଘଞ୍ଚ ଅରଣ୍ୟ ପଦବାଚ୍ୟ ହୋଇନାହାନ୍ତି । ନଦୀରେ ନାହିଁ ମାଛ, ବନରେ ନାହିଁ ଗଛ ଭଳି ସାମ୍ପ୍ରତିକ ଅବସ୍ଥା, ସରକାରଙ୍କ ବନ କ୍ଷେତ୍ରଫଳ ଆକଳନ (୩୧.୮୮%) ବେଠିକ୍ ମନେହୁଏ । ମୋତେ ୭୦ବର୍ଷ ବୟସ ଛୁଇଁଲାଣି । ମୋ ଜୀବନକାଳ ଭିତରେ ମୁଁ ଅନେକ ଅଭୟାରଣ୍ୟ, ସଂରକ୍ଷିତ ଗ୍ରାମ୍ୟ ଜଙ୍ଗଲ ଓ ଜାତୀୟ ଉଦ୍ୟାନ ସଂସ୍ପର୍ଶରେ ଆସିଛି ଜଣେ ଜଙ୍ଗଲବୁଲା ଉଦ୍ଦାମ ବନଚାରୀ ଭାବେ । ମାତ୍ର ଅର୍ଦ୍ଧଶତାବ୍ଦୀ କାଳ ଭିତରେ ମୁଁ ସେକାଳ ଓ ଏକାଳ ବନର ଘଞ୍ଚତା ମଧ୍ୟରେ ଆକାଶ ପାତାଳ ପ୍ରଭେଦ ଦେଖିପାରୁଛି । ଗ୍ରାମ ହେଉ ବା ସହରର ମାଫିଆ ହୁଅନ୍ତୁ, ମାଙ୍କଡ଼ ହାତରେ ଶାଳଗ୍ରାମ ଭଳି ଅବସ୍ଥା ଉପୁଜିଛି ଏବଂ ଏହା ଅଧିକ ଉତ୍କଟ ହେଉଛି । "ଜଙ୍ଗଲ ଆମର, ଏହାକୁ ହରିଲୁଟ୍ କରିବାର ଅଧିକାର ଆମର' ମାନସିକତା ଅନ୍ତରାୟ ହେଉଛି ।
ଜଗୁଆଳକୁ ପୁଣି ଜଗିବ କିଏ? ଅନେକ ଅଭ୍ୟନ୍ତର ଜଙ୍ଗଲ ମୁଁ ବୁଲି ଦେଖିଛି । ବାହାର ଜଗତକୁ ଶ୍ୟାମଳ ଦିଶୁଥିଲେ ମଧ୍ୟ ଭିତର ଖୋଲା, ଖାଲି ଖାଲି । ଯେଉଁଠି ବୃକ୍ଷଟିଏ କଟାଯାଇଛି ବା ବାତ୍ୟାରେ ବିଧ୍ୱସ୍ତ ହୋଇଛି, ସେଠି ନୂତନ ଗଛ ରୋପଣ କରିବା ଓ ତାକୁ ବୟଃପ୍ରାପ୍ତ ଅବସ୍ଥାକୁ ଆଣିବା ଯଦିଚ ଯୋଜନାମାନ ରହିଛି, ତାହା କେତେଦୂର କାର୍ଯ୍ୟକାରୀ ହେଉଛି ମା' ଗଙ୍ଗେ ଜାଣନ୍ତି । ଧରାଯାଉ, ଜଗନ୍ନାଥଙ୍କ ରଥ ନିର୍ମାଣ ପାଇଁ ସଦ୍ୟ ଗଛ କଟାଯାଇ ବିପୁଳ କାଠ ବ୍ୟବହାର କରାଯାଉଛି, ସେହି ସ୍ଥାନମାନଙ୍କରେ ନୂତନ ଗଛ ରୋପଣ, ସେଗୁଡ଼ିକର ଯତ୍ନ ଓ ପରିବୃଦ୍ଧି ସମ୍ବନ୍ଧରେ ଯଦିଓ ବିସ୍ତୃତ ନିର୍ଦ୍ଦେଶନାମା ରହିଛି, ଏହାର ସମୀକ୍ଷା ଓ କାର୍ଯ୍ୟକାରିତା ସମ୍ବନ୍ଧରେ ଜନସାଧାରଣ ଅବଗତ ନାହାନ୍ତି । କାଠଦ୍ୱାରା ରଥ ନିର୍ମାଣ ପାଇଁ ବିକଳ୍ପ ବ୍ୟବସ୍ଥାର ଆହ୍ୱାନ ଉପସ୍ଥିତ ହୋଇଛି । କିନ୍ତୁ କାର୍ଯ୍ୟକାରୀ କରିବ କିଏ?
ସାଧାରଣତଃ ଗୋଟିଏ ବୃକ୍ଷକୁ ଉତ୍ତାରିବା ଓ ଯୁବାବସ୍ଥାକୁ ଆଣିବାକୁ ଅନ୍ୟୁନ ୩୦ରୁ ୫୦ବର୍ଷ ଲାଗିଥାଏ ବୃକ୍ଷର ଶ୍ରେଣୀ ନେଇ । ବଣ୍ୟପ୍ରାଣୀ ସଂରକ୍ଷଣ ଯୋଜନା ୨୦୦୨ ଅନୁସାରେ ପ୍ରତ୍ୟେକ ଅଭୟାରଣ୍ୟ ଓ ଜାତୀୟ ଉଦ୍ୟାନର ୧୦ କି.ମି. ପରିସୀମାକୁ ପ୍ରାକୃତିକ ସ୍ପର୍ଶକାତର ଅଞ୍ଚଳ (ଇଏସ୍ଏ) ଭାବରେ ସୂଚିତ କରାଯିବା କଥା । କିନ୍ତୁ ଖଣିମାଫିଆ, କାଠମାଫିଆ, ବିଲ୍ଡର ଓ ଶିଳ୍ପପତିଙ୍କ ସ୍ୱାର୍ଥପରତା, ଚକ୍ରାନ୍ତ ଓ ବିଭାଗୀୟ ମଧୁଚନ୍ଦ୍ରିକା ମନୋଭାବ ଯୋଗୁଁ ଆଇନ ବସ୍ତୁତଃ କାର୍ଯ୍ୟକାରୀ ହୋଇପାରୁନାହିଁ । "ତୁ ଯା' ଆଗେ କରିବୁ ଫେରାଦ, ସେ ମୋତେ ଦେଇଛି ବରାଦ' ଅନେକାଂଶରେ ଦେଖିବାକୁ ମିଳୁଛି । ନାହିଁ ଆନ୍ତରିକତା, ନାହିଁ ଶହେ ପଣ ସ୍ୱଚ୍ଛତା ।
ବୃକ୍ଷରୋପଣ ସମ୍ବନ୍ଧୀୟ ସରକାର ଉଦାସୀନତା ତଥା କାର୍ଯ୍ୟନିଷ୍ଠତା ସମ୍ପର୍କରେ ଏକ ବ୍ୟଙ୍ଗୋପାଖ୍ୟାନ ଶୁଣନ୍ତୁ- ବିଭାଗୀୟ ହାକିମ ଚୌକିରେ ବସି ଚାରିଜଣ ତଳିଆ କର୍ମଚାରୀଙ୍କୁ ବୃକ୍ଷରୋପଣ ପାଇଁ ନିର୍ଦ୍ଦେଶ ଦିଅନ୍ତି । ରାଜରାସ୍ତାର ଦୁଇକଡ଼ରେ ଠାଏ ସ୍ଥାନ ନିରୂପିତ ହୁଏ । ଚାରିଜଣ କର୍ମଚାରୀଙ୍କ ମଧ୍ୟରେ କାମ ବାଣ୍ଟି ଦିଆଯାଏ । ପ୍ରଥମ କର୍ମଚାରୀ କେବଳ ଗାତ ଖୋଳିବ । ୨ୟ ଜଣକ ଚାରା ଗାତରେ ଥୋଇବ । ୩ୟ କର୍ମଚାରୀ ଗାତ ପୋତି ପୋତି ଯିବ । ୪ର୍ଥ କର୍ମଚାରୀ ଟିଣରେ ପାଣି ବୋହି ଚାରାମୂଳରେ ଦେଇ ଦେଇ ଯିବ । ଦୈବାତ୍ ୨ୟ ବ୍ୟକ୍ତି ଯାହାର କାମ ଗାତରେ ଚାରା ଥୋଇବା, ଆସି ପାରିଲା ନାହିଁ । ହାକିମଙ୍କ କର୍ମ ବଣ୍ଟନ ଆଦେଶ ଉଲ୍ଲଙ୍ଘନ ହୋଇନପାରେ । ଅତଏବ ଗାତରେ ଚାରା ଥାଉ ନଥାଉ, ସେ ଗାତଗୁଡ଼ିକ ପୋତି ଚାଲିଲା ଏବଂ ଚତୁର୍ଥ ବ୍ୟକ୍ତି ଗାତଗୁଡ଼ିକରେ ପାଣି ଦେଇ ଦେଇ ଚାଲିଲା । ଏଇଭଳି ଚାଲିଛି ସରକାରୀ କାର୍ଯ୍ୟଦକ୍ଷତା, କର୍ମନିଷ୍ଠତା । ଫାଇଲଗୁଡ଼ିକରେ ଆୱାଜ ବେଶୀ, କାମ କମ୍ । କେଉଁ ଜଙ୍ଗଲରେ କି କି କିସମର କେତେ ସଂଖ୍ୟାରେ ଗଛ ଅଛି, ମୁଁ ଜାଣିବା ପାଇଁ ଆର.ଟି.ଆଇ. ଆକ୍ଟରେ ଆଶ୍ରୟ ନେଇଥିଲି । କିନ୍ତୁ ବୃକ୍ଷମାନଙ୍କ ସମ୍ପୂର୍ଣ୍ଣ ଗଣନା ହୋଇପାରି ନଥିବାରୁ ନିରାଶ ହେବାକୁ ପଡ଼ିଥିଲା ।
ଅରଣ୍ୟ ପାଇଁ ସବୁଠୁଁ ବିପଜ୍ଜନକ ପରିସ୍ଥିତି ସୃଷ୍ଟି କରିଛି ଜନସଂଖ୍ୟା ବିସ୍ଫୋରଣ ଓ ବନାଗ୍ନି ଓ ପୋଡ଼ୁଚାଷ । ପ୍ରତିବର୍ଷ ବନାଗ୍ନିରେ ୦.୦୭ ଶତାଂଶ ଜଙ୍ଗଲ ଧ୍ୱଂସ ହେଉଛି ଯଦ୍ୱାରା ଜୈବ ବିବିଧତା କଠୋର ଭାବେ ଆଘାତପ୍ରାପ୍ତ । ମୋର ଜଙ୍ଗଲ ପରିଭ୍ରମଣ କାଳରେ ଅନେକଥର ବନାଗ୍ନିର ଭୟାବହତା ଦେଖି ମର୍ମାହତ ହୋଇଛି । ଜଳଭଳି ଅଗ୍ନି ବିହୁନେ ସୃଷ୍ଟି ନାଶ, ଅଗ୍ନି ଗହଳେ ସୃଷ୍ଟି ନାଶ ସୂକ୍ତିର ସତ୍ୟତା ବାସ୍ତବ କ୍ଷେତ୍ରରେ ମର୍ମେ ମର୍ମେ ଉପଲବ୍ଧି କରିଛି । ବିକଶିତ ଦେଶ ଭଳି ଆମର ଅତ୍ୟାଧୁନିକ ଉପକରଣ ନାହିଁ ଭସ୍ମାସୁର ଅଗ୍ନିକୁ ନିର୍ବାପିତ କରିବା ପାଇଁ । ନିକଟ ଅତୀତରେ ତା ୨୩.୩.୧୫ରେ ଘଟିଥିବା ଜାତୀୟ ବନ ଉଦ୍ୟାନର ଅଗ୍ନିକାଣ୍ଡ ଏହାର ଦୃଷ୍ଟାନ୍ତ ନିଆଯାଇପାରେ ।
ଆଜି ପୃଥିବୀର ଜନସଂଖ୍ୟା ୭୦୦ କୋଟିରୁ ଅଧିକ । ହିସାବ କରି ଦେଖାଯାଇଛି ଯେ, ଜନସଂଖ୍ୟା ଏହି ହାରରେ ବଢ଼ିଲେ ୨୦୫୦ ମସିହା ବେଳକୁ ପୃଥିବୀର ଜନସଂଖ୍ୟା ୯୦୦ କୋଟି ହୋଇଯିବ । ପୂର୍ବେ ୧୦୦ କୋଟି ଲୋକ ସୃଷ୍ଟି କରିବାକୁ ଶହ ଶହ ବର୍ଷ ଲାଗୁଥିଲା ବେଳେ ଏବେ ୧୦୦ କୋଟି ଲୋକ ସୃଷ୍ଟି କରିବାକୁ ୧୦ ବର୍ଷ ଲାଗୁଛି । ବିଶ୍ୱ ଜନସଂଖ୍ୟାକୁ ଏସିହା ମହାଦେଶର ଯୋଗଦାନ ସର୍ବାଧିକ ଥିଲାବେଳେ ଭାରତ ଖୁବ୍ଶୀଘ୍ର ବିଶ୍ୱର ଏକନମ୍ବର ଜନସଂଖ୍ୟା ବିଶିଷ୍ଟ ଦେଶ ହେବାକୁ ମୁହାଁଇଛି । ଜନସଂଖ୍ୟା ବିସ୍ଫୋରଣ ଜଙ୍ଗଲ ଧ୍ୱଂସର ମୁଖ୍ୟ କାରଣ। କ୍ରମବର୍ଦ୍ଧିଷ୍ଣୁ ମଣିଷର ବାସ ପାଇଁ ସ୍ଥାନ ସମ୍ପ୍ରସାରଣ ହେଉଥିଲା ବେଳେ ଅରଣ୍ୟାଞ୍ଚଳର ସୀମା ଉଲ୍ଲଙ୍ଘନ ଓ କ୍ରମଶଃ ସଂକୋଚନ ମୁଖ୍ୟ ସମସ୍ୟା ଉପୁଜିଛି । ପ୍ରତିବର୍ଷ ପୃଥିବୀରେ ଧ୍ୱଂସ ହେଉଛି ୧୯୨ ହଜାର ବର୍ଗ କି.ମି. ଜଙ୍ଗଲ ଓ ୧୫୩୦ କୋଟି ଗଛ । ଜନସଂଖ୍ୟା ନିୟନ୍ତ୍ରଣର ପଦକ୍ଷେପକୁ କଡ଼ାକଡ଼ି ଭାବେ ପାଳନ ନକଲେ ମଣିଷମୟ ଭାରତ ଶେଷରେ ଭସ୍ମାସୁର ହୋଇଯିବା ଅସମ୍ଭବ ନୁହେଁ । ଅନେକ ରାଜନୈତିକ ନେତା ପରିବାର ସଂକୋଚନ ପାଇଁ ଜାତି ଧର୍ମ ନିର୍ବିଶେଷରେ ଜନ୍ମ ନିୟନ୍ତ୍ରଣ ବାଧ୍ୟତାମୂଳକ କରିବା ପାଇଁ ଆହ୍ୱାନ ଦେଲେଣି, ଯାହା ସ୍ୱାଗତଯୋଗ୍ୟ ।
ଆଜିର ଏହି ବିଷମ ପରିସ୍ଥିତିରେ ବୃକ୍ଷ ବଞ୍ଚାଇବା ପାଇଁ ଆହ୍ୱାନ "କାମକୁ କରାଇ ପଛ, ଆସ ଲଗାଇବା ଗଛ', "ବୃକ୍ଷ ଆମ ଜୀବନ, ତା’ ସୁରକ୍ଷାରେ ଦିଅ ମନ', "ମୋତେ ଦିଅ ଜଳ, ମୁଁ ଦେବି ଫଳ', "ବୃକ୍ଷ ଆମ ବନ୍ଧୁ, ତା'ର ଅନ୍ୟନାମ କୃପାସିନ୍ଧୁ', "ମୋତେ କରନାହିଁ ହତାଦର, ମୁଁ ତୁମକୁ କରେ ଉଦ୍ଧାର' ଆଦି ଆହ୍ୱାନ ସଚେତନତା ପାଇଁ ବାରମ୍ବାର ପ୍ରଚାରିତ ହୋଇ କାୟମନୋବାକ୍ୟରେ କାର୍ଯ୍ୟକାରୀ ହେଲେ ଆଜିର ଦୁଃସ୍ଥ, ରୋଗିଣା ଅଭୟାରଣ୍ୟ ପୁନର୍ଜୀବିତ ହୋଇ ଉଠିବ, ପ୍ରକୃତି ଓ ପରିବେଶ ହସି ଉଠିବ ।